ବିଧାନସଭା ପ୍ରଶ୍ନୋତ୍ତର ବାତିଲ ନେଇ ବିଜ୍ଞପ୍ତି

ଭୁବନେଶ୍ବର : କରୋନା ଭୂତାଣୁ ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ବିଧାନସଭାର ତୃତୀୟ ତଥା ବଜେଟ୍‌ ଅଧିବେଶନକୁ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ମୁଲତବି ରଖାଯାଇଛି। ଗତ ୧୬ ତାରିଖରୁ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ଗୃହର ସଦସ୍ୟ ଓ ସଦସ୍ୟାମାନେ ଚାରିଥିବା ପ୍ରଶ୍ନୋତ୍ତରକୁ ବାତିଲ କରାଯାଇଛି। ବାଚସ୍ପତିଙ୍କ ନିର୍ଦ୍ଦେଶକ୍ରମେ ଏପରି କରାଯାଇଥିବା ବିଜ୍ଞପ୍ତି ଜରିଆରେ ବିଧାନସଭା ସଚିବ ଜଣାଇଛନ୍ତି।

ବିଜ୍ଞପ୍ତିରେ ଅନୁସାରେ, କରୋନା ଯୋଗୁଁ ବହୁ ବିଭାଗର କର୍ମଚାରୀଙ୍କୁ ଭୂତାଣୁ ସଂକ୍ରମଣ ପ୍ରତିହତ କରିବା କାର୍ଯ୍ୟରେ ସରକାର ନିୟୋଜିତ କରିଛନ୍ତି। ସେହିପରି ଅଧିକାଂଶ ବିଭାଗର କର୍ମଚାରୀଙ୍କୁ ସାମାଜିକ ଦୂରତା ରକ୍ଷା ନିମନ୍ତେ କାର୍ଯ୍ୟାଳୟକୁ ନ ଆସିବା ପାଇଁ ପରାମର୍ଶ ଦିଆଯାଇଛି। ଏହାସହିତ ଭୁବନେଶ୍ବର ସମେତ ରାଜ୍ୟର ଅନେକ ଜିଲ୍ଲାକୁ ତାଲା ବନ୍ଦ ଘୋଷଣା କରାଯାଇଛି। ଯେଉଁଥିପାଇଁ ସରକାରଙ୍କ ସମସ୍ତ ବିଭାଗ ବିଧାନସଭା ପ୍ରଶ୍ନର ଉତ୍ତର ଦେବା ପାଇଁ ସକ୍ଷମ ହୋଇପାରୁନାହାନ୍ତି। ଏହି କାରଣରୁ ୧୬.୩.୨୦୨୦ ତାରିଖ ଠାରୁ ୨୧.୩.୨୦୨୦ ଏବଂ ୨୩.୩.୨୦୨୦ ତାରିଖ ଠାରୁ ୨୭.୩.୨୦୨୦ ପର୍ଯ୍ୟନ୍ତ ମାନ୍ୟବର ସଦସ୍ୟ ଓ ସଦସ୍ୟାମାନଙ୍କ ଦ୍ବାରା ଆଗତ କରାଯାଇଥିବା ସମସ୍ତ ପ୍ରଶ୍ନୋତ୍ତରକୁ ବାତିଲ କରାଯାଇଛି।

କରୋନା ସତର୍କତା ଯୋଗୁଁ ବିଧାନସଭାକୁ ଅଧାରୁ ମୁଲତବି କରିବା ପାଇଁ ଗତ ୧୩ ତାରିଖରେ ରାଜ୍ୟ ସରକାରଙ୍କ କ୍ୟାବିନେଟ୍ ବୈଠକରେ ପ୍ରସ୍ତାବ ପାରିତ କରିଥିଲେ। ସେହି ଅନୁଯାୟୀ, ଗୃହରେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ମୁଲତବି ପ୍ରସ୍ତାବ ଆଗତ କରିଥିଲେ। ଆସନ୍ତା ୩୦ ତାରିଖ ପୂର୍ବାହ୍ନ ୧୦ଟା ୩୦ରେ ବିଧାନସଭା ଖୋଲିବ ଏବଂ ଏସ୍‌ସି-ଏସ୍‌ଟି ବିଭାଗକୁ ଛାଡ଼ି ବାକି ଅନ୍ୟସବୁ ବିଭାଗର ଖର୍ଚ୍ଚଦାବିଗୁଡ଼ିକୁ ଗିଲୋଟିନ୍‌ ଜରିଆରେ ସେହିଦିନ ପାରିତ କରାଯିବ। ମାର୍ଚ୍ଚ ୩୧ ତାରିଖରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବ୍ୟୟ ମଞ୍ଜୁରି ବିଲ୍‌ ଗୃହରେ ଆଗତ କରିବେ। ବିଲ୍‌ ଉପରେ ଆଲୋଚନା ହୋଇ ପାରିତ କରିବା ପାଇଁ ଦିନ ଧାର୍ଯ୍ୟ କରାଯାଇଛି।

ସମ୍ବନ୍ଧିତ ଖବର