ପଞ୍ଚାୟତିରାଜ ବିଭାଗର ୩୧୨୬.୭୪ କୋଟିର ଖର୍ଚଦାବି ପାସ୍‌

କେନ୍ଦ୍ର-ରାଜ୍ୟ ମଧ୍ୟରେ ସ୍ଲୋଗାନର ପ୍ରତିଯୋଗିତା: ବିରୋଧୀ, ତାଙ୍କ ବିଭାଗରେ ଦଳୀୟ ଭିତ୍ତିରେ କାମ ହେଉନି: ମହାରଥୀ

ଭୁବନେଶ୍ୱର : ବିକାଶ ଆଳରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସ୍ଲୋଗାନର ପ୍ରତିଯୋଗିତା ଚାଲିଛି। ମୋଦୀ ସରକାର ‘ସବ୍‌କା ସାଥ୍‌ ସବ୍‌କା ବିକାଶ’ ସ୍ଲୋଗାନ ଦେଇଥିବା ବେଳେ ନବୀନ ସରକାରଙ୍କ ‘ଆମ ଗାଁ ଆମ ବିକାଶ’ ଯୋଜନାର ସ୍ଲୋଗାନ ଦେଇଛନ୍ତି। ବାସ୍ତବରେ ଏହା ଲୋକଙ୍କ ହିତରେ ବିକାଶ ପାଇଁ ନୁହେଁ, ବିନାଶ ନିମନ୍ତେ ଦର୍ଶାଇ ଉଭୟ ସରକାରଙ୍କ ବିରୁଦ୍ଧରେ ବର୍ଷିଛନ୍ତିି ବିରୋଧୀ। ଆଜି ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ଅତିରିକ୍ତ ଖର୍ଚଦାବି ଉପରେ ଆଲୋଚନା କରି ସରକାରଙ୍କ ବିରୁଦ୍ଧରେ ଏଭଳି ବୟାନବାଜି କରିଛନ୍ତି କଂଗ୍ରେସ ବିଧାୟକମାନେ। ଏହାର ଜବାବରେ ଶାସକ ଦଳ ବିଧାୟକମାନେ ଏହି କାର୍ଯ୍ୟକ୍ରମ ଜରିଆରେ ଗାଁଗହଳିର ଅନେକ ସମସ୍ୟାର ସମାଧାନ ହେଉଥିବା କହିିଛନ୍ତି।

ଆଜି ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ପ୍ରଦୀପ ମହାରଥୀ ବିଭାଗର ୩୧୨୬ କୋଟି ୭୪ ଲକ୍ଷ ୩୭ ହଜାର ଟଙ୍କାର ଅତିରିକ୍ତ ଖର୍ଚଦାବି ଉପସ୍ଥାପନ କରିଥିଲେ। ଏହା ଉପରେ ଆଲୋଚନା ଆରମ୍ଭ କରି କଂଗ୍ରେସର ଆଳି ବିଧାୟକ ଦେବେନ୍ଦ୍ର ଶର୍ମା କହିଲେ ଯେ ରାଜ୍ୟ ସରକାର ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ଏପରି ଚଳାଇଛନ୍ତିି ଯେ ପଲ୍ଲୀସଭା ବ୍ୟବସ୍ଥା ସମୂଳେ ଉଚ୍ଛେଦ ହୋଇଯାଇଛି। ଦଳୀୟ ଭିତ୍ତିରେ କାମ କରାଯାଉଛି। ବିଜୁବାବୁ କହିଥିଲେ ସରପଞ୍ଚ ହେଉଛନ୍ତିି ଗ୍ରାମାଞ୍ଚଳର ମୁଖ୍ୟମନ୍ତ୍ରୀ। କିନ୍ତୁ ନବୀନବାବୁ ନିଜେ ସରପଞ୍ଚ ହୋଇ କାମ ବଣ୍ଟନ କରୁଛନ୍ତି। ଗୋଟିଏ ଗ୍ରାମରେ ୬ଟି କମ୍ୟୁନିଟି ସେଣ୍ଟର ଖୋଲାଯାଇଛି। ଆବାସ ଯୋଜନାରେ ଜଣେ ଜଣେ ହିତାଧିକାରୀଙ୍କୁ ଏକାଧିକ ଘର ବଣ୍ଟନ କରାଯାଇଥିବା ଅଭିଯୋଗ କରିଥିଲେ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଜୁ ପକ୍କାଘର ଯୋଜନା ଭଳି ସମାନ ପ୍ରକାରର ଯୋଜନାରେ କେତେ ଘର ନିର୍ମାଣ ହୋଇଛି ସେ ନେଇ କାହାରି ତଥ୍ୟ ମେଳ ଖାଉନାହିଁ। ତାଙ୍କ ନିକଟରେ ମନ୍ତ୍ରୀ ନିଜର ଅସହାୟତା ପ୍ରକାଶ କରିଥିବା ବିଧାୟକ ଶ୍ରୀ ଶର୍ମା କହିଥିଲେ।

