କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜିଲେ ନରସିଂହ
ବିଜେଡି ବିରୋଧୀଙ୍କୁ ଦୋଷ ଦେଲା, ବିଜେପି ବିଜେଡିକୁ
ଭୁବନେଶ୍ୱର : ଚାଷୀଙ୍କ ପାଇଁ କାହାର କେତେ ଦରଦ, ଏକଥା ଦେଖେଇ ହେବା ପାଇଁ ଆଜି ବିଧାନସଭାରେ ଶାସକ ବିଜେଡି, ବିରୋଧୀ କଂଗ୍ରେସ ଓ ବିଜେପି ବଡ଼ ଧରଣର ପ୍ରସ୍ତୁତି କରିଥିଲେ। ସମସ୍ତେ ଢେର୍ ବି କାନ୍ଦିଲେ। କିନ୍ତୁ...। ବିଧାନସଭାର ବହୁମୂଲ୍ୟ ଗୋଟିଏ ଦିନ ବରବାଦ ହୋଇଗଲା।
ଚାଷୀ ଅପେକ୍ଷା କରିଥିଲା, ତାର ସମସ୍ୟା ସମାଧାନ ପାଇଁ ଗତକାଲି ସବୁ ଦଳ ଯେଭଳି ତନାଘନା କଲେ, ଆଜି ନିଶ୍ଚିତ ବିଧାନସଭାରେ ଆଲୋଚନା ହେବ ଓ କିଛି ଗୋଟିଏ ନିଷ୍କର୍ଷ ବାହାରିବ। ବିରୋଧୀ ଦଳ ନେତା ନରସିଂହ ମିଶ୍ର ବିଧାନସଭା କାର୍ଯ୍ୟବିଧି ପରିଚାଳନା ନିୟମର ଧାରା ୧୧୩ (ଗ)ରେ ଏକ ମୋସନ ଆଗତ କରିଥିଲେ। ‘‘ବ୍ୟାପକ ସମସ୍ୟା ଭିତରେ ରାଜ୍ୟର ଚାଷୀ ଓ ଏଥିପ୍ରତି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅଣଦେଖା’’ ଶୀର୍ଷକରେ ଆଲୋଚନା ପାଇଁ ଆଗ୍ରହ ଦେଖାଇଥିଲେ। ମୁଲତବୀ ପ୍ରସ୍ତାବ ବି ଦିଆଯାଇଥିଲା।
ହେଲେ ବାଚସ୍ପତି ଏହାକୁ ଗ୍ରହଣ କଲେ କି ନାହିଁ, ସେକଥା ଜଣାଇଲେ ନାହିଁ। ବିଧାନସଭା କାର୍ଯ୍ୟସୂଚୀରେ ଏସବୁର ଝଲକ ନଥିଲା। ସେପଟେ ସରକାର ନିଜ ଆଡୁ ମଧ୍ୟ ଗୃହରେ ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ମୋସନ ଆଣି ଆଲୋଚନା ଲାଗି ଆଗ୍ରହ ଦେଖାଇଲେ ନାହିଁ। ସେ ଚାଷୀ ଆତ୍ମହତ୍ୟା କଥା ହେଉ କିମ୍ବା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପ୍ରସଙ୍ଗରେ କୃଷି ମନ୍ତ୍ରୀ କିଛି କହିବା ଲାଗି ଚାହିଁନଥିଲେ କିମ୍ବା ଖାଦ୍ୟ ଯୋଗାଣ ମନ୍ତ୍ରୀ ମଧ୍ୟ।
