ବିରୋଧୀଙ୍କ ବିନା ପାରିତ ହେଲା ୭ଟି ବିଲ୍‌

ଏଣିକି ଓଡ଼ିଆ ସରକାରୀ ଭାଷା; ଦଣ୍ଡବିଧାନ ଦ୍ୱନ୍ଦ୍ୱ ହଟିଲା, ରଦ୍ଦ ହେଲା ୧୯୨୦ର ବିହାର ଓ ଓଡ଼ିଶା ତୀର୍ଥ ସ୍ଥାନ ଆଇନ

ଭୁବନେଶ୍ୱର : ପୁରୀରେ ଅନୁଷ୍ଠିତ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର କ୍ୟାବିନେଟ୍‌ରେ ଓଡ଼ିଶା ସରକାରୀ ଭାଷା ବ୍ୟବହାର ନେଇ ଭିତ୍ତିସ୍ଥାପନ ହୋଇଥିଲା। ତଥାପି କିପରି ଏହାକୁ କାର୍ଯ୍ୟକାରୀ ହେବ ଏବଂ କାହା ବିରୁଦ୍ଧରେ ଦଣ୍ଡବିଧାନ କରାଯିବ ସେ ନେଇ ଦ୍ୱନ୍ଦ୍ୱ ଲାଗି ରହିଥିଲା। ଗତ ୭ ତାରିଖରେ ରାଜ୍ୟ ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୬୧ତମ କ୍ୟାବିନେଟ୍‌ରେ ସେହି ଦ୍ୱନ୍ଦ୍ୱ ଦୂର ପାଇଁ ସରକାର ଆବଶ୍ୟକ ନିଷ୍ପତ୍ତିି ନେଲେ। ତଦନୁଯାୟୀ ଆଜି ବିଧାନସଭାରେ ଆଗତ ହୋଇଥିବା ଓଡ଼ିଶା ସରକାରୀ ଭାଷା(ଦ୍ୱିତୀୟ ସଂଶୋଧନ) ବିଲ୍‌ ୨୦୧୮ ପାରିତ ହୋଇଛି। ଏହାଦ୍ୱାରା ଉପୁଜିଥିବା ଦ୍ୱନ୍ଦ୍ୱ ଦୂର ହୋଇଛି। ଏଣିକି ଓଡ଼ିଆକୁ ସରକାରୀ ଭାଷା ରୂପେ ବୈଧାନିକ ସ୍ୱୀକୃତି ମିଳିଛି। ଏହା ସହିତ ଏହି ଭାଷାର ବହୁଳ ବ୍ୟବହାର କରୁଥିବା ବିଭାଗୀୟ କର୍ମଚାରୀଙ୍କୁ ପୁରସ୍କାର ଓ ଖିଲାପକାରୀଙ୍କ ବିରୁଦ୍ଧରେ ଦଣ୍ଡବିଧାନ କରାଯିବ ବୋଲି ସ୍ପଷ୍ଟ କରାଯାଇଛି।

ଆଜି ଅପରାହ୍ଣରେ ଗୃହରେ ବିରୋଧୀ କଂଗ୍ରେସ ଓ ବିଜେପି ସଦସ୍ୟମାନଙ୍କ ଅନୁପସ୍ଥିତିରେ ଓଡ଼ିଶା ସରକାରୀ ଭାଷା ସଂଶୋଧନ ବିଲ୍‌ ସମେତ ୭ଟି ବିଲ୍‌ ପାରିତ ହୋଇଛି। ଚଳିତ ମୌସୁମୀକାଳୀନ ଅଧିବେଶନରେ ଦୁଇଘଣ୍ଟା ମଧ୍ୟରେ ୭ଟି ଗୁରୁତ୍ୱପୂର୍ଣ୍ଣ ବିଲ୍‌ ପାସ୍‌ ହେବା ସମସ୍ତଙ୍କ ପାଇଁ ବିସ୍ମୟକର ଘଟଣା ଥିଲା। ସେ ଯାହାହେଉ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତରଫରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଓଡ଼ିଶା ସରକାରୀ ଭାଷା ସଂଶୋଧନ ବିଲ୍‌ ଆଗତ କରିଥିଲେ। ପ୍ରାରମ୍ଭିକ ସୂଚନା ଦେଇ ମନ୍ତ୍ରୀ କହିଲେ ଯେ ଓଡ଼ିଶା ସରକାରୀ ଭାଷା ବିଲ୍‌, ୧୯୫୪ର ଧାରା ୪ କ’ର ସଂଶୋଧନ ଅନୁସାରେ ‘ଭାଷା’ର ଶବ୍ଦ ବଦଳରେ ‘ଭାଷା ରୂପେ ଓଡ଼ିଆର’ ଏବଂ ‘ବିଭାଗମାନଙ୍କୁ’ ଶବ୍ଦ ପରେ ‘ଦଣ୍ଡବିଧାନ’ ପୂର୍ବରୁ ‘ବା ଉଭୟଙ୍କୁ’ ଶବ୍ଦଗୁଡ଼ିକ ରଖାଯିବ। ବିଶେଷ କରି ସଂଶୋଧନ ପରେ ଇଂରାଜୀ ଭାଷାର ବ୍ୟବସ୍ଥା ଚାଲୁ ରହିଥିବା ଓ କର୍ମଚାରୀଙ୍କୁ ଦଣ୍ଡବିଧାନ ନେଇ ରହିଥିବା ଦ୍ୱନ୍ଦ୍ୱ ଦୂର ହୋଇପାରିବ।

