କୋଟିଆ ପରେ ସୁନାବେଡ଼ା ଉପରେ ଲୋଲୁପ ଦୃଷ୍ଟି : ଓଡ଼ିଶା ଭାଙ୍ଗିଲା, ପୁଣି ପୋତିଲା ଆନ୍ଧ୍ର

ଗାଁ ଗାଁ ମଧ୍ୟରେ ତେଜିଲା ସୀମା ବିବାଦ

ପଟାଙ୍ଗି : ଓଡ଼ିଶା ଜମିକୁ ଅକ୍ତିଆର ପାଇଁ ଉଦ୍ୟମ ଜାରି ରଖିଛି ପଡ଼ୋଶୀ ରାଜ୍ୟ ଆନ୍ଧ୍ର। ପୂର୍ବରୁ କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ୍‌ ଅନ୍ତର୍ଗତ କୋଟିଆ ଗ୍ରାମପୁଞ୍ଜକୁ ନେଇ ବିବାଦ ଲାଗି ରହିଛି। ଏହି ବିବାଦ ସୁପ୍ରିମ କୋର୍ଟରେ ପହଞ୍ଚିବା ପରେ ବି ଚୁପ୍ ରହି ନାହିଁ ଆନ୍ଧ୍ର। ପୁଣି ଅନ୍ୟ ଅଞ୍ଚଳକୁ ନିଜ କବ୍‌ଜାକୁ ନେବା ପାଇଁ ଚେଷ୍ଟା କରୁଛି। ସଦ୍ୟତମ ଘଟଣାରେ ପଟାଙ୍ଗି ବ୍ଲକ୍‌ ସମ୍ବାଇ ପଞ୍ଚାୟତ ଅନ୍ତର୍ଗତ ସୀମା ଗାଁ ସୁନାବେଡ଼ାକୁ ନେଇ ନୂଆ ବିବାଦର ସୂତ୍ରପାତ କରିଛି ଆନ୍ଧ୍ର। ଯାହାକୁ ନେଇ ଚାପା ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ବଳପୂର୍ବକ ଏହି ଗାଁକୁ ହାତେଇବା ପାଇଁ ପୂରା ଜୋର୍‌ ଲଗାଇଦେଇ ଓଡ଼ିଶା ପ୍ରଶାସନ ଭାଙ୍ଗିଥିବା ପାଚେରିକୁ ପୁଣି ଠିଆ କରିଛି।

ସୂଚନା ଅନୁଯାୟୀ, କିଛି ଦିନ ତଳେ ଓଡ଼ିଶା ସୀମାର ୫ଶହ ମିଟର ଭିତରକୁ ପଶି ଆସିଥିଲା ଆନ୍ଧ୍ର। ଏପରିକି ଏକତରଫା ଭାବେ ସୀମା ଚିହ୍ନଟ କରି ପାଚେରି ନିର୍ମାଣ କରିଥିଲା। ସ୍ଥାନୀୟ ଲୋକ ଏଭଳି ବେଆଇନ କାମକୁ ବିରୋଧ କରିବାରୁ ଧମକ ଦେବାକୁ ବି ପଛାଇ ନ ଥିଲେ ଆନ୍ଧ୍ରରୁ ଆସିଥିବା ଏହି ଗୁଣ୍ଡା ଶ୍ରେଣୀର ବ୍ୟକ୍ତି। ଏପରିକି ଆମ ସୀମା ନିକଟକୁ ଆସିଲେ ହାଣିଦେବୁ ବୋଲି କହିବାକୁ ବି ପଛାଇ ନ ଥିଲେ। ଆନ୍ଧ୍ରର ସେହି ତଥାକଥିତ ଗୁଣ୍ଡାଙ୍କ କାର୍ଯ୍ୟକଳାପକୁ ବିରୋଧ କରି କିଛି ଦିନ ତଳେ ପଟାଙ୍ଗି ତହସିଲଦାରଙ୍କୁ ଭେଟିଥିଲେ ସୁନାବେଡ଼ା ଗ୍ରାମବାସୀ। ୱାର୍ଡ ସଭ୍ୟ ମୁଷୁରୀ ତାଡ଼ଡ଼ୁଙ୍କ ସମେତ କିଛି ଗ୍ରାମବାସୀ ଆନ୍ଧ୍ରର ଦାଦାଗିରି ସଂପର୍କରେ ଲିଖିତ ଭାବେ ଜଣାଇଥିଲେ। ଗତମାସ ୨୪ ତାରିଖ ଦିନ କୋରାପୁଟ ଉପଜିଲ୍ଲାପାଳ ଲଳିତ କୁମାର କଅଁର, ଭାରପ୍ରାପ୍ତ ତହସିଲଦାର ମହାଦେବ ଭତ୍ରା, ରାଜସ୍ବ ନିରୀକ୍ଷକ ସଭା ହରିଜନ ପ୍ରମୁଖ ଉକ୍ତ ଗ୍ରାମରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ବେଆଇନ ଭାବେ ଆନ୍ଧ୍ର ନିର୍ମାଣ କରିଥିବା ପାଚେରିକୁ ଭାଙ୍ଗି ଫେରିଥିଲେ। ଏହା ସତ୍ତ୍ବେ ଚୁପ୍ ରହି ନଥିଲା ଆନ୍ଧ୍ର। ଠିକ୍ ସପ୍ତାହକ ପରେ ସୀମାନ୍ତରେ ଫଳକ ଲଗାଇବା ସହ ରାସ୍ତାରେ ଗାର ଟାଣି ଗୋଟିଏ ପାର୍ଶ୍ବରେ ଓଆର (ଓଡ଼ିଶା) ଏବଂ ଅନ୍ୟପାର୍ଶ୍ବରେ ଏପି (ଆନ୍ଧ୍ର) ବୋଲି ଲେଖି ଫେରି ଯାଇଥିଲା।