ଉଲ୍ଲେଖନୀୟ କଥା ହେଲା, ଚାଷୀ ପ୍ରସଙ୍ଗରେ ଆଲୋଚନା ନ ହେଲା ନାହିଁ, ସରକାରୀ କାର୍ଯ୍ୟଦିବସ ସତ୍ତ୍ୱେ ଗୃହରେ ଅନ୍ୟ କୌଣସି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବି ଆଲୋଚନା ଲାଗି ବ୍ୟବସ୍ଥା ନଥିଲା। ବରଂ ମଙ୍ଗଳବାର ବିଧାନସଭା ଅଧିବେଶନର ପ୍ରଥମ ଦିନରେ ଦୁଇ ଦିବଂଗତ ବିଧାୟକଙ୍କ ପାଇଁ ଶୋକପ୍ରସ୍ତାବ ଆଗତ ହେଲା। ନିୟମାନୁସାରେ, ଏହା ପରେ ଘଣ୍ଟିକିଆ ପ୍ରଶ୍ନକାଳ ହୋଇଥାନ୍ତା। ଓଡ଼ିଶା ବିଧାନସଭା କାର୍ଯ୍ୟବିଧି ଓ କାର୍ଯ୍ୟ ପରିଚାଳନା ନିୟମାବଳୀର ନିୟମ ୧୫-କ ଅନୁଯାୟୀ ଗତ ଅଧିବେଶନର ପ୍ରାରମ୍ଭିକ ଦିବସ ଅର୍ଥାତ୍ ସେପ୍ଟେମ୍ବର ୭ ତାରିଖ ପରଠାରୁ ଯେଉଁ ସବୁ ବିଲ୍ ଉପରେ ରାଜ୍ୟପାଳ ସମ୍ମତି ଦେଇଥିଲେ, ତାହାର ତାଲିକା ବିଧାନସଭା ସଚିବ ଉପସ୍ଥାପନ କରିବା ଲାଗି କାର୍ଯ୍ୟସୂଚୀରେ ସ୍ଥାନ ପାଇଥିଲା। ଶୋକ ପ୍ରସ୍ତାବ ପାରିତ ହେଲା, ସଚିବ ପଢିଲେ। ପ୍ରଶ୍ନକାଳ ହୋଇପାରିଲା ନାହିଁ। ହେଲେ ଆଉ କଣ କରିବା ପାଇଁ ସରକାର ଚାହୁଁଥିଲେ, ତାହା ଜଣାପଡିନଥିଲା।
ବିଧାନସଭା ଶୀତ ଅଧିବେଶନର ପ୍ରଥମ ଦିନରେ ଆଜି ଯେଉଁ ପରିସ୍ଥିତି ସୃଷ୍ଟି ହେଲା, ଚାଷୀ ପ୍ରସଙ୍ଗରେ ଆଲୋଚନା ହୋଇପାରିଲା ନାହିଁ, ଏଥିପାଇଁ କେହି ଦାୟିତ୍ୱ ମୁଣ୍ଡାଇବାକୁ ପ୍ରସ୍ତୁତ ନାହାନ୍ତି। ବରଂ ପରସ୍ପର ବିରୋଧରେ ଆରୋପ ପ୍ରତ୍ୟାରୋପ ହୋଇଛି। ବିଜେଡି ବିରୋଧୀଙ୍କୁ ଆକ୍ଷେପ କରିଛି, ବିଜେପି ବିଜେଡିକୁ, ଆଉ କଂଗ୍ରେସ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ମନଇଚ୍ଛା ବର୍ଷିଛି।
ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ବିଧାନସଭାରେ ଚାଷୀ ପ୍ରସଙ୍ଗରେ ଆଲୋଚନା ଲାଗି ମୋସନ ଦିଆଯାଇଥିଲା। ସେ ନିଜେ ଚାହିଁଥିଲେ ଯେ ପ୍ରଶ୍ନକାଳ ବାତିଲ୍ କରି ଏ ପ୍ରସଙ୍ଗରେ ଆଲୋଚନା ହେଉ। ସଂସଦୀୟ ପରମ୍ପରା ଅନୁସାରେ, ଗୃହର ନେତା କିମ୍ବା ବିରୋଧୀ ଦଳ ନେତା ଥରେ କହିବା ପାଇଁ ଛିଡା ହେଲେ, ତାଙ୍କ କଥାକୁ ବାଚସ୍ପତି ଗ୍ରହଣ କରିନପାରନ୍ତି, କିନ୍ତୁ ଶୁଣିଥାନ୍ତି। ମାତ୍ର ସେ ଛିଡା ହୋଇଥିଲେ ହେଁ, ସୁଯୋଗ ଦିଆଯାଇନଥିଲା। ମୋସନକୁ ଗ୍ରହଣ କରାଗଲାନି