କୋଣାର୍କ ପାଇଁ କମ୍ପିଲା ଗୃହ : ଗୁରୁତ୍ବର ସହ ନେବାକୁ ନିର୍ଦେଶ ଦେଲେ ବାଚସ୍ପତି

କେନ୍ଦ୍ର-ଏଏସ୍ଆଇ ସୁରକ୍ଷା ଦେବାରେ ବିଫଳ, ସରକାରଙ୍କ ବିବୃତି ଦାବି କଲେ ବିରୋଧୀ, ଉଦ୍‌ବେଗ ପ୍ରକାଶ କଲେ ଶାସକ ସଭ୍ୟ

ଭୁବନେଶ୍ବର : ବିଶ୍ବ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିର ଭୁଶୁଡ଼ି ପଡ଼ିବା ସଂକ୍ରାନ୍ତରେ ‘ସମ୍ବାଦ’ରେ ପ୍ରକାଶିତ ରିପୋର୍ଟକୁ ନେଇ ବିଧାନସଭାରେ କମ୍ପନ ସୃଷ୍ଟି ହୋଇଛି। ଦଳମତ ନିର୍ବିଶେଷରେ ବିଧାୟକମାନେ ଉଦ୍‌ବେଗ ପ୍ରକାଶ କରିବା ସହିତ କେନ୍ଦ୍ର ସରକାର ଓ ଏଏସ୍ଆଇ ବିରୋଧରେ ଅସନ୍ତୋଷ ପ୍ରକାଶ କରିଛନ୍ତି। କୋଣାର୍କ ଏବେ କେଉଁ ସ୍ଥିତିରେ ରହିଛି? ଏ ସଂକ୍ରାନ୍ତରେ ହୋଇଥିବା ଅନୁଧ୍ୟାନ ରିପୋର୍ଟରେ କ’ଣ ଲେଖାଯାଇଛି? ତାହାକୁ ଗୃହରେ ଉପସ୍ଥାପନ କରିବା ପାଇଁ ଦାବି କରିଛନ୍ତି। କେବଳ ସେତିକି ନୁହେଁ, କୋଣାର୍କକୁ ସଂରକ୍ଷଣ ଓ ସୁରକ୍ଷା ଦେବାରେ କେନ୍ଦ୍ର ସରକାର ଓ ଏଏସ୍ଆଇ ବିଫଳ ହୋଇଥିବା ବିଧାୟକମାନେ ଅଭିଯୋଗ କରିବା ସହିତ ଏହି ଘଟଣାରେ ରାଜ୍ୟ ସରକାରଙ୍କ ବିବୃତି ଦାବି ମଧ୍ୟ କରିଛନ୍ତି। ବାଚସ୍ପତି ମଧ୍ୟ ଘଟଣାର ଗମ୍ଭୀରତାକୁ ଉପଲବ୍ଧି କରିବା ସହିତ କୋଣାର୍କ ସୁରକ୍ଷା ଓ ସଂରକ୍ଷଣକୁ ରାଜ୍ୟ ସରକାର ଗୁରୁତ୍ବର ସହିତ ନେବାକୁ ରୁଲିଂ ଦେଇଛନ୍ତି।