ପଞ୍ଚାୟତିରାଜ ବିଭାଗ ଦୁର୍ନୀତିର ଗନ୍ତାଘର ଦର୍ଶାଇ ସେ କହିଲେ, ଟଙ୍କା ଦେଲେ ଘର ମିଳୁଛି। ସେହିପରି ଗୋପବନ୍ଧୁ ଗ୍ରାମୀଣ ଯୋଜନା, ପାଇଖାନା, ମନ୍‌ରେଗା ଆଦି ଯୋଜନାରେ ଦୁର୍ନୀତି ଭରିଯାଇଛି। ଯଦି ସେ ଆଣିଥିବା ଅଭିଯୋଗ ମିଥ୍ୟା ପ୍ରମାଣିତ ହୁଏ ସେ ରାଜନୀତିରୁ ସନ୍ନ୍ୟାସ ନେବେ ବୋଲି କହିଥିଲେ। ରାଜ୍ୟରେ ପଞ୍ଚାୟତିରାଜର ପ୍ରବର୍ତକ ବିଜୁ ପଟ୍ଟନାୟକଙ୍କ ସ୍ୱପ୍ନକୁ ବିଜେଡି ଧ୍ୱଂସ କରିଦେଇଥିବା ଅଭିଯୋଗ କରିଥିଲେ ବିଜେପି ବିଧାୟକ ରବି ନାୟକ। ସେ କହିଲେ, ରାଜ୍ୟରେ ପେସା ଆଇନ କାର୍ଯ୍ୟକାରୀ କରାନଯିବା ଫଳରେ ୨୨ ପ୍ରତିଶତ ଆଦିବାସୀ ଅଧିକାର ସାବ୍ୟସ୍ତ କରିବାରୁ ବଞ୍ଚିତ। ପଟ୍ଟାମୁଣ୍ଡାଇ-ରାଜନଗର ବିଧାୟକ ଅଂଶୁମାନ ମହାନ୍ତି ଅଭିଯୋଗ କରିଥିଲେ, କେନ୍ଦ୍ରାପଡ଼ା ଜିଲ୍ଲାରେ ଦୁର୍ନୀତି ଅଭିଯୋଗର ତଦନ୍ତ ନ କରି ବିଭାଗ ଚୁପ୍‌ ବସିଛି। ସେହିପରି ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି ବୋରିଗୁମ୍ମା ବ୍ଲକ ଦୁର୍ନୀତି କଥା ଉଠାଇଥିବା ବେଳେ ବିଜେପି ବିଧାୟକ ଦଳ ନେତା କନକ ବର୍ଧନ ସିଂହଦେଓ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ବିରୋଧୀ ବିଧାୟକଙ୍କୁ ନ ଡାକିବା ପାଇଁ ନିର୍ଦେଶ ଦିଆଯାଇଛି କି ବୋଲି ପଚାରିଥିଲେ।

ଶାସକ ଦଳ ବିଧାୟକ ପଦ୍ମନାଭ ବେହେରା, ସମୀର ରଂଜନ ଦାଶ, ମହେଶ ସାହୁ, ସଞ୍ଜୀବ ସାହୁ ଓ ସ୍ୱାଧୀନ ସଭ୍ୟ ସନାତନ ମହାକୁଡ଼ କହିଥିଲେ, ପଞ୍ଚାୟତିରାଜ ବିଭାଗର ବିଭିନ୍ନ ଯୋଜନା ଜରିଆରେ ଗରିବ ଲୋକଙ୍କ ନିକଟରେ ସୁଫଳ ପହଞ୍ଚୁଛି। ଶେଷରେ ମନ୍ତ୍ରୀ ନିଜ ବିଭାଗର ବିଭିନ୍ନ ସଫଳତା ବଖାଣିଥିଲେ। ବିରୋଧୀଙ୍କ ଅଭିଯୋଗ ସଂପର୍କରେ ସେ କହିଲେ ଯେ ଖୁବଶୀଘ୍ର ସେ ନିଜେ ବିଭାଗୀୟ ସଚିବଙ୍କ ସହିତ ରାଜନଗର ଯାଇ ଦୁର୍ନୀତି ଅଭିଯୋଗର ତଦନ୍ତ କରିବେ। ବୋରିଗୁମ୍ମା ବ୍ଲକରେ ୩୦ ପ୍ରତିଶତ ପିସି କାରବାର ଚାଲିଥିବା ଅଭିଯୋଗର ତଦନ୍ତ ପାଇଁ ବିଭାଗୀୟ ଅଧିକାରୀ ଶୀଘ୍ର ସେଠାକୁ ଗସ୍ତ କରିବେ। ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ଦଳୀୟ ଭିତ୍ତିରେ ଚାଲିଥିବା ଅଭିଯୋଗକୁ ସେ ଖଣ୍ଡନ କରିଥିଲେ। ପିଅନଙ୍କ ଦରମା ବୃଦ୍ଧି ପ୍ରସ୍ତାବର ବିଚାର ଖୁବଶୀଘ୍ର ଚୂଡ଼ାନ୍ତ ହେବ। ବର୍ତମାନ ସୁଦ୍ଧା ପ୍ରାୟ ୧.୫୭ ଲକ୍ଷ ନଳକୂପ ଖୋଳାଯାଇଛି। ଶେଷରେ ବିଭାଗୀୟ ଖର୍ଚଦାବିକୁ ପାରିତ କରାଯାଇଥିଲା।

ସମ୍ବନ୍ଧିତ ଖବର