କିମ୍ବା ପରେ ଏ ନେଇ ଆଲୋଚନା ପାଇଁ ସୁଯୋଗ ଦିଆଯିବ, ଏମିତି କିଛି ବି କହିନଥିଲେ ବାଚସ୍ପତି। ସର୍ବନିମ୍ନ ଶିଷ୍ଟାଚାର ରହିଲା ନାହିଁ। ବିଜେଡି ବିଧାୟକ ପ୍ରଥମେ ନିଜ ଆସନରେ ଛିଡା ହୋଇ ପାଟିତୁଣ୍ଡ କଲେ ଓ ବାଧ୍ୟ ହୋଇ କଂଗ୍ରେସ ବିଧାୟକ ଗୃହ ମଧ୍ୟକୁ ଗଲେ।
ବିଧାନସଭା କାର୍ଯ୍ୟସୂଚୀକୁ ନେଇ ବିରୋଧୀ ଦଳ ନେତା ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହିତ ଏହା ଇତିହାସ ସୃଷ୍ଟି କଲା ଓ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି। ଅଭିଯୋଗ କରିଛନ୍ତି ଯେ ବିଧାନସଭା ଚାଲିବ ନାହିଁ, ଏମିତି ମାନସିକତା ଏଥିରୁ ବାରି ହୋଇପଡୁଛି। ଶ୍ରୀ ମିଶ୍ର କହିଥିଲେ, ବିଜେଡି ରାଜ୍ୟରେ ସରକାରରେ ଅଛି, ବିଜେପି କେନ୍ଦ୍ରରେ। ଚାଷୀ ସମସ୍ୟା ସମାଧାନ ଉଭୟ ଦଳର ଦାୟିତ୍ୱ। ଉଭୟ ହିଁ ଚାଷୀ ସମସ୍ୟାର ସମାଧାନ କରିପାରିବେ। ହେଲେ ସେମାନେ କାହିଁକି ଗୃହକୁ ଅଚଳ କରିବାକୁ ଚେଷ୍ଟା କଲେ ଓ କାହା ବିରୋଧରେ କହୁଥିଲେ, ତାହା ବୁଝାପଡୁନାହିଁ।
ବିରୋଧୀ ଦଳ ନେତା କହିଥିଲେ, ସୁପ୍ରିମକୋର୍ଟ କହିଛନ୍ତି, ନିର୍ବାଚନୀ ଇସ୍ତାହାର କାଗଜଟୁକୁଡା ନୁହେଁ। ବିଜେପି ନିର୍ବାଚନୀ ଇସ୍ତାହାରରେ କୁହାଯାଇଥିଲା ଚାଷୀ ଯେତିକି ଉତ୍ପାଦନ ଖର୍ଚ୍ଚ କରୁଛି, ତାର ୫୦ ପ୍ରତିଶତ ଅଧିକ ସର୍ବନିମ୍ନ ସହାୟକ ମୂଲ୍ୟ କରାଯିବ। ଏବେ ଫାଙ୍କି ଦେଉଛନ୍ତି, କହୁଛନ୍ତି କମିିଟି କରିବ। ସେତେବେଳେ କଣ ସେମାନେ ଏକଥା ଜାଣିନଥିଲେ। ତେବେ ମୋଦି କଣ ମୂର୍ଖ। ବିଜେପି କଣ ମୂର୍ଖଙ୍କ ଦଳ। ଏକଥା ସେମାନେ ସ୍ୱୀକାର କରନ୍ତୁ। ସେହିଭଳି ଇନ୍ପୁଟ୍ ସବ୍ସିଡି କେତେ ହେବ ତାହା କେନ୍ଦ୍ର ଧାର୍ଯ୍ୟ କରିଥାଏ। ଏକର ପିଛା ଚାଷୀ ୩୫ ହଜାର ଟଙ୍କା ଖର୍ଚ୍ଚ କରୁଛି। କିନ୍ତୁ ଇନ୍ପୁଟ୍ ସବ୍ସିଡି ୨ହଜାର ଟଙ୍କା ମିଳିବ କେମିତି? ପ୍ରଧାନମନ୍ତ୍ରୀ ସିଞ୍ଚାଇ ଯୋଜନାରେ କେତେ ଅର୍ଥ ଆସିଛି? ସୁଲଭ ମୂଲ୍ୟରେ ସାର କିଏ ଦେବ?
