ଦୃଶ୍ୟ ନୂଆ, ତଥାପି ଗୃହ ଅଚଳ

ବିରୋଧୀ ଘଣ୍ଟ ବଜାଇଲେ
ଶାସକ ଦଳ ସଭ୍ୟ ଗୃହ ଶୁଦ୍ଧି କଲେ
୧୦ ମିନିଟ୍‌ରେ ସରିଗଲା ଗୃହ କାର୍ଯ୍ୟ

ଭୁବନେଶ୍ୱର : ଘଣ୍ଟ ବଜାଇଲେ ବିଜେପି ବିଧାୟକ। ପ୍ଲାକାର୍ଡ ଦେଖାଇଲେ କଂଗ୍ରେସ ସଭ୍ୟ। ଆଉ ଗୃହକୁ ଶୁଦ୍ଧ କରିବା ପାଇଁ ଆଜି ଦାୟିତ୍ବ ନେଇଥିଲା ବିଜେଡି। ଦଳର ବିଧାୟକ ଗଙ୍ଗାଜଳ ସିଞ୍ଚିଲେ। ବିରୋଧୀଙ୍କ ଦାବି ଥିଲା, ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କ ବହିଷ୍କାର। ଶାସକ ଦଳର ଦାବି ଥିଲା, ବିରୋଧୀଙ୍କ ସଦ୍‌ବୁଦ୍ଧି ହେଉ। ଏମିତି ଏକ ନୂଆ ଦୃଶ୍ୟ ସହ ମଙ୍ଗଳବାର ଦିନ ୧୦ ମିନିଟ୍‌ରେ ସୀମିତ ରହିଥିଲା ଗୃହ କାର୍ଯ୍ୟ।

ମଙ୍ଗଳବାର ଦିନ ୧୦ଟା ୩୦ରେ ଗୃହ କାର୍ଯ୍ୟ ଆରମ୍ଭ ହେଲା ମାତ୍ରେ ବିଜେପି ଓ କଂଗ୍ରେସ ସଭ୍ୟମାନେ ଗୃହ ମଧ୍ୟ ଭାଗକୁ ମାଡ଼ି ଆସିଲେ। ସେହି ପୁରୁଣା ଦାବିକୁ ଦୋହରାଇ ନାରାବାଜି କଲେ। ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର କରିବାକୁ ଅଡ଼ି ବସିଲେ। କଂଗ୍ରେସ ସଭ୍ୟମାନେ ଚେୟାର ଉପରେ ଠିଆ ହୋଇ ପ୍ଲାକାର୍ଡ ଦେଖାଇବା ସହ ବାଚସ୍ପତିଙ୍କ ପୋଡିୟମ୍ ବାଡ଼େଇଥିଲେ। ବିଜେପି ସଭ୍ୟମାନେ ପ୍ଲାକାର୍ଡ ଦେଖାଇବା ସହ ଘଣ୍ଟ ବଜାଇଥିଲେ। ଘଣ୍ଟନାଦରେ ଗୃହ କମ୍ପିଉଠିଥିଲା।

ବିଜେଡି ସଭ୍ୟମାନେ ବି ପଛରେ ପଡ଼ି ନ ଥିଲେ। ବିରୋଧୀମାନେ ଗୃହ ଚଳାଇ ଦେଉ ନାହାନ୍ତି ବୋଲି ଅଭିଯୋଗ କରିଥିଲେ। ବିରୋଧୀଙ୍କୁ ଭଗବାନ ସଦ୍‌ବୁଦ୍ଧି ଦିଅନ୍ତୁ ବୋଲି ନାରାବାଜି କରି ସେମାନେ ଗଙ୍ଗାଜଳ ସିଞ୍ଚି ଗୃହକୁ ଶୁଦ୍ଧ କରିଥିଲେ। ବାଚସ୍ପତି ସବୁ ପକ୍ଷକୁ ବସିବା ପାଇଁ ନିବେଦନ କରୁଥିଲେ ବି କେହି ଶୁଣିବା ସ୍ଥିତିରେ ନ ଥିଲେ। ମାତ୍ର ଦୁଇ ମିନିଟ୍ ପରେ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ଯାଏ ମୁଲତବୀ ରଖିଲେ।

