ଭୁବନେଶ୍ବର : ଗତ ତିନି ଦିନ ଯାହା ଘଟିଥିଲା, ଆଜି ବି ଆରମ୍ଭରୁ ସେୟା ଘଟିଲା। ବିରୋଧୀ କଂଗ୍ରେସ ଓ ବିଜେପି ସଭ୍ୟମାନେ ଗୃହ ମଧ୍ୟ ଭାଗରେ ହୋହଲ୍ଲା କଲେ। ଶାସକ ଦଳ ବି ତା’ର ଦାବି ନେଇ ନାରାବାଜି କଲେ। ଫଳରେ ପ୍ରଶ୍ନକାଳ ହୋଇପାରି ନ ଥିଲା। ପରେ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଲା ପରେ ୧୨ଟା ୧୦ରୁ ଗୃହ କାର୍ଯ୍ୟ ସ୍ବାଭାବିକ ହୋଇଥିଲା।
ଆଜି ପ୍ରଶ୍ନକାଳ ଆରମ୍ଭ ହେଲା ମାତ୍ରେ କଂଗ୍ରେସ ଓ ବିଜେପି ସଭ୍ୟମାନେ ଗୃହ ମଧ୍ୟ ଭାଗକୁ ମାଡ଼ି ଆସିଲେ। ଉଭୟ ଦଳ ନିଜ ନିଜର ପୁରୁଣା ଦାବି ଚାଷୀଙ୍କୁ ହକ୍ ଓ ବେକାରୀଙ୍କୁ ନିଯୁକ୍ତି ଦାବିରେ ହଟ୍ଟଗୋଳ କଲେ। ବିଜେପି ସଭ୍ୟମାନେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରି ସ୍ଲୋଗାନ୍ ଦେଉଥିଲା ବେଳେ କଂଗ୍ରେସ ସଭ୍ୟମାନେ ଉଭୟ ରାଜ୍ୟ ଓ କେନ୍ଦ୍ରକୁ ଟାର୍ଗେଟ୍ କରିଥିଲେ। ଏହି ସମୟରେ ବିଜେଡି ସଭ୍ୟମାନେ ବି ନିଜ ନିଜ ଆସନରେ ଠିଆ ହୋଇ କେନ୍ଦ୍ର ସରକାରଙ୍କ ବିରୋଧେର ନାରାବାଜି କଲେ। ତିନି ଦଳର ହଟ୍ଟଗୋଳରେ ଗୃହ କମ୍ପିଥିଲା। ବାଚସ୍ପତି ପ୍ରଶ୍ନକାଳ ଆରମ୍ଭ କରିବାକୁ େଚଷ୍ଟା କରିଥିଲେ ବି ସଫଳ ହୋଇ ନ ଥିଲେ। ଫଳରେ ମାତ୍ର ଗୋଟିଏ ମିନିଟ୍ରେ ଗୃହ କାର୍ଯ୍ୟକୁ ୧୧ଟା ୩୦ ପର୍ଯ୍ୟନ୍ତ ମୁଲତବୀ ରଖିଲେ।
ଏହା ପରେ ବିଜେଡି ସଭ୍ୟମାନେ ସିଧାସଳଖ ରାଜଭବନ ଅଭିମୁଖେ ପଦଯାତ୍ରା କଲେ। କେନ୍ଦ୍ର ସରକାର ନିଯୁକ୍ତି ସୁଯୋଗ ସୃଷ୍ଟି କରୁ ନାହାନ୍ତି ବୋଲି ଅଭିଯୋଗ କରି ସେମାନେ ରାସ୍ତାରେ ନାରାବାଜି କରି ରାଜଭବନରେ ପହଞ୍ଚିଥିଲେ। ସେଠାରେ ରାଷ୍ଟ୍ରପତିଙ୍କ ଉେଦ୍ଦଶ୍ୟରେ ରାଜ୍ୟପାଳଙ୍କୁ ଏ ନେଇ ଏକ ସ୍ମାରକପତ୍ର ଦେଇଥିଲେ। ବିଜେଡି ସଭ୍ୟ ସଞ୍ଜୟ ଦାସବର୍ମା କହିଥିଲେ, ୨୦୧୪ ନିର୍ବାଚନ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତିଶ୍ରୁତି ଦେଇଥିଲେ ପ୍ରତି ବର୍ଷ ୨ କୋଟି ବେକାର ଯୁବକ, ଯୁବତୀଙ୍କୁ ରୋଜଗାର ଦେବେ। ସେହି ହିସାବରେ ଓଡ଼ିଶାରୁ ମଧ୍ୟ ୩୬ ଲକ୍ଷ ବେକାର ଯୁବକ, ଯୁବତୀ ନିଯୁକ୍ତି ପାଇବା କଥା। କିନ୍ତୁ ତାହା କରାଯାଇ ନାହିଁ। ମୋଦୀ ସରକାର ତାଙ୍କ ପ୍ରତିଶ୍ରୁତି ତୁରନ୍ତ ପୂରଣ କରିବା ସହ ଓଡ଼ିଶାରେ ଥିବା କେନ୍ଦ୍ରୀୟ ପିଏସ୍ୟୁଗୁଡ଼ିକରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ଶ୍ରୀ ଦାସବର୍ମା ଦାବି କରିଥିଲେ।
ପୂର୍ବାହ୍ନ ୧୧ଟା ୩୦ରେ ଗୃହ କାର୍ଯ୍ୟ ଆରମ୍ଭ ହେଲା ମାତ୍ରେ ବାଚସ୍ପତି ସର୍ବଦଳୀୟ ବୈଠକ ଡାକି ଗୃହକୁ ଅଧ ଘଣ୍ଟା ମୁଲତବୀ ରଖିଥିଲେ। ପୁଣି ୧୨ଟାରେ ଆଉ ୧୦ ମିନିଟ୍ ମୁଲତବୀ ରଖାଗଲା। ୧୨ଟା ୧୦ରେ ଗୃହ କାର୍ଯ୍ୟ ସ୍ବାଭାବିକ ହୋଇଥିଲା।