ସେହିପରି ଚାଷୀର ବିଲରେ ପୋକ ଲାଗିଗଲା, ସରକାରୀ କର୍ମଚାରୀ ଗଲେନି। ଭିଏଡବ୍ଲ୍ୟୁଙ୍କୁ ଦେଖିବାକୁ ମିଳୁନି। ସେମାନେ ଚାରିଦିନ ବୁଲିବା କଥା। ଚାଷୀକୁ ପରାମର୍ଶ ଦେବା ଦାୟିତ୍ୱ ତାଙ୍କର। କୀଟନାଶକ ମିଳିଲାନି ବୋଲି ଚାଷୀ ବଜାରରୁ କିଣିଲା। ସରକାରଙ୍କର ଦାୟିତ୍ୱ ନାହିଁ? ସରକାର ଚାଷୀ ଆତ୍ମହତ୍ୟାକୁ ସ୍ୱୀକାର କରିବେନି?ଉଭୟ ସରକାରଙ୍କ ନୀତି ଓ କାର୍ଯ୍ୟକ୍ରମ ଲାଗି ଆଜି ଚାଷର ଏ ଅବସ୍ଥା।
ବିଜେପି ବିଧାୟକ ଦଳ ନେତା କନକ ବର୍ଧନ ସିଂହଦେଓ କହିଛନ୍ତି, ଚାଷୀ ପ୍ରସଙ୍ଗରେ କୌଣସି ଆଲୋଚନା କରିବା ଲାଗି ସରକାର ପ୍ରସ୍ତୁତ ନୁହେଁ। ଆଜି ଗୃହରେ ତାର ଝଲକ ଦେଖିବାକୁ ମିଳିଛି। ଲୋକଙ୍କ ନଜର ଏଡାଇବା ପାଇଁ ସରକାର ମହାନଦୀ କଥା କହୁଛନ୍ତି। ଗତ ୧୭ ବର୍ଷ ମଧ୍ୟରେ ସରକାର ମହାନଦୀ ପାଇଁ କଣ କରିଛନ୍ତି, ସେ ନେଇ ଶ୍ୱେତପତ୍ର ଦିଅନ୍ତୁ । କାରଣ ୨୦୧୩ ଯାଏ ସରକାର କହୁଥିଲେ, ମହାନଦୀ ଉପରେ ଯେତେ ବ୍ୟାରେଜ ହେଲେ ବି କୌଣସି ବିପଦ ନାହିଁ। ଏବେ ଓଲଟା କଥା କହୁଛନ୍ତି। ଚାଷୀ ପ୍ରସଙ୍ଗକୁ ଟାଳିବା ଲାଗି ସରକାରଙ୍କ ସବୁ ଯୋଜନା ଓ ଫିସାଦି ଓଡ଼ିଶାର ଜନସାଧାରଣ ଦେଖିପାରୁଛନ୍ତି। ଠିକଣା ସମୟରେ ଉତ୍ତର ଦେବେ।
ଅନ୍ୟପକ୍ଷରେ ସରକାରୀ ଦଳ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ କହିଥିଲେ, ଚାଷୀର ବଡ଼ ସମସ୍ୟା ହେଉଛି, ତାର ଉତ୍ପାଦନ ଉଚିତ୍ ମୂଲ୍ୟରେ ନ ମିଳିବା। କେନ୍ଦ୍ର ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରୁନଥିବାରୁ ଚାଷୀ ଉପଯୁକ୍ତ ପ୍ରାପ୍ୟ ପାଇପାରୁନାହିଁ। ତେଣୁ କ୍ୱିଣ୍ଟାଲ ପିଛା ୨୯୩୦ ଟଙ୍କା କରିବା ଲାଗି ଦାବି କରାଯାଇଥିଲା। ସଭ୍ୟମାନେ ଗୃହରେ ଦାବି ରଖିଥିଲେ ଓ ବିଜେଡି ଗାନ୍ଧିମୂର୍ତି ତଲେ ପ୍ରତିବାଦ ପ୍ରଦର୍ଶନ କରିଥିଲା। ଶ୍ରୀ ଶତପଥୀ କହିଥିଲେ, ବିଧାନସଭାରେ ସବୁ ବିଷୟ ଆଲୋଚନା ହେବାର ଆବଶ୍ୟକତା ଅଛି। ହେଲେ ଗୃହ ଚାଲିଲେ ସବୁ କଥା ଉଠିପାରିବ। ବିରୋଧୀ ଦଳ ଗୃହ ଚଳାଇ ଦେଉନାହାନ୍ତି। ଆଜି ଉଭୟ କଂଗ୍ରେସ ଓ ବିଜେପି ଯେଭଳି ଗୃହର ମଧ୍ୟଭାଗକୁ ପଶିଆସିଲେ, ପଚା ଧାନକେଣ୍ଡା ପିଙ୍ଗିଲେ, ତାହା ଆଦୌ ଶୋଭନୀୟ ନୁହେଁ। ବିରୋଧୀଙ୍କ ହଟ୍ଟଗୋଳ ଲାଗି ହିଁ ଗୃହ ଚାଲିପାରିଲାନି।
ଚାଷ ଝଡ଼ରେ ଉଡ଼ିଗଲା ଗୃହ କାର୍ଯ୍ୟ
