ଚାଷୀଙ୍କ ପାଇଁ ବିଧାନସଭା ହୁଲସ୍ତୁଲ

ମାଇକ୍‌ ଭାଙ୍ଗିଲେ, କାଗଜ ଚିରିଲେ ତାରା ଓ ନାଉରୀ; ଗୃହ ୭ ଥର ମୁଲତବୀ

ବିରୋଧୀ ଦଳରେ ଫାଟ
କଂଗ୍ରେସ କହିଲା ମୁଲତବୀ, ବିଜେପି କହିଲା ପ୍ରସ୍ତାବ ଜରିଆରେ ଆଲୋଚନା ହେଉ
ହୋହଲ୍ଲା ଭିତରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା

ଭୁବନେଶ୍ବର : ମଣ୍ଡିରେ ଗଦାଗଦା ଧାନ ପଡ଼ିରହିଛି। ଟୋକନ୍‌ ଅବଧି ସରିଯାଇଥିଲେ ବି ସାନି ଟୋକନ୍‌ ଚାଷୀଙ୍କୁ ଦିଆଯାଉ ନାହିଁ। ସରକାର କହିଛନ୍ତି ମାର୍ଚ୍ଚ ମାସ ଶେଷ ପର୍ଯ୍ୟନ୍ତ ଧାନ ସଂଗ୍ରହ ହେବ। କିନ୍ତୁ ଚାଷୀ ମଣ୍ଡିକୁ ଧାନ ନେଇ ଗଲେ ସମୟବାୟ ସମିତିବାଲା ଧାନ କିଣିବାକୁ ମନା କରୁଛନ୍ତି। ସାରା ରାଜ୍ୟରେ ଧାନ ସଂଗ୍ରହରେ ବ୍ୟାପକ ଦୁର୍ନୀତି ହେଉଛି। ଗତବର୍ଷ ଧାନ କିଣା ସମସ୍ୟା ରହିବନି ବୋଲି ଯୋଗାଣ ମନ୍ତ୍ରୀ ସବୁ ବିଧାୟକମାନଙ୍କ ସହ ଆଲୋଚନା କରି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ମନ୍ତ୍ରୀଙ୍କ ପ୍ରତିଶ୍ରୁତି ବି କାମ ଦେଉନି। ସରକାର ଚାଷୀଙ୍କ ଧାନ କିଣନ୍ତୁ। ନଚେତ୍‌ ଚାଲିବନି ଗୃହ। ଆଜି ଏହି ପ୍ରସଙ୍ଗରେ ପ୍ରସ୍ତାବ ଜରିଆରେ ଆଲୋଚନା କରିବାକୁ ବିଜେପି ଦାବି କରିଥିବା ବେଳେ କଂଗ୍ରେସ ମୁଲତବୀ ଆଲୋଚନା ଚାହିଁଥିଲା। କିନ୍ତୁ ବିରୋଧୀଙ୍କ ପ୍ରସ୍ତାବ ଗ୍ରହଣ ନ ହେବାରୁ ଉଭୟ ଦଳ ବିଧାନସଭା ମଧ୍ୟ ଭାଗକୁ ଆସି ନାରାବାଜି କରି ଗୃହକୁ ଅଚଳ କରି ଦେଇଥିଲେ। ବିଜେପି ସଦସ୍ୟମାନେ ବ୍ୟାନର୍‌ ପ୍ରଦର୍ଶନ କରିଥିବା ବେଳେ କଂଗ୍ରେସ ସଦସ୍ୟ ବାଚସ୍ପତିଙ୍କ ପୋଡିୟମ୍‌ ଉପରକୁ ଉଠି କାଗଜ ଚିରିବା ସହ ମାଇକ୍‌ ଭାଙ୍ଗି ଦେଇଥିଲେ। ଫଳରେ ଗୃହକୁ ୭ ଥର ମୁଲତବୀ ରଖିବାକୁ ପଡ଼ିଥିଲା। ପରିସ୍ଥିତି ଏପରି ହୋଇଥିଲା ଯେ କଂଗ୍ରେସର ମୋଦୀ-ନବୀନ ହାଏ ହାଏ ସ୍ଲୋଗାନ୍‌ ସହିତ ବିଜେପି ସଦସ୍ୟମାନେ ବି ହାଏ ହାଏ କରିବାକୁ ପଛାଇ ନ ଥିଲେ।