ଆଜି ଶୂନ୍ୟକାଳରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ବୈଧାନିକ ପ୍ରଶ୍ନ ଉତ୍‌ଥାପନ ଛଳରେ କୋଣାର୍କ ପ୍ରସଙ୍ଗରେ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ‘ସମ୍ବାଦ’ରେ ପ୍ରକାଶ ପାଇଥିବା ରିପୋର୍ଟ ପଢ଼ିଥିଲେ। କହିଥିଲେ, କୋଣାର୍କରୁ କାରୁକାର୍ଯ୍ୟ ଖଚିତ ମୂର୍ତ୍ତି ଅପସାରଣ କରାଯାଇ ସାଦା ପଥର ଲଗାଯିବା ଘଟଣାକୁ ନେଇ କେନ୍ଦ୍ର-ରାଜ୍ୟ ତୁ ତୁ ମେଁ ମେଁ ଚାଲିଥିବା ବେଳେ ବିଶେଷଜ୍ଞମାନେ ଏ ସଂକ୍ରାନ୍ତରେ ଚାଞ୍ଚଲ୍ୟକର ତଥ୍ୟ ରଖିଲେଣି। କୋଣାର୍କ ସ୍ଥିତି ଏତେ ଦୁର୍ବଳ ହୋଇଗଲାଣି ଯେ ରିକ୍ଟର ସ୍କେଲ୍‌ରେ ୫ରୁ ୬ ତୀବ୍ରତା ବିଶିଷ୍ଟ ଭୂମିକମ୍ପ ହେଲେ ଏହା ଭୁଶୁଡ଼ିଯାଇପାରେ। ରୁର୍‌କି ସ୍ଥିତ ସେଣ୍ଟ୍ରାଲ ବିଲଡିଂ ରିସର୍ଚ୍ଚ ପ୍ରତିଷ୍ଠାନ ମନ୍ଦିରର ବିଭିନ୍ନ ଅଂଶର ସ୍ଥିତି ଲେଜର୍ ସ୍କାର୍ନିଂ କରିବା ପରେ ଏଭଳି ଆଶଙ୍କା ଘନୀଭୂତ ହୋଇଛି। କେନ୍ଦ୍ର ଏଏସ୍ଆଇ ପାଖରେ ଏହି ରିପୋର୍ଟ ରହିଛି। କୋଣାର୍କ ନେଇ ଗଠନ କରାଯାଇଥିବା ଷ୍ଟିଅରିଂ କମିଟିରେ ରାଜ୍ୟ ସରକାରଙ୍କ ପ୍ରତିନିଧି ଅଛନ୍ତି। ସେମାନେ ଜାଣିଛନ୍ତି। ହେଲେ ଏହି ରିପୋର୍ଟକୁ ଚାପି ଦିଆଯାଇଛି।

ଶ୍ରୀ ମିଶ୍ର କହିଥିଲେ, ବିଶ୍ବପ୍ରସିଦ୍ଧ କୋଣାର୍କ ଯେ କୌଣସି ସମୟରେ ଭୁଶୁଡ଼ିପାରେ, ଏ ଖବର ତାଙ୍କ ପାଖରେ ବି ରହିଛି।

ଏହାକୁ ନେଇ କେବଳ ବିଶେଷଜ୍ଞ ବିଚଳିତ ତାହା ନୁହେଁ, ଗୃହ ମଧ୍ୟ ଚିନ୍ତା କରିବା ଦରକାର। କାରଣ ଏଭଳି ଏକ କୀର୍ତାରାଜି ବିଶ୍ବରେ ବିରଳ। ଏହାର ସଂରକ୍ଷଣ ଓ ସୁରକ୍ଷା ଦାୟିତ୍ବ ହେଉଛି କେନ୍ଦ୍ର ସରକାରଙ୍କର। କେନ୍ଦ୍ର ସରକାର ଏହାକୁ ସୁରକ୍ଷା ଦେବାରେ ବିଫଳ ହୋଇଛନ୍ତି। ସଂରକ୍ଷଣ ନାଁରେ ଐତିହ୍ୟ କୀର୍ତିରାଜିକୁ କାଢ଼ି ନିଆଯାଇଛି। ତା’ ସ୍ଥାନରେ ସମତଳ ପଥର ଲଗାଇଦେଲେ। ଆଇନ ବା ନିୟମକୁ ଆଳ କରି କର୍ତୃପକ୍ଷ ଖସିଯାଇପାରିବେ ନାହିଁ। କାରଣ ଅନ୍ୟ କୀର୍ତିରାଜିମାନଙ୍କରେ ଯାହା ଦେଖାଯାଇଛି, ଏଏସ୍ଆଇ କର୍ତୃପକ୍ଷ ସେସବୁକୁ ଉଦ୍ଧାର କରିଛନ୍ତି। କୋଣାର୍କ ମନ୍ଦିର ପାଇଁ ଗୋଟିଏ ନୀତି, ଅନ୍ୟ କୀର୍ତିରାଜି ପାଇଁ ଆଉ ଗୋଟିଏ ନୀତି, ଏକଥାକୁ ଗ୍ରହଣ କରାଯାଇପାରିବ ନାହିଁ। ରାଜ୍ୟ ସରକାର ଗୃହ ନିକଟରେ ଉତ୍ତରଦାୟୀ। ବାଚସ୍ପତି ରାଜ୍ୟ ସରକାରଙ୍କୁ ନିର୍ଦେଶ ଦିଅନ୍ତୁ ସେ ଗୃହରେ ଏ ନେଇ ବିବୃତି ଦେବେ। କୋଣାର୍କ ସଂପର୍କରେ ଯେଉଁ ତଥ୍ୟ ପ୍ରକାଶ ପାଉଛି, ସେଥିରେ କେତେ ସତ୍ୟତା ରହିଛି। ଏଏସ୍‌ଆଇ କ’ଣ ପଦକ୍ଷେପ ନେଇଛନ୍ତି। ବାଚସ୍ପତିଙ୍କ ରୁଲିଂକୁ ଆମେ ଅପେକ୍ଷା କରୁଛୁ। ଏହି ଅଧିବେଶନରେ ହିଁ ସରକାର ଗୃହରେ ଉତ୍ତର ଦେବା ଦରକାର।

