ଭୁବନେଶ୍ବର : ଶିକ୍ଷକ ସମାଜର ମାର୍ଗଦର୍ଶକ। ତେଣୁ ସର୍ବଦା ଓ ସର୍ବତ୍ର ପୂଜନୀୟ, ସମ୍ମାନସ୍ପଦ। କୌଣସି ପରିସ୍ଥିତିରେ ବି ସମାଜରେ ଶିକ୍ଷକର ମର୍ଯ୍ୟାଦା ହାନି ହେବା ଉଚିତ ନୁହେଁ। ତେଣିକି, ତା’ର ଜାତି, ବର୍ଣ୍ଣ, ଧର୍ମ ଓ ଦେଶ ଯାହା ବି ହେଉନା କାହିଁକି। ନ୍ୟାଯ୍ୟ ଦାବି ପୂରଣ ନେଇ ୩୪ ଦିନ ହେବ ଲୋୟର୍ ପିଏମ୍ଜିରେ ଧାରଣାରେ ବସିଥିବା କଳା ଓ କ୍ରୀଡ଼ା ଶିକ୍ଷକଙ୍କ ସମର୍ଥନରେ ସ୍ପେନ୍ର ୬ ଶିକ୍ଷକ ଧାରଣା ଦେଇ ଏହି ବାର୍ତ୍ତା ଦେଇଛନ୍ତି। ଏହି ଘଟଣା ଆଜି ରାଜଧାନୀରେ ଚର୍ଚ୍ଚାର ବିଷୟ ହୋଇଛି।
ସୂଚନାନୁଯାୟୀ, ସ୍ପେନ୍ରୁ ଆସିଥିବା ୬ ବିଦେଶୀ ପର୍ଯ୍ୟଟକ ଶନିବାର ଦିନ ଲୋୟର୍ ପିଏମ୍ଜି ଦେଇ ଯାଉଥିବା ବେଳେ ଓଡ଼ିଶା କଳା ଓ କ୍ରୀଡ଼ା ଶିକ୍ଷକ ମହାସଂଘ ଅଭିନବ ଉପାୟରେ ବାଜା ବଜାଇ ପ୍ରତିବାଦ କରୁଥିଲା। ଏହା ଦେଖି ପର୍ଯ୍ୟଟକମାନେ ସେମାନଙ୍କ ପାଖକୁ ଯିବା ସହ ବାଜା ବଜାଇବାର କାରଣ ପଚାରିଥିଲେ। ତେବେ ସେମାନଙ୍କର ଦୁଃଖ ଓ ଦାବି ପୂରଣ କରିବାରେ ରାଜ୍ୟ ସରକାର ଟାଳଟୁଳ ନୀତି ଅବଲମ୍ବନ କରୁଥିବା ଶୁଣିବା ପରେ ପର୍ଯ୍ୟଟକମାନେ ବି ସେମାନଙ୍କ ସହ ଧାରଣାରେ ସାମିଲ ହୋଇଯାଇଥିଲେ। ସେମାନେ ସମସ୍ତେ ବି ସ୍ପେନ୍ର ଜଣେ ଜଣେ ଶିକ୍ଷକ ଓ ସମାଜରେ ଶିକ୍ଷକଙ୍କ ପ୍ରତି ଅବିଚାର ଗ୍ରହଣଯୋଗ୍ୟ ନୁହେଁ ବୋଲି କହିବା ସହ ମହାସଂଘକୁ ସମର୍ଥନ କରିଥିଲେ। କଳା ଶିକ୍ଷକମାନଙ୍କ ଦାବି ଶୀଘ୍ର ପୂରଣ କରଯାଉ ବୋଲି ଦାବି କରିଥିଲେ। ତେବେ କିଛି ସମୟ ପରେ ପରେ ଆନ୍ ଦୋଳନକାରୀ ସେମାନେ ନିଜ ନିଜ ଗନ୍ତବ୍ୟସ୍ଥଳକୁ ବାହୁଡ଼ି ଯାଇଥିଲେ।
ଅପରପକ୍ଷେ, ମହାସଂଘ ପକ୍ଷରୁ କୁହାଯାଇଛି ଯେ ଯେତେଦିନ ପର୍ଯ୍ୟନ୍ତ ସରକାର ମହାସଂଘର ଦାବି ପ୍ରତି କର୍ଣ୍ଣପାତ କରିବେ ନାହିଁ, ଏହି ଆନ୍ଦୋଳନ ଜାରି ରହିବ। ମହାସଂଘର ଆବାହକ ଧର୍ମେନ୍ଦ୍ର ପଣ୍ଡା, ଜଗତ୍ଜୀବନ ନାୟକ, ଦେବବ୍ରତ ପଟ୍ଟନାୟକ, ସଂଯୋଜକ ଆଶୁତୋଷ ଶତପଥୀ, ବିଜନ ଦାସ, ଶଙ୍କର ପ୍ରସାଦ ମହାପାତ୍ର, ବସନ୍ତ ଷଣ୍ଢ, ପ୍ରଦୀପ ପଟେଲ, ଚନ୍ଦ୍ରଶେଖର ପାଢ଼ୀ, ରଶ୍ମିରଞ୍ଜନ ମିଶ୍ର, ବିଭୂତି ନାୟକ, ସୁରେଶ ସାନ, ଆରତୀ ଆଚାର୍ଯ୍ୟ, ସ୍ମିତାଞ୍ଜଳି ମହାପାତ୍ର, ସ୍ୱାତୀମୁକ୍ତା, ମନୋଜ ପ୍ରଧାନୀ, ଅରୁଣ ଜେନା, କୃଷ୍ଣ ପାତ୍ର, ହିମାଦ୍ରୀ ସାହୁ, ଦିଲ୍ଲୀପ ପଣ୍ଡା, ମନୋଜ ଚୌଧୁରୀ, ସୁଚିତ କୁମାର ଖରା, ତପନ କୁମାର ପଣ୍ଡା, ଦେଓ କୁମାର ସତନାମ, କୃଷ୍ଣସୁଦାମା ପାଣିଗ୍ରାହୀ ପ୍ରମୁଖ ଆଜିର ବିକ୍ଷୋଭରେ ସାମିଲ ହୋଇଥିଲେ।