ତାତିଲେ ନରସିଂହ, ଦାମ ନରମିଲେ

କୃଷି, ସମବାୟ ବିଭାଗର ଖର୍ଚଦାବି ଗୃହୀତ

ଭୁବନେଶ୍ୱର : ଆଜି ସନ୍ଧ୍ୟାରେ ଗୃହରେ ଉପସ୍ଥାପିତ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ଏବଂ ସମବାୟ ବିଭାଗର ଖର୍ଚଦାବି ଆଲୋଚନା ପରେ ଗୃହୀତ ହୋଇଛି। କୃଷି ବିଭାଗର ୧୫ କୋଟି ୧୫ ଲକ୍ଷ ୬୫ ହଜାର ଟଙ୍କାର ଖର୍ଚ ଦାବି ଗୃହୀତ ହୋଇଥିବା ବେଳେ ସମବାୟ ବିଭାଗର ୪ କୋଟି ୫୭ ଲକ୍ଷ ୨୪ ହଜାର ଟଙ୍କାର ଖର୍ଚ ଦାବି ଗୃହୀତ ହୋଇଛି। ଆଲୋଚନାରେ କୃଷି ଏବଂ କୃଷକଙ୍କ ପ୍ରସଙ୍ଗ ସମ୍ବନ୍ଧରେ ବିଭାଗୀୟ ମନ୍ତ୍ରୀଙ୍କୁ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଠୋ ଠୋ ପଚାରିଥିଲେ। ଠୋସ୍‌ ଉତ୍ତର ଦାବି କରିଥିଲେ। କିନ୍ତୁ କୃଷି ମନ୍ତ୍ରୀ ଡା. ଦାମୋଦର ରାଉତ ସେସବୁର ସିଧାସଳଖ ଉତ୍ତର ଦେଇନଥିଲେ ବି ଅପେକ୍ଷାକୃତ ନରମ ଆଚରଣ ପ୍ରଦର୍ଶନ କରି ଗୁରୁତର ପ୍ରସଙ୍ଗଗୁଡ଼ିକୁ ପ୍ରଶମିତ କରିବାରେ ସଫଳ ହୋଇଥିଲେ।

ଆରମ୍ଭରୁ ଆକ୍ରମଣ ମୁଦ୍ରାରେ ବିରୋଧୀ ଦଳ ନେତା ଶ୍ରୀ ମିଶ୍ର କୃଷିମନ୍ତ୍ରୀଙ୍କଠାରୁ ଜାଣିବାକୁ ଚାହିଁଥିଲେ ୨୦୧୪ ନିର୍ବାଚନ ଇସ୍ତାହାରରେ ବିଜେଡି ସରକାର କେବିକେରେ ଦ୍ୱିତୀୟ କୃଷି ବିଶ୍ୱବିଦ୍ୟାଳୟ ସ୍ଥାପନ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ବିଦେଶୀ ବ୍ୟାଙ୍କରୁ ପ୍ରତ୍ୟେକ ଭାରତୀୟଙ୍କ ପକେଟକୁ ୧୫ ଲକ୍ଷ ଟଙ୍କା ଆସିବା ନେଇ ଯେଉଁ ପ୍ରତିଶ୍ରୁତି ଦିଆଯାଇଥିଲା, ତାକୁ ଜୁମ୍‌ଲା ବୋଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ କହିଲେ। ଏହି ପ୍ରତିଶ୍ରୁତି କ’ଣ ବିଜେଡି ସରକାରଙ୍କ ଜୁମ୍‌ଲା? ଚାଷୀଙ୍କୁ ପେନ୍‌ସନ୍‌, କେନ୍ଦ୍ର ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ନଦେଲେ ରାଜ୍ୟ ସରକାର କ୍ୱିଣ୍ଟାଲ୍‌ ପିଛା ୨୩୪୪ ଟଙ୍କା ଦେବେ କି? କୃଷିକୁ ଶିଳ୍ପର ମାନ୍ୟତା ଦିଆଯାଇଛି। ବିଜେଡିର ଜଣେ ସାଂସଦଙ୍କୁ ଯେପରି ବିଦ୍ୟୁତ୍‌ ବିଲ୍‌ ବକେୟା ୩୧୪ କୋଟି ଛାଡ଼ କରାଯାଇଛି, ସେହିପରି ଚାଷୀଙ୍କୁ ସେଭିଳି ସୁବିଧା ଦେବେ କି? ସରକାର ପ୍ରତ୍ୟେକ ବ୍ଲକକୁ ୩୫% ଜମିକୁ ଜଳସେଚନ କରାଯିବ କହି ଚାଷୀଙ୍କୁ ପ୍ରତାରିତ କରିଛନ୍ତି। ଏଥିପାଇଁ ଭୁଲ ମାଗି ଦୋଷ ସ୍ୱୀକାର କରନ୍ତୁ।

