ବିଧାନସଭାରେ ମହାନଦୀ ସଂକଳ୍ପ

ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବ ସର୍ବଦଳୀୟ ଗୃହ କମିଟି

ଭୁବନେଶ୍ୱର : ମହାନଦୀ ଜଳବିବାଦ ସଂପର୍କରେ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଏକ ଗୃହ କମିଟି ଗଠନ ନେଇ ପୂର୍ବରୁ ସର୍ବଦଳୀୟ କମିଟି ବୈଠକରେ ନିଷ୍ପତ୍ତି ହୋଇଥିଲା। ଆଜି ଗୃହରେ ଆଉ ଏକ ମୋସନ ଅଣାଯାଇ ଦୀର୍ଘ ୪ଘଣ୍ଟାରୁ ଅଧିକ ସମୟ ଧରି ତର୍ଜମା କରାଯାଇଥିଲା ଓ ପରେ ସର୍ବସମ୍ମତ ସଂକଳ୍ପ ପାରିତ ହୋଇଛି ଯେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସବୁ ଦଳର ବିଧାୟକଙ୍କୁ ନେଇ ଗୃହକମିଟି ଗଠନ ହେବ। ତୁରନ୍ତ ମହାନଦୀ ଟ୍ରିବ୍ୟୁନାଲ ଗଠନ ପାଇଁ ଏହି କମିଟି ପ୍ରଧାନମନ୍ତ୍ରୀଙ୍କୁ ଭେଟି ଦାବି ରଖିବ।
ମହାନଦୀ ଟ୍ରିବ୍ୟୁନାଲ ଗଠନ ନେଇ ସୁପ୍ରିମକୋର୍ଟଙ୍କ ଆଭିମୁଖ୍ୟ ପରେ କେନ୍ଦ୍ର ସରକାର ଅକଳରେ ଥିବା ବେଳେ ଆଜିର ବିଧାନସଭାର ଏ ସର୍ବସମ୍ମତ ସଂକଳ୍ପ ମାମଲାକୁ ନୂଆ ମୋଡ଼ ଦେଇଛି। ଭବିଷ୍ୟତରେ ଏହି ସଂକଳ୍ପକୁ କୋର୍ଟରେ ମଧ୍ୟ ସରକାର ଉପସ୍ଥାପନ କରିପାରନ୍ତି।

ଅନ୍ୟପକ୍ଷରେ ମହାନଦୀ ପ୍ରସଙ୍ଗରେ କେନ୍ଦ୍ର ସରକାର ଭିନ୍ନ ଆଭିମୁଖ୍ୟ ନେଲେ କିମ୍ବା ଏମ୍‌ଏସ୍‌ପି ପ୍ରସଙ୍ଗ ଭଳି ଯଦି ପ୍ରଧାନମନ୍ତ୍ରୀ ଗୃହ କମିଟିକୁ ଭେଟିବା ଲାଗି ସମୟ ନ ଦିଅନ୍ତି, ତେବେ ଏହା କେନ୍ଦ୍ର ସରକାରଙ୍କ ପାଇଁ ବୁମେରାଂ ହୋଇପାରେ। ଆଜିର ସଂକଳ୍ପ କେନ୍ଦ୍ରର ସମସ୍ୟାକୁ ଦ୍ୱିଗୁଣିତ କରିଦେଇଛି। କାରଣ ଖୋଦ୍‌ ରାଜ୍ୟ ବିଜେପି ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ରାଜ୍ୟ ସମସ୍ୟା ପାଇଁ ଲଢିବା ଲାଗି ଗୃହରେ ଆଗ୍ରହ ରଖିଥିିଲା ଓ ସର୍ବସମ୍ମତ ସଂକଳ୍ପ ପ୍ରସ୍ତାବରେ ବି ସହମତି ରଖିଛି। ଏଭଳି ପରିପ୍ରେକ୍ଷୀରେ କେନ୍ଦ୍ର ଓଡ଼ିଶା ଅଥବା ଛତିଶଗ଼ଡ଼ କାହା ପକ୍ଷ ନେବ, ତାହା ଉପରେ ରାଜନୈତିକ ମହଲର ନଜର ରହିଛି। ସରକାରୀ ଦଳର ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ ଏହି ସଂକଳ୍ପ ଗୃହରେ ଆଗତ କରିଥିଲେ ଓ ଗୃହରେ ଅଧ୍ୟକ୍ଷତା କରୁଥିବା ଉପବାଚସ୍ପତି ସାନନ୍ଦ ମାରାଣ୍ଡି ଏହା ଉପରେ ମତ ଦେଇ ପାରିତ କରିଥିଲେ।