ଭୁବନେଶ୍ୱର : କିଛି ଦିନ ହେଲା ରାଜ୍ୟ ରାଜନୀତିର ମୁଖ୍ୟ ପ୍ରସଙ୍ଗ ପାଲଟିଥିବା ‘ଚାଷ’ ଆଜି ସିଧା ବିଧାନସଭା ଭିତରେ ଝଡ଼ ସୃଷ୍ଟି କରିଥିଲା। ଏହି ଝଡ଼ର ପ୍ରକୋପ ଏମିତି ଥିଲା ଯେ ଶୀତ ଅଧିବେଶନର ପ୍ରଥମ ଦିନ ଉଡ଼ି ଯାଇଥିଲା। ବିଜେପି ଓ କଂଗ୍ରେସର ପଚା ଓ ଗଜା ହୋଇଥିବା ଧାନକେଣ୍ଡା ବ୍ୟାନର୍ ଓ ବିଜେଡିର ନାରାବାଜିରେ କମ୍ପିଥିଲା ଗୃହ। ପ୍ରଥମାର୍ଦ୍ଧରେ ତିନିଟି ପର୍ଯ୍ୟାୟରେ ଗୃହ ଚାଲିଥିଲା ମାତ୍ର ୧୧ ମିନିଟ୍। ଅପରାହ୍ନରେ ଗୃହ ଚଳାଇବାକୁ ଆଦୌ ଉଦ୍ୟମ ବି ହୋଇ ନ ଥିଲା।
ଆଜି ଅଧିବେଶନର ପ୍ରଥମ ଦିନ ହୋଇଥିବାରୁ ପୂର୍ବାହ୍ନ ୧୧ଟାରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା। ଜାତୀୟ ସଙ୍ଗୀତ ଗାନ ପରେ ଦୁଇ ଜଣ ଦିବଂଗତ ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ସେମାନେ ହେଲେ ପୂର୍ବତନ ମନ୍ତ୍ରୀ ମୂରଲୀଧର ଗୁରୁ ଓ ପୂର୍ବତନ ବିଧାୟକ ସମୟ କିସୁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରସ୍ତାବ ଆଗତ କରି ଉଭୟଙ୍କ ସ୍ମୃତିଚାରଣ କରିଥିଲେ। ବିରୋଧୀ ଦଳ ନେତା ନରସିଂହ ମିଶ୍ର ଓ ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ ଶୋକପ୍ରକାଶ କଲା ବାଚସ୍ପତି ପ୍ରଦୀପ ଅମାତ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଏହା ପରେ ଏକ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା।
ଶୋକ ଆଲୋଚନା ସରିଲା ୧୧ଟା ୮ରେ। ସଙ୍ଗେ ସଙ୍ଗେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଠିଆ ହେଲେ କିଛି କହିବା ପାଇଁ। କିନ୍ତୁ ବାଚସ୍ପତି ତାଙ୍କୁ ସୁଯୋଗ ନ ଦେଇ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଘୋଷଣା କଲେ। କଂଗ୍ରେସ ସଭ୍ୟମାନେ ପୂର୍ବ ପ୍ରସ୍ତୁତି ଅନୁଯାୟୀ ବେକରେ ବ୍ୟାନର୍ ଗଳେଇ ନାରାବାଜି ଆରମ୍ଭ କଲେ। ବ୍ୟାନର୍ରେ ଚାଷ ଓ ଚାଷୀଙ୍କ ଦୁରାବସ୍ଥା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଦାୟୀ କରି ସ୍ଲୋଗାନ୍ ଲେଖାଯାଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଟୁନ ଥିଲା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ବି। ଆଜି କଂଗ୍ରେସ ପକ୍ଷରୁ ଅଣାଯାଇଥିବା