ଭୁବନେଶ୍ବର : ବିରୋଧୀଙ୍କ ଧାନ କିଣା ଅବ୍ୟବସ୍ଥା ଏବଂ ଶାସକ ଦଳ ପକ୍ଷରୁ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ କ୍ଷମା ଦାବିରେ ୩ ଦିନ ହେଲାଣି ବିଧାନସଭା ଅଚଳ। ଆଜି ବି ସ୍ଥିତିରେ ପରିବର୍ତ୍ତନ ଆସିନାହିଁ। ପ୍ରଶ୍ନକାଳ ହୋଇପାରୁନି କି ବିଭାଗୀୟ ଖର୍ଚ୍ଚଦାବି ଆଲୋଚନା। ସମାଧାନ ଦିଗରେ ମଧ୍ୟ କେହି କିଛି ପଦକ୍ଷେପ ନେଉନାହାନ୍ତି। ସମସ୍ତେ ନିଜ ନିଜ ଦାବିରେ ଅଟଳ ରହିଛନ୍ତି।

Advertisment

ସୋମବାର ଦିନ ୧୦ଟା ୩୦ରେ ଗୃହ କାର୍ଯ୍ୟ ଆରମ୍ଭ ହେବାମାତ୍ରେ ବିରୋଧୀ ସଦସ୍ୟମାନେ ଗୃହ ମଧ୍ୟଭାଗକୁ ଆସି ଜୋରଦାର ଦାବି ରଖିଥିଲେ। ଶାସକ ଦଳ ବି ସମାନ ମୁଦ୍ରାରେ ଗୃହ ମଧ୍ୟ ଭାଗରେ ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀ କ୍ଷମା ମାଗନ୍ତୁ ଦାବି କରି ହୋହଲ୍ଲା କରିଥିଲେ। ଗୃହ ମଧ୍ୟ ଭାଗରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଚାଷୀ ପ୍ରସଙ୍ଗରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍‌ କରି ଗୋଟିଏ ବ୍ୟାନରରେ ଲେଖାଥିବା କିଛି କଟାକ୍ଷ ପ୍ରଦର୍ଶନ କରିଥିଲେ। ଲେଖାଥିଲା ‘ଭୋକରେ ମରନ୍ତି ଚାଷୀ ଏଦେଶେ, କିଏ ବା ପିଉଛି ବିଷ, ମୋଦୀଙ୍କର ନାହିଁ ଟିକେ ଅବଶୋଷ.. ଅମ୍ବାନି, ଆଦାନି ସମ୍ପତ୍ତି ବଢିଲେ ତାଙ୍କ ଓଠେ ଖିଲି ଖିଲି ହସ।' ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସଦସ୍ୟମାନଙ୍କୁ ନିଜ ନିଜ ଆସନକୁ ଫେରିଯିବାକୁ ଯେତେ ଅନୁରୋଧ କରିଥିଲେ ବି କେହି ଶୁଣିନଥିଲେ। ବାଚସ୍ପତି ପ୍ରଥମେ ଦିନ ୧୦ଟା ୩୦ରୁ ୧୧ଟା ୩୦ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ପରେ ୧୧ଟା ୩୦ରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ସମାନ ସ୍ଥିତି ଦେଖିବାକୁ ମିଳିଥିଲା। ଫଳରେ ବାରମ୍ବାର ଗୃହ ମୁଲତବୀ କରିଥିଲେ ବାଚସ୍ପତି।

ପୂରା ଦିନ ଚାଲିଗଲା, ଫଳ ଶୂନ
ତୃତୀୟ ଦିନ ଲାଗି ବିଧାନସଭା ଅଚଳ
ଗୃହ ବାହାରେ ନେତାଙ୍କ ଦୋଷ ଲଦାଲଦି

