ଅନ୍ୟୁନ ୧୦ ଆଇପିଏସ୍‌ ଅଧିକାରୀ ପଠାଇବାକୁ ଓଡ଼ିଶାର ଦାବି

ଭୁବନେଶ୍ୱର: ଓଡ଼ିଶାକୁ ଅଧିକ ସଂଖ୍ୟକ ଆଇପିଏସ୍‌ ଅଫିସର ପଠାଇବାକୁ ରାଜ୍ୟ ସରକାର କେନ୍ଦ୍ର ଗୃହମନ୍ତ୍ରାଳୟକୁ ଚିଠି ଲେଖିଛନ୍ତି । ୨୦୧୭ର ସିଭିସ ସର୍ଭିସ ପରୀକ୍ଷା ଆଧାରରେ ଅତି କମରେ ୧୦ ଜଣ ଆଇପିଏସ ଅଧିକାରୀଙ୍କୁ ପଠାଇବାକୁ ଏହି ପତ୍ରରେ ଅନୁରୋଧ କରାଯାଇଛି ।

କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂଙ୍କୁ ଏକ ପତ୍ର ଲେଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ବିଗତ ବର୍ଷମାନଙ୍କରେ କେନ୍ଦ୍ର ସରକାର ଓଡ଼ିଶାର ଆବଶ୍ୟକତା ମୁତାବକ ଆଇପିଏସ ଅଫିସର ପଠାଇନାହାନ୍ତି । ଏଥିପାଇଁ ରାଜ୍ୟରେ ଏହି ଅଫିସରଙ୍କ ଅଭାବ ରହିଛି । ନୂଆ ଅଫିସରଙ୍କୁ ପଠାଇଲେ ଏହି ଅଭାବ ଦୂର ହେବ ।

ସେ କହିଛନ୍ତି ଯେ ୨୦୧୪ରେ ରାଜ୍ୟରେ ୨୦ଟି ଆଇପିଏସ ପଦବୀ ଖାଲି ଥିବାବେଳେ ରାଜ୍ୟ ମାତ୍ର ୧୦ଟି ଆଇପିଏସ ଦାବି କରିଥିଲା, କିନ୍ତୁ ମାତ୍ର ୬ଟି ପ୍ରଦାନ କରାଯାଇଥିଲା । ରାଜ୍ୟରେ ନିୟମିତ ନିଯୁକ୍ତି ବର୍ଗରେ ମୋଟ ୧୩୧ଟି ଆଇପିଏସ ପଦବୀ ଥିବାବେଳେ ଏବେ ମାତ୍ର ୧୧୬ଜଣ ଆଇପିଏସ ଅଛନ୍ତି । ପୁଣି ଏମାନଙ୍କ ମଧ୍ୟରୁ ୨୬ ଜଣ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି । ଅନ୍ୟପକ୍ଷରେ ପ୍ରମୋଶନ ମାଧ୍ୟମରେ ପୂରଣ ହେଉଥିବା ୫୭ଟି ପଦବୀ କେତେକ ଆଇନଗତ ପ୍ରତିବନ୍ଧକ କାରଣରୁ ଗତ ୧୯୯୫ରୁ ଖାଲି ଅଛି । ଏଣୁ ରାଜ୍ୟରେ ସର୍ବମୋଟ ୧୮୮ଟି ଆଇପିଏସ ପଦବୀ ମଧ୍ୟରୁ ମାତ୍ର ୯୦ଟି ପଦବୀ ପୂରଣ ଅଛି ।

ସମ୍ବନ୍ଧିତ ଖବର