ବିଧାନସଭା ଆଗୁଆ ବନ୍ଦ ହେବା ପ୍ରସଙ୍ଗରେ ବିଜେପିର ଅଭିଯୋଗ : ‘ବିଜେଡି ଡରିଗଲା; ଗୃହ ବନ୍ଦ କରିଦେଲା’

ଭୁବନେଶ୍ବର : ବିଧାନସଭାର ଶୀତ ଅଧିବେଶନ ଆଗୁଆ ବନ୍ଦ ହୋଇଯିବା ଘଟଣାରେ ବିଜେପି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଗତକାଲି ବିଜେପି ବିଧାୟକମାନେ ଏହାର ପ୍ରତିବାଦରେ କକ୍ଷତ୍ୟାଗ କରିଥିଲା ବେଳେ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଡାକି ବିଧାୟକ ପ୍ରଦୀପ ପୁରୋହିତ ପୁଣି ଶାସକ ଦଳ ବିରୋଧରେ ବିଷୋଦଗାର କରିଛନ୍ତି। ଶ୍ରୀ ପୁରୋହିତ କହିଛନ୍ତି, ଚଳିତ ବିଧାନସଭାରେ ରାଜ୍ୟର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବାର ଥିଲା। ରାଜ୍ୟର ଚାଷୀ, ଶିକ୍ଷକ, ଯୁବକ, ଛାତ୍ର ସମାଜର ସମସ୍ୟା ଉପରେ ଆଲୋଚନା କରିବା ପାଇଁ ବିଜେପି ଚାହିଁଥିଲା। କିନ୍ତୁ ରାଜ୍ୟ ସରକାର ୫ ଦିନରେ ଗୃହ କାର୍ଯ୍ୟ ବନ୍ଦ କରି ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ରଖି ପଳାୟନପନ୍ଥୀର ଭୂମିକା ନେଇଛନ୍ତି। ଯଦି କିଛି କାର୍ଯ୍ୟ ନ ଥିଲା, ତେବେ ବିଧାନସଭାରେ ୩୦ ଦିନିଆ ଅଧିବେଶନ କାହିଁକି ଡକାଇଥିଲେ ? ଚାଷୀ ଆତ୍ମହତ୍ୟା, କୃଷି ଋଣ, ମରୁଡ଼ି ପରିସ୍ଥିତି, ଚକଡ଼ା ପୋକ, ଭାଗ ଚାଷୀମାନଙ୍କର ସମସ୍ୟା, ପିସି କାରବାର, ‌େବକାରୀ ସମସ୍ୟା ବୃଦ୍ଧି, ନାବାଳିକା ବଳାତ୍କାର ବୃଦ୍ଧି, ସେସୁରେ କୋଟି କୋଟି ଟଙ୍କା ଦୁର୍ନୀତି ଆଦି ପ୍ରସଙ୍ଗର ପାହାଡ଼ ସରକାରଙ୍କ ବିରୋଧ‌େର ରହିଛି। ପୁଣି ରାଜନୈତିକ ଉଦ୍ଦେଶ୍ୟ ରଖି ମୋଦୀ ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନା ରାଜ୍ୟ ସରକାର ରାଜ୍ୟରେ ଲାଗୁ କରୁନାହାନ୍ତି। ଏପରି ଅନେକ ପ୍ରସଙ୍ଗକୁ ସାମ୍ନା କରିପାରୁ ନ ଥିବା ଭୟରେ ରାଜ୍ୟ ସରକାର ବିଧାନସଭାକୁ ବନ୍ଦ କରିଛନ୍ତି।

ଏହି ପ୍ରସଙ୍ଗରେ କଂଗ୍ରେସକୁ ବି ଟାର୍ଗେଟ୍ କରି ଶ୍ରୀ ପୁରୋହିତ କହିଛନ୍ତି, ଦୁର୍ଭାଗ୍ୟର ବିଷୟ ଶାସକ ଦଳ ନିର୍ଦ୍ଦେଶରେ ବିରୋଧୀ କଂଗ୍ରେସ କାର୍ଯ୍ୟ କରୁଛି। କଂଗ୍ରେସ ଓ ବିଜେଡିର ଅଘୋଷିତ ମେଣ୍ଟ ପର୍ଦ୍ଦାଫାସ ହୋଇଛି। ଶାସକ ଦଳ ପକେଟ୍‌ରେ କଂଗ୍ରେସ ରହିଛି। ସାମ୍ବାଦିକ ସମ୍ମିଳନୀରେ ବିଧାୟିକା ରାଧାରାଣୀ ପଣ୍ଡା, ରାଜ୍ୟ ଉପସଭାପତି ସମୀର ମହାନ୍ତି ଓ ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର