ବିଧାନସଭାରେ ହାଥରସ୍‌ ତାତି : ୪ ଥର ଗୃହ ମୁଲତବୀ

କଂଗ୍ରେସ ବିଧାୟକଙ୍କ ନାରାବାଜି
ବାଚସ୍ପତି ଡାକିଲେ ସର୍ବଦଳୀୟ ବୈଠକ
ବିରୋଧୀ ଦଳ ନେତା କହିଲେ ଅପଚୟ ହେଉଛି ଗୃହର ମୂଲ୍ୟବାନ ସମୟ

ଭୁବନେଶ୍ୱର : ଉତ୍ତରପ୍ରଦେଶ ହାଥରସ୍‌ ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ଆଜି ବିଧାନସଭା ଅଚଳ। କଂଗ୍ରେସ ବିଧାୟକମାନେ ଗୃହ ମଧ୍ୟଭାଗକୁ ଆସି ନାରାବାଜି ଓ ହଟ୍ଟଗୋଳ କରିବାରୁ ୪ ଥର ଗୃହ ମୁଲତବୀ ହୋଇଛି। ପ୍ରଥମାର୍ଦ୍ଧରେ ମାତ୍ର ୧୦ ମିନିଟ୍‌ ପାଇଁ ଗୃହ ଚାଲିପାରିଥିଲା। ଅନ୍ୟପଟେ ଉତ୍ତରପ୍ରଦେଶ କଥାକୁ ନେଇ ଏ ଗୃହର ମୂଲ୍ୟବାନ୍‌ ସମୟ ଅପଚୟ ହେଉଛି ବୋଲି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ପ୍ରତିବାଦ କରିଥିଲେ। ଅଚଳାବସ୍ଥା ଜାରି ରହିବାରୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସର୍ବଦଳୀୟ ବୈଠକ ଡାକିଥିଲେ। ଅପରାହ୍ନ ୩ଟା ପରେ ଗୃହ କାର୍ଯ୍ୟ ସ୍ବାଭାବିକ ହୋଇଥିଲା।

ଶୂନ୍ୟକାଳରେ ଏ ସମ୍ପର୍କରେ ବୈଧାନିକ ପ୍ରସଙ୍ଗ ଉଠାଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ ଯେ ଉତ୍ତରପ୍ରଦେଶରେ ଯେଭଳି ବର୍ବୋରଚିତ ଘଟଣା ଘଟିଛି, ତାହା ବିରୋଧରେ ସମଗ୍ର ଦେଶରେ ପ୍ରତିକ୍ରିୟା ସୃଷ୍ଟି ହେଲାଣି। ସେଠାକାର ସ୍ଥାନୀୟ ଜିଲ୍ଲାପାଳ ଏହି ଦୁଷ୍କର୍ମ ଘଟଣାରେ ବାରମ୍ବାର ମତ ବଦାଳାଉଛନ୍ତି। ପୀଡ଼ିତାଙ୍କ ପରିବାରକୁ ଭେଟିବାକୁ ଯାଇଥିବା ଏଆଇସିସିର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ସାଧାରଣ ସମ୍ପାଦକ ତଥା ଉତ୍ତରପ୍ରଦେଶର ପ୍ରଭାରୀ ପ୍ରିୟଙ୍କା ଗାନ୍ଧୀ ଭ୍ରାଦ୍ରାଙ୍କୁ ବାଟରେ ଅଟକାଇ ଆକ୍ରମଣ କରାଗଲା ଓ ଗିରଫ ବି କରାଗଲା। ଯାହା ଅତ୍ୟନ୍ତ ନିନ୍ଦନୀୟ। ଦେଶରେ ଗଣତନ୍ତ୍ରର ମୂଲ୍ୟବୋଧ ବୋଲି ଆଉ କିଛି ନାହିଁ। ଓଡ଼ିଶାରେ ବି ଅନୁରୂପ ପରିସ୍ଥିତି ଦେଖିବାକୁ ନ ମିଳୁ ସେ ଚେତାବନୀ ଦେଇଥିଲେ। ଶ୍ରୀ ମିଶ୍ର ଏହା କହିବା ମାତ୍ରେ, କଂଗ୍ରେସ ବିଧାୟକମାନେ ପ୍ରଧାନମନ୍ତ୍ରୀ ମୋଦୀ ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ନାରାବାଜି ଆରମ୍ଭ କରି ଦେଇଥିଲେ। ବାଚସ୍ପତି କଂଗ୍ରେସ ସଦସ୍ୟମାନଙ୍କୁ ଗୃହ କାର୍ଯ୍ୟରେ ସହଯୋଗ କରିବାକୁ କହିବାରୁ ‘ଯୋଗୀ ମୋଦୀ ହାଏ ହାଏ। ଗଣତନ୍ତ୍ର ହତ୍ୟାକାରୀ ହାଏ ହାଏ। ରାହୁଲ ଗାନ୍ଧୀ ଜିନ୍ଦାବାଦ ଓ ସୋନିଆ ଗାନ୍ଧୀ ଜିନ୍ଦାବାଦ’ ସ୍ଲୋଗାନ୍‌ ଦେଇ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି, ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ, ବିଧାୟକ ସନ୍ତୋଷ ସିଂହ ସାଲୁଜା, ବିଧାୟକ ମହମ୍ମଦ ମୋକିମ୍ ଗୃହ ମଧ୍ୟଭାଗକୁ ଆସି ପାଟିତୁଣ୍ଡ କରିଥିଲେ। ଫଳରେ ବାଚସ୍ପତି ପ୍ରଥମେ ଗୃହ କାର୍ଯ୍ୟକୁ ପୂର୍ବାହ୍ନ ୧୦ଟା ୪୦ ମିନିଟ୍‌ରୁ ୧୫ ମିନିଟ୍‌ ପାଇଁ ମୁଲତବୀ ରଖିଥିଲେ। ୧୦ଟା ୫୫ରେ ଗୃହ କାର୍ଯ୍ୟ ଆରମ୍ଭ ହେବାମାତ୍ରେ କଂଗ୍ରେସ ବିଧାୟକମାନେ ଗୃହର ମଧ୍ୟଭାଗକୁ ଆସି ନାରାବାଜି କରିବା ସହ ବିଧାୟକ ଶ୍ରୀ ବାହୀନୀପତି ବାଚସ୍ପତିଙ୍କ ପୋଡିୟମ୍‌ ଉପରକୁ ଉଠିବାକୁ ଉଦ୍ୟମ କରିଥିଲେ।

ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଏହାର ପ୍ରତିବାଦ କରି କହିଥିଲେ ଘଟଣାକୁ ନେଇ ବିଧାନସଭା କାର୍ଯ୍ୟରେ ବ୍ୟାଘାତ କରାନଯାଉ। ଗୃହର ବହୁମୂଲ୍ୟ ସମୟ ଏଥିରେ ନଷ୍ଟ ହେଉଛି। ଏହି ପ୍ରସଙ୍ଗ ସଂସଦରେ ଉଠିଥିଲେ ଚଳିଥାନ୍ତା। କଂଗ୍ରେସ ସରକାର ସମୟରେ ଏପରି ଅନେକ ଘଟଣା ଘଟିଥିଲା। ଶ୍ରୀ ନାଏକଙ୍କ ଏହି ମନ୍ତବ୍ୟ ପରେ କଂଗ୍ରେସ ସଦସ୍ୟମାନେ ଆହୁରି ଜୋରରେ ନାରାବାଜି କରିଥିଲେ। ଫଳରେ ବାଚସ୍ପତି ଗୃହକୁ ୧୦ଟା ୫୮ରୁ ୧୧ଟା ୮ଟା ଓ ୧୧ଟା ୮ଟାରୁ ୧୧ଟା ୩୦ ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ। ପରେ ୧୧ଟା ୩୦ରରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ନାରାବାଜି ଜାରି ରହିବାରୁ ବାଚସ୍ପତି ଗୃହ ପରିଚାଳନା ପାଇଁ ସର୍ବଦଳୀୟ ବୈଠକ ଡାକିବା ସହ ଗୃହକୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମୁଲତବୀ କରିଥିଲେ।

ଏହି ଘଟଣାକୁ ନିନ୍ଦାକରି ଗୃହ ବାହାରେ ବିଜେଡି ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଆଗାମୀ ଦିନରେ ଦିଲ୍ଲୀରୁ ଓ ପଲ୍ଲୀ ପର୍ଯ୍ୟନ୍ତ ଆନ୍ଦୋଳନ ମୁଣ୍ଡ ଟେକିବ ବୋଲି କହିବାରୁ ବିରୋଧୀ ଦଳ ନେତା ଶ୍ରୀ ନାଏକ ମଧ୍ୟ ଗୃହ ବାହାରେ ଜବାବ ଦେଇ କହିଥିଲେ ଯେ ରକାର ସମୟରେ ରାଜ୍ୟରେ ଇତିଶ୍ରୀ, ବେବିନା, କୁନ୍ଦୁଲି ପୀଡ଼ିତା ପରି କେତେ ମହିଳା ନିର୍ଯାତନାର ଶିକାର ହୋଇଛନ୍ତି। ଏମାନଙ୍କୁ ରାଜ୍ୟ ସରକାର ନ୍ୟାୟ ପ୍ରଦାନ କରିପାରିନାହାନ୍ତି। ନାରୀ ନିର୍ଯାତନା ଘଟଣା ଉତ୍ତରପ୍ରଦେଶ ପରି ରାଜ୍ୟରେ ନୂଆ ଘଟଣା ନୁହଁ। ଏହି ଘଟଣାକୁ ଆମେ ସମସ୍ତେ ନିନ୍ଦା କରୁଛୁ।

ସମ୍ବନ୍ଧିତ ଖବର