ଠିକା ନିଯୁକ୍ତି ବ୍ୟବସ୍ଥା ଉଚ୍ଛେଦ କରାଯାଉ
କେନ୍ଦ୍ର ଟଙ୍କାରେ ନିଜ ନାଁ ଯୋଡ଼ି ବାହାବା ନେଉଛନ୍ତି
ମହିଳାଙ୍କୁ ଉଲଗ୍ନ କରିବା ଘଟଣାରେ ଓଡ଼ିଶା ପ୍ରଥମ
ଭୁବନେଶ୍ବର : ବିକାଶର ଗୋଲାପି ଚିତ୍ର ଦେଖାଇ ଭୋଟ ସର୍ବସ୍ବ ରାଜନୀତି କରୁଛନ୍ତି ସରକାର। ମଣିଷ ଗଢ଼ୁଥିବା ଶିକ୍ଷକମାନଙ୍କୁ ସ୍ଥାୟୀ ନିଯୁକ୍ତି ମିଳୁନି। ବିଭିନ୍ନ ଯୋଜନା ପାଇଁ କେନ୍ଦ୍ର ଦେଉଥିବା ଟଙ୍କାରେ ନିଜସ୍ବ ଯୋଜନା କହି ପ୍ରଚାର କରୁଛନ୍ତି। ଆଜି ବିଧାନସଭାରେ ଅତିରିକ୍ତ ବ୍ୟୟ ମଞ୍ଜୁରି ବିଲ୍ ଆଲୋଚନା ବେଳେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ସରକାରଙ୍କ ଆର୍ଥିକ ନୀତିକୁ ସମାଲୋଚନା କରି ଏମିତି ବର୍ଷିଛନ୍ତି। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଦର୍ଶାଇଛନ୍ତି ଯେ କେନ୍ଦ୍ର ସରକାରଙ୍କ ପରିସଂଖ୍ୟାନ ଆଧାରରେ ମହିଳା ଉଲଗ୍ନ କରିବା ଘଟଣାରେ ଓଡ଼ିଶା ପ୍ରଥମ ରାଜ୍ୟ। ସେହିପରି ଗତ ୬ ମାସ ଭିତରେ ରାଜ୍ୟରେ ୬୦୦ରୁ ଅଧିକ ନାବାଳିକା ଦୁଷ୍କର୍ମର ଶିକାର ହୋଇଛନ୍ତି। ବିଜେଡି ସରକାର ଅମଳରେ ରାଜ୍ୟରେ ବେକାରି ହାର ବଢ଼ିଥିବା ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ଦଳ ଉପନେତା ବିଷ୍ଣ ଚରଣ ସେଠୀ।
ଅତିରିକ୍ତ ବ୍ୟୟ ମଞ୍ଜୁରି ବିଲ ଆଲୋଚନା ଆରମ୍ଭ କରି ବିରୋଧୀ ଦଳ ନେତା ଶ୍ରୀ ନାଏକ କହିଥିଲେ ଯେ ନିଜସ୍ବ ଆୟ ବୃଦ୍ଧି ପାଇଁ ଏ ସରକାର କିଛି ବି ଯୋଜନା କରୁନାହାନ୍ତି। କେବଳ ଭୋଟ୍ ପାଇଁ ବିଭିନ୍ନ ଯୋଜନା କରି ଲୋକଙ୍କୁ ଭୂଆଁ ବୁଲାଉଛନ୍ତି। ଏ ସରକାର ବାହାପିଆ ସରକାର। ସରକାରୀ ଚାକିରିରେ ଏବେ ରାଜ୍ୟରେ ୧ ଲକ୍ଷ ୩୧ ହଜାର ୫୧୮ଟି ପଦବି ଖାଲି ପଡ଼ିଛି। ଯଦି ସରକାର ଏସବୁ ପଦବି ପୂରଣ କରିଦେବେ ତା ହେଲେ ପର୍ଯ୍ୟାପ୍ତ ଆୟ ନଥିବାରୁ ଦରମା ବାବଦ ଖର୍ଚ୍ଚ ତୁଲାଇପାରିେବନି ବୋଲି ଆଶଙ୍କା ଉଠୁଛି। ପୂର୍ବ ଅନୁମୋଦିତ ବଜେଟରେ ପ୍ରତ୍ୟେକ ବିଭାଗ ପାଇଁ ବ୍ୟୟ ବରାଦ ହୋଇଥିବା ଅର୍ଥ ବିଭାଗଗୁଡ଼ିକ ଖର୍ଚ୍ଚ କରିପାରି ନାହାନ୍ତି। ଶ୍ରୀ ନାଏକ ହିସାବ ଦେଇ ଦର୍ଶାଇଥିଲେ, ଶିଳ୍ପ ବିଭାଗ ମାତ୍ର ୩୪% ଅର୍ଥ ଖର୍ଚ୍ଚ କରିଥିବା ବେଳେ ଗ୍ରାମ୍ୟ ଉନ୍ନୟନ ବିଭାଗ ୧୧.