ସରିଲା ବିଧାନସଭାର ମୌସୁମୀ ଅଧିବେଶନ

ଭୁବନେଶ୍ୱର : ବିଧାନସଭାର ମୌସୁମୀ ଅଧିବେଶନ ଆଜି ଶେଷ ହୋଇଛି। ଗତ ୪ ତାରିଖରୁ ଆରମ୍ଭ ହୋଇଥିଲା ଅଧିବେଶନ। ମୋଟ୍‌ ୧୧ ଦିନ ଚାଲିଥିଲା ଗୃହ। ଅଧିବେଶନର ଅବଧି କମ୍‌ ଥିଲେ ବି ଅନେକ ଦୃଷ୍ଟିରୁ ଏହା ଗୁରୁତ୍ୱପୂର୍ଣ୍ଣ ଥିଲା। ପ୍ରଥମ ଦିନ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଗୃହକୁ ମୁଲତବୀ ରଖାଯାଇଥିଲା। ଦ୍ୱିତୀୟ ଦିନରେ ୨୦୧୮-୧୯ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ୍‌ ଆଗତ ହୋଇଥିଲା। ତିନି ଦିନ ଧରି ଅତିରିକ୍ତ ଖର୍ଚ୍ଚ ଦାବି ଉପରେ ଆଲୋଚନା ହୋଇଥିଲା।

ସେହିପରି ଏହି ଅଧିବେଶନରେ ବହୁ ପ୍ରତୀକ୍ଷିତ ବିଧାନ ପରିଷଦ ସଂକଳ୍ପ ସମେତ ମୋଟ୍‌ ତିନିଟି ସଂକଳ୍ପ ପାରିତ ହୋଇଥିଲା। ମୋଟ୍‌ ୫ଟି ମୁଲତବୀ ପ୍ରସ୍ତାବ ନୋଟିସ୍‌ ଆସିଥିଲା ବେଳେ ତିନିଟି ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା। ମୋଟ୍‌ ୧୨ଟି ବିଲ୍‌ ଗୃହୀତ ହୋଇଥିଲା। ବିଭିନ୍ନ ଦଳର ସଦସ୍ୟଙ୍କ ଦ୍ୱାରା ୧୯ଟି ଧ୍ୟାନ ଆକର୍ଷଣକାରୀ ପ୍ରସ୍ତାବ ଆସିଥିଲା। ଅଧିବେଶନ ସମୟରେ ତିନିଟି ଭିନ୍ନ ଭିନ୍ନ ପ୍ରସଙ୍ଗରେ ତିନି ଜଣ ମନ୍ତ୍ରୀ ଗୃହରେ ବିବୃତି ରଖିଥିଲେ।

ଅଧିବେଶନରେ ଏକ ନକରାତ୍ମକ ଦିଗ ହେଲା, ଗୋଟିଏ ବି ଦିନ ପ୍ରଶ୍ନକାଳ ଚାଲିପାରି ନାହିଁ। ଶେଷ ଦିନ ଅର୍ଥାତ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ପାଇଁ ବାଚସ୍ପତି ପ୍ରଶ୍ନକାଳ ବାତିଲ୍‌ କରିଥିଲେ। ତେବେ ଅନ୍ୟ ୯ ଦିନ ସଦସ୍ୟଙ୍କ ହୋହଲ୍ଲା ଯୋଗୁଁ ପ୍ରଶ୍ନକାଳ ହୋଇପାରି ନ ଥିଲା। କେବେ ବିଜେପି ତ କେବେ କଂଗ୍ରେସ ବିଭିନ୍ନ ପ୍ରସଙ୍ଗକୁ ନେଇ ଅଡ଼ି ବସିଥିଲେ। ପୁଣି ଶାସକ ଦଳ ବି ଦୁଇ ଦିନ ପ୍ରଶ୍ନକାଳରେ ବାଧା ସୃଷ୍ଟି କରିଥିଲା।

ଆଜିର କାର୍ଯ୍ୟସୂଚୀରେ କୌଣସି ସରକାରୀ କାର୍ଯ୍ୟ ନ ଥିଲା। ବେସରକାରୀ କାର୍ଯ୍ୟଦିବସ ଥିଲା। ତେଣୁ ପ୍ରଥମାର୍ଦ୍ଧରେ ଗୃହ କାର୍ଯ୍ୟ ଶେଷ ହୋଇଥିଲା। ବାଚସ୍ପତି ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ରଖିଥିଲେ।

ସମ୍ବନ୍ଧିତ ଖବର