ସ୍ବାଭାବିକ ହେଲାନି ବିଧାନସଭା, ପୁଣି ଶିକ୍ଷକ ଆନ୍ଦୋଳନ କଥା ଉଠାଇ ବିରୋଧୀଙ୍କ ହୋହଲ୍ଲା

ପ୍ରଶ୍ନକାଳରେ ଶିକ୍ଷା କ୍ଷେତ୍ରରେ ଭୀଷଣ ଅବ୍ୟବସ୍ଥା ନେଇ ଉଦ୍‌ବେଗ

ଭୁବନେଶ୍ବର : ଲୋୟର୍‌ ପିଏମ୍‌ଜିରେ ଶିକ୍ଷକଙ୍କ ଆନ୍ଦୋଳନ ବୁଧବାର ଦିନ ଚତୁର୍ଥ ଦିନରେ ପହଞ୍ଚିଥିଲା ବେଳେ ବିଧାନସଭାରେ ତାହାର ପ୍ରଭାବ ଦେଖିବାକୁ ମିଳିଛି। ଲଗାତର ତୃତୀୟ ଦିନ ପାଇଁ ବିଧାନସଭା ସ୍ବାଭାବିକ ହୋଇପାରିନି। ବୁଧବାର ଦିନ ପ୍ରଶ୍ନକାଳ ଚାଲିଥିଲେ ମଧ୍ୟ ଗୃହର ଅନ୍ୟ କାର୍ଯ୍ୟଗୁଡ଼ିକ ବାଧାପ୍ରାପ୍ତ ହୋଇଛି। ଶିକ୍ଷକଙ୍କ ଦାବି ପୂରଣ ପାଇଁ ସରକାର ତୁରନ୍ତ ପଦକ୍ଷେପ ନେବାକୁ ବିରୋଧୀମାନେ ଜିଦ ଧରି ଗୃହରେ ହଟ୍ଟଗୋଳ କରିଥିଲେ। ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ। ସର୍ବଦଳୀୟ ବୈଠକ ବି ବିଫଳ ହୋଇଥିଲା।

ବୁଧବାର ଦିନ ବିରୋଧୀ ଆରମ୍ଭରୁ ବିରୋଧ କରିନଥିଲେ। ପ୍ରଶ୍ନକାଳ ଠିକ୍‌ଠାକ୍ ଚାଲିବ ବୋଲି ଅନୁମାନ କରାଯାଉଥିଲା। ମୂଳ ପ୍ରଶ୍ନକର୍ତ୍ତା ବିଧାୟକ ଅମର ଶତପଥୀଙ୍କ ପ୍ରଶ୍ନ ରାଜ୍ୟର ବିଦ୍ୟାଳୟଗୁଡ଼ିକରେ କେଉଁ କେଉଁ ଶ୍ରେଣୀରେ କେତେ ସଂଖ୍ୟକ ପଦବି ଖାଲି ପଡ଼ିଛି ଓ ଏହାର ପୂରଣ ପାଇଁ ସରକାର କି ପଦକ୍ଷେପ ନେଇଛନ୍ତି? ଉପରେ ସରଗରମ ଆଲୋଚନା ହୋଇଥିଲା। ଶିକ୍ଷକଙ୍କ ଦାବି ନେଇ ଗୃହର ତାତି କମି ନଥିବାବେଳେ ଆଜି ଏହି ପ୍ରଶ୍ନ ଓ ଏହାର ଉତ୍ତର ବିରୋଧୀଙ୍କୁ ଅଧିକ ତତାଇ ଦେଇଥିଲା। ସୁଯୋଗକୁ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ଗୃହରେ ଅନୁପସ୍ଥିତ ଥିବାରୁ ତାଙ୍କ ଦ୍ବାରା ଅଧିକୃତ ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଗଣଶିକ୍ଷା ବିଭାଗ ପାଇଁ ଗୃହରେ ଉତ୍ତର ଦେଇଥିଲେ। ହେଲେ ମନ୍ତ୍ରୀ ଶ୍ରୀ ପଣ୍ଡାଙ୍କ ଉତ୍ତର ବିରୋଧୀଙ୍କୁ ସନ୍ତୁଷ୍ଟ କରିପାରିନଥିଲା। ଯାହାକୁ ନେଇ ଗୃହରେ ପ୍ରଶ୍ନକାଳରେ ହଟ୍ଟଗୋଳ ହୋଇଥିଲା। ଖାଲିଥିବା ଶିକ୍ଷକ ଓ ଅଣଶିକ୍ଷକ ପଦବି, ଶିକ୍ଷକଙ୍କ ବିଭିନ୍ନ ସମସ୍ୟାକୁ ନେଇ ମନ୍ତ୍ରୀଙ୍କୁ ବିରୋଧୀ ଘେରିଥିଲେ।