ଅନ୍ୟପକ୍ଷରେ ଆଜି ମହାନଦୀ ପ୍ରସଙ୍ଗରେ ଆଲୋଚନାରେ ଭାଗ ନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସରକାରଙ୍କ ପକ୍ଷରୁ ମତ ରଖିଥିଲେ। ଶ୍ରୀ ଆରୁଖ କହିଥିଲେ, ମହାନଦୀ ପ୍ରସଙ୍ଗରେ ଟ୍ରିବ୍ୟୁନାଲ ଗଠନ ନେଇ କେନ୍ଦ୍ର ସରକାର ସଂସଦ ଓ ନ୍ୟାୟାଳୟରେ ଦେଇଥିବା ପ୍ରତିଶ୍ରୁତିରୁ ଓହରିଯାଇଛନ୍ତି। ଗତ ୪ ତାରିଖରେ ସରକାରଙ୍କୁ ମିଳିଥିବା ସତ୍ୟପାଠ ଏମିତି ସୂଚାଇଛି। କେବଳ ସେତିକି ନୁହେଁ, କିଛି ଅଯୌକ୍ତିକ ତଥ୍ୟ ମାଧ୍ୟମରେ ଟ୍ରିବ୍ୟୁନାଲ ଗଠନ କରିବା ପାଇଁ ନିବେଦନ କରିଛନ୍ତି।

ଶ୍ରୀ ଆରୁଖ କେନ୍ଦ୍ର ଉପରେ ଅଭିଯୋଗର ପାହ଼ାଡ଼ ଲଦି କହିଥିଲେ, ୧୯୮୩ ଚୁକ୍ତିନାମା ପତ୍ର ଅନ୍ତର୍ଭୁକ୍ତ ଏକ ଯୁଗ୍ମ ନିୟନ୍ତ୍ରଣ ବୋର୍ଡ କଥା କହି କୋର୍ଟଙ୍କୁ ବିପଥଗାମୀ କରିବା ସହିତ ସମସ୍ତଙ୍କୁ ବିଭ୍ରାନ୍ତ କରିଛନ୍ତି। ନଚେତ କେନ୍ଦ୍ର ମନ୍ତ୍ରାଳୟର ବରିଷ୍ଠ ଅଫିସରମାନଙ୍କ ଦ୍ୱାରା ଚୁକ୍ତିନାମାର ଏହି ସରଳ ବାକ୍ୟ କିପରି ବୁଝାପଡିଲା ନାହିଁ? ଓ଼଼ଡ଼ିଶା ସରକାର କୌଣସି ତଥ୍ୟ ପ୍ରଦାନ କରିନାହାନ୍ତି ବୋଲି କେନ୍ଦ୍ରର ଅଭିଯୋଗ ମଧ୍ୟ ସତ୍ୟ ଉପରେ ଆଧାରିତ ନୁହେଁ। ଏଭଳି ପରିପ୍ରେକ୍ଷୀରେ ଓ଼ଡ଼ିଶାର ସ୍ୱାର୍ଥ ରକ୍ଷା ପାଇଁ ଗୃହର ସମସ୍ତ ସଦସ୍ୟ ମିଳିତ ଟ୍ରିବ୍ୟୁନାଲ ଗଠନ ସଂକ୍ରାନ୍ତ ବିଜ୍ଞପ୍ତି ବା ଅଧିସୂଚନା ଜାରି ଲାଗି ଦାବି କରିବାକୁ ମନ୍ତ୍ରୀ ପ୍ରସ୍ତାବ ଦେଇଥିଲେ। ଏଥି ସହିତ ମହାନଦୀ ପ୍ରସଙ୍ଗରେ ଏକ ଦୀର୍ଘ ୮ପୃଷ୍ଠାର ବିବରଣୀ ପଢ଼ି ଶୁଣାଇଥିଲେ।

ସମ୍ବନ୍ଧିତ ଖବର