ବିଜେପି ବିଧାୟକ ଦଳ ନେତା କନକ ବର୍ଧନ ସିଂହଦେଓ କହିଥିଲେ, ରାଜ୍ୟ ସରକାର ତୁରନ୍ତ ଗୃହରେ ଉତ୍ତର ରଖିବା ଉଚିତ। ଆମେ ଏ ସଂପର୍କରେ ବାଚସ୍ପତିଙ୍କଠାରୁ ରୁଲିଂ ଚାହୁଁଛୁ। ଗୃହକୁ ଏସଂକ୍ରାନ୍ତ ତଥ୍ୟ ଦିଆଯିବା ଦରକାର। ଯେଉଁ ରିପୋର୍ଟ ପ୍ରସ୍ତୁତ କରାଯାଇଛି, ତାହା ଗୃହରେ ଉପସ୍ଥାପିତ ହେବା ଉଚିତ।

ସରକାରୀ ଦଳ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ କହିଥିଲେ, ସଂରକ୍ଷଣ ଆଳରେ ଏଏସ୍‌ଆଇ କର୍ତୃପକ୍ଷ ପଥର ବଦଳାଇ ଦେଇଛନ୍ତି। ଓଡ଼ିଶାର ଅଧିକାଂଶ ଅଞ୍ଚଳ ଭୂକମ୍ପ ପ୍ରବଣ। ରିକ୍ଟର ସ୍କେଲ୍‌ରେ ୪ରୁ ୬ ତୀବ୍ରତା ବିଶିଷ୍ଟ ଭୂମିକମ୍ପ ହେଲେ ଏହା ଭୁଶୁଡ଼ିଯାଇପାରେ। ବିଶ୍ବ ଐତିହ୍ୟସ୍ଥଳୀ କୋଣାର୍କ ଆମର ଗର୍ବ ଓ ଗୌରବ। କେନ୍ଦ୍ର କିନ୍ତୁ ଏହି ଐତିହ୍ୟସ୍ଥଳୀକୁ ଅବହେଳା କରି ଚାଲିଛି। ପର୍ଯ୍ୟଟନ ମନ୍ତ୍ରୀ ଏ ନେଇ ଏକ ବୈଠକ କରିଥିଲେ। ଏଏସ୍ଆଇର ସ୍ପଷ୍ଟୀକରଣ କିନ୍ତୁ ଗ୍ରହଣୀୟ ନୁହେଁ। କେନ୍ଦ୍ର ସରକାରଙ୍କ ଅବହେଳା ସୀମା ଟପିଲାଣି। ପାଣି ଜମିଲେ ମଧ୍ୟ ରାଜ୍ୟ ସରକାରଙ୍କୁ ସେ ଦିଗରେ କାର୍ଯ୍ୟ କରିବାକୁ ଅନୁମତି ଦେଉନାହାନ୍ତି। ଉଦୟଗିରି ମଧ୍ୟ ଅନୁରୂପ ପରିସ୍ଥିତି ସୃଷ୍ଟି ହୋଇଛି। ବିକାଶ ପାଇଁ ଟଙ୍କା ଦେଲେ ବି ସେମାନେ ଖର୍ଚ୍ଚ କରିବା ଲାଗି ସୁଯୋଗ ଦେଉନାହାନ୍ତି କିମ୍ବା ନିଜେ ମଧ୍ୟ କରୁନାହାନ୍ତି। ଏଏସ୍ଆଇର ଅବହେଳା ପାଇଁ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ଦିଗରେ ପଦକ୍ଷେପ ନିଆଯାଉ ବୋଲି ଶ୍ରୀ ଶତପଥୀ ଦାବି କରିଥିଲେ।

ସମ୍ବନ୍ଧିତ ଖବର