ବିରୋଧୀ ଦୁଇ ଭାଗ, ଗୃହ ଅଚଳ

ପୂର୍ବାହ୍ନରେ ଏକ ମିନିଟ୍ ବି ଗୃହ ଚାଲିଲାନି

ବିଜେଡି ଓ ବିଜେପି ଡିଲ୍ ହୋଇଛି: କଂଗ୍ରେସ
କଂଗ୍ରେସ ସାହାଯ୍ୟରେ ବିଜେଡି ଗୃହ ଅଚଳ କରୁଛି: ବିଜେପି
ବିରୋଧୀଙ୍କ ଭିତରେ ବାଗୁଡ଼ି ଖେଳ ଚାଲିଛି: ବିଜେଡି

ଭୁବନେଶ୍ବର : ଲଗାତାର ଦ୍ବିତୀୟଦିନ ପାଇଁ ବିଧାନସଭା ଅଚଳ ହୋଇଛି। କିନ୍ତୁ ଆଜି କୌଣସି ନିର୍ଦ୍ଦିଷ୍ଟ ପ୍ରସଙ୍ଗରେ ଗୃହ ଅଚଳ ହୋଇନାହିଁ। ଦୁଇ ବିରୋଧୀ ଦଳ ମଧ୍ୟରେ ଫାଟ ଯୋଗୁ ଏମିତି ଅଭାବନୀୟ ସ୍ଥିତି ଦେଖିବାକୁ ମିଳିଛି। ବିଜେପି ଓ କଂଗ୍ରେସର ରଣନୀତି ଏପରି ହୋଇଛି ଯେ ସରକାରଙ୍କୁ ତାହା ସୁହାଇଛି। ଦୁଇ ବିରୋଧୀଦଳ ସରକାରଙ୍କୁ ଟାର୍ଗେଟ୍ କରିବା ବଦଳରେ ପରସ୍ପର ଉପରେ ଦୋଷ ଲଦାଲଦି ହୋଇଛନ୍ତି। ଶାସକ ଦଳ ସହ ଡିଲ୍ ହୋଇଛି ବୋଲି ପରସ୍ପର ଉପରେ ଆରୋପ ଲଗାଇଛନ୍ତି।

ଶୁକ୍ରବାର ପୂର୍ବାହ୍ନରେ ଗୃହ କାର୍ଯ୍ୟ ଆରମ୍ଭ ହେଲାମାତ୍ରେ ବାଚସ୍ପତି ପ୍ରଶ୍ନକାଳ ଆରମ୍ଭ କରିବାକୁ ଘୋଷଣା କରିଥିଲେ। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ, ଷ୍ଟାଫ୍ ସିଲେକ୍ସନ୍ କମିସନରେ ଦୁର୍ନୀତି ଏକ ସାଂଘାତିକ ପ୍ରସଙ୍ଗ। ଗୃହର ଅନ୍ୟ କାର୍ଯ୍ୟ ବାତିଲ କରାଯାଇ ଏହି ପ୍ରସଙ୍ଗରେ ଆଲୋଚନା କରାଯାଉ। କିନ୍ତୁ ବାଚସ୍ପତି ତାହାକୁ ଗ୍ରହଣ କରି ନଥିଲେ। ଅଚାନକ ଗୋଟିଏ ମିନିଟ୍ ଭିତରେ ଗୃହକୁ ଅପରାହ୍ନ ୪ଟା ଯାଏ ମୁଲତବୀ ଘୋଷଣା କରିଥିଲେ। ଫଳରେ ପ୍ରଶ୍ନକାଳ ତ ହୋଇ ପାରି ନ ଥିଲା। ତାହା ସହ ବିଜେପି ପକ୍ଷରୁ ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ଉପରେ ଦିଆଯାଇଥିବା ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ସମ୍ଭବ ହୋଇ ନ ଥିଲା।

