ଭୁବନେଶ୍ବର: ଓଡ଼ିଶାରେ ଲିଙ୍ଗ ଅସମାନତାକୁ ନେଇ ଏକ ସାଂଘାତିକ ଚିତ୍ର ସାମ୍ନାକୁ ଆସିଛି। ରାଜ୍ୟରେ ଝିଅଙ୍କ ସଂଖ୍ୟା ବଢ଼ୁଥିବା ବେଳେ କିଛିବର୍ଷ ପୂର୍ବରୁ ଯେଉଁ ରିପୋର୍ଟ ଆସିଥିଲା ଏଥିରେ ବ୍ରେକ୍ ଲାଗିଛି। ନିକଟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶିତ ହୋଇଥିବା ସିଭିଲ ରେଜିଷ୍ଟ୍ରେସନ୍ ସିଷ୍ଟମ୍(ସିଆରଏସ୍)ରେ ଓଡ଼ିଶାରେ ଲିଙ୍ଗ ଅସମାନତା ଚିତ୍ର ଜଳ ଜଳ ହୋଇ ବାରି ହୋଇପଡ଼ୁଛି। ରିପୋର୍ଟ ଅନୁସାରେ, ୨୦୧୧-୧୨ ମସିହାରେ ଜନ୍ମ ସମୟରେ ପ୍ରତି ହଜାରେ ପୁଅଙ୍କ ତୁଳନାରେ ୯୭୯ ଝିଅ ରହିଥିଲେ। ୨୦୨୧ ମସିହା ବେଳକୁ ଏହା ହ୍ରାସ ପାଇ ୯୩୩ରେ ପହଞ୍ଚିଛି। ଲିଙ୍ଗ ଅସମାନତାରେ ଦେଶର ତଳଆଡ଼ୁ ୧୦ଟି ରାଜ୍ୟ ଭିତରେ ଓଡ଼ିଶା ରହିଛି। ରାଜ୍ୟ ସରକାରଙ୍କ ବ୍ୟାପକ ସଚେତନତା ଓ ପ୍ରୋତ୍ସାହନ ସତ୍ତ୍ବେ ସମାଜରେ ପୁଅ ଓ ଝିଅ ଭିତରେ ରହିଥିବା ବାଛବିଚାର ଦୂର ହୋଇପାରୁନାହିଁ। ତାଲିକାରେ ସବା ତଳେ ରହିଛି ଆସାମ।
ଏଠାରେ ହଜାର ପୁଅଙ୍କ ତୁଳନାରେ ୮୬୩, ରାଜସ୍ଥାନରେ ୯୦୫, ବିହାରରେ ୯୦୮, ଗୁଜରାଟ ୯୦୯, ମହାରାଷ୍ଟ୍ର ୯୧୦, ହରିୟାଣା ୯୧୧ ଓ ତେଲେଙ୍ଗାନାରେ ୯୨୨ଜଣ ଝିଅ ରହିଛନ୍ତି। ୨୦୧୭ରେ ରାଜ୍ୟରେ ପୁଅଙ୍କ ତୁଳନାରେ ଝିଅଙ୍କ ସଂଖ୍ୟା ଥିଲା ୯୩୦କୁ। ତେବେ ୨୦୧୯ରେ ହଠାତ୍ ୯୪୭କୁ ବୃଦ୍ଧି ପାଇଥିଲା। ଝିଅଙ୍କୁ ନେଇ ଲୋକମାନେ ଅଧିକ ସଚେତନ ହେଉଥିବା ଏଥିରୁ ଅନୁମାନ କରାଯାଉଥିଲା। ମାତ୍ର ପରବର୍ତ୍ତୀ ବର୍ଷରେ ପ୍ରକାଶ ପାଇଥିବା ରିପୋର୍ଟ ଓଡ଼ିଶାକୁ ପୁଣିଥରେ ପୂର୍ବସ୍ଥିତିକୁ ଫେରାଇ ନେଇଛି। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଗୋଟିଏ ପରିବାରରେ ଆଜି ବି ପୁଅଙ୍କ ଦବ୍ଦବା ରହିଛି। ବର୍ତ୍ତମାନ ସମୟରେ କୌଣସି ଦମ୍ପତ୍ତିଙ୍କ ପ୍ରଥମ ସନ୍ତାନ ପୁଅ ଜନ୍ମ ହୋଇଗଲେ ସେମାନେ ଦ୍ବିତୀୟ ସନ୍ତାନ ପାଇଁ ଇଚ୍ଛା କରୁନାହାନ୍ତି। ଏହାସହ ଝିଅମାନଙ୍କୁ ଲୋକମାନେ ବୋଝ ଭାବେ ବିଚାର କରୁଛନ୍ତି। ପରିବାରରେ ପୁଅ-ଝିଅ ବାଛବିଚାର କାରଣରୁ ଅନେକ ଝିଅ ଅପପୁଷ୍ଟି ଓ ରକ୍ତହୀନତାର ଶିକାର ହେଉଛନ୍ତି। ଯଦିଓ ପିସିପିଏନ୍ଡିଟି ଆଇନ ଯୋଗୁଁ ବେଆଇନ ଲିଙ୍ଗ ନିରୂପଣ ହ୍ରାସ ପାଇଛି, ତଥାପି ଲୁଚାଛପାରେ ଗ୍ରାମାଞ୍ଚଳରେ ଏହା ଜାରି ରହିଛି। ତେବେ ଲୋକମାନଙ୍କ ଭିତରେ ବ୍ୟାପକ ସଚେତନତା ଓ ଶିକ୍ଷା ଜରିଆରେ ହିଁ ଲୋକଙ୍କ ମାନସିକତାରେ ପରିବର୍ତ୍ତନ ଆସିପାରିବ।
ଅପରପକ୍ଷରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଜଣେ ଅଧିକାରୀ କହିଛନ୍ତି, କେବଳ ଝିଅ ନୁହେଁ ମୋଟାମୋଟି ଭାବେ ଜନ୍ମ ହାର ହ୍ରାସ ପାଉଛି। ଦମ୍ପତ୍ତିମାନେ ଗୋଟିଏ ପିଲା ନୀତି ଆପଣାଉଥିବାରୁ ଏହି ସ୍ଥିତି ଦେଖିବାକୁ ମିଳୁଛି। ରାଜ୍ୟରେ ଲିଙ୍ଗ ନିରୂପଣ ଧରପଗଡ଼ ଜାରି ରହିଛି। ଜିଲ୍ଲାପାଳମାନଙ୍କୁ ମଧ୍ୟ ଏହାକୁ ଜାରି ରଖିବା ଲାଗି କୁହାଯାଇଛି। ଲୋକଙ୍କ ଭିତରେ ସଚେତନତା ସୃଷ୍ଟି ପାଇଁ ରାଜ୍ୟ ସରକାର ଉଦ୍ୟମ ଜାରି ରଖିଥିବା ସେ କହିଛନ୍ତି। ନିକଟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟରେ ଲିଙ୍ଗ ଅସମାତନତାକୁ ନେଇ ଚିନ୍ତା ପ୍ରକଟ କରିଥିଲେ। ଝିଅଙ୍କୁ ସଶକ୍ତ କରିବା ଲାଗି ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି କହିଥିଲେ। ଏହାସହ ଓଡ଼ିଶାରେ ମମତା-ପିଏମ୍ଏମ୍ଭିୱାଇ ଯୋଜନାର ମିଶ୍ରଣ କରାଯାଇ ଝିଅ ଜନ୍ମ ହେଲେ ମା’ମାନଙ୍କୁ ୧୨ହଜାର ଟଙ୍କା ସହାୟତା ପ୍ରଦାନ କରିବା ଲାଗି ସରକାର ଘୋଷଣା କରିଛନ୍ତି। ହେଲେ ଏହି ଆର୍ଥିକ ସହାୟତା ଲୋକମାନଙ୍କ ଉପରେ କେତେ ପ୍ରଭାବ ପକାଇବ ତାହା ଆଗାମୀ ଦିନରେ ହିଁ ସ୍ପଷ୍ଟ ହୋଇପାରିବ।