୧୬ ଥର ମୁଲତବୀ, ଚାଲିପାରିଲାନି ଗୃହ; ଧାନ କିଣା ଅବ୍ୟବସ୍ଥାକୁ ନେଇ ବିରୋଧୀଙ୍କ ହଙ୍ଗାମା

ସର୍ବଦଳୀୟ ବୈଠକ ଫଳପ୍ରଦ ହେଲାନି, ଯୋଗାଣ ମନ୍ତ୍ରୀଙ୍କ‌ ବୈଠକ ବି ଅସମାପ୍ତ

ଭୁବନେଶ୍ବର : ଥରେ କି ପାଞ୍ଚ ଥର ନୁହେଁ। କିମ୍ବା ଦଶ ଥର ନୁହେଁ। ଗୋଟିଏ ଦିନରେ ରେକର୍ଡ ପରିମାଣରେ ୧୬ ଥର ବିଧାନସଭା ମୁଲତବୀ ହେଲା। ପ୍ରସଙ୍ଗ ଥିଲା ଧାନ କିଣାରେ ଅବ୍ୟବସ୍ଥା। ବିରୋଧୀଙ୍କ ସ୍ବର ଏତେ ଶାଣିତ ଥିଲା ଯେ ଗୃହ ଚଳାଇବା ସମ୍ଭବ ହୋଇ ନ ଥିଲା। ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଫଳପ୍ରଦ ହେଲାନି। ଅପରାହ୍ନରେ ସମବାୟ ମନ୍ତ୍ରୀଙ୍କ ବୈଠକ ବି ନିଷ୍ଫଳ ହେଲା।

ଆଜି ପ୍ରଶ୍ନକାଳ ଆରମ୍ଭ ହେଲା ମାତ୍ରେ କଂଗ୍ରେସ ଓ ବିଜେପି ସଭ୍ୟମାନେ ଗୃହ ମଧ୍ୟଭାଗକୁ ମାଡ଼ି ଆସିଥିଲେ। ଧାନ କିଣାରେ ବ୍ୟାପକ ଅବ୍ୟବସ୍ଥା ଦେଖାଦେଇଛି ବୋଲି ଅଭିଯୋଗ କରିଥିଲେ। ଚାଷୀଙ୍କ ଧାନ ଉଠୁନି ବୋଲି କଂଗ୍ରେସ ସଭ୍ୟମାନେ ଅଭିଯୋଗ କରିଥିଲେ। ଧାନ କିଣାରେ ଅନିୟମିତତା ନେଇ ଆସିଥିବା ମୁଲତବୀ ଆଲୋଚନାକୁ ବାଚସ୍ପତି କାହିଁକି ଅଗ୍ରାହ୍ୟ କଲେ ବୋଲି ବିଜେପି ସଭ୍ୟମାନେ ପ୍ରଶ୍ନ କରିଥିଲେ। ଗୃହ ଗୋଟିଏ ମିନିଟ୍‌ ବି ଚାଲିପାରି ନ ଥିଲା। ବାଚସ୍ପତି ଗୃହକୁ ୧୧ଟା ୩୦‌ ଯାଏ ମୁଲତବୀ ରଖିଲେ।

୧୧ଟା ୩୦ରେ ସମାନ ସ୍ଥିତି ସୃଷ୍ଟି ହେଲା। ପୁଣି କଂଗ୍ରେସ ଓ ବିଜେପି ସଭ୍ୟମାନେ ଗୃହ ମଧ୍ୟ ଭାଗକୁ ମାଡ଼ି ଆସି ‌େହାହଲ୍ଲା କଲେ। ବାଚସ୍ପତି ସେମାନଙ୍କୁ ବସିବା ପାଇଁ ଅନୁରୋଧ କଲେ ବି ସେମାନେ ଶୁଣି ନ ଥିଲେ। ସର୍ବଦଳୀୟ ବୈଠକ ଡାକି ବାଚସ୍ପତି ୧୧ଟା ୩୨ରେ ଗୃହକୁ ଅଧ ଘଣ୍ଟା ପାଇଁ ମୁଲତବୀ ରଖିଲେ। ଏହା ପରେ ପୂର୍ବାହ୍ନ ଅଧିବେଶନରେ ବିଭିନ୍ନ ପର୍ଯ୍ୟାୟରେ ଆଉ ୬ ଥର ଗୃହ ମୁଲତବୀ ‌େହଲା।

