ବିଧାନସଭାରେ ‘ବନ୍ଦ’ ତାତି : ୫ ମିନିଟ୍‌ରେ ସୀମିତ ଗୃହ କାର୍ଯ୍ୟ

ନିର୍ଦ୍ଧାରିତ ସମୟରେ ପହଞ୍ଚି ପାରିଲେନି ମୁଖ୍ୟମନ୍ତ୍ରୀ, ଗୃହ ବିଭାଗ ଅତିରିକ୍ତ ଖର୍ଚ୍ଚଦାବି ଆଲୋଚନା ହେଲାନି

ଭୁବନେଶ୍ୱର : ବିଧାନସଭାରେ ଆଜି ‘ଭାରତ ବନ୍ଦ’ ତାତି ଅନୁଭୂତ ହୋଇଥିଲା। ମାତ୍ର ୪ ଜଣ କଂଗ୍ରେସ ସଭ୍ୟ ଗୃହକୁ ଆସିଥିଲେ ବି ତୈଳ ଦର ବୃଦ୍ଧିକୁ ନେଇ ନାରାବାଜି କରିଥିଲେ। ସେମାନଙ୍କ ସ୍ୱର ଏତେ ଜୋର୍‌ ଥିଲା ଯେ ପ୍ରଶ୍ନକାଳ, ଶୂନ୍ୟକାଳ, ଗୃହ ବିଭାଗ ଖର୍ଚ୍ଚଦାବି ଆଲୋଚନା ସବୁ ନିଷ୍ପ୍ରଭ ହୋଇଯାଇଥିଲା। ଏପରିକି ନିଜେ ମୁଖ୍ୟମନ୍ତ୍ରୀ ୪ ମିନିଟ୍‌ ବିଳମ୍ବରେ ଗୃହକୁ ଆସିଥିଲେ। ଦିନତମାମ ଗୃହ କାର୍ଯ୍ୟ ମାତ୍ର ୫ ମିନିଟ୍‌ରେ ସୀମିତ ରହିଥିଲା।

ଆଜି କଂଗ୍ରେସ ପକ୍ଷରୁ ଭାରତ ବନ୍ଦ ପାଳନ କରାଯାଉଥିବାରୁ ବିଧାନସଭା ଅଧିବେଶନ ପାଇଁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ବିଶେଷ କରି ଆଜି ପ୍ରଶ୍ନକାଳରେ ମୁଖ୍ୟମନ୍ତ୍ରୀଙ୍କ ଅଧୀନସ୍ଥ ଗୃହ ବିଭାଗର ପ୍ରଶ୍ନ ଥିବାରୁ ଓ ପରେ ଗୃହ ବିଭାଗର ଖର୍ଚ୍ଚଦାବି ଆଲୋଚନା ଥିବାରୁ ଶାସକ ଦଳର ସଭ୍ୟମାନଙ୍କ ଭିତରେ ତତ୍ପରତା ପ୍ରକାଶ ପାଇଥିଲା। ଗୃହ କାର୍ଯ୍ୟ ୧୦ଟା ୩୦ରେ ଆରମ୍ଭ ହେଉଥିଲେ ବି ତାହାର ଅଧ ଘଣ୍ଟା ପୂର୍ବରୁ ବହୁ ବିଧାୟକ ବିଧାନସଭା ଭିତରକୁ ପ୍ରବେଶ କରିଥିଲେ। ପ୍ରାୟ ସମସ୍ତେ ମୋଟର୍‌ ସାଇକେଲ୍‌ ଯୋଗେ ଆସିଥିଲେ। ବାଚସ୍ପତି ମଧ୍ୟ ଆଗୁଆ ପହଞ୍ଚିଯାଇଥିଲେ। ନିର୍ଦ୍ଧାରିତ ସମୟର ପାଞ୍ଚ ମିନିଟ୍‌ ଆଗରୁ କଂଗ୍ରେସର ଚାରି ଜଣ ସଭ୍ୟ ତାରା ପ୍ରସାଦ ବାହିନୀପତି, ପ୍ରକାଶ ବେହେରା, ଅଂଶୁମାନ ମହାନ୍ତି ଓ କୈଳାସ କୁଲେସିକା ମୋଟର୍‌ ସାଇକେଲ୍‌ ଯୋଗେ ଆସିଥିଲେ। ଫାଟକ ବାହାରେ ପିକେଟିଂ କରୁଥିବା କଂଗ୍ରେସ କର୍ମୀଙ୍କ ନିକଟରେ ମୋଟର୍‌ ସାଇକେଲ୍‌ ରଖି ଚାଲି ଚାଲି ଭିତରକୁ ଯାଇଥିଲେ।