ମୋସନ ‘ବ୍ୟାପକ ସମସ୍ୟା ଭିତରେ ରାଜ୍ୟର ଚାଷୀ ଏବଂ ଏଥି ପ୍ରତି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅଣଦେଖା’ କାହିଁକି ଆଲୋଚନା ପାଇଁ ଗ୍ରହଣ କରାଗଲା ନାହିଁ ବୋଲି ବିଧାୟକମାନେ ପ୍ରଶ୍ନ କରିଥିଲେ। କଂଗ୍ରେସ ସଭ୍ୟମାନେ ଗୃହ ମଧ୍ୟଭାଗକୁ ମାଡ଼ି ଆସି ନାରାବାଜି କରିଥିଲେ। ଏ ନେଇ ମୁଲତବୀ ପ୍ରସ୍ତାବ ବି ଦିଆଯାଇଥିଲା।
ବିଜେପି ସଭ୍ୟମାନେ ବି ଆବଶ୍ୟକ ପ୍ରସ୍ତୁତି ସହ ଗୃହ ଭିତରକୁ ଆସିଥିଲେ। ଧାନକେଣ୍ଡା ଧରି ସେମାନେ ବି ମଧ୍ୟ ଭାଗକୁ ମାଡ଼ି ଆସିଲେ। ଚାଷ ଓ ଚାଷୀଙ୍କୁ ରାଜ୍ୟ ସରକାର ଅବହେଳା କରୁଛନ୍ତି ବୋଲି ଅଭିଯୋଗ କରି ସ୍ଲୋଗାନ୍ ଦେଇଥିଲେ। ତାପରେ ବିରୋଧୀ ସଭ୍ୟମାନେ ପଚା ଧାନକେଣ୍ଡା ଫିଙ୍ଗିଥିଲେ ବାଚସ୍ପତିଙ୍କ ପୋଡିୟମ୍ ଉପରକୁ। ଚାଷ ପ୍ରସଙ୍ଗରେ ବିଜେଡି ମଧ୍ୟ ଆଗୁଆ ରଣନୀତି ପ୍ରସ୍ତୁତ କରିଥିଲା। ବିଜେପି ଓ କଂଗ୍ରେସ ଗୃହ ମଧ୍ୟ ଭାଗରେ ସେମାନଙ୍କ ବିରୋଧ ପ୍ରଦର୍ଶନ କରୁଥିଲା ବେଳେ ଶାସକ ଦଳ ସଭ୍ୟମାନେ ନିଜ ନିଜ ଆସନରେ ଠିଆ ହୋଇ କେନ୍ଦ୍ର ବିରୋଧୀ ନାରା ଲଗାଇଥିଲେ। ଧାନର ଏମ୍ଏସ୍ପି ବୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କୁ ଦାୟୀ କରି ସେମାନେ ବି ଚିତ୍କାର କରିଥିଲେ।
ଏମିତି ହୋ ହଲ୍ଲା ଭିତରେ ୧୧ଟା ୯ରେ ବାଚସ୍ପତି ଗୃହକୁ ଏକ ଘଣ୍ଟା ପାଇଁ ମୁଲତବୀ ରଖିଥିଲେ। ଏହା ପରେ ବିଜେଡି ସଭ୍ୟମାନେ ବିଧାନସଭା ପରିସରରେ ଥିବା ଗାନ୍ଧୀ ମୂର୍ତ୍ତି ତଳକୁ ଆସି କେନ୍ଦ୍ର ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
୧୨ଟା ୯ରେ ଗୃହ କାର୍ଯ୍ୟ ଆରମ୍ଭ ହେଲା ମାତ୍ରେ ସମାନ ଦୃଶ୍ୟ ଦେଖିବାକୁ ମିଳିଥିଲା। ମଧ୍ୟ ଭାଗରେ ବିଜେପି ଓ କଂଗ୍ରେସ ସଭ୍ୟ ଏବଂ ଆସନରେ ଠିଆ ହୋଇ ବିଜେଡି ସଭ୍ୟଙ୍କ ନାରାବାଜି ଚାଲିଲା। ଏହି ସମୟରେ ବିଧାନସଭା ସଚିବ ରାଜ୍ୟପାଳଙ୍କ ଅନୁମୋଦନ ପାଇଥିବା ବିଲ୍ଗୁଡ଼ିକ ଗୃହରେ ଉପସ୍ଥାପନ କରିଥିଲେ। ଗୃହରେ ଏପରି ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହୋଇଥିଲା ଯେ ୧୨ଟା ୧୧ରେ ଅଧ ଘଣ୍ଟା ପାଇଁ ଗୃହକୁ ମୁଲତବୀ ରଖାଗଲା। ଅଧଘଣ୍ଟା ପରେ ଗୃହ କାର୍ଯ୍ୟ ଆରମ୍ଭ ହେଲା ମାତ୍ରେ ବାଚସ୍ପତି ଗୃହକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ।