ଆଉ ୫ କୋଟି ଦେଲା ଓଡ଼ିଶା, ୮ କୋଟିର ପଲିଥିନ୍‌ ବି ଯିବ

ଭୁବନେଶ୍ୱର :ବନ୍ୟା ପ୍ରଭାବିତ କେରଳକୁ ରାଜ୍ୟ ସରକାର ପୁଣିଥରେ ସହାୟତାର ହାତ ବଢ଼ାଇଛନ୍ତି। ପୂର୍ବରୁ ୫ କୋଟି ଟଙ୍କା ଦେଇଥିବାବେଳେ ଆଜି ଆଉ ୫ କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ଏହି ଅର୍ଥ ପ୍ରଦାନ କରାଯିବ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସମ୍ପର୍କରେ ଘୋଷଣା କରିବା ସହିତ ୫୦୦ ମେଟ୍ରିକ୍‌ ଟନ୍‌ ପଲିଥିନ୍‌ ସିଟ୍‌ କେରଳ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାର ମୂଲ୍ୟ ପ୍ରାୟ ୮ କୋଟି ଟଙ୍କା ହେବ।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ପ୍ରାକୃତିକ ବିପର୍ଯ୍ୟୟରେ ସାଧାରଣ ଲୋକଙ୍କ ଅବସ୍ଥା କ’ଣ ହୁଏ, ତାହା ଓଡ଼ିଶା ଭଲ ଭାବେ ଜାଣେ। କେରଳ ଲୋକଙ୍କ ଏହି ଦୁର୍ଦ୍ଦିନ ସମୟରେ ଓଡ଼ିଶାବାସୀ ସେମାନଙ୍କ ସହ ଠିଆ ହୋଇଛନ୍ତି।

ଗତକାଲି ବନ୍ୟା ପ୍ରଭାବିତ ଲୋକଙ୍କୁ ଉଦ୍ଧାର କାର୍ଯ୍ୟରେ ସହାୟତା କରିବାକୁ ଓଡ଼ିଶା ଅଗ୍ନିଶମ ସେବାର ୨୪୪ ଜଣିଆ ଟିମ୍‌ ଆବଶ୍ୟକ ସାମଗ୍ରୀ ସହ କେରଳ ଯାଇଛନ୍ତି। ରାଜ୍ୟ ରିଲିଫ୍‌ କମିସନର୍‌ କେରଳର ବିଭାଗୀୟ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରି ସେଠାରେ ରହୁଥିବା ଓଡ଼ିଆ ଲୋକଙ୍କୁ ଆବଶ୍ୟକ ସହଯୋଗ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଆ ଲୋକଙ୍କୁ ସହାୟତା ଦେବା ପାଇଁ ସ୍ୱତନ୍ତ୍ର ରିଲିଫ୍‌ କମିସନ୍‌ କାର୍ଯ୍ୟାଳୟ ପକ୍ଷରୁ ହେଲ୍‌ପ୍‌ଲାଇନ୍‌ ନଂ-୧୦୭୦ ଓ ୦୬୭୪-୨୫୩୪୧୭୭ ଜାରି କରାଯାଇଛି। ଓଡ଼ିଶାର ଶ୍ରମ ବିଭାଗର ଅଧିକାରୀମାନେ ମଧ୍ୟ କେରଳ ଗସ୍ତ କରିଛନ୍ତି। ସେଠାରେ କାର୍ଯ୍ୟରତ ଓଡ଼ିଆ ଶ୍ରମିକମାନଙ୍କ ସୁରକ୍ଷା ସମ୍ପର୍କରେ ସେମାନେ ତଦାରଖ କରିବେ।

ସମ୍ବନ୍ଧିତ ଖବର