ଏ ନେଇ ଆନ୍ଧ୍ରର ଶାସକ ଦଳ ୱାଇଏସ୍‌ଆର୍‌ କଂଗ୍ରେସ ଅନୁସୂଚିତ ଜନଜାତି ସାଧାରଣ ସଂପାଦକ ଏସ. ଗଙ୍ଗାଧର ସ୍ବାମୀଙ୍କୁ ପଚାରିବାରୁ ଯଥାଶୀଘ୍ର ଏହି ବିବାଦର ସମାଧାନ ପନ୍ଥା ବାହାର କରାଯିବ। ସୀମାରେ ରହୁଥିବା ଅଞ୍ଚଳବାସୀଙ୍କ ମଧ୍ୟରେ ଭାଇଚାରା ରହିଛି ଓ ତାକୁ କିପରି ବଜାୟ ରଖାଯିବ ସେଥିପ୍ରତି ଦୃଷ୍ଟି ଦେବୁ। ଦୁଇ ରାଜ୍ୟର ସରକାରଙ୍କ ମଧ୍ୟରେ କୌଣସି ବିବାଦ ନାହିଁ। ସୀମାରେ ରହିଥିବା ଜଙ୍ଗଲ ଜମିକୁ ନେଇ ଦୁଇ ଗାଁ ମଧ୍ୟରେ ବିବାଦ ରହିଛି। ତେଣୁ ଉଭୟ ପକ୍ଷ ବସି ଆଲୋଚନା ମଧ୍ୟରେ ସମାଧାନ କରିବାକୁ ପ୍ରୟାସ କରାଯିବ ବୋଲି କହିଥିଲେ। ସୁନାବେଡ଼ା ଗ୍ରାମର ୱାର୍ଡସଭ୍ୟ ମୁଷୁରୀ ତାଉଡୁ ଓ ସରପଞ୍ଚ ପିଲକ ଗୁଣ୍ଠାଙ୍କ କହିବା ହେଲା, ଯଦି ଉକ୍ତ ଜମିକୁ ଆନ୍ଧ୍ର ଅକ୍ତିଆର କରିନିଏ ତେବେ ଆମ ଆଂଚଳବାସୀ ଜମିହରା ହେବା ସହ ଲୋକଙ୍କ ଜୀବିକା ଉପରେ ପ୍ରଭାବ ପଡ଼ିବ। ଉଭୟ ରାଜ୍ୟ ସରକାର ଯଥାଶୀଘ୍ର ଏହାର ସମାଧାନର ବାଟ ନ ବାହାର କଲେ ଆଗାମୀ ଦିନରେ ଗାଁ ଗାଁ ମଧ୍ୟରେ ବଡ଼ ବିବାଦ ହେବାର ସମ୍ଭାବନା ରହିଛି। ଅନ୍ୟପଟେ ସମ୍ବାଇ ପଞ୍ଚାୟତ ସରପଞ୍ଚ ପଟାଙ୍ଗି ଥାନାରେ ଏହି ବିବାଦ ସଂକ୍ରାନ୍ତରେ ଲିଖିତ ଅଭିଯୋଗ ଦେଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର