ବଜେଟ୍‌ରେ ସ୍ବଚ୍ଛତା ପାଇଁ ମାସିକ, ତ୍ରୈମାସିକ ରିପୋର୍ଟ ପ୍ରକାଶ ପାଇବ: ଅର୍ଥମନ୍ତ୍ରୀ

ଅର୍ଥମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୁଷ୍ଟ ହୋଇ ବିରୋଧୀଙ୍କ କକ୍ଷତ୍ୟାଗ
ନୂତନ ନିଯୁକ୍ତି ହେଲେ ରାଜ୍ୟରେ ଡାକ୍ତରଙ୍କ ସଂଖ୍ୟା ୭,୬୮୬
୬ହଜାର ଷ୍ଟାଫ୍‌ ନର୍ସ ଓ ୬୦୦ ପାରାମେଡିକାଲ ପଦବି ସୃଷ୍ଟି
ଆନୁଷଙ୍ଗିକ ଶିଳ୍ପରେ ୨ ଲକ୍ଷ ୨୫ ହଜାର ନିଯୁକ୍ତି ଲକ୍ଷ୍ୟ
ବିଶ୍ବସ୍ତରୀୟ ଶିଳ୍ପ ଓ ପର୍ଯ୍ୟଟନ ଭିତ୍ତିଭୂମି ପାଇଁ ବ୍ୟୟବରାଦ

ଭୁବନେଶ୍ବର : ସରକାରଙ୍କ ବଜେଟ୍‌ ପ୍ରସ୍ତୁତି ପ୍ରକ୍ରିୟାକୁ ଏଣିକି ଲୋକେ ଜାଣିପାରିବେ। ଏଥିପାଇଁ ଶିକ୍ଷାନୁଷ୍ଠାନ, ନାଗରିକ ଅନୁଷ୍ଠାନମାନଙ୍କରେ ଆଉଟ୍‌ ରିଚ୍‌ ପ୍ରୋଗାମ୍‌ କରାଯିବ। ଛାତ୍ରଛାତ୍ରୀ ଓ ଜନସାଧାରଣଙ୍କ ମଧ୍ୟରେ ରାଜ୍ୟ ବଜେଟ୍‌ ସମ୍ପର୍କିତ ସଚେତନତା ବୃଦ୍ଧି କରିବା ଉଦ୍ଦେଶ୍ୟରେ ସରକାର ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ଆଜି ବିଧାନସଭାରେ ୨୦୨୦-୨୧ ଆର୍ଥିକ ବର୍ଷ ବଜେଟ୍‌ ଉପରେ ସାଧାରଣ ଆଲୋଚନା ଶେଷରେ ଗୃହରେ ଉତ୍ତର ରଖି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ପ୍ରତିଶ୍ରୁତି ଦେଇଛନ୍ତି। ଏହାସହିତ ବ୍ୟୟ ବରାଦ ହୋଇଥିବା ବଜେଟ୍‌ ଅର୍ଥ ଖର୍ଚ୍ଚ ଉପରେ ସ୍ବଚ୍ଛତା ଆଣିବା ପାଇଁ ମାସିକ, ତ୍ରୈମାସିକ ଓ ଅର୍ଦ୍ଧବାର୍ଷିକ ବିଶ୍ଲେଷଣ ରିପୋର୍ଟ ପ୍ରକାଶ ପାଇବ। ବିରୋଧୀଙ୍କ ଅଭିଯୋଗ ତଥ୍ୟ ଆଧାରିତ ନୁହେଁ। ରାଜ୍ୟର ଋଣଭାର ପୋଷଣୀୟ ସ୍ଥିତିରେ ରହିଛି। ଚତୁର୍ଦ୍ଦଶ ଅର୍ଥକମିସନଙ୍କ ସୁପାରିସ ଆଧାରରେ ୨୦୧୯-୨୦ ସୁଦ୍ଧା କେନ୍ଦ୍ର ସରକାର ଓଡ଼ିଶାକୁ ୪୮ ହଜାର କୋଟି ଦେବାର ଥିଲା। କିନ୍ତୁ ସେଥିରୁ କେନ୍ଦ୍ର ୧୮ ହଜାର କୋଟି କାଟି ଦେଇଛନ୍ତି ବୋଲି ଗୃହକୁ ଅର୍ଥମନ୍ତ୍ରୀ ଅବଗତ କରିଛନ୍ତି। ତେବେ ଅର୍ଥମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୁଷ୍ଟ ହୋଇ ବିରୋଧୀ କକ୍ଷ ତ୍ୟାଗ କରିଥିଲେ।

ଅର୍ଥମନ୍ତ୍ରୀ ଶ୍ରୀ ପୂଜାରୀ କହିଥିଲେ, ଏକ ନୂତନ ଓଡ଼ିଶା-ସଶକ୍ତ ଓଡ଼ିଶା ଗଠନ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଥିବା ୫’ଟି’ ଓ ମୋ ସରକାର କାର୍ଯ୍ୟକ୍ରମ ଆଧାରରେ ବିକାଶମୁଖୀ ବଜେଟ୍‌ ପ୍ରସ୍ତୁତ ହୋଇଛି। ବିଗତ ୮ ବର୍ଷ ଧରି ସରକାର ମହିଳା ବଜେଟ୍‌ ପ୍ରସ୍ତୁତ କରି ଆସୁଛନ୍ତି। ଏଥରକ ମହିଳା ଓ ଶିଶୁ ବିକାଶ ବିଭାଗ ବଜେଟ୍‌ରେ ୧୮% ବୃଦ୍ଧି କରାଯାଇଛି। ଗତବର୍ଷ ପ୍ରଥମ ଥର ପାଇଁ ଶିଶୁ ବଜେଟ୍‌ ପ୍ରସ୍ତୁତ ହୋଇଥିଲା। ଚଳିତବର୍ଷ ପ୍ରଥମ ଥର ପାଇଁ ଜଳବାୟୁ ଓ ପୁଷ୍ଟିସାଧନ ବଜେଟ୍‌ ପ୍ରସ୍ତୁତ ହୋଇଛି। ଏପରି କରିବାରେ ଓଡ଼ିଶା ଦେଶରେ ମଧ୍ୟ ପ୍ରଥମ ରାଜ୍ୟ। ବିଧାନସଭାରେ ପ୍ରଥମ ଥର ପାଇଁ ଇ-ବଜେଟ୍‌ ଉପସ୍ଥାପିତ ହୋଇଛି। ବଜେଟ୍‌ ପୁସ୍ତିକା ମୁଦ୍ରଣ ପାଇଁ ୭୫ ଲକ୍ଷ ପୃଷ୍ଠା କାଗଜର ଆବଶ୍ୟକ ପଡ଼ିନାହିଁ। ଫଳରେ ପ୍ରାୟ ୧ ହଜାର ବଡ଼ ବୃକ୍ଷକୁ ସୁରକ୍ଷା ପ୍ରଦାନ କରାଯାଇପାରିବ। ସମୃଦ୍ଧ କୃଷିନୀତି-୨୦୨୦ ଘୋଷଣା କରି କୃଷି କ୍ଷେତ୍ରରେ ସଂସ୍କାରମୂଳକ ପଦକ୍ଷେପ ଉପରେ ଗୁରୁତ୍ବ ଦିଆଯାଇଛି। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟକୁ ଏକ ଉତ୍କର୍ଷ କେନ୍ଦ୍ରରେ ପରିଣତ କରିବା ସହ କୃଷି ଗବେଷଣା ଓ ସମ୍ପ୍ରସାରଣ କ୍ଷେତ୍ରରେ ବିଶ୍ବସ୍ତରୀୟ କରିବା ପାଇଁ ମୁଖ୍ୟମନ୍ତ୍ରୀ ଲକ୍ଷ୍ୟ ରଖିଛନ୍ତି।

ଜଳସେଚନ ଉପରେ ସୂଚନା ଦେଇ ଅର୍ଥମନ୍ତ୍ରୀ କହିଥିଲେ, ୨୦୨୦-୨୧ ଆର୍ଥିକ ବର୍ଷ ବଜେଟ୍‌ରେ ୧ ଲକ୍ଷ ୮୪ ହଜାର ହେକ୍ଟର ଜମିକୁ ଜଳସେଚନ ସୁବିଧା ଯୋଗାଇ ଦେବାକୁ ଲକ୍ଷ୍ୟ ରହିଛି। ପୁରୀକୁ ବିଶ୍ବ ଐତିହ୍ୟ ନଗରୀ, ଏକାମ୍ର ପ୍ଲାନ୍‌, କଟକ ପାଇଁ ଏକ ସ୍ବତନ୍ତ୍ର ପ୍ଲାନ୍‌, ସମଲେଶ୍ବରୀ, ହୀରାକୁଦ ଡ୍ୟାମ୍‌, ଭିତରକନିକା, ତାଳସରି ପର୍ଯ୍ୟଟନ କ୍ଷେତ୍ର ପାଇଁ ବଜେଟ୍‌ରେ ବ୍ୟୟବରାଦ କରାଯାଇଛି। ଆଗାମୀ ୨ ବର୍ଷ ଭିତରେ କଟକ ଏସ୍‌ସିବି ମେଡିକାଲ କଲେଜକୁ ଏମ୍‌ସ୍‌ ପ୍ଲସ୍‌ ପ୍ରତିଷ୍ଠାନରେ ରୂପାନ୍ତରିତ କରିବାକୁ ସରକାର ଯୋଜନା କରିଛନ୍ତି। ପ୍ରାଥମିକ, ମାଧ୍ୟମିକ ଓ ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡ଼ିକରେ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ୨୨ ହଜାର ୬୩୧ କୋଟି ବ୍ୟୟ ବରାଦ କରାଯାଇଛି। ବସୁଧା ଯୋଜନାରେ ସମସ୍ତ ଜନସାଧାରଣଙ୍କୁ ପାଇପ ଜଳ ଯୋଗାଣ ପାଇଁ ବଜେଟ୍‌ରେ ଅର୍ଥ ବ୍ୟୟ ବରାଦ ହୋଇଛି। ଶିଳ୍ପାୟନ କ୍ଷେତ୍ରରେ ବ୍ୟାପକ ସଂସ୍କାର ଆଣିବା ନେଇ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି। ବିଶ୍ବସ୍ତରୀୟ ଶିଳ୍ପ ଭିତ୍ତିଭୂମି ସୃଷ୍ଟି ପାଇଁ ୨୮୪ କୋଟି ଟଙ୍କା ଉପଯୋଗ କରାଯିବ। ବେକାରୀ ସମସ୍ୟା ଦୂର କରିବା ପାଇଁ ବିରୋଧୀ ସଦସ୍ୟମାନେ ଯେଉଁ ଉଦବେଗ ପ୍ରକାଶ କରିଛନ୍ତି, ତାହା ତଥ୍ୟ ଉପରେ ଆଧାରିତ ନୁହେଁ। ରାଜ୍ୟରେ ନିଯୁକ୍ତି ସୃଷ୍ଟି ପାଇଁ ସରକାର ଭିଜନ୍‌ ୨୦୨୫ ପ୍ରସ୍ତୁତ କରିଛନ୍ତି। ୩୦ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ଠୋସ୍‌ ଖସଡ଼ା ପ୍ରସ୍ତୁତ ହୋଇଛି। ଏହାଛଡ଼ା ଆନୁଷଙ୍ଗିକ ଶିଳ୍ପରେ ୨ ଲକ୍ଷ ୨୫ ହଜାର ନିଯୁକ୍ତି ମିଳିବା ନେଇ ଲକ୍ଷ୍ୟ ରଖାଯାଇଛି।

ରାଜ୍ୟରେ ଡାକ୍ତର ଅଭାବ ନେଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଉଠାଇଥିବା ପ୍ରଶ୍ନର ଉତ୍ତର ରଖି ଶ୍ରୀ ପୂଜାରୀ କହିଥିଲେ, ରାଜ୍ୟରେ ବର୍ତ୍ତମାନ ୬ ହଜାର ୨୮୩ ଜଣ ଡାକ୍ତର କାର୍ଯ୍ୟରତ ଅଛନ୍ତି। ଚଳିତବର୍ଷ ଜାନୁଆରି ୨୮ ତାରିଖରେ ଓଡ଼ିଶା ଲୋକସେବା ଆୟୋଗ ଆଉ ୧ ହଜାର ୪୦୩ ଜଣ ନୂତନ ଡାକ୍ତରଙ୍କର ଚୟନ ତାଲିକା ପ୍ରସ୍ତୁତ କରିଛନ୍ତି। ଏହାକୁ ମିଶାଇଲେ ମୋଟ୍‌ ଡାକ୍ତରଙ୍କ ସଂଖ୍ୟା ୭ ହଜାର ୬୮୬କୁ ବୃଦ୍ଧି ପାଇବ। ଏହାସହିତ ସରକାର ଅତିରିକ୍ତ ୬ ହଜାର ଷ୍ଟାଫ୍‌ ନର୍ସ ଓ ୬ ଶହ ପାରାମେଡିକାଲ ପଦବି ନୂତନ ଭାବରେ ସୃଷ୍ଟି କରିଛନ୍ତି ବୋଲି ଅର୍ଥମନ୍ତ୍ରୀ କହିଥିଲେ। ଅର୍ଥମନ୍ତ୍ରୀଙ୍କ ଉତ୍ତର ପରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଗୃହକୁ ଆସନ୍ତା ମାସ ୧୧ ତାରିଖ ପୂର୍ବାହ୍ନ ୧୦ଟା ୩୦ ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ।

ସମ୍ବନ୍ଧିତ ଖବର