୮୫%, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗ ମାତ୍ର ୧.୨୫% ବଜେଟ ଅର୍ଥ ଖର୍ଚ୍ଚ କରିପାରିଛି। ପେନସନ୍ ବାବଦରେ ସରକାରଙ୍କୁ ଏବେ ସୁଦ୍ଧା ୧୧ କୋଟି ୯୧୨ କୋଟି ଟଙ୍କା ଦେବାକୁ ବାକି ଅଛି। ଗତ ଆର୍ଥିକ ବର୍ଷରେ ସରକାରଙ୍କ ନିଜସ୍ବ ଟିକସ ବାବଦରେ ୨୮ ହଜାର ୫୮୦ କୋଟି ଟଙ୍କା ପାଇଥିବା ବେଳେ ଅଣଟିକସ ବାବଦରେ ପାଇଛନ୍ତି ୧ ହଜାର ୩୦୦ କୋଟି ଟଙ୍କା। ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ କାମ ସରିବାର ୨ ମାସ ଭିତରେ ରାସ୍ତା ଖରାପ ହୋଇଯାଉଛି। ଶିକ୍ଷକମାନେ ନିଜ ହକ୍ ମାଗିବାକୁ ଗଲାବେଳେ ପୁଲିସ ଲଗାଇ ସେମାନଙ୍କ ଉପରେ ଲାଠିମାଡ଼ କରାଯାଉଛି। ଯେଉଁ ଠିକାଭିତ୍ତିକ ଶିକ୍ଷକ ସେମାନଙ୍କ ଜୀବନ ଓ ଯୌବନ ଦେଇ ମଣିଷ ତିଆରି କରୁଛନ୍ତି ସେମାନଙ୍କ ପାଇଁ ସରକାର କିଛି ବ୍ୟବସ୍ଥା କରିନାହାନ୍ତି। ମାସିକ ୬ ହଜାର ୫୦୦ ଟଙ୍କା ଦରମାରେ ଏହି ଶିକ୍ଷକମାନେ କିପରି ପରିବାର ପୋଷଣ କରିବେ ସେ ନେଇ ସରକାର ଯେପରି ନିଦାବିଷ୍ଣୁ ପାଲଟି ଯାଇଛନ୍ତି। ଏପରି ଠିକା ନିଯୁକ୍ତି ବ୍ୟବସ୍ଥା ସମ୍ପୂର୍ଣ୍ଣ ସରକାର ଉଚ୍ଛେଦ କରନ୍ତୁ।
ପଞ୍ଚାୟତିରାଜ ବିଭାଗରେ ହିତାଧିକାରୀ ୧୦୦ ଦିନର କାମ ପାଉ ନାହାନ୍ତି। ହିତାଧିକାରୀଙ୍କୁ ୨୦୦ ଦିନର କାମ ଦେବା ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପାଣିର ଗାର ପାଲଟିଛି। ସେହିପରି ପାନୀୟ ଦଳ ପହଞ୍ଚାଇବା ପାଇଁ ପାଇପ କାମ ଆଉ ପଞ୍ଚାୟତକୁ ଦିଆଯାଉନି। ସବୁ ଘରକୁ ସ୍ବଚ୍ଛ ପିଇବାପାଣି ପହଞ୍ଚାଇବାକୁ କେନ୍ଦ୍ର ସରକାର ଅର୍ଥ ଦେଉଛନ୍ତି କିନ୍ତୁ ସବୁ ଗାଁକୁ ପାଣି ସୁବିଧା ମିଳିପାରୁନି। କେନ୍ଦ୍ରର ସବୁ ଯୋଜନାକୁ ମୁଖ୍ୟମନ୍ତ୍ରୀ ନିଜେ କରିଥିବା ନେଇ ପ୍ରଚାର କରୁଛନ୍ତି। ନିଜ ଫଟୋ ମାରି ବାହାବା ନେଉଛନ୍ତି। ଆଉଟସୋର୍ସିଂ ବ୍ୟବସ୍ଥା ସମ୍ପୂର୍ଣ୍ଣ ଉଚ୍ଛେଦ କରାଯାଉ। ବ୍ଲକ୍ ସ୍ତରରେ ପିସି କାରବାର ବନ୍ଦ ହେଲାନି। ଶାହା କମିସନ ରିପୋର୍ଟ ଆଧାରରେ ବେଆଇନ ଖଣିଜ ଉତ୍ତୋଳନ ଯେଉଁ ଖଣି ଲିଜଧାରୀମାନେ ଜରିମାନା ଦେବା ନେଇ ସୁପାରିସ କରାଯାଇଥିଲା ସେମାନଙ୍କୁ ଆଉ ପୁନରାୟ ଖଣି ଲିଜ୍ ପ୍ରଦାନ କରାନଯାଉ। ସେହିପରି ରାଜ୍ୟରେ ନିଜସ୍ବ କମ୍ପାନି ଗଠନ ନ କରି ନଥିବା ଲିଜ୍ ଧାରୀଙ୍କୁ ଖଣି ଲିଜ୍ ପ୍ରଦାନ ନ କରିବାକୁ ଗୃହରେ ଦାବି ଶ୍ରୀ ନାଏକ ଦାବି ରଖିଥିଲେ। କେନ୍ଦ୍ରୀୟ ଆବାସ ଯୋଜନାର ବଳକା ଟଙ୍କାରେ ବିଜୁ ପକ୍କାଘର, ବିଜୁ ଗ୍ରାମ ଜ୍ୟୋତି ଓ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଆବାସ ଯୋଜନାରେ ପ୍ରତ୍ୟେକ ବିଧାୟକ ୨୦୦ ଘର ଆବଣ୍ଟନ କରିବା ନେଇ ପୂର୍ବରୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। କିନ୍ତୁ ତାହା ଏବେ ବି କାର୍ଯ୍ୟକାରୀ ହେଲାନି। ହିତାଧିକାରୀ ଚୟନରେ ଦଳୀୟ ଲୋକଙ୍କୁ ଅଗ୍ରାଧିକାର ଦିଆଯାଉଛି। ମାହାଙ୍ଗା ବ୍ଲକ ଆବାସ ଯୋଜନା ହିତାଧିକାରୀ ଚୟନରେ ଅନିୟମିତତା ନେଇ ଶ୍ରୀ ନାଏକ ଦର୍ଶାଇଥିଲେ। ଯଦି ଏପରି ଦୁର୍ନୀତି ହୁଏ ତା ହେଲେ ୨୦୨୨ ସୁଦ୍ଧା ସମସ୍ତ ଗରିବଙ୍କୁ ବାସଗୃହ ଯୋଗାଇବା ନେଇ ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟ ପୂରଣ ହେବନି ବୋଲି ସେ କହିଥିଲେ।
ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀ କହିଥିଲେ, ମୂଳ ବଜେଟରେ ବ୍ୟୟ ବରାଦ ହୋଇଥିବା ଅର୍ଥ ସମ୍ପୃକ୍ତ ବିଭାଗକୁ ହସ୍ତାନ୍ତର ହୋଇଛି କି ନା ସେ ନେଇ ସନ୍ଦେହ ସୃଷ୍ଟି ହେଉଛି। ଆଜି ଦୈନଦିନ ଆବଶ୍ୟକତା ପୂରଣ ପାଇଁ ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ୁଛି। ଧାମନଗରରେ ପଲିଷ୍ଟର ପାର୍କ କରିବାକୁ କେନ୍ଦ୍ର ସରକାର ଘୋଷଣା କରିଥିଲେ। ଏହି ପାର୍କ ପ୍ରତିଷ୍ଠା ହେଲେ ପ୍ରଥ୍ୟକ୍ଷ ଓ ପରୋକ୍ଷରେ ୨୯ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଥାନ୍ତା। କିନ୍ତୁ ପ୍ରାଥମିକ ପର୍ଯ୍ୟାୟରେ ଆବଶ୍ୟକ ଥିବା ୭୫ ଏକର ଜମି ଏ ସରକାର ଏବେ ଯୋଗାଉଛନ୍ତି। ଗୁଣାତ୍ମକ ଶିକ୍ଷାର ଡିଣ୍ଡିମ ପିଟୁଥିବା ସରକାରଙ୍କ ବାସ୍ତବତା