୧୦ଟା ୩୦ରେ ଗୃହ କାର୍ଯ୍ୟ ଆରମ୍ଭ ହେଲା ମାତ୍ରେ ଚାରି ଜଣ ଯାକ କଂଗ୍ରେସ ସଭ୍ୟ ଗୃହ ମଧ୍ୟ ଭାଗକୁ ମାଡ଼ି ଆସିଲେ। ତୈଳ ଦର ବୃଦ୍ଧିକୁ ପ୍ରତିବାଦ କରିବା ସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜି କଲେ। ନରେନ୍ଦ୍ର ମୋଦୀ ହାଏ ହାଏ…ନବୀନ ପଟ୍ଟନାୟକ ହାଏ ହାଏ…ରେ ଗୃହ କମ୍ପାଇଲେ। ବିଜେପି ସଭ୍ୟମାନେ ବି ପ୍ରସ୍ତୁତ ଥିଲେ। ବିଧାୟକ ପ୍ରଦୀପ ପୁରୋହିତ ଓ ରବି ନାଏକ ଗୃହ ମଧ୍ୟ ଭାଗକୁ ଆସି ଚାରା ଦୁର୍ନୀତି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜି କଲେ। ବିଜେପି ବିଧାୟକ ଦଳ ନେତା କେ ଭି ସିଂହଦେଓ ନିଜ ଆସନରେ ଠିଆ ହୋଇ ରହିଲେ।

ଏହି ସମୟରେ ଗୃହରେ ଏକ ଅଭାବନୀୟ ଘଟଣା ଘଟିଲା। ଗୃହ ବିଭାଗର ପ୍ରଶ୍ନୋତ୍ତର ଥିବାରୁ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବା ଆବଶ୍ୟକ। କିନ୍ତୁ ୧୦ଟା ୩୦ ସୁଦ୍ଧା ମୁଖ୍ୟମନ୍ତ୍ରୀ ପହଞ୍ଚି ପାରି ନ ଥିଲେ। ଫଳରେ ବାଚସ୍ପତି ଗୃହ ମୁଲତବୀ ରଖିପାରୁ ନ ଥିଲେ କି ଆଗକୁ ନେଇ ପାରୁ ନ ଥିଲେ। ଶାସକ ଦଳ ସଭ୍ୟମାନେ ସମସ୍ତେ ମୁଖ୍ୟମନ୍ତ୍ରୀଙ୍କ ଆସିବା ବାଟକୁ ଚାହିଁଥା’ନ୍ତି। ଏପଟେ କଂଗ୍ରେସ ଓ ବିଜେପି ସଭ୍ୟମାନେ ଗୃହ ମଧ୍ୟ ଭାଗରେ ହୋହଲ୍ଲା ଜାରି ରଖିଥା’ନ୍ତି। ତାରା ବାହିନୀପତି ଚେୟାର ଉପରେ ଠିଆ ହୋଇ ବାଚସ୍ପତିଙ୍କ ମାଇକ୍ରୋଫୋନ୍‌ ଛଡ଼ାଇବାକୁ ଚେଷ୍ଟା କରିଥିଲେ। ବିଜେପି ସଭ୍ୟ ରବି ନାଏକ ବାଚସ୍ପତିଙ୍କ ପୋଡିୟମ୍‌କୁ ଚଢ଼ିବାକୁ ଚେଷ୍ଟା କଲେ। ତାଙ୍କୁ ମାର୍ଶାଲମାନେ ଅଟକାଇଥିଲେ।

୧୦ଟା ୩୪ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହକୁ ପ୍ରବେଶ କଲେ। ଏହାପରେ ବାଚସ୍ପତି ପ୍ରଶ୍ନକାଳ ଚଳାଇବାକୁ ଚେଷ୍ଟା କଲେ ବି ବିରୋଧୀଙ୍କ ହୋହଲ୍ଲାରେ ତାହା ସମ୍ଭବ ହୋଇ ନ ଥିଲା। ୧୦ଟା ୩୪ରେ ବାଚସ୍ପତି ଗୃହକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିବା ସହ ଆଜିର ଗୃହ ବିଭାଗର ଖର୍ଚ୍ଚଦାବି ଗିଲୋଟିନ୍‌ରେ ଗୃହୀତ ହେଲା ବୋଲି କହିଥିଲେ।