ଅପରାହ୍ନ ୪ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେଲାପରେ ବାଚସ୍ପତି ଘୋଷଣା କରିଥିଲେ ଯେ ଅପରାହ୍ନ ୪ଟା ୩୦ରେ ଗୃହର ସୁପରିଚାଳନା ପାଇଁ ସର୍ବଦଳୀୟ ବୈଠକ ହେବ। ଏହାପରେ ମନ୍ତ୍ରୀମାନଙ୍କୁ କାଗଜ ଉପସ୍ଥାପନ ପାଇଁ ଡାକିଥିଲେ। କିନ୍ତୁ କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ମିଶ୍ର ଏହାର ପ୍ରତିବାଦ କରିଥିଲେ। ସେ କହିଥିଲେ ଯେ ଆମେ ଯେଉଁ ଦାବି ପୂର୍ବାହ୍ନରେ ଉଠାଇଥିଲୁ, ତାହା ଉପରେ ଏ ଯାଏ ବାଚସ୍ପତି କିଛି କହିନାହାନ୍ତି। ତେଣୁ ଗୃହର ଅନ୍ୟ କାର୍ଯ୍ୟ ବାତିଲ୍ କରାଯାଇ ତୁରନ୍ତ ସର୍ବଦଳୀୟ ବୈଠକ ଡକାଯାଉ। ବାଚସ୍ପତି କହିଥିଲେ, ୪ଟା ୩୦ରେ ସର୍ବଦଳୀୟ ବୈଠକ ଅଛି। ତେଣୁ ଆଉ କିଛି ସମୟ ବିରୋଧୀ ଦଳ ଗୃହ କାର୍ଯ୍ୟ ସହଯୋଗ କରନ୍ତୁ। କିନ୍ତୁ ଶ୍ରୀ ମିଶ୍ର ଏଥିରେ ରାଜି ହୋଇ ନ ଥିଲେ। ସେ କହିଥିଲେ, ଆମେ ଏବେ ୩୦ ମିନିଟ୍ କ’ଣ କରିବୁ? ଆମ ଦାବି ଶୁଣା ନ ଯିବା ପର୍ଯ୍ୟନ୍ତ ଆମେ ଗୃହ କାର୍ଯ୍ୟରେ ସହଯୋଗ କରିବୁ ନାହିଁ। ଆମ କଥା ନ ଶୁଣି ଆପଣ ସରକାରୀ କାର୍ଯ୍ୟ କରାଇ ନେଇପାରିବେନାହିଁ। ଏହା ପରେ ୪ଟା ୧୨ରେ ବାଚସ୍ପତି ସର୍ବଦଳୀୟ ବୈଠକ ଡାକି ଗୃହକୁ ଅଧଘଣ୍ଟା ମୁଲତବୀ ରଖିଲେ। ସର୍ବଦଳୀୟ ବୈଠକ ଚାଲିଥିବାରୁ ତା’ପରେ ଦୁଇଟି ପର୍ଯ୍ୟାୟରେ ଆଉ ଅଧ ଘଣ୍ଟା ଗୃହ ମୁଲତବୀ ରହିଲା। ବୈଠକ ପରେ ଗୃହ କାର୍ଯ୍ୟ ୬ଟା ଯାଏ ସ୍ବାଭାବିକ ଭାବେ ଚାଲିଲା।

Alchetron

ଗୃହ ମୁଲତବୀ ସମ୍ପର୍କରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଗଣମାଧ୍ୟମକୁ କହିଛନ୍ତି, ଗତକାଲି ଷ୍ଟାଫ ସିଲେକ୍ସନ ଦୁର୍ନୀତି ନେଇ ମୁଲତବୀ ପ୍ରସ୍ତାବ ଦିଆଯାଇଥିଲା। ସେଥିରେ ଆମେ ସହମତି ପ୍ରକାଶ କରିଥିଲୁ। କାଲି ଗୃହରେ ହଟ୍ଟଗୋଳ ପାଇଁ ଆଲୋଚନା ହୋଇପାରିଲାନାହିଁ। ନିୟମ ଅନୁସାରେ, ଆଜି ଆଲୋଚନା ହେବା କଥା। କିନ୍ତୁ ବିଜେପି ଆଜି ମୁଲତବୀ ପ୍ରସ୍ତାବ ବଦଳେଇ ଦେଇଛି, ଯେଉଁଥିରେ ଆମର ସହମତି ନିଆଯାଇନି। ଏଥିପାଇଁ ପ୍ରଶ୍ନ କାଳ ଆରମ୍ଭରୁ ଆମେ ଦାବି କରିଥିଲୁ ଷ୍ଟାଫ ସିଲେକ୍ସନ ଦୁର୍ନୀତି ନେଇ ଆରମ୍ଭରୁ ଆଲୋଚନା କରାଯାଉ। କିନ୍ତୁ ବାଚସ୍ପତି କିଛି ନ ଶୁଣି ଗୋଟିଏ ମିନିଟ୍‌ରେ ଗୃହକୁ ମୁଲତବୀ କରିଦେଲେ। ଅଚାନକ ଗୃହକୁ ମୁଲତବୀ କରିବା ଦୁର୍ଭଗ୍ୟଜନକ। ଏହା ଠିକ୍‌ ପରମ୍ପରା ନୁହେଁ। ବାଚସ୍ପତିଙ୍କ କର୍ତ୍ତବ୍ୟ ସମସ୍ତଙ୍କୁ ଡାକି ଆଲୋଚନା କରି ସମସ୍ୟା ସମାଧାନ କରିବେ। ଯଦି ସମାଧାନ ନ ହୁଏ, ଗୃହକୁ ବନ୍ଦ ରଖିବେ। ସରକାରୀ ଦଳର ଇଚ୍ଛା ନାହିଁ ଆଲୋଚନା କରିବାକୁ। ବାଚସ୍ପତି ଗୋଟିଏ ମିନିଟରେ ଗୃହକୁ ବନ୍ଦ କରିଦେଉଛନ୍ତି। ବାଚସ୍ପତି ସରକାରୀ ଦଳରେ ବନ୍ଧା। ନିରପେକ୍ଷତା ଅବଲମ୍ବନ କରୁନାହାନ୍ତି। ଏହା ଗଣତନ୍ତ୍ର ପାଇଁ ବିପଦ। ଯେହେତୁ ସରକାରୀ ଦଳ ବିଜେପିକୁ ଟାର୍ଗେଟ କରିଥିଲା, ସେଥିପାଇଁ ସେମାନେ ନିଷ୍ପତ୍ତି ନେଇପାରୁନହାନ୍ତି। କାରଣ କେନ୍ଦ୍ରରେ ତାଙ୍କର ସରକାର ଅଛି। ସଂସଦରେ ବେଦ ପାଠ କରୁଛନ୍ତି।

କଂଗ୍ରେସ ବିଧାୟକ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି କହିଛନ୍ତି ଯେ ବିଜେପି ଦଳର ମତିଭ୍ରମ ହୋଇଛି। ତାଙ୍କ ମୁଣ୍ଡ କାମ କରୁନି। ଗତକାଲି ବିଜେପି ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ପ୍ରସଙ୍ଗ ଉଠାଇ ଗୃହରେ ପ୍ଲାକାର୍ଡ ପ୍ରଦର୍ଶନ କରୁଥିଲେ। ଆଜି କାହିଁକି ସେମାନେ ଚୁପ୍ ହୋଇବସିଲେ। ଏଥିରୁ ଜଣାପଡ଼ୁଛି ବିଜେଡି ଓ ବିଜେପି ଡିଲ୍ ହୋଇଛି। ସେମାନେ ଭାଇ-ଭାଇ। କଂଗ୍ରେସ କାହା ସହିତ ନାହିଁ।