ଅପରାହ୍ନରେ ଗୃହର ଅଚଳାବସ୍ଥା ଦୂର କରିବା ପାଇଁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସର୍ବଦଳୀୟ ବୈଠକ ଡାକିଥିଲେ। ଆସନ୍ତାକାଲି ମନ୍ତ୍ରୀ ଗୃହରେ ବିବୃତି ରଖିବା ନେଇ ଶ୍ରୀ ପାତ୍ର ରୁଲିଂ ଦେବାରୁ ସ୍ଥିତି ଆହୁରି ବିଗିଡ଼ି ଯାଇଥିଲା। ବାଚସ୍ପତିଙ୍କ ରୁଲିଂକୁ କଂଗ୍ରେସ କଡ଼ା ବିରୋଧ କରିବା ସହ ଆସନ୍ତାକାଲି ମୁଲତବୀ ପ୍ରସ୍ତାବ ଜରିଆରେ ଆଲୋଚନା ପାଇଁ ଦାବି କରିଥିଲା। ବିଜେପି କହିଥିଲା ଯେ ଆସନ୍ତା ୭ ଦିନ ଭିତରେ ଚାଷୀଙ୍କ ସବୁ ଧାନ ଉଠିବା ନେଇ ସରକାର ପ୍ରତିଶ୍ରୁତି ଦେଲେ ଗୃହରେ ସହଯୋଗ କରାଯିବ। ଅର୍ଥାତ୍‌ ସକାଳେ ଯେଉଁ ପ୍ରସଙ୍ଗରେ ଉଭୟ ଦଳ ଆଲୋଚନା ଦାବିରେ ଗୃହରେ ହଙ୍ଗାମା କରିଥିଲେ, ସନ୍ଧ୍ୟା ବେଳକୁ ଚାଷୀ ପ୍ରସଙ୍ଗକୁ ନେଇ ଉଭୟ ବିରୋଧୀଙ୍କ ମଧ୍ୟରେ ଆଉ ତାଳମେଳ ରହିଲାନି। ତେବେ କୋଭିଡ୍‌ ମହାମାରୀ ପରେ ଆଜି ବିଧାନସଭାରେ ପ୍ରଶ୍ନକାଳର ପ୍ରଥମ ଦିନ ଥିଲେ ବି ବିରୋଧୀଙ୍କ ହୋହଲ୍ଲା ଯୋଗୁ ସମ୍ଭବ ହୋଇନଥିଲା।

ଆଜି ପୂର୍ବାହ୍ନ ୧୦ଟା ୩୦ରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ କଂଗ୍ରେସ ଓ ବିଜେପି ସଦସ୍ୟମାନେ ନିଜ ନିଜ ଆସନରେ ଠିଆ ହୋଇ ରାଜ୍ୟରେ ଚାଲିଥିବା ଧାନ କିଣାରେ ବ୍ୟାପକ ଦୁର୍ନୀତି ନେଇ ଆଲୋଚନା ଦାବି କରିଥିଲେ। ଏ ନେଇ ବାଚସ୍ପତି ବିରୋଧୀ ସଦସ୍ୟମାନଙ୍କୁ ଆସନରେ ବସିବାକୁ କହିବାରୁ ଉଭୟ ଦଳର ସଦସ୍ୟ ଗୃହ ମଧ୍ୟ ଭାଗକୁ ଆସି ପାଟିତୁଣ୍ଡ କରି ସରକାର ବିରୋଧୀ ନାରାବାଜି କରିଥିଲେ। କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଥିଲେ ଗୃହର ସବୁ କାର୍ଯ୍ୟ ବାତିଲ କରି ଚାଷୀ ସମସ୍ୟା ପ୍ରସଙ୍ଗରେ ଆଲୋଚନା କରାଯାଉ। ବାଚସ୍ପତି ନ ଶୁଣିବାରୁ ବାହିନୀପତି ଓ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ ସଚିବ ଓ ରିପୋର୍ଟର୍‌ଙ୍କ ଚେୟାର ଉପରେ ଚଢ଼ି ବାଚସ୍ପତିଙ୍କ ପୋଡିୟମ ଉପରକୁ ଉଠିବାକୁ ଉଦ୍ୟମ କରିଥିଲେ। ଏହା ସହିତ ବିଜେପି ସଦସ୍ୟମାନେ ‘ମଣ୍ଡିରେ କାନ୍ଦୁଛି ଚାଷୀ’ ଲେଖାଥିବା ବ୍ୟାନର ପ୍ରଦର୍ଶନ କରିଥିଲେ। ବିରୋଧୀଙ୍କ ଏପରି ଆଭିମୁଖ୍ୟ ଦେଖି ବାଚସ୍ପତି ଶ୍ରୀ ପାତ୍ର ଗୃହକୁ ପ୍ରଥମେ ପୂର୍ବାହ୍ନ ୧୦ଟା ୩୧ରୁ ୧୧ଟା ୩୦ ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ। ପରେ ୧୧ଟା ୩୦ରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ନାରାବାଜି କରିବାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ ରହିଥିଲା।