ବିଧାୟକ ଶ୍ରୀ ଶତପଥୀଙ୍କ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ଶ୍ରୀ ପଣ୍ଡା କହିଥିଲେ, ରାଜ୍ୟର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ୧୪୬୯୭ ଜଣ ଲେଭେଲ୍‌-୩ ବରିଷ୍ଠ ପ୍ରଧାନ ଶିକ୍ଷକ ପଦବି, ୪୫୪୫ଟି ଲେଭେଲ୍-୪ ପ୍ରଧାନଶିକ୍ଷକ ପଦବି, ୬୭୭୭ଟି ଲେଭେଲ୍-୪ ସ୍ନାତକ ଶିକ୍ଷକ (କଳା) ପଦବି, ୧୫୮୬୫ଟି ଲେଭେଲ୍-୪ ସ୍ନାତକ ଶିକ୍ଷକ (ବିଜ୍ଞାନ) ପଦବି ଏବଂ ୬୪୪୮ଟି ଲେଭେଲ୍ ୫-ବି ପଦବିଗୁଡ଼ିକ ପୂରଣ ପାଇଁ ପଦକ୍ଷେପ ନିଆଯାଉଛି। ରାଜ୍ୟ ସରକାରଙ୍କ ଦ୍ବାରା ପରିଚାଳିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଗୁଡ଼ିକରେ ଖାଲି ପଡ଼ିଥିବା ୧୧୭୮ଟି ପଦବି ପୂରଣ ‌ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଉଛି।

ବିଧାୟକ ଶ୍ରୀ ଶତପଥୀ କହିଥିଲେ ଯେ, ଏବେ ଯେମିତି ବିଜ୍ଞାନ କାରିଗରୀ ମନ୍ତ୍ରୀ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଇନଚାର୍ଜ ଅଛନ୍ତି ସେମିତି ବହୁ ପ୍ରଧାନ ଶିକ୍ଷକ ଇନଚାର୍ଜ ଅଛନ୍ତି, କିରାଣୀ ସ୍ତରରେ ବହୁ ପଦବି ଖାଲି ପଡ଼ିଛି, ୫ଟିରେ ସ୍କୁଲର ବିକାଶ ହେଉଛି ହେଲେ ଜଗିବାକୁ ୱାଚ୍‌ମ୍ୟାନ୍ ନାହାନ୍ତି। ଏଗୁଡ଼ିକ କେବେ ପୂରଣ ହେବ?

ଏହାପରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ତାଙ୍କ ପ୍ରଶ୍ନ ରାଜ୍ୟରେ କେତେ ପ୍ରାଥମିକ, ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ସ୍କୁଲ ଅଛି, କେତେ ମଞ୍ଜୁରୀପ୍ରାପ୍ତ ଶିକ୍ଷକ ଓ ଅଣଶିକ୍ଷକ ପଦବି ଅଛି ଓ କେତେ ପଦବି ପୂରଣ କରାଯାଇଛି ? କେତେ ପଦବି ଖାଲି ଅଛି ଓ କେବେ ସୁଦ୍ଧା ପୂରଣ ହେବକୁ ମୂଳ ପ୍ରଶ୍ନରେ ଟ୍ୟାଗିଂ କରିବାକୁ ବାଚସ୍ପତିଙ୍କୁ କହିଥିଲେ। ଦୁଇଟି ପ୍ରଶ୍ନ ସମାନ ଧରଣର ହୋଇଥିବାରୁ ବାଚସ୍ପତି ଏହାକୁ ଟ୍ୟାଗିଂ କରିଥିଲେ। ହେଲେ ମନ୍ତ୍ରୀ ସମାନ ଉତ୍ତର ଦେବାରୁ ବିଧାୟକ ଶ୍ରୀ ମିଶ୍ର କହିଥିଲେ ଯେ, ମନ୍ତ୍ରୀ ଗୃହକୁ ଜଣାନ୍ତୁ ଯେ, କେବେ ସୁଦ୍ଧା ସମସ୍ତ ପଦବି ପୂରଣ ହେବ? ପଦକ୍ଷେପ ନେଉଛୁ ବୋଲି କହିଲେ ହେବନି। ଦୀର୍ଘ ୨୨ବର୍ଷ ହେଲା ଏମିତି କି ନିଯୁକ୍ତି ପ୍ରକ୍ରିୟା ଚାଲିଛି ଯେ, ଖାଲି ପଦବି ପୂରଣ ହୋଇପାରୁନି? ଶିକ୍ଷକ ନିଯୁକ୍ତି ନେଇ ମନ୍ତ୍ରୀ ଦ୍ବନ୍ଦ୍ବ ସୃଷ୍ଟି କରୁଛନ୍ତି କିମ୍ବା ମୁଁ ଦ୍ବନ୍ଦ୍ବରେ ପଡ଼ୁଛି। ସରକାର ଗଠନକୁ ୨୨ବର୍ଷ ହେଲାଣି। ଗରିବୀ ଦୂରୀକରଣ ପରେ ଶିକ୍ଷା ବ୍ୟବସ୍ଥାକୁ ଅଧିକ ଧ୍ୟାନ ଦେବା ଦରକାର। ଅର୍ଥାଭାବରୁ ନିଯୁକ୍ତି ଦିଆଯାଉନି କହିଲେ ହେବନି, କେ‌ବେ ସୁଦ୍ଧା ସମସ୍ତ ଖାଲି ପଦବିରେ ନିଯୁକ୍ତି ଦିଆଯିବ ତାହା ସ୍ପଷ୍ଟ ଭାବେ କୁହନ୍ତୁ।

