ଭୁବନେଶ୍ବର: ଶିଳ୍ପାୟନ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହୋଇପାରିଥିବାରୁ ଓଡ଼ିଶାରେ ଗତ ୭ ବର୍ଷ ମଧ୍ୟରେ ଖାଦ୍ୟ ପ୍ରକ୍ରିୟାକରଣ, ଗ୍ରିନ ହାଇଡ୍ରୋଜେନ, ଅକ୍ଷୟ ଶକ୍ତି, ଇଭି ଯାନ, ପ୍ଲାଷ୍ଟିକ ଓ କେମିକାଲ, ପର୍ଯ୍ୟଟନ ତଥା ମେଟାଲ ଡାଉନଷ୍ଟ୍ରିମ ଶିଳ୍ପ କ୍ଷେତ୍ରରେ ୧୧.୬୩ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ଫଳରେ ୭ ଲକ୍ଷରୁ ଉର୍ଦ୍ଧ୍ୱ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି ବୋଲି ବିଜେଡି ପକ୍ଷରୁ କୁହାଯାଇଛି।

Advertisment

ଆଜି ଶଙ୍ଖ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ଜାତୀୟ ମୁଖପାତ୍ର ସଂତୃପ୍ତ ମିଶ୍ର କହିଲେ, ଆର୍‌ବିଆଇ ରିପୋର୍ଟ ଅନୁଯାୟୀ ପୁଞ୍ଜିନିବେଶ କ୍ଷେତ୍ରରେ ସର୍ବଭାରତୀୟ ସ୍ତରରେ ଓଡ଼ିଶା ତୃତୀୟ ସ୍ଥାନରେ ରହିଥିବା ବେଳେ ସିଏମ୍‌ଆଇ ଓ ସିଆଇଆଇ ରିପୋର୍ଟରେ ଓଡ଼ିଶା ଦ୍ୱିତୀୟ ସ୍ଥାନରେ ରହିଛି। ଗତ ୭ ବର୍ଷ ଭିତରେ ରପ୍ତାନୀ ପରିମାଣ ପାଖାପାଖି ଦୁଇ ଗୁଣ ହୋଇପାରିଛି। ଗଲା ଦୁଇ ଦଶନ୍ଧି ମଧ୍ୟରେ ସିମେଣ୍ଟ ଉତ୍ପାଦନ ୨୨ ଗୁଣା ବୃଦ୍ଧି ହେବା ସହ ଷ୍ଟିଲ ଉତ୍ପାଦନରେ ପ୍ରାୟ ୧୫ ଗୁଣା ବୃଦ୍ଧି ହୋଇପାରିଛି। ଟେକ୍ସଟାଇଲ, କେମିକାଲ, ପ୍ଲାଷ୍ଟିକ, ଗ୍ରିନ ହାଇଡ୍ରୋଜେନ, ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ବହୁ ବଡ଼ ବଡ଼ ପୁଞ୍ଜିନିବେଶକାରୀ ଆଜି ଓଡ଼ିଶାରେ ପୁଞ୍ଜିନିବେଶ କରୁଛନ୍ତି। ବନ୍ଦର ପରିଚାଳନା କ୍ଷମତା ୨୦ ମେଟ୍ରିକ ଟନରୁ ବୃଦ୍ଧି ପାଇ ଆଜି ୧୭୬ ମେଟ୍ରିକ ଟନ୍‌ରେ ପହଞ୍ଚିପାରିଛି। ରାଜ୍ୟର ଯୁବଶକ୍ତିର ଦକ୍ଷତା ବିକାଶକୁ ଗୁରୁତ୍ୱ ଦେବା ଫଳରେ ନୂତନ ପୁଞ୍ଜିନିବେଶକାରୀମାନେ ରାଜ୍ୟର ‘ଦକ୍ଷତା ବିକାଶ ବିଭାଗ’ ସହିତ ସମନ୍ୱୟ ରକ୍ଷା କରି ‘ସ୍କିଲ୍‌ଡ୍‌ ଇନ୍‌ ଓଡ଼ିଶା’ ଯୁବଶକ୍ତିକୁ ନିଯୁକ୍ତି ମିଳିପାରୁଛି।

ଶାସନରେ ସ୍ୱଚ୍ଛତା ଅବଲମ୍ବନ କରାଯିବା ଫଳରେ ରାଜସ୍ୱ ବଳକା ରାଜ୍ୟ ହେବା ସହ ଓଡ଼ିଶା ଆଜି ଆର୍ଥିକ ପରିଚାଳନାରେ ଜାତୀୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିପାରିଛି। ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ଓ ସୁଶାସନ ଲାଗି ଅନ୍ତର୍ଜାତୀୟ ସ୍ତରର ନିବେଶକମାନେ ଓଡ଼ିଶାରେ ପୁଞ୍ଜିନିବେଶ କରିବାକୁ ଆକୃଷ୍ଟ ହେଉଛନ୍ତି। ରାଜ୍ୟ ଅର୍ଥନୀତିର ରୂପରେଖ ବଦଳିଛି। ବ୍ୟାପକ ଶିଳ୍ପାୟନ ପାଇଁ ରାଜ୍ୟ ସରକାରଙ୍କ ପ୍ରୋତ୍ସାହନ ଲାଗି ଆଜି ଓଡ଼ିଶା ଅର୍ଥନୀତିକୁ ଶିଳ୍ପକ୍ଷେତ୍ରରୁ ୪୧.୩ ପ୍ରତିଶତ ରାଜସ୍ୱ ମିଳିପାରୁଛି, ଯାହାକି ଅନ୍ୟ ରାଜ୍ୟ ଓ ଜାତୀୟ ସ୍ତରରେ ଶିଳ୍ପ କ୍ଷେତ୍ରରୁ ୨୮.୫ ପ୍ରତିଶତ ରାଜସ୍ୱ ମିଳୁଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶାର ରୂପାନ୍ତରଣ ଯାତ୍ରା କ୍ଷୀପ୍ର ଗତିରେ ଆଗେଇ ଚାଲିଛି। ଏହି ସାମ୍ବାଦିକ ସମ୍ମିଳନୀରେ ଦଳର ଅନ୍ୟତମ ଜାତୀୟ ମୁଖପାତ୍ର ସସ୍ମିତ ପାତ୍ର ଉପସ୍ଥିତ ଥିଲେ।