ଭୁବନେଶ୍ବର: ଅନ୍ୟ ଜାତିରେ ବିବାହ ମାମଲାରେ ଓଡ଼ିଶା ଦେଶର ଅନ୍ୟ ରାଜ୍ୟ ପାଇଁ ଉଦାହାରଣ। ଏଭଳି ବିବାହ ଦ୍ବାରା ସମାଜ ଆଗକୁ ବଢ଼ିଥାଏ। ଦଳିତ-ସବର୍ଣ୍ଣ ଭିତରେ ଏକତା ସମାଜ ପାଇଁ ଭଲ ଲକ୍ଷଣ। ଦେଶରେ ବହୁତ ଲୋକ ଜାତି ବ୍ୟବସ୍ଥାକୁ ଭୁଲି ଗଲେଣି। କିନ୍ତୁ କିଛି ଲୋକଙ୍କ ମନରେ ଆଜି ବି ଜାତିଆଣ ଭାବନା ରହିଥିବା କହିଛନ୍ତି କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ରାଷ୍ଟ୍ରମନ୍ତ୍ରୀ ରାମଦାସ ଅଠାୱଲେ।
ଦିବ୍ୟାଙ୍ଗଙ୍କ ପାଇଁ ସରକାରୀ ଚାକିରି ଓ ଶିକ୍ଷାରେ ସଂରକ୍ଷଣ ବୃଦ୍ଧି
ଓଡ଼ିଶାରେ ଜାତିଆଣ ମାମଲା ଅଧିକ, ହ୍ରାସ ପାଇଁ ଅଧିକାରୀଙ୍କ ସହ ଆଲୋଚନା
ଯେଉଁଠି ବିରୋଧୀ ପରାଜିତ ହେଉଛନ୍ତି ଭୋଟ୍ ଚୋରି ଅଭିଯୋଗ ଆସୁଛି
ଆଜି ଭୁବନେଶ୍ବରରେ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଅଠାୱଲେ କହିଲେ, ଓଡ଼ିଶାରେ ୨୦୨୩-୨୪ର ୨୬୪୭, ୨୦୨୪-୨୫ରେ ୨୪୦୦, ୨୦୨୫-୨୬ରେ ୨୨୮୮ ଜାତିଆଣ ମାମଲା ଆସିଛି। ଅନ୍ୟ ରାଜ୍ୟ ତୁଳନାରେ ଏହି ସଂଖ୍ୟା ଯଥେଷ୍ଟ ଅଧିକ। ଓଡ଼ିଶା ଏକ ଶାନ୍ତିପ୍ରିୟ ରାଜ୍ୟ, ତେଣୁ ଏହାକୁ କିଭଳି ହ୍ରାସ କରାଯିବ ସେଥିପାଇଁ ଅଧିକାରୀଙ୍କ ସହ ଆଲୋଚନା କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ କେନ୍ଦ୍ର ସରକାର ମହିଳା, ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ପାଇଁ ଅନେକ ଯୋଜନା ଆଣିଛନ୍ତି। ସୁଗମ୍ୟ ଭାରତ ଯୋଜନାରେ ଦିବ୍ୟାଙ୍ଗଙ୍କୁ ମୌଳିକ ସୁବିଧା ଯୋଗାଇ ଦିଆଯିବା ସହ ସେମାନଙ୍କ ଅଧିକାରକୁ ସୁନିଶ୍ଚିତ କରାଯାଇଛି। ବିଦ୍ୟାଙ୍ଗଙ୍କ ପାଇଁ ସରକାରୀ ଚାକିରି ଓ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥା ୩ରୁ ୪%କୁ ବୃଦ୍ଧି କରାଯାଇଛି। ବରିଷ୍ଠ ନାଗରିକମାନେ ଅବସର ପରେ ରୋଜଗାରକ୍ଷମ ହେବା ପାଇଁ ମଧ୍ୟ ଅନେକ ଯୋଜନା କାର୍ଯ୍ୟକାରୀ ହୋଇଛି। ମହିଳାଙ୍କ ପାଇଁ ମଧ୍ୟ ବିଭିନ୍ନ ରୋଜଗାରକ୍ଷମ ଯୋଜନା କାର୍ଯ୍ୟକାରୀ କରାଯାଇଛି।
ବିରୋଧୀ ଆଣିଥିବା ଭୋଟ୍ ଚୋରି ଅଭିଯୋଗକୁ ଖଣ୍ଡନ କରି ସେ କହିଛନ୍ତି, ନିର୍ବାଚନ ଆୟୋଗ ଦେଶର ନିର୍ବାଚନ ପ୍ରକ୍ରିୟାକୁ ସ୍ୱଚ୍ଛ ଓ ପାରଦର୍ଶୀ କରିବା ଲାଗି ପଦକ୍ଷେପ ନେଉଛନ୍ତି। ଗତ ଲୋକସଭା ନିର୍ବାଚନ ସମୟରେ ବିରୋଧୀ ଦଳଗୁଡ଼ିକୁ ପୂର୍ବାପେକ୍ଷା ଅଧିକ ଆସନ ମିଳିବା ସମୟରେ ଏଭଳି ଅଭିଯୋଗ ଆସି ନ ଥିଲା। ଯେଉଁଠି ବିରୋଧୀ ଦଳ ପରାଜିତ ହେଉଛି ସେଠାରେ ଏଭଳି ଅଭିଯୋଗ ଆସୁଛି। ଇଭିଏମ୍ରେ ମତଦାନ ବ୍ୟବସ୍ଥା ପୂର୍ବ ସରକାରଙ୍କ ଅମଳରେ ଆସିଥିଲା। ଏନ୍ଡିଏ ସରକାର ଏହି ବ୍ୟବସ୍ଥା କରିନାହାନ୍ତି। ଇଭିଏମ୍କୁ ନେଇ କୌଣସି ଅଭିଯୋଗ ଆଣିବା ଭିତ୍ତିହୀନ। ଭୋଟ୍ ଚୋରି ସମ୍ପର୍କରେ କୌଣସି ଅଭିଯୋଗ ଥିଲେ ତଥ୍ୟ ପ୍ରମାଣ ସହିତ ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ କରିବା ଉଚିତ ହେବ। ନିର୍ବାଚନ ଆୟୋଗ ସମ୍ପୂର୍ଣ୍ଣ ସ୍ୱାଧୀନ ଓ ନିରପେକ୍ଷ ଭାବେ କାମ କରୁଛନ୍ତି। ଏହି ଅବସରରେ ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଥିଲେ। ନବୀନ ବାବୁ ଜଣେ ଭଲ ମଣିଷ। ଓଡ଼ିଶା ପାଇଁ ସେ ଅନେକ କାମ କରିଛନ୍ତି। ଓଡ଼ିଶାରେ ଏବେ ବିଜେପି ଶାସନକୁ ଆସିଛି। ବିଜେପି ମଧ୍ୟ ରାଜ୍ୟବାସୀଙ୍କ ପାଇଁ ଉନ୍ନତିମୂଳକ କାର୍ଯ୍ୟ କରିବ ବୋଲି ଶ୍ରୀ ଅଠାୱଲେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/09/fhfsfhxvbvbvb-2025-11-09-01-20-05.jpg)