୪ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେଲା ମାତ୍ରେ ପୁଣି ମଧ୍ୟ ଭାଗକୁ ବିରୋଧୀ ସଦସ୍ୟମାନେ ମାଡ଼ି ଆସି ହୋହଲ୍ଲା କଲେ। ବିଜେପି ସଭ୍ୟଙ୍କ ସହ ତାଳ ଦେଇ କଂଗ୍ରେସ ସଭ୍ୟ ବି ଘଣ୍ଟ ମାଡ଼ କଲେ। ବାଚସ୍ପତି ସର୍ବଦଳୀୟ ବୈଠକ ଡାକି ୪ଟା ୧ରେ ଗୃହକୁ ୩୦ ମିନିଟ୍ ପାଇଁ ମୁଲତବୀ କଲେ। ସର୍ବଦଳୀୟ ବୈଠକରେ ସୋମବାର ପରି ମଙ୍ଗଳବାର ବି କିଛି ନିଷ୍କର୍ସ ବାହାରିପାରିଲା ନାହିଁ। ୪ଟା ୩୧ରେ ଗୃହ କାର୍ଯ୍ୟ ଆରମ୍ଭ ହେଲା ମାତ୍ରେ ପୁଣି ଘଣ୍ଟ ମାଡ଼ ଓ ନାରାବାଜି ଚାଲିଲା। ହୋହଲ୍ଲା ଭିତରେ ପାଇକ ବିଦ୍ରୋହକୁ ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମ ଭାବେ ଅଭିହିତ କରିବା ପାଇଁ ଏକ ସଂକଳ୍ପ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଆଗତ କରିଥିଲେ। ଏହି ସଂକଳ୍ପକୁ ଶାସକ ଦଳ ସଭ୍ୟ ଧ୍ରୁବ ସାହୁ ସମର୍ଥନ କରିଥିଲେ। ତାହା ପରେ ସଂକଳ୍ପଟି ପାରିତ ହୋଇଥିଲା। ବାଚସ୍ପତି ୭ ମିନିଟ୍ ପରେ ଅର୍ଥାତ ୪ଟା ୩୮ରେ ଗୃହକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ରଖିଲେ।

ପୂର୍ବାହ୍ନରେ ଗୃହ ମୁଲତବୀ ହେଲା ପରେ ବାହାରେ ପ୍ରତିବାଦ ଦେଖିବାକୁ ମିଳିଥିଲା। ବିଜେପି ସଭ୍ୟମାନେ ଘଣ୍ଟ ବଜାଇ ଗୃହ ଭିତରକୁ ବାହାରକୁ ଆସିଥିଲେ। ବାହାରେ ଜଗନ୍ନାଥଙ୍କ ମୂର୍ତ୍ତି ଧରି ପ୍ଲାକାର୍ଡ ପ୍ରଦର୍ଶନ କରି ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ। ସେହିପରି କଂଗ୍ରେସ ବିଧାୟକମାନେ ପ୍ଲାକାର୍ଡ ଦେଖାଇ ବିଧାନସୌଧ ଚାରିପଟେ ବୁଲି ସ୍ଲୋଗାନ୍ ଦେଇଥିଲେ। ଉଭୟ ଦଳ ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କୁ ତୁରନ୍ତ ବହିଷ୍କାର କରିବାକୁ ଦାବି କରିଥିଲେ। ଏହା ସହ ଶାସକ ଦଳ ଜାଣିଶୁଣି ଗୃହ ଚଳାଇ ଦେଉନି ବୋଲି ଆରୋପ ଲଗାଇଥିଲେ। ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଥିଲେ, ନବୀନ ବାବୁ ଧୃତରାଷ୍ଟ୍ର ସାଜି ଦିବ୍ୟଶଙ୍କର ମିଶ୍ର ଓ ପ୍ରତାପ ଜେନାଙ୍କ ଭଳି ଦୁର୍ଯ୍ୟୋଧନ ଓ ଦୁଃଶାସନ ତିଆରି କରୁଛନ୍ତି। ଧୃତରାଷ୍ଟ୍ର ନବୀନ ବାବୁଙ୍କୁ ଜାଗ୍ରତ କରାଇବା ପାଇଁ ଆମେ ଆଜି ବିଧାନସଭାରେ ଘଣ୍ଟ ବାଡ଼େଇଥିଲୁ।

ବିଜେଡି ବିଧାୟକମାନେ ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇଥିଲେ। କେନ୍ଦ୍ର ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି ବୋଲି ଅଭିଯୋଗ କରିବା ସହ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ଓ ଓଡ଼ିଶା ପ୍ରତି ଅବହେଳା ଆଦି ପ୍ରସଙ୍ଗରେ କେନ୍ଦ୍ର ବିରୋଧରେ ନାରାବାଜି କରିଥିଲେ। କେନ୍ଦ୍ର ସରକାର କୁମ୍ଭକର୍ଣ୍ଣ ହୋଇ ଶୋଇଥିବାର ଏକ କାର୍ଟୁନ୍ ପ୍ରଦର୍ଶନ କରିଥିଲେ। ସେମାନେ ଆହୁରି ଅଭିଯୋଗ କରିଥିଲେ ଯେ ଓଡ଼ିଶାରେ ଅନେକ ସମସ୍ୟା ରହିଛି। ବିଧାନସଭାରେ ଆଲୋଚନା ପାଇଁ ବିଭିନ୍ନ ପ୍ରସଙ୍ଗ ରହିଛି । କିନ୍ତୁ ବିରୋଧୀ ଦଳ ଲୋକଙ୍କ ସମସ୍ୟା ଅଲୋଚନା କରିବା ବଦଳରେ ନାଟକବାଜି କରୁଛନ୍ତି ଓ ଗୃହ ଚଳାଇ ଦେଉ ନାହାନ୍ତି।

ମୁଁ ନାଚାର: ବାଚସ୍ପତି
ଭୁବନେଶ୍ବର : ୬ ଦିନ ହେଲା ବିଧାନସଭାରେ ଅଚଳାବସ୍ଥା ହଟୁନାହିଁ। ଏଥି ପାଇଁ ନିଜର ଅସହାୟତା ପ୍ରକାଶ କରିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। ଗଣମାଧ୍ୟମକୁ ସେ କହିଛନ୍ତି ଯେ ଗତକାଲି ସର୍ବଦଳୀୟ ବୈଠକରେ ଆଲୋଚନା ହୋଇଥିଲା। ସେଥିରୁ ଜଣାପଡ଼ୁଥିଲା ରାସ୍ତା ବାହାରୁଛି ଓ ଶାନ୍ତିରେ ବିଧାନସଭା ଚାଲିବ। ଆଜି ଯେତେବେଳେ ପ୍ରଶ୍ନକାଳ ଆରମ୍ଭ ହେଲା, ବିରୋଧୀ ଦଳ ଘଣ୍ଟ ବାଡ଼େଇ ଭିତରକୁ ଆସିଲେ। ସରକାରୀ ଦଳ ସଭ୍ୟମାନେ ପାଣି ସିଞ୍ଚିଲେ। ଯଦି ସମସ୍ତ ବିଧାୟକ ବିଧାନସଭା ଚାଲିବା ପାଇଁ ସହ‌ଯୋଗ ନ କରନ୍ତି, ସେଠି ବାଚସ୍ପତି କ’ଣ କରିବେ। ସେ ନାଚାର। ତେଣୁ ବାଧ୍ୟ ହୋଇ ଗୃହ ମୁଲତବୀ ରଖିବାକୁ ପଡ଼ିଲା। ଜଣେ ଦୁଇ ଜଣ ଚାରି ଜଣ ସଭ୍ୟ ବିଶୃଙ୍ଖଳା କଲେ ସିନା ଆକ୍ସନ ନେଇହେବ। କିନ୍ତୁ ଯଦି ପୂରା‌ ଗୃହ ଏମିତି ବିଶୃଙ୍ଖଳିତ ହେବ, ତେବେ ସମସ୍ତଙ୍କୁ କ’ଣ ଫାଶୀ ଦେଇଦେବୁ? ଏମିତି ସମ୍ଭବ ନୁହେଁ। ଆମକୁ ଏକାଠି ବସିବାକୁ ପଡ଼ିବ ଓ ମନୋବୃତ୍ତି ବଦଳାଇବାକୁ ପଡ଼ିବ।

ସମ୍ବନ୍ଧିତ ଖବର