ଏହାସହ ବିଧାୟକ ଶ୍ରୀ ମିଶ୍ର କହିଥିଲେ ଯେ, ବଲାଙ୍ଗୀର ମହିଳା କଲେଜରେ +୨ ବିଜ୍ଞାନ ବିଭାଗ ଖୋଲା ଯାଇଥିବାବେଳେ ଏଥିପାଇଁ କେତେ ପଦବି ମଞ୍ଜୁର ହୋଇଛି ଏବଂ କେତେ ଶିକ୍ଷକ ଅଛନ୍ତି? ବିଜ୍ଞାନ ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗରେ ୭ଟି ପ୍ରମୁଖ ବିଷୟରୁ କୌଣସି ଗୋଟିକ ପାଇଁ ବି ନିଯୁକ୍ତି ଦିଆଯାଇନି। ନାଇଟ୍‌ ୱାଚ୍‌ମ୍ୟାନ୍, ପିଅନ, ଅଧ୍ୟାପକ କେହି ଏଠାରେ ନାହାନ୍ତି। ମନ୍ତ୍ରୀଙ୍କ ପାଖରେ ଏହାର ଉତ୍ତର ନଥିବାରୁ ପରେ ବିଧାୟକ ଶ୍ରୀ ମିଶ୍ରଙ୍କୁ ଏ ସମ୍ପର୍କରେ ଜଣାଇବେ ବୋଲି କହିଥିଲେ। ଏହାପରେ ବିଧାୟକ ଶ୍ରୀ ମିଶ୍ର କହିଥିଲେ ଯେ, ବାସ୍ତବରେ ଏଠାରେ ନା କିଛି ପଦବି ମଞ୍ଜୁର ହୋଇଛି ନା କେହି ନିଯୁକ୍ତି ପାଇଛନ୍ତି। ଏହିଭଳି ଭାବେ ଶିକ୍ଷାଦାନ ଚାଲିଛି। ସେହିପରି ବିଧାୟକ ଭାସ୍କର ମଢ଼େଇ କହିଥିଲେ, ବିଇଓ ଅଫିସରେ ବିଇଓ, କିରାଣୀ, ପିଅନ କେହି ନାହାନ୍ତି, କେବେ ସୁଦ୍ଧା ସବୁ ବିଇଓ ଅଫିସରେ ଏହା ପୂରଣ ହେବ ? ବିଧାୟକ ନୃସିଂହ ଚରଣ ସାହୁ ପଚାରିଥିଲେ ସଂସ୍କୃତ, ହିନ୍ଦୀ ଓ ବିଜ୍ଞାନ ଶିକ୍ଷକ ଅଭାବ ଥିବାରୁ ବହୁ ସ୍କୁଲର ଶିକ୍ଷକ ପାଖ ସ୍କୁଲକୁ ଯାଇ ପାଠ ପଢ଼ୁଛନ୍ତି। ସିଆର୍‌ସିସିମାନେ ପାଠ ପଢ଼ାଇବାର ନିୟମ ଥିଲେ ବି ସେମାନେ କାହିଁକି ପାଠ ପଢ଼ାଉନାହାନ୍ତି? ବିଧାୟକ ସନ୍ତୋଷ ସିଂହ ସାଲୁଜା କହିଥିଲେ , ଏତେ ବର୍ଗୀକରଣ କରି ଶିକ୍ଷକ ପଦବି ଖାଲି ଅଛି କହି ଆମକୁ ଭୁଆଁ ବୁଲାନ୍ତୁନି। କେତେ ଶିକ୍ଷକ ପଦବି ଖାଲି ଅଛି ସିଧା କୁହନ୍ତୁ। ପୂର୍ବରୁ କାର୍ଯ୍ୟରତ ଏଆଇଇ ଶିକ୍ଷକଙ୍କୁ ଏବେ ନିଯୁକ୍ତି ସମୟରେ ବିଚାରକୁ ନେବେ କି?

ଶୂନ୍ୟକାଳରେ ପୁଣି ଶିକ୍ଷକ ଆନ୍ଦୋଳନ ପ୍ରସଙ୍ଗ ଉଠିଥିଲା। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ, ଶିକ୍ଷକ ଆନ୍ଦୋଳନ କରୁଛନ୍ତି, କିନ୍ତୁ ମୁଖ୍ୟ ସଚିବ କହୁଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ମୋତେ ଗତକାଲି ଶିକ୍ଷକଙ୍କ ଏହି ପ୍ରସଙ୍ଗ ବିଷୟରେ ଜଣାଇବାରୁ ଏହି ପ୍ରସଙ୍ଗ ଜାଣିଲି। ଏଥିରୁ ଜଣାପଡ଼ୁଛି ସରକାରରେ କେହି କିଛି ଜାଣୁନାହାନ୍ତି। ୧୧ଦିନ ହେଲା ସ୍କୁଲ ବନ୍ଦ ହେଲାଣି, ପିଲା ପାଠ ପଢ଼ିପାରୁନାହାନ୍ତି, ବାଚସ୍ପତି ମହୋଦୟ ଆପଣ ଆପଣଙ୍କ କ୍ଷମତା ପ୍ରୟୋଗ କରି କିଛି ପଦକ୍ଷେପ ନିଅନ୍ତୁ।
ସେହିପରି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ କହିଥିଲେ, ଶିକ୍ଷକଙ୍କ ଆନ୍ଦୋଳନ ଚତୁର୍ଥ ଦିନରେ ପହଞ୍ଚିଲାଣି। ଜଣେ ଶିକ୍ଷକ ଆନ୍ଦୋଳନରେ ଯୋଗଦେବାକୁ କଳାହାଣ୍ଡିରୁ ଆସୁଥିବାବେଳେ ତାଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ‌ବହୁ ଶିକ୍ଷକ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ‌ହେଲେଣି। ତୁରନ୍ତ ସେମାନଙ୍କ ଦାବି ପୂରଣ କରାଯାଉ।

