ପୁଣି ଗୃହ ଅଚଳ କଲା ଚାରା ଦୁର୍ନୀତି

ପ୍ରଶ୍ନକାଳ ହୋଇପାରିଲାନି, ଗୃହ ବାରମ୍ବାର ମୁଲତବୀ, କୃଷି ମନ୍ତ୍ରୀ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦେଲେ ବାଚସ୍ପତି

ଭୁବନେଶ୍ୱର : ଚାରା ଦୁର୍ନୀତିକୁ ନେଇ ବିଧାନସଭାରେ ଆଜି ପୁଣି ଝଡ଼ ବୋହିଛି। ଫଳରେ ପ୍ରଶ୍ନକାଳ ଆଦୌ ହୋଇପାରି ନ ଥିଲା ବେଳେ ଶୂନ୍ୟକାଳରେ ବାରମ୍ବାର ଗୃହ ମୁଲତବୀ ହେଲା। ମୁଖ୍ୟମନ୍ତ୍ରୀ କିମ୍ବା କୃଷି ମନ୍ତ୍ରୀଙ୍କ ଠାରୁ ଉତ୍ତର ଦାବି କରି ଅଡ଼ି ବସିଥିଲେ ଉଭୟ କଂଗ୍ରେସ ଓ ବିଜେପି ସଭ୍ୟ। ଶେଷରେ କୃଷି ମନ୍ତ୍ରୀଙ୍କୁ ଉତ୍ତର ରଖିବାକୁ ବାଚସ୍ପତି ନିର୍ଦ୍ଦେଶ ଦେଲା ପରେ ଗୃହ ସ୍ୱାଭାବିକ ହୋଇଥିଲା।

ଆଜି ପ୍ରଥମେ ସ୍ୱାଧୀନତା ସଂଗ୍ରାମୀ ଦୋଳଗୋବିନ୍ଦ ପ୍ରଧାନଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହରେ ଶୋକପ୍ରସ୍ତାବ ଆଣି ତାଙ୍କର ସ୍ମୃତିଚାରଣ କରିଥିଲେ। ଏହା ପରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର, ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ ଓ ବାଚସ୍ପତି ପ୍ରଦୀପ ଅମାତ ଶୋକପ୍ରକଟ କରିଥିଲେ। ସ୍ୱର୍ଗତ ପ୍ରଧାନଙ୍କ ଅମର ଆତ୍ମାର ସଦ୍‌ଗତି ନିମିତ୍ତ ଏକ ମିନିଟ୍‌ ନିରବ ପ୍ରାର୍ଥନା କରାଯାଇଥିଲା।

ଠିକ୍‌ ୧୦ଟା ୩୫ରେ ବାଚସ୍ପତି ପ୍ରଶ୍ନକାଳ ଆରମ୍ଭ କରିବା ମାତ୍ରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିବା ପାଇଁ ଠିଆ ହେଲେ। କିନ୍ତୁ ବାଚସ୍ପତି ତାଙ୍କୁ ସୁଯୋଗ ନ ଦେଇ ପ୍ରଶ୍ନକାଳ ଆରମ୍ଭ କରି ଏକ ପ୍ରଶ୍ନର ଉତ୍ତର ଦେବାକୁ ଅର୍ଥ ମନ୍ତ୍ରୀଙ୍କୁ ଡାକିଲେ। ଏହା ପରେ କଂଗ୍ରେସ ଓ ବିଜେପି ସଭ୍ୟ ସାର୍‌…ସାର୍‌… କହି ଗୃହ ମଧ୍ୟ ଭାଗକୁ ମାଡ଼ି ଆସିଲେ। ସଙ୍ଗେ ସଙ୍ଗେ ନାରାବାଜି ହେଲା, ରାଜ୍ୟ ସରକାର ହାଏ.. ହାଏ, ମୁଖ୍ୟମନ୍ତ୍ରୀ ହାଏ…ହାଏ…, ଚାରା ପଇସା ଖାଇଲା କିଏ…କୃଷି ମନ୍ତ୍ରୀ ଆଉ କିଏ…। ଚାରା ଦୁର୍ନୀତିରେ ସରକାରଙ୍କ ଉତ୍ତର ଦାବି କରି ବିରୋଧୀ ସଭ୍ୟମାନେ ହୋହଲ୍ଲା କଲେ। ବାଚସ୍ପତିଙ୍କ ଟେବୁଲ୍‌ ବାଡ଼େଇଲେ। ଗୋଟିଏ ମିନିଟ୍‌ ଭିତରେ ବାଚସ୍ପତି ଗୃହକୁ ଏକ ଘଣ୍ଟା ପର୍ଯ୍ୟନ୍ତ ମୁଲତବୀ ରଖିଲେ।

ଘଣ୍ଟାଏ ପରେ ଗୃହ କାର୍ଯ୍ୟ ଆରମ୍ଭ ହେଲା ମାତ୍ରେ ବିରୋଧୀ ଦଳ ନେତା ଶ୍ରୀ ମିଶ୍ର କହିଲେ, ନିଜେ କୃଷି ମନ୍ତ୍ରୀ ଗୃହରେ ଏକ ପ୍ରଶ୍ନର ଉତ୍ତରରେ ମୟୂରଭଞ୍ଜରେ ୧୭ କୋଟି ଟଙ୍କାର ଚାରା ଦୁର୍ନୀତି ହୋଇଥିବା ସ୍ୱୀକାର କରିଛନ୍ତି। ନିଶ୍ଚିତ ଭାବେ ତଦନ୍ତ ପରେ ମନ୍ତ୍ରୀ ଏପରି ସୂଚନା ଦେଇଛନ୍ତି। କିନ୍ତୁ ଦୁର୍ନୀତି କରିଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ କେବଳ ନିଲମ୍ବନ କରାଯାଇଥିଲା। ପରେ ନିଲମ୍ବନ ଆଦେଶ ଉଠାଇ ତାଙ୍କୁ ଅନ୍ୟତ୍ର ନିଯୁକ୍ତି ଦିଆଗଲା। ଏତେ ଟଙ୍କାର ଦୁର୍ନୀତି କରିଥିବା ବ୍ୟକ୍ତିଙ୍କ ପାଇଁ ଦଣ୍ଡ କେବଳ ନିଲମ୍ବନ? କାହିଁକି ତାଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରାଯାଇ ନାହିଁ? ଏମିତି ହେଲେ ସମସ୍ତେ ଦୁର୍ନୀତି କରି ଖସିଯିବେ। ଗୃହ ଚାଲିଥିଲା ବେଳେ ଆମେ ଜାଣିବାକୁ ଚାହୁଁଛୁ ସରକାର ଚାରା ଦୁର୍ନୀତି ପାଇଁ କ’ଣ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଓ ଏହାକୁ ରୋକିବାକୁ କି ପଦକ୍ଷେପ ନିଆଯାଇଛି? ମୁଖ୍ୟମନ୍ତ୍ରୀ ଏହାର ଉତ୍ତର ଦେବା ଆବଶ୍ୟକ। ସାରା ରାଜ୍ୟରେ ଏମିତି ଘଟୁଛି। ଆମେ ନିରବଦ୍ରଷ୍ଟା ସାଜିଲେ ହେବ ନାହିଁ। ଯଦି ସରକାର ନିଜ ଆଡ଼ୁ ଉତ୍ତର ଦେଉ ନାହାନ୍ତି, ତେଣୁ ବାଚସ୍ପତି ଉତ୍ତର ରଖିବା ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦିଅନ୍ତୁ।