କୃଷିମନ୍ତ୍ରୀ ଡା. ରାଉତ କହିଥିଲେ ଯେ ବଲାଙ୍ଗୀରରେ ୨ୟ କୃଷି ବିଶ୍ୱବିଦ୍ୟାଳୟ ସ୍ଥାପନର ଯଥାର୍ଥତା ରହିଛି। କିନ୍ତୁ ସେ ନେଇ ଠୋସ୍‌ ଉତ୍ତର ଦେବାକୁ ମନା କରିଦେଇଥିଲେ। ବରଗଡ଼ ଚାଷୀ ବୃନ୍ଦା କାହିଁକି ଆତ୍ମହତ୍ୟା କଲେ ସେ ନେଇ ପ୍ରଶାସନ ପକ୍ଷରୁ ତଦନ୍ତ ଚାଲିଥିବା ବେଳେ କେନ୍ଦ୍ର ମନ୍ତ୍ରୀ ତାଙ୍କ ଘରେ ପହଞ୍ଚି ତଦନ୍ତକୁ ବାଟବଣା କରିଥିବା ସେ କହିଥିଲେ। ଚାଷୀଙ୍କୁ ହଇରାଣରେ ପକାଇ ରାଜନୀତି କରିବା ଭଗବାନ ତାଙ୍କୁ ଶିଖାଇ ନାହାନ୍ତି। ସରକାରୀ ରିପୋର୍ଟରେ ତାଙ୍କର ଭରସା ନାହିଁ। ତଥାପି ରାଜ୍ୟ ଧାନ ଉତ୍ପାଦନ ହେଉ ବା ଅନ୍ୟାନ୍ୟ କ୍ଷେତ୍ରରେ ଯେଉଁଭଳି ବିକାଶ କରିଛି ତାକୁ ଅସ୍ୱୀକାର କରିବା ଠିକ୍‌ ହେଉନାହିଁ ବୋଲି ଡା. ରାଉତ ବିଭିନ୍ନ ଉଦାହରଣ ଦେଇ ଦର୍ଶାଇଥିଲେ।

ସମବାୟ ବିଭାଗର ଖର୍ଚଦାବି ଆଲୋଚନାରେ ଭାଗ ନେଇ ବିଭାଗୀୟ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର କହିଥିଲେ ଯେ ଭାଗଚାଷୀଙ୍କୁ ଋଣ ଦେବା ପାଇଁ ବ୍ୟବସ୍ଥା କରାଯାଇଛି। ସମବାୟ ବ୍ୟାଙ୍କ ବର୍ଷକୁ ପ୍ରାୟ ୧୨ ହଜାର କୋଟି ଟଙ୍କାର ଋଣ ଦେଇଥାଏ। କାଗଜପତ୍ରରେ ଋଣ କାରବାର ପ୍ରସଙ୍ଗକୁ ସେ ଏଡ଼ାଇଯାଇଥିଲେ। ଉଭୟ ବିଭାଗର ଆଲୋଚନାରେ ଭାଗ ନେଇ କଂଗ୍ରେସ ବିଧାୟକ ନବକିଶୋର ଦାସ, ବିଜେପି ବିଧାୟକ କନକ ବର୍ଦ୍ଧନ ସିଂହଦେଓ, ପ୍ରଦୀପ ପୁରୋହିତ, ବସନ୍ତ ପଣ୍ଡା, ରବି ନାୟକ, ବିଧାୟିକା ରାଧାରାଣୀ ପଣ୍ଡା, ବିଜେଡି ବିଧାୟକ ରୋହିତ ପୂଜାରୀ, ଡା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ପ୍ରମିଳା ମଲ୍ଲିକ, ବେଦପ୍ରକାଶ ଅଗ୍ରଓ୍ଵାଲ୍‌, ସଞ୍ଜିବ ସାହୁ ପ୍ରମୁଖ ପରସ୍ପର ବିରୋଧୀ ଯୁକ୍ତି ବାଢ଼ିଥିଲେ।

ସମ୍ବନ୍ଧିତ ଖବର