ଅପରାହ୍ନ ୪ଟାରେ ବି ସମାନ ସ୍ଥିତି ଦେଖିବାକୁ ମିଳିଥିଲା। ହୋହଲ୍ଲା ମଧ୍ୟରେ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଅନୁପସ୍ଥିତିରେ ବାଚସ୍ପତି ଶ୍ରୀ ପାତ୍ର ଓଏପିଏମ୍‌ ଅଧ୍ୟାଦେଶ ଗୃହରେ ଉପସ୍ଥାପନ କରିବା ପାଇଁ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କୁ ଡାକିଥିଲେ। ନିଜ ନିଜ ଆସନକୁ ଫେରିଯିବାକୁ ବାଚସ୍ପତି ବିରୋଧୀ ସଦସ୍ୟଙ୍କୁ ଯେତେ ନିବେଦନ କଲେ ବି କେହି ଶୁଣି ନ ଥିଲେ। ଅଚଳାବସ୍ଥା ଦେଖି ଶ୍ରୀ ପାତ୍ର ସର୍ବଦଳୀୟ ବୈଠକ ପାଇଁ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ଆରୁଖ, ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ସରକାରୀ ଦଳ ଉପମୁଖ୍ୟ ସଚେତକ ରୋହିତ ପୂଜାରୀ, ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ, କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି, ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସ ଓ ସିପିଆଇଏମ୍‌ ସଦସ୍ୟ ଲକ୍ଷ୍ମଣ ମୁଣ୍ଡାଙ୍କୁ ଆମନ୍ତ୍ରଣ କରିଥିଲେ। ୨୦ ମିନିଟ୍‌ ପାଇଁ ଗୃହକୁ ମୁଲତବୀ ରଖାଯାଇଥିଲା। କିନ୍ତୁ ବୈଠକ ଦୀର୍ଘ ସମୟ ଚାଲିବାରୁ ଉପବାଚସ୍ପତି ରଜନୀକାନ୍ତ ସିଂହ ୫ଟା ୧୪ ମିନିଟ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ଦୀର୍ଘ ୧ ଘଣ୍ଟାରୁ ଅଧିକ ସମୟ ଧରି ସମୟ ସର୍ବଦଳୀୟ ବୈଠକ ପରେ ସନ୍ଧ୍ୟା ୫ଟା ୧୪ ମିନିଟ୍‌ରେ ବାଚସ୍ପତି ଶ୍ରୀ ପାତ୍ର ଗୃହରେ ରୁଲିଂ ଦେଇ କହିଥିଲେ ସର୍ବଦଳୀୟ ବୈଠକର ନିଷ୍ପତ୍ତି ଅନୁଯାୟୀ ଆସନ୍ତାକାଲି ବିଭାଗୀୟ ମନ୍ତ୍ରୀ ଗୃହରେ ବିବୃତି ରଖିବେ। ଆସନ୍ତା ୭ ଦିନ ଭିତରେ ଧାନ ସଂଗ୍ରହ ନେଇ କଣ ସ୍ଥିତି ରହିଛି ସେ ନେଇ ମଧ୍ୟ ବିବୃତି ଜରିଆରେ ଗୃହକୁ ଅବଗତ କରିବେ।