ବିଧାୟକ ଲକ୍ଷ୍ମଣ ମୁଣ୍ଡା କହିଥିଲେ, ବଣେଇ ନିର୍ବାଚନ ମଣ୍ଡଳୀର ଶିକ୍ଷକମାନେ ଆସି ମୋ କ୍ବାର୍ଟର୍ସରେ ଅଛନ୍ତି। ପାଣି ସରିଗଲାଣି, ଲାର୍ଟିନ୍ ଚୋକ୍ ହୋଇଗଲାଣି। ଏପଟେ ସେମାନେ କହିଛନ୍ତି ଯେ, ଆଜି ଗୃହରେ ଏ ପ୍ରସଙ୍ଗ ଉଠାଇ କିଛି ପଦକ୍ଷେପ ନନେଲେ ମୋତେ କ୍ବାର୍ଟର୍ସରେ ପୂରାଇ ଦେବେନି। ଏତିକି କହି ଶ୍ରୀ ମୁଣ୍ଡା ଗୃହ ମଧ୍ୟ ଭାଗରେ ଧାରଣା ଦେଇଥିଲେ। ବିଧାୟକ ସନ୍ତୋଷ ସିଂହ ସାଲୁଜା କହିଥିଲେ, ଶିକ୍ଷକ ଆନ୍ଦୋଳନ କରୁଛନ୍ତି, ଅଥଚ ମୁଖ୍ୟ ସଚିବ ଏନେଇ ଜାଣିନାହାନ୍ତି, ସଚିବ ନୂଆ ଦାୟିତ୍ବ ନେଇଥିବାରୁ କ’ଣ ଉତ୍ତର ଦେବେ କହି ଏଡ଼ାଇଦେଉଛନ୍ତି। ଏହିପରି ସମସ୍ତେ ଶିକ୍ଷକଙ୍କୁ ଅଣଦେଖା କରୁଛନ୍ତି।

ଏହାପରେ ବିଜେପି, କଂଗ୍ରେସ ଓ ସିପିଆଇ(ଏମ୍‌) ବିଧାୟକ ଗୃହ ମଧ୍ୟକୁ ଆସି ଶିକ୍ଷକଙ୍କ ଦାବି ପୂରଣ କରିବା ପାଇଁ ହୋହଲ୍ଲା କରିଥିଲେ। ବାଚସ୍ପତି ସବୁ ଦଳର ନେତାଙ୍କୁ ଡାକି ବୈଠକ କରିଥିଲେ ବି ସମାଧାନ ବାଟ ନବାହାରିବାରୁ ଗୃହକୁ ମୁଲତବୀ ଘେଷଣା କରିଥିଲେ। ଫଳରେ ମୁଲତବୀ ପ୍ରସ୍ତାବ ଉପରେ ଆଜି ଆଲୋଚନା ହୋଇପାରି ନଥିଲା। ଅପରାହ୍ନରେ ମଧ୍ୟ ସମାନ ସ୍ଥିତି ଲାଗି ରହିଲା। ବିରୋଧୀ ସଭ୍ୟମାନେ ଗୃହ ମଧ୍ୟ ଭାଗରେ ହଟ୍ଟଗୋଳ କଲେ। ବାଚସ୍ପତିଙ୍କ ସର୍ବଦଳୀୟ ବୈଠକ ବି ବିଫଳ ହେଲା। ଫଳରେ ବାଚସ୍ପତି ଗୃହକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ରଖିଲେ।

ସମ୍ବନ୍ଧିତ ଖବର