କଂଗ୍ରେସ ବିଧାୟକମାନେ ବିଧାନସଭା ଆସିବେ ନାହିଁ ବୋଲି ପୂର୍ବରୁ କୁହାଯାଇଥିଲେ ବି ସେମାନେ କାହିଁକି ଆସିଲେ ବୋଲି ଗଣମାଧ୍ୟମର ପ୍ରଶ୍ନରେ ଶ୍ରୀ ବାହିନୀପତି କହିଛନ୍ତି, ପିସିସି ସଭାପତି ଓ ବିରୋଧୀ ଦଳ ନେତାଙ୍କ ଅନୁମତି ନେଇ ଗୃହକୁ ଆସିଥିଲୁ। ଗୃହ ଭିତରେ ଲୋକଙ୍କ ସମସ୍ୟା ଉଠାଇବାକୁ ସେମାନେ ଆମକୁ କହିଥିଲେ। ମୁଖ୍ୟମନ୍ତ୍ରୀ ୪ ମିନିଟ୍‌ ବିଳମ୍ବରେ ଆସିଲେ। ସେହି ସମୟ ପର୍ଯ୍ୟନ୍ତ ବାଚସ୍ପତି ଚୁପ୍‌ଚାପ୍‌ ବସିଲେ। ବିଧାନସଭା ଅଚଳ ହୋଇ ରହିଲା। ମୁଖ୍ୟମନ୍ତ୍ରୀ ବନ୍ଦ ପାଇଁ ଭୟଭୀତ ହୋଇ ବିଳମ୍ବରେ ବାହାରି ବିଳମ୍ବରେ ପହଞ୍ଚିଥିଲେ। ଏଥିରୁ ପ୍ରମାଣିତ ହେଲା ବନ୍ଦ ସଫଳ ହୋଇଛି।

ବିଜେପି ବିଧାୟକ ପ୍ରଦୀପ ପୁରୋହିତ ଅଭିଯୋଗ କରିଥିଲେ, ବିଜେଡି ଓ କଂଗ୍ରେସ ମଧ୍ୟରେ ଅସାଧୁ ମେଣ୍ଟ ଚାଲିଥିବାରୁ ମୁଖ୍ୟମନ୍ତ୍ରୀ ଉଦ୍ଦେଶ୍ୟମୂଳକ ବିଳମ୍ବରେ ଆସିଲେ। ସେ ବନ୍ଦକୁ ସମର୍ଥନ କରୁଥିବା ପ୍ରମାଣିତ ହୋଇଛି। ବାଚସ୍ପତି ଚାହିଁଥିଲେ ଏକ ଘଣ୍ଟା ପାଇଁ ଗୃହ ମୁଲତବୀ ରଖି ପୁଣି ଚଳାଇପାରିଥା’ନ୍ତେ। କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ସେ ପୂରା ଦିନ ବନ୍ଦ କରିଦେଲେ। ଆଜିର ସମ୍ପୂର୍ଣ୍ଣ ଘଟଣାକ୍ରମକୁ ଦେଖିଲେ ଲାଗୁଛି କଂଗ୍ରେସର ବନ୍ଦ ସଫଳ କରିବାକୁ ବିଜେଡି ପୂରା ଦମ୍‌ରେ ପ୍ରସ୍ତୁତ ହୋଇଥିଲା।

ତେବେ ବିଜେଡି ମୁଖପାତ୍ର ସମୀର ଦାଶ କହିଥିଲେ, ମୁଖ୍ୟମନ୍ତ୍ରୀ ପ୍ରଶ୍ନକାଳରେ ଉପସ୍ଥିତ ରହିଲେ। କିନ୍ତୁ କେତେ ମିନିଟ୍‌ ବିଳମ୍ବରେ ଆସିଲେ, ତାହା ପ୍ରସଙ୍ଗ ନୁହେଁ। ବାଚସ୍ପତି ତାଙ୍କ ପାଇଁ ଅପେକ୍ଷା କରି ନ ଥିଲେ, ସେ ତାଙ୍କ କାର୍ଯ୍ୟ କରୁଥିଲେ। କିନ୍ତୁ ବିରୋଧୀ ଦଳ ଯେପରି ଗୃହ କାର୍ଯ୍ୟ ଚଳାଇ ଦେଲେ ନାହିଁ, ତାହା ଠିକ୍‌ ହେଲାନି।

ସମ୍ବନ୍ଧିତ ଖବର