ପ୍ରଶ୍ନକାଳରେ କହିବା ପାଇଁ ଠିଆ ହୋଇଥିଲା ବେଳେ ତାଙ୍କୁ ଅନୁମତି ମିଳି ନ ଥିବାରୁ ଶ୍ରୀ ମିଶ୍ର କ୍ଷୋଭ ପ୍ରକାଶ କରି କହିଲେ, ସଂସଦୀୟ ବ୍ୟବସ୍ଥାରେ ଗୃହରେ ଯେତେବେଳେ ବିରୋଧୀ ଦଳ ନେତା କହିବା ପାଇଁ ଠିଆ ହେବେ ତାଙ୍କୁ ସଙ୍ଗେ ସଙ୍ଗେ ସୁଯୋଗ ଦିଆଯିବା କଥା। ତାଙ୍କୁ ଅନୁମତି ଦିଆ ନ ଯିବା ଅର୍ଥ ଆଇନ୍‌କୁ ଅବମାନନା କରିବା। ଏସ୍‌ସିବି ମେଡିକାଲ କଲେଜ ସମାବର୍ତ୍ତନ ଉତ୍ସବ କଥା ଉଠାଇ ଶ୍ରୀ ମିଶ୍ର କହିଲେ, ଏପରି ସମାବର୍ତ୍ତନ ଉତ୍ସବ ଆୟୋଜନ ମୁଁ କେବେ ଶୁଣି ନ ଥିଲି। ଏସ୍‌ସିବି ମେଡିକାଲ କଲେଜ କର୍ତ୍ତୃପକ୍ଷ କିପରି କୁଳାଧିପତି ତଥା ରାଜ୍ୟପାଳଙ୍କୁ ଅବଜ୍ଞା କରି ଉତ୍ସବର ଆୟୋଜନ କଲେ। କର୍ତ୍ତୃପକ୍ଷ ଆଇନ୍‌କୁ ଉଲ୍ଲଂଘନ କରିବା ସହ କୁଳାଧିପତିଙ୍କୁ ଅପମାନିତ କରିଛନ୍ତି। ସରକାର ଏହାକୁ ଗୁରୁତର ସହ ନେବା ଉଚିତ। ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ କହିଲେ, ଚାରା ଦୁର୍ନୀତିରେ ଅଭିଯୁକ୍ତ ଅଧିକାରୀଙ୍କ ବିରୋଧରେ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନି। ଏହି ଅଧିକାରୀ ଓ ଜଣେ ଜିଲ୍ଲାପାଳ ମିଶି କନ୍ଧମାଳରେ ଦୁର୍ନୀତି କରିଥିଲେ। ଉଭୟ ପୁଣି ମୟୂରଭଞ୍ଜ ଆସି ସମାନ ଦୁର୍ନୀତି କଲେ। ଯେଉଁ ମନ୍ତ୍ରୀ ଏହି ଦୁର୍ନୀତିକୁ ଧରିଲେ, ତାଙ୍କୁ ମନ୍ତ୍ରୀ ପଦରୁ ବିଦା କରାଗଲା। ଏବେ ସେହି କଥା ଉଠାଇଲା ବେଳକୁ ତାଙ୍କୁ ଦଳରୁ ବହିଷ୍କାର କରାଗଲା। ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସରକାର ଆଗ୍ରହୀ ନାହାନ୍ତି। ତେଣୁ ବିବୃତି ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ବାଚସ୍ପତି ନିର୍ଦ୍ଦେଶ ଦେବାକୁ ଶ୍ରୀ ସିଂହଦେଓ ଦାବି କରିଥିଲେ। ସେହିପରି ଏସ୍‌ସିବି ମେଡିକାଲ କଲେଜ ସମାବର୍ତ୍ତନ ଉତ୍ସବ ବେଆଇନ୍‌ ଭାବେ ଆୟୋଜନ କରାଯାଉଥିବାରୁ ଅଧ୍ୟକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରୀ ସିଂହଦେଓ ଦାବି କରିଥିଲେ।

ଏହା ପରେ ସରକାରଙ୍କ ଉତ୍ତର ଦାବିରେ କଂଗ୍ରେସ ଓ ବିଜେପି ସଭ୍ୟ ଗୃହ ମଧ୍ୟ ଭାଗକୁ ମାଡ଼ି ଆସିଲେ। ଶାସକ ଦଳ ସଭ୍ୟ ସମୀର ଦାଶ ଓ ଅଶ୍ୱିନୀ ପାତ୍ର କହୁଥିଲେ ବି ହୋହଲ୍ଲାରେ ତାଙ୍କ କଥା ଶୁଣାଯାଇ ନ ଥିଲା। ୧୧ଟା ୫୫ରେ ବାଚସ୍ପତି ଗୃହକୁ ୧୫ ମିନିଟ୍‌ ପାଇଁ ମୁଲତବୀ ରଖିଲେ। ପୁଣି ୧୨ଟା ୧୦ରେ ଆଉ ୧୫ ମିନିଟ୍‌ ଗୃହ ମୁଲତବୀ ହେଲା। ୧୨ଟା ୨୫ରେ ଗୃହ କାର୍ଯ୍ୟ ଆରମ୍ଭ ହେଲା ମାତ୍ରେ ବାଚସ୍ପତି ରୁଲିଂ ଦେଲେ, ଚାରା ଦୁର୍ନୀତି ଅଭିଯୋଗ ପ୍ରସଙ୍ଗରେ ଏହି ଅଧିବେଶନରେ କୃଷି ମନ୍ତ୍ରୀ ଗୃହରେ ଉତ୍ତର ରଖିବେ। ତାହା ପରେ ଗୃହ କାର୍ଯ୍ୟ ସ୍ୱାଭାବିକ ହୋଇଥିଲା।

ସମ୍ବନ୍ଧିତ ଖବର