ବାଚସ୍ପତିଙ୍କ ରୁଲିଂକୁ ତତ୍‌କ୍ଷଣାତ୍‌ ବିରୋଧ କରି କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ମିଶ୍ର କହିଥିଲେ, ବାଚସ୍ପତି ଯେପରି ଘୋଷଣା କଲେ, ତାହା କେବେ ବି ସର୍ବଦଳୀୟ ବୈଠକରେ ସହମତି ହୋଇ ନାହିଁ। ମନ୍ତ୍ରୀ ବିବୃତି ରଖିବା ନେଇ ସେ ସର୍ବଦଳୀୟ ବୈଠକରେ କଡ଼ା ବିରୋଧ କରିଥିବା କହିଥିଲେ। ତେବେ କେଉଁ ଆଧାରରେ ସହମତି ହୋଇଥିଲା ବୋଲି ବାଚସ୍ପତି କହୁଛନ୍ତି ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। କଂଗ୍ରେସ ଦଳ ବାଚସ୍ପତିଙ୍କ ରୁଲିଂକୁ ଗ୍ରହଣ କରିବ ନାହିଁ। ବିଜେପି ଗ୍ରହଣ କରିପାରେ। ଶ୍ରୀ ମିଶ୍ର କହିଥିଲେ, ବିଧାନସଭା କାର୍ଯ୍ୟବିଧି କାର୍ଯ୍ୟ ପରିଚାଳନା ନିୟମାନୁଯାୟୀ, ଥରେ ମନ୍ତ୍ରୀ କୌଣସି ପ୍ରସଙ୍ଗରେ ଗୃହରେ ବିବୃତି ରଖିଲେ ଆଉ ସମାନ ପ୍ରସଙ୍ଗରେ ଆଲୋଚନା ହୋଇପାରିବ ନାହିଁ। ଏହା ସହିତ ମନ୍ତ୍ରୀ ବିବୃତି ରଖୁଥିବା ବେଳେ ନିୟମାନୁଯାୟୀ ବିରୋଧୀ କୌଣସି ପ୍ରଶ୍ନ ବି ପଚାରି ପାରିବେ ନାହିଁ। ଏଥିରୁ ଜଣାପଡ଼ୁଛି, ସରକାର ଧାନ କିଣା ଦୁର୍ନୀତି ନେଇ ଆଲୋଚନା କରିବାକୁ ଚାହୁଁ ନାହାନ୍ତି। ବିଜେପି ମଧ୍ୟ ସରକାରଙ୍କ ସହ ହାତ ମିଳାଇଛି। କାରଣ କେନ୍ଦ୍ରର କୃଷି ଆଇନ ବିରୋଧରେ ଦିଲ୍ଲୀରେ ଚାଷୀମାନେ ଆନ୍ଦୋଳନ ଚଳାଇଛନ୍ତି। କେନ୍ଦ୍ର କୃଷି ଆଇନ ମଡେଲ୍‌ରେ ରାଜ୍ୟ ସରକାର ମଧ୍ୟ ଗତ ଅଧିବେଶନରେ ଗୋଟିଏ ବିଲ୍‌ ଏହି ଗୃହରେ ଆଗତ କରିଛନ୍ତି। ଏଥିରୁ ଜଣାପଡ଼ୁଛି ରାଜ୍ୟ ସରକାର ବି କେନ୍ଦ୍ରର ଚାଷୀ ବିରୋଧୀ ଆଇନକୁ ଏକ ପ୍ରକାର ସମର୍ଥନ କରିଚାଲିଛନ୍ତି। ବଜେଟ୍‌ ଅଧିବେଶନ ପୂର୍ବରୁ ଗତ ୧୭ ତାରିଖରେ ସର୍ବଦଳୀୟ ବୈଠକ ହୋଇଥିଲା। ନିଷ୍ପତ୍ତି ଅନୁଯାୟୀ, ବିଜେପି ସପ୍ତାହକର ୪ ଦିନ ଅର୍ଥାତ୍‌ ସୋମବାର, ବୁଧବାର, ଗୁରୁବାର ଓ ଶୁକ୍ରବାର ବିଜେପିର ମୁଲତବୀ ଆଲୋଚନା ନିଆଯିବ। ସେହିପରି ୨ ଦିନ ଅର୍ଥାତ୍‌ ମଙ୍ଗଳବାର ଓ ଶନିବାର କଂଗ୍ରେସର ମୁଲତବୀ ପ୍ରସ୍ତାବ ନିଆଯିବ। ସେହି ଅନୁଯାୟୀ ଆସନ୍ତାକାଲି ଶନିବାର ଥିବାରୁ କଂଗ୍ରେସର ମୁଲତବୀ ଆଲୋଚନାରେ ମନ୍ତ୍ରୀ ଉତ୍ତର ରଖିବାକୁ ବାଧ୍ୟ।

ପରେ ବିରୋଧୀ ଦଳ ନେତା ଶ୍ରୀ ନାଏକ କହିଥିଲେ, ଏବେ ପଶ୍ଚିମ ଓଡ଼ିଶାର ୧୧ଟି ଜିଲ୍ଲାରେ ଚାଷୀଙ୍କଠାରୁ ଧାନ କିଣାଯାଉନି। ପ୍ରାୟ ୫ ଲକ୍ଷ ଚାଷୀଙ୍କର ୨୦ ଲକ୍ଷ ମେଟ୍ରିକ୍‌ ଟନ୍‌ ଧାନ ପଡ଼ିରହିଛି। ସେମାନଙ୍କ ଧାନ କିଣାଯାଉନି। ଟୋକନ୍‌ ଦିଆଯାଉନି। ଯେଉଁ ଟୋକନ୍‌ ଚାଷୀଙ୍କୁ ମିଳିଥିଲା ତାର ଅବଧି ସରିଗଲା ବୋଲି ଆଉ ସାନି ଟୋକନ୍‌ ବି ଚାଷୀଙ୍କୁ ଯୋଗାଇ ଦିଆଯାଉନାହିଁ। ମଣ୍ଡିରେ ପର୍ଯ୍ୟାପ୍ତ ସ୍ଥାନ ଅଭାବରୁ ଚାଷୀମାନେ ସେମାନଙ୍କ ଧାନକୁ ଖଳାରେ ପକାଇଥିଲେ। ଗତ ଦୁଇ ଦିନ ହେଲା ପଶ୍ଚିମ ଓଡ଼ିଶାରେ ଅଦିନିଆ ବର୍ଷା ହେବା ଫଳରେ ଏବେ ସେସବୁ ଧାନଗୁଡ଼ିକ ଓଦା ହୋଇଗଲା। ଏହାର ଅର୍ଥ ପୁଣି ଥରେ ଚାଷୀ ଅଭାବୀ ବିକ୍ରିର ଶିକାର ହେବାକୁ ଚାଷୀଙ୍କୁ ସରକାର ଠେଲିଦେଲେ। ଆସନ୍ତା ୭ ଦିନ ଭିତରେ ଚାଷୀଙ୍କର ସମସ୍ତ ଧାନ କିଣାଯିବା ନେଇ ଏବେ ସରକାର ପ୍ରତିଶ୍ରୁତି ଦେଲେ ଗୃହରେ କାର୍ଯ୍ୟରେ ବିରୋଧୀ ସହଯୋଗ କରିବେ ବୋଲି ଶ୍ରୀ ନାଏକ କହିଥିଲେ। ସମାନ ପ୍ରସଙ୍ଗରେ ଗୃହରେ ଉଦବେଗ ପ୍ରକାଶ କରି ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର କହିଥିଲେ, ବର୍ଷାରେ ଓଦା ହୋଇଥିବା ଚାଷୀଙ୍କ ଧାନକୁ ସରକାର ସର୍ବନିମ୍ନ ସହାୟକ ମୂଲ୍ୟରେ କିଣନ୍ତୁ। ଭୁବନେଶ୍ବରରୁ ଟୋକନ୍‌ ବ୍ୟବସ୍ଥା ନ ହୋଇ ଜିଲ୍ଲା ସ୍ତରରେ କରାଯାଉ। ଚାଷୀ ସମସ୍ୟା ନେଇ ପ୍ରସ୍ତାବ ଜରିଆରୋ ଆଲୋଚନା କରିବାକୁ ସେ ଦାବି କରିଥିଲେ।