Facebook

ବିଜେପି ବିଧାୟକ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି, ବିଧାନସଭାରେ ରାଜ୍ୟବାସୀଙ୍କ ସ୍ବାର୍ଥ ଦୃଷ୍ଟିରୁ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିବା ପାଇଁ ବିଜେପିର ସବୁ ଉଦ୍ୟମକୁ ବିଜେଡି ଭଣ୍ଡୁର କରିବା ନିମନ୍ତେ ପ୍ରୟାସ କରୁଛି। ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡ଼ିଛି। ଶାସକ ଦଳର ବହୁ ମନ୍ତ୍ରୀ ଓ ନେତା ଅପରାଧିକ କାର୍ଯ୍ୟରେ ସଂପୃକ୍ତ ଅଛନ୍ତି। ମୁଖ୍ୟମନ୍ତ୍ରୀ ସବୁ ଘଟଣାରେ ନିରବ ରହି ଦୋଷୀଙ୍କ ଢାଲ ସାଜୁଛନ୍ତି। ସେଥିପାଇଁ ଆଜି ବିଧାନସଭାରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପ୍ରସଙ୍ଗରେ ଆଲୋଚନା ହେବାପାଇଁ ବିଜେପି ପକ୍ଷରୁ ମୁଲତବୀ ପ୍ରସ୍ତାବ ଅଣାଯାଇଥିଲା। କିନ୍ତୁ କଂଗ୍ରେସ ବିଧାୟକ ଦଳ ନେତା ଛିଡ଼ାହୋଇ ବିଧାନସଭା ପ୍ରଶ୍ନକାଳକୁ ବନ୍ଦ କରିବା ପାଇଁ ଚେଷ୍ଟା କରିଥିଲେ ଓ ମାତ୍ର ୧ ମିନିଟ୍‌‌ରେ ବାଚସ୍ପତି ଗୃହକୁ ମୁଲତବୀ ଘୋଷଣା କଲେ। ଏହା ସମ୍ପୂର୍ଣ୍ଣ ଯୋଜନାବଦ୍ଧ ନାଟକ ଏବଂ ବିଧାନସଭା ଇତିହାସରେ ଏକ ବିରଳ ରେକର୍ଡ ସୃଷ୍ଟି ହୋଇଛି। ଅଡ଼ୁଆରେ ପଡ଼ିବା ଭୟରେ ବିଜେଡି ପୁଣିଥରେ କଂଗ୍ରେସକୁ ବ୍ୟବହାର କରି ଗୃହ କାର୍ଯ୍ୟକୁ ଜାଣିଶୁଣି ମୁଲତବୀ ଘୋଷଣା କରାଇଛି। ଏଥିରେ କଂଗ୍ରେସର ଭୂମିକା ସନ୍ଦେହଜନକ ଓ ରାଜ୍ୟବାସୀଙ୍କ ପ୍ରତି ବିଶ୍ବାସଘାତକତା।

ଏହି ପ୍ରସଙ୍ଗରେ ଶାସକଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି ଯେ ବିରୋଧୀଙ୍କ ଭିତରେ ବାଗୁଡ଼ି ଖେଳ ଚାଲିଛି। ସେମାନେ ଆଲୋଚନା କରି ପ୍ରସଙ୍ଗ ଆଣିବା କଥା। ନିର୍ଦ୍ଦିଷ୍ଟ ଭାବେ କିଛି କଥା ନ କହି ଲୋକଙ୍କ କାମରେ ଲାଗୁ ନ ଥିବା କଥା ଉଠାଉଛନ୍ତି। ଯେଉଁ ପ୍ରସଙ୍ଗ ଆଣିବା କଥା ଆଣୁନାହାନ୍ତି। ଲୋକଙ୍କ ପ୍ରସଙ୍ଗ ଉଠାନ୍ତୁ। ବିରୋଧୀ ଥାନା, କୋର୍ଟ କଚେରୀ ହୋଇ ନିଷ୍ପତ୍ତି ନ ନିଅନ୍ତୁ। ଲୋକଙ୍କ ସ୍ବାର୍ଥ ପାଇଁ ଯେଉଁ କଥା ଆସିବ ସରକାର ଆଲୋଚନା କରିବା ପାଇଁ ପ୍ରସ୍ତୁତ। କ୍ରିମିନାଲ୍ କେସ୍ ସହ ଛୋଟ କେସ୍ ଧରି ବିରୋଧୀ ଗୃହ ଅଚଳ କରୁଛନ୍ତି। ଠିକ୍ ଫୋରମ୍‌ରେ ପ୍ରସଙ୍ଗ ଆଣିଲେ ସରକାର ନିଶ୍ଚିତ ଆଲୋଚନା କରିବେ।

ସମ୍ବନ୍ଧିତ ଖବର