ଅପରାହ୍ନ ୩ଟାରେ ଦ୍ବିତୀୟାର୍ଦ୍ଧ ଅଧିବେଶନ ଆରମ୍ଭ ହେଲା ମାତ୍ରେ ସମାନ ସ୍ଥିତି ଦେଖିବାକୁ ମିଳିଲା। ବିରୋଧୀ ଦଳ ସଭ୍ୟମାନେ ଗୃହ ମଧ୍ୟ ଭାଗକୁ ଝପଟି ଆସି ନାରାବାଜି କଲେ। ୩ଟା ୧ରେ ବାଚସ୍ପତି ଗୃହକୁ ୪ଟା ଯାଏ ମୁଲତବୀ ରଖିଲେ। ଏହା ପରେ ବିଭିନ୍ନ ପର୍ଯ୍ୟାୟରେ ୮ ଥର ଗୃହ ମୁଲତବୀ ରଖାଗଲା। ତୁରନ୍ତ ୫ଟି ଜିଲ୍ଲା କଳାହାଣ୍ଡି, ବଲାଙ୍ଗୀର, ନବରଙ୍ଗପୁର, ସୋନପୁର, ନୂଆପଡ଼ାରେ ଧାନ ଉଠାଇବାକୁ ବିରୋଧୀମାନେ ଦାବି କରିଥିଲେ। ଧାନ ନ ଉଠାଇବା ପାଇଁ ସରକାର କେତେ ଟଙ୍କା ନେଇଛନ୍ତି ବୋଲି ବିଜେପିର ବରିଷ୍ଠ ସଭ୍ୟ ଜୟନାରାୟଣ ମିଶ୍ର ପ୍ରଶ୍ନ କରିଥିଲେ। ଏମିତି ବିରୋଧୀଙ୍କ ‌େହାହଲ୍ଲା ଭିତରେ ଆଦୌ ଗୃହ କାର୍ଯ୍ୟ ହୋଇପାରି ନ ଥିଲା।

ଗତ ୧୯ ତାରିଖରେ ଗୃହରେ ପ୍ରଶ୍ନକାଳରେ ତିନି ଜଣ ସଦସ୍ୟ ଧାନ କିଣା ଅବ୍ୟବସ୍ଥା ପ୍ରସଙ୍ଗ ଉଠାଇଥିଲେ। ପ୍ରଶ୍ନକା‌ଳରେ ମଧ୍ୟ ବହୁ ସଦସ୍ୟ ସମାନ ଅଭିଯୋଗ ଆଣିଥିଲେ। ନିର୍ଦ୍ଦିଷ୍ଟ ଭାବେ ୫ଟି ଜିଲ୍ଲାରେ ବ୍ୟାପକ ଅବ୍ୟବସ୍ଥା ଜଣାପଡ଼ିଥିଲା। ଏହି ୫ଟି ଜିଲ୍ଲାର ବିଧାୟକମାନଙ୍କ ସହ ବୈଠକ କରି ସମସ୍ୟାର ସମାଧାନ ପାଇଁ ସମବାୟ ମନ୍ତ୍ରୀ ଆଲୋଚନା କରିବେ ବୋଲି ବାଚସ୍ପତି ରୁଲିଂ ଦେଇଥିଲେ। ସେହି ଅନୁଯାୟୀ ଆଜି ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ୫ଟି ଜିଲ୍ଲାର ୨୫ ବିଧାୟକଙ୍କୁ ନେଇ ବୈଠକ କରିଥିଲେ। ଦୀର୍ଘ ସମୟ ଧରି ବୈଠକ ବସିଥିଲେ ବି କିଛି ନିଷ୍କର୍ସ ବାହାରି ପାରି ନ ଥିଲା। ଆସନ୍ତା ଆହୁରି ଅଧିକ ଜନପ୍ରତିନିଧିଙ୍କୁ ସାମିଲ କରାଯାଇ ବୈଠକ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି।

ଅପର ପକ୍ଷରେ ଗୃହରେ ଅଚଳାବସ୍ଥା ଦୂର କରିବାକୁ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଡକାଯାଇଥିବା ସର୍ବଦଳୀୟ ବୈଠକରେ ସବୁ ଦଳର ପ୍ରତିନିଧି ଯୋଗ ‌େଦଇଥିଲେ। ସମବାୟ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହେଉଥିବା ବୈଠକର ନିଷ୍କର୍ସ ବାହାରିଲା ପରେ ସେହି ଆଧାରରେ ସର୍ବଦଳୀୟ ବୈଠକରେ ଯାହା କିଛି ନିଷ୍ପତ୍ତି ନିଆଯିବ ବୋଲି ସ୍ଥିର ହୋଇଥିଲା।

ସମ୍ବନ୍ଧିତ ଖବର