ବାଚସ୍ପତିଙ୍କୁ ସତର୍କ କରାଇଦେଇ କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା କହିଥିଲେ, ଚାଷୀଙ୍କ ପ୍ରତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅହେତୁକ ଅନ୍ୟାୟ କରିଚାଲିଛନ୍ତି। ଏବେ ଧାନ କିଣା ନଯିବାରୁ ଚାଷୀ ଯେପରି ହନ୍ତସନ୍ତ ହେଉଛି ସେଥିପାଇଁ ଏ ଗୃହରେ ଆଲୋଚନା କରାଯାଉ। କଂଗ୍ରେସ ବିଧାୟକ ଶ୍ରୀ ବାହିନୀପତି କହିଥିଲେ, ଗତ ଅଧିବେଶନରେ ଖୋଦ ଯୋଗାଣ ଓ ସମବାୟ ମନ୍ତ୍ରୀ ଜିଲ୍ଲା ୱାରିି ପ୍ରତି ବିଧାୟକଙ୍କୁ ଡାକି ଧାନ ସଂଗ୍ରହ ସମସ୍ୟା ନେଇ ଆଲୋଚନା କରିଥିଲେ। ବୈଠକରେ ପ୍ରତିଶ୍ରୁତି ମିଳିଥିଲା କି ଆଉ ଜିଲ୍ଲା ସ୍ତରରେ ଧାନ କିଣାରେ କୌଣସି ପ୍ରକାର ସମସ୍ୟା ରହିବ ନାହିଁ। ଚାଷୀ ମଣ୍ଡିକୁ ଯେତେ ଧାନ ଆଣିବେ ସେସବୁ କିଣାଯିବ। କିନ୍ତୁ ଦୁର୍ଭାଗ୍ୟ ଏବେ ବିଭିନ୍ନ ମଣ୍ଡିରେ ହଜାର ହଜାର କ୍ବିଣ୍ଟାଲ ଧାନ ପଡ଼ିରହିଛି। ଏହି ପ୍ରସଙ୍ଗରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ ଓ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ମଧ୍ୟ ଉଦବେଗ ପ୍ରକାଶ କରିଥିଲେ।

ବିଧାୟକମାନଙ୍କ ଉଦବେଗକୁ ଦୃଷ୍ଟିରେ ରଖି ବାଚସ୍ପତି ପୁଣି ଥରେ ସର୍ବଦଳୀୟ ବୈଠକ ଅନୁଯାୟୀ ମନ୍ତ୍ରୀ ବିବୃତି ରଖିବା ନେଇ କହିବାକୁ କଂଗ୍ରେସ ବିଧାୟକ ଦଳ ନେତା ବିରୋଧ କରିଥିଲେ। ପରେ ଉଭୟ ବିରୋଧୀ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ନାରାବାଜି କରିଥିଲେ। ହୋହଲ୍ଲା ଭିତରେ ବାଚସ୍ପତି ଧନ୍ୟବାଦ ପ୍ରସ୍ତାବ ଆଲୋଚନା ପାଇଁ ବିରୋଧୀ ସଦସ୍ୟଙ୍କୁ କହିବାକୁ ଡାକିଥିଲେ ବି କୌଣସି ସଦସ୍ୟ ଭାଗ ନେଇ ନଥିଲେ। ପରେ ଶାସକ ଦଳ ବିଧାୟକ ଅମର ପ୍ରସାଦ ଶତପଥୀ ଓ ସ୍ନେହାଙ୍ଗିନୀ ଛୁରିଆ ଆଲୋଚନାରେ ଭାଗ ନେଇଥିଲେ। ଗୃହରେ ଛୁରିଆ କହୁଥିବାବେଳେ କଂଗ୍ରେସ ବିଧାୟକ ଶ୍ରୀ ବାହିନୀପତି ଓ ବିଜେପି ବିଧାୟକ ନାଉରି ନାୟକ ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଉଠି ସାମନାରେ ଥିବା କାଚକୁ ହୁଗାଳି ଦେଇଥିଲେ। ସନ୍ଧ୍ୟା ୫ଟା ୫୮ ମିନିଟ୍‌ରେ ବାଚସ୍ପତି ଗୃହକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ।

ସମ୍ବନ୍ଧିତ ଖବର