ସେପଟେ ଗୃହ ବାହାରେ ଅଚଳାବସ୍ଥା ନେଇ ଉଭୟ ଶାସକ ଓ ବିରୋଧୀ ପରସ୍ପର ଦୋଷ ଲଦାଲଦି ହୋଇଛନ୍ତି। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ସରକାରଙ୍କୁ ସମାଲୋଚନା କରି କହିଛନ୍ତି, ସରକାର ଚାଷୀ ପ୍ରସଙ୍ଗରେ ଏକ ପ୍ରକାର ପଳାୟନ ପନ୍ଥୀ ସାଜିଛନ୍ତି। ଚାଷୀଙ୍କର ଧାନ ପଡ଼ିରହିଛି ଅଥଚ ସେ ନେଇ ଗୃହରେ ନିର୍ଭର ପ୍ରତିଶ୍ରୁତି ନ ରଖି ବିଜେପି ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କ କ୍ଷମା ଦାବିରେ ନାରାବାଜି କରୁଛନ୍ତି। ମୂଳ ସମସ୍ୟାଟିକୁ ସମାଧାନ ନ କରି ଚାଷୀଙ୍କ ପାଇଁ ଯିଏ ପ୍ରତିବାଦ କଲା ତାକୁ ନେଇ ପ୍ରସଙ୍ଗ କରୁଛନ୍ତି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ବିଜେପି ଦଳ ସମ୍ପୂର୍ଣ୍ଣ ଭାବେ ଶ୍ରୀ ପାଣିଗ୍ରାହୀଙ୍କ ପଛରେ ରହିଛି। ଶ୍ରୀ ପାଣିଗ୍ରାହୀ କ୍ଷମା ମାଗିବା ଉଚିତ୍‌ ବୋଲି ଯେପରି ଭାବେ ଗତକାଲି ଗଣମାଧ୍ୟମରେ ବାଚସ୍ପତି ଶ୍ରୀ ପାତ୍ର ଟିପ୍ପଣୀ କରିଛନ୍ତି ତାକୁ ବିଜେପି ସମାଲୋଚନା କରୁଛି। ବାଚସ୍ପତି ଭାବରେ ଗୃହ ଭିତରେ ତାଙ୍କର କ୍ଷମତା ରହିଛି ରୁଲିଂ ଦେଇପାରିବେ। ଥରେ ବାଚସ୍ପତି ଆସନରେ ବସିବା ପରେ ସେ ନିରପେକ୍ଷ ଭାବେ ବିଚାର କରିବା ଦରକାର। କିନ୍ତୁ ଗୃହ ବାହାରେ ବିଧାୟକଙ୍କ ସମ୍ପର୍କରେ ଏପରି ପ୍ରତିକ୍ରିୟା ରଖି ବାଚସ୍ପତି ବିଜୁ ଜନତା ଦଳର ଜଣେ ସଦସ୍ୟ ଭଳି ବ୍ୟବହାର କରିଛନ୍ତି। ଗୃହର ଅଚଳାବସ୍ଥା ଦୂର କରିବା ପାଇଁ ସର୍ବଦଳୀୟ ବୈଠକ ଡାକୁନାହାନ୍ତି। ଚାଷୀଙ୍କ ଧାନ ଉଠିବା ନେଇ ବିରୋଧୀ ସରକାରଙ୍କ ଠାରୁ ପ୍ରତିଶ୍ରୁତି ଦାବି କରୁଛନ୍ତି। ସର୍ବଦଳୀୟ ବୈଠକରେ ଆଲୋଚନା କଲେ ଏହାର ସମାଧାନର ରାସ୍ତା ବାହାରି ପାରିବ। କିନ୍ତୁ ତା ନ କରି ଗୃହକୁ କେବଳ ମୁଲତବୀ କରି ଚାଲିଛନ୍ତି।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ ଦେବଗଡ଼ ବିଧାୟକଙ୍କ କ୍ଷମା ପ୍ରାର୍ଥନା ଦାବିରେ ଶାସକ ଦଳ ବି ୨ ଦିନ ହେଲା ଗୃହ ମଧ୍ୟଭାଗରେ ହୋହଲ୍ଲା କରିଆସୁଛନ୍ତି। ଏସବୁ କଣ ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ଦେଖିପାରୁନାହାନ୍ତି। ଗୃହରେ ସ୍ବାଭାବିକ ଅବସ୍ଥା ଫେରେଇବା ପାଇଁ ସେ ହସ୍ତକ୍ଷେପ କରିନାହନ୍ତି। ବିରୋଧୀଙ୍କ ସହ ଆଲୋଚନା କରି ସମାଧାନ ରାସ୍ତା ଗୃହର ନେତା ବାହାର କରିପାରନ୍ତେ। ଧାନକିଣା ନେଇ ସରକାରଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆସିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ନିରବ କାହିଁକି? କେନ୍ଦ୍ର ସରକାରଙ୍କ କଳା କୃଷି ଆଇନ ପ୍ରତ୍ୟାହାର ନେଇ ଶହଶହ ଚାଷୀ ପ୍ରାଣତ୍ୟାଗ କରିଥିଲେ ବି ପ୍ରଧାନମନ୍ତ୍ରୀ ମୋଦୀ ଯେପରି ଚାଷୀଙ୍କ ପ୍ରତି ଭ୍ରୁକ୍ଷେପ ନକରି ନିଦାବିଷ୍ଣୁ ପାଲଟିଛନ୍ତି ସେହିପରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଚାଷୀଙ୍କ ଧାନ ଉଠିବା ନେଇ କୌଣସି ପଦକ୍ଷେପ ନେଇନାହାନ୍ତି। ଚାଷୀ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଗୁରୁ କଲେଣି କି ବୋଲି ଶ୍ରୀ ମିଶ୍ର ପ୍ରଶ୍ନ କରିଛନ୍ତି। ରାଜ୍ୟରେ ବିଜେପି ବନ୍ଧୁମାନେ ଚାଷୀଙ୍କ ପାଇଁ କାନ୍ଦୁଛନ୍ତି, ଅଥଚ କେନ୍ଦ୍ର ସରକାର ଚାଷୀଙ୍କ ସ୍ବରକୁ ଦମନ କରିବା ପାଇଁ କୌଣସି ବି ସୁଯୋଗ ହାତଛଡ଼ା କରୁନାହାନ୍ତି। କେନ୍ଦ୍ର ସରକାର ପ୍ରଣୟନ କରିଥିବା କୃଷି ଆଇନ ଅନୁଯାୟୀ ଚାଷୀ ତାର ଉତ୍ପାଦ ମଣ୍ଡି ଓ ମଣ୍ଡି ବାହାରେ ବିକ୍ରି କରିପାରିବ। ଅନୁରୂପ ଭାବେ ରାଜ୍ୟ ସରକାର ବି ମଣ୍ଡି ବାହାରେ ଚାଷୀ ତାର ଉତ୍ପାଦ ବିକ୍ରି କରିପାରିବା ନେଇ ବିଲ୍‌ ଆଣିଛନ୍ତି। ଏଥିରୁ ଗୋଟିଏ କଥା ପ୍ରମାଣିତ ହୋଇଛି କି ଚାଷୀଙ୍କ ପ୍ରସଙ୍ଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ସମାନ। ଆସନ୍ତା ୨୨ ତାରିଖରେ ବରଗଡ଼ଠାରେ ବିଶାଳ ଚାଷୀ ସମାବେଶ କଂଗ୍ରେସ କରିବ।ଚେତାବନୀ ଦେଇ ସେ କହିଛନ୍ତି ବେଳ ଥାଉ ଥାଉ ସରକାର ବନ୍ଧ ବାନ୍ଧନ୍ତୁ ନ ହେଲେ ପରିସ୍ଥିତି ଭୟଙ୍କର ହେବ। ଶ୍ରୀ ମିଶ୍ର ଆହୁରି କହିଛନ୍ତି କି ବିଜେପି ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କ ଆଚରଣ ଯୋଗୁ ଗୃହ ମର୍ଯ୍ୟାଦା କ୍ଷୁଣ୍ଣ ହୋଇଛି ବୋଲି ଯଦି ବାଚସ୍ପତି ଅନୁଭବ କରୁଛନ୍ତି ତାହେଲେ ପରମ୍ପରା ଅନୁଯାୟୀ କାହିଁକି ସ୍ବତନ୍ତ୍ର ସ୍ବାଧିକାର ଭଙ୍ଗ କମିଟି କରି ଅନୁଧ୍ୟାନ କରୁନାହାନ୍ତି। କଂଗ୍ରେସ ସଭ୍ୟ ତାରା ପ୍ରସାଦ ବାହିନୀପତି କହିଥିଲେ, ଚାଷୀଙ୍କ ଧାନ ଯେପରି ନ ଉଠୁ ଓ ଗୃହ ନ ଚାଲୁ ସେଥିପାଇଁ ଉଭୟ ବିଜେପି-ବିଜେଡି ପ୍ରୟାସ କରୁଛନ୍ତି। ବିଧାୟକ ଆତ୍ମହତ୍ୟା ଉଦ୍ୟମ କରୁଛନ୍ତି। ସେପଟେ ଧାନ ବିକ୍ରି କରି ନପାରି ଚାଷୀ ଆତ୍ମହତ୍ୟା କଲେଣି।