ସରକାରୀ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ କହିଲେ ଯେ ୧୯୫୪ ଓଡ଼ିଶା ସରକାରୀ ଭାଷା ଆଇନ ପ୍ରଣୟନ ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଭୂମିକା ସ୍ମରଣୀୟ। ତେବେ ଏହି ଆଇନର ନିୟମାବଳୀ ପ୍ରଣୟନ ହୋଇନଥିବାରୁ ଓଡ଼ିଆ ଭାଷାର ବହୁଳ ବ୍ୟବହାର ହୋଇପାରିନାହିଁ। ତେବେ ଏହାର ସଂଶୋଧନ ପରେ ଓଡ଼ିଆ ଭାଷା ସରକାରୀ ଭାଷା ରୂପେ ସ୍ୱୀକୃତି ପାଇଛି। ଏହି ସରକାରୀ ଭାଷାର ବ୍ୟବହାର କରୁନଥିବା କର୍ମଚାରୀଙ୍କ ବିରୁଦ୍ଧରେ ଦଣ୍ଡବିଧାନ ବ୍ୟବସ୍ଥା ସ୍ପଷ୍ଟ ହୋଇଛି। ସେହିପରି ବରିଷ୍ଠ ବିଧାୟକ ଡା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଏହି ସଂଶୋଧନ ପ୍ରସ୍ତାବକୁ ସମର୍ଥନ କରିଥିଲେ।

ସମବାୟ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଓଡ଼ିଶା ସମବାୟ ସମିତି(ସଂଶୋଧନ) ବିଲ୍‌ ୨୦୧୮ ଆଗତ କରି କହିଲେ ଯେ ଏହି ସଂଶୋଧନ ଯୋଗୁଁ କିଛି ନିର୍ଦିଷ୍ଟ ସଂସ୍ଥା ଓ ବ୍ୟକ୍ତିବିଶେଷଙ୍କୁ ନାମମାତ୍ର ସଦସ୍ୟ ରୂପେ ଗ୍ରହଣ କରିହେବ। ବିଲ୍‌ରେ କୃଷକ ସେବା ସମବାୟ ସମିତି ଏବଂ ଋଣ ବ୍ୟବସାୟ କରିଥିବା ସମିତିି ଶବ୍ଦଗୁଡ଼ିକ ସ୍ଥାନିତ ହେବ। ୧୯୨୦ ମସିହାରେ ପ୍ରଣୟନ ହୋଇଥିବା ବିହାର ଓ ଓଡ଼ିଶା ତୀର୍ଥ ସ୍ଥାନ (ଓଡ଼ିଶା) ଆଇନ ପ୍ରାସଙ୍ଗିକତା ହରାଇଥିବାରୁ ଏ ନେଇ ସଂଶୋଧନ ବିଲ୍‌ ଆଗତ କରାଯାଇଥିଲା। ଏହା ପାରିତ ହେବା ଦ୍ୱାରା ପୁରୁଣା ଆଇନ ରଦ୍ଦ ହୋଇଯାଇଥିବା ମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଥିଲେ।

ଓଡ଼ିଶା ହିନ୍ଦୁ ଦେବୋତ୍ତର(ସଂଶୋଧନ) ବିଲ୍‌ ୨୦୧୮ ଜରିଆରେ ହିନ୍ଦୁ ଧର୍ମାନୁଷ୍ଠାନଗୁଡ଼ିକର ସୁପରିଚାଳନା ପାଇଁ ସହକାରୀ କମିସନର/ଉପ କମିସନର ପରିକଳ୍ପନାଗୁଡ଼ିକୁ ପ୍ରସ୍ତୁତ କରି କମିସନରଙ୍କ ଯୋଗେ ସରକାରଙ୍କୁ ଦେବେ। ଏହି ବିଲ୍‌ ଆଗତ କରିଥିଲେ ଆଇନ ମନ୍ତ୍ରୀଙ୍କ ତରଫରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ। ଏହାକୁ ସମର୍ଥନ କରିଥିଲେ ସରକାରୀ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ। ଏହାବ୍ୟତୀତ, ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଓଡ଼ିଶା ଦ୍ରବ୍ୟ ଓ ସେବାକର(ସଂଶୋଧନ) ବିଲ୍‌ ୨୦୧୮ ଓ ଓଡ଼ିଶା ମୂଲ୍ୟଯୁକ୍ତ କର(ସଂଶୋଧନ) ବିଲ୍‌ ୨୦୧୮ ଆଗତ କରିଥିଲେ। ଦଳୀୟ ବିଧାୟକ ବେଦପ୍ରକାଶ ଅଗ୍ରଓ୍ଵାଲା, ଡା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ପ୍ରଭାତ ରଂଜନ ବିଶ୍ୱାଳ ପ୍ରମୁଖ ବିଲ୍‌ଗୁଡ଼ିକୁ ସମର୍ଥନ କରିଥିଲେ।

ସମ୍ବନ୍ଧିତ ଖବର