ହେଲା ଆବଶ୍ୟକ ଶିକ୍ଷକ ଅଭାବରୁ ହାଇସ୍କୁଲରେ ଖେଳ ଶିକ୍ଷକ ବାଧ୍ୟ ହୋଇ ପଦାର୍ଥ ବିଜ୍ଞାନ ଓ ରସାୟନ ବିଜ୍ଞାନ ପାଠ ପଢ଼ାଉଛନ୍ତି। ମହିଳା ଅତ୍ୟାଚାରରେ ଆସାମ, ତେଲେଙ୍ଗାନା ପରେ ତୃତୀୟ ସ୍ଥାନରେ ଓଡ଼ିଶା ରହିଛି। ୧୩ ତାରିଖରୁ ବିଧାନସଭା ଆରମ୍ଭ ହୋଇଥିଲେ ବି ମୁଖ୍ୟମନ୍ତ୍ରୀ କେତେ ଥର ବିଧାନସଭା ଆଲୋଚନାରେ ଭାଗ ନେଇଛନ୍ତି ବୋଲି ଶ୍ରୀ ସେଠୀ ପ୍ରଶ୍ନ ଉଠାଇଥିଲେ।
କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଆଲୋଚନାରେ ଭାଗ ନେଇ କହିଥିଲେ ଯେ ବିଜେଡି-ବିଜେପି ଭିତରେ ଛାୟାଯୁଦ୍ଧ ଭିତରେ କଂଗ୍ରେସ ଚିପି ହୋଇଯାଉଛି। ଗତ ଜୁନ ମାସର ସମ୍ବାଦର ରବିବାର ବିଶେଷାଙ୍କରେ ପୁରୀ ଲୋକସଭା ସାଂସଦ ତଥା ବିଜେଡି ସଂସଦୀୟ ଦଳ ନେତା ପିନାକୀ ମିଶ୍ରଙ୍କ ସମ୍ବାଦକୁ ସାକ୍ଷାତକାର ଦେଇ କହିଥିଲେ, ‘କେନ୍ଦ୍ର ସରକାରଙ୍କ ସହ ସବୁ କଥାରେ ଅସହମତି ହେଲେ ରାଜ୍ୟ ସରକାର ତିଷ୍ଠିବା ସମ୍ଭବ ନୁହଁ।’ ମୁଖ୍ୟମନ୍ତ୍ରୀ ନିଜେ ପରିସଂଖ୍ୟାନରେ ବିଶ୍ବାସ ରଖନ୍ତି ନାହିଁ ବୋଲି କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ଅଧିକାରୀମାନେ ମଧ୍ୟ କାମ କରୁଛନ୍ତି। ଏବେ ଅର୍ଥ ମନ୍ତ୍ରୀ ପ୍ରସ୍ତୁତ କରିଥିବା ବଜେଟ୍ କ’ଣ ପରିସଂଖ୍ୟାନକୁ ବାଦ ଦେଇ କରାଯାଇଛି କି? ଗୃହରେ ଉତ୍ତର ରଖିବା ବେଳେ ଅର୍ଥ ମନ୍ତ୍ରୀ କୌଣସି ପରିସଂଖ୍ୟାନ ତଥ୍ୟ ନ ଦିଅନ୍ତୁ ବୋଲି ଶ୍ରୀ ମିଶ୍ର ଜୋର ଦେଇ କହିଥିଲେ। ମହିଳା ଉଲଗ୍ନ କରିବା ଘଟଣାରେ ଓଡ଼ିଶା ଦେଶରେ ସର୍ବକାଳୀନ ରେକର୍ଡ଼ କରିଛି। କେନ୍ଦ୍ର ସରକାରଙ୍କ ରିପୋର୍ଟ ଅନୁଯାୟୀ, ରାଜ୍ୟରେ ୨ ହଜାର ୪୫୭ ଜଣ ମହିଳା ଉଲଗ୍ନ ଘଟଣା ସାମନାକୁ ଆସିଛି। ଯାହାକୁ ଉତ୍ତରପ୍ରଦେଶ ଭଳି ରାଜ୍ୟଠାରୁ କମ୍। ଗତ ୬ ମାସ ଭିତରେ ରାଜ୍ୟରେ ୧୦୦୫ ଜଣ ନାବାଳିକା ଦୁଷ୍କର୍ମର ଶିକାର ହୋଇଥିବା ଶ୍ରୀ ମିଶ୍ର କହିଥିଲେ। ଆଲୋଚନାରେ କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ଓ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ ଭାଗ ନେଇଥିଲେ।