ବିରୋଧୀଙ୍କ ଜବାବ ଦେଇ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି ଯେ ବିଜେପି ବିଧାୟକ ଶ୍ରୀ ପାଣିଗ୍ରାହୀ କ୍ଷମା ନ ମାଗିବା ପର୍ଯ୍ୟନ୍ତ ଗୃହ ଚାଲିବନି। ଓଡ଼ିଶା ସରକାର କେନ୍ଦ୍ର ପାଖରେ ଅନେକ ଦାବି କରୁଛନ୍ତି। ଦାବି ପୂରଣ ହେଉନାହିଁ। ସେଥିପାଇଁ ବିଜେଡି ବିଧାୟକମାନେ କଣ ଆତ୍ମହତ୍ୟା କରୁଛନ୍ତି? ଗୃହ ଭିତରେ ବିଜେପି ବିଧାୟକ ଏପରି ଆଚରଣ କରି କଣ ବାର୍ତ୍ତା ଦେବାକୁ ଚାହୁଁଛନ୍ତି? ଗୃହରେ ଯାହା ହେଉଛି ମୁଖ୍ୟମନ୍ତ୍ରୀ ସବୁ କାର୍ଯ୍ୟର ତଦାରଖ କରୁଛନ୍ତି ବୋଲି ଶ୍ରୀମତୀ ମଲ୍ଲିକ କହିଥିଲେ।