ସରଗରମ ହେବ ଅଧିବେଶନ

ସ୍ୱତନ୍ତ୍ର ପାହ୍ୟା, କୃଷି, ଆଇନଶୃଙ୍ଖଳା ପ୍ରମୁଖ ପ୍ରସଙ୍ଗ ହୋଇପାରେ
ଜଳାଭାବ ଠାରୁ ଖଣି ଯାଏ ଡଜନେରୁ ଅଧିକ ପ୍ରସଙ୍ଗ ରହିଛି
ରଣନୀତି ପ୍ରସ୍ତୁତ କରିସାରିଛି କଂଗ୍ରେସ, ଆଜି ବିଜେଡି, ବିଜେପି ବୈଠକ

ଭୁବନେଶ୍ୱର : ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତାକୁ ନେଇ ନିକଟରେ ଆନ୍ଧ୍ରର ତେଲଗୁ ଦେଶମ୍‌ ପାର୍ଟି କେନ୍ଦ୍ରର ଏନ୍‌ଡିଏ ସରକାର ହାତ ଛାଡ଼ିଛି। ନୂଆଦିଲ୍ଲୀରେ ଅଖିଳ ଭାରତ କଂଗ୍ରେସ କମିଟି ବୈଠକରେ ଆନ୍ଧ୍ର ପ୍ରତିିନିଧିମାନେ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପ୍ରସଙ୍ଗରେ କଂଗ୍ରେସ ସଂକଳ୍ପ କଥା ଉଠାଇଛନ୍ତି। ଗତ ସପ୍ତାହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୋହରାଇଛନ୍ତି ଯେ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପ୍ରସଙ୍ଗ ଦାବି ଜାରି ରହିବ।

ଏମିତି ଏକ ପୃଷ୍ଠଭୂମିରେ ଆସନ୍ତା ୨୦ ତାରିଖରୁ ଆରମ୍ଭ ହେଉଥିବା ବିଧାନସଭା ବଜେଟ୍‌ ଅଧିବେଶନରେ ଏହା ଏକ ବଡ଼ ପ୍ରସଙ୍ଗ ଭାବେ ଉଭା ହୋଇପାରେ। ସବୁ ରାଜନୈତିକ ଦଳରେ ଏ ନେଇ ପ୍ରସ୍ତୁତି ଜୋର ଧରିଲାଣି। ଶାସକ ବିଜେଡି ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଘେରିବାକୁ ଯୋଜନା କରିପାରେ। ମୁହଁତୋଡ୍‌ ଜବାବ ଦେବା ଲାଗି ସମାନ୍ତରାଳ ଭାବେ ବିକାଶ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ କାଳକ୍ଷେପଣ ନୀତି, କେନ୍ଦ୍ରର ଆକାଂକ୍ଷା ଜିଲ୍ଲା ଯୋଜନା ରାଜନୀତି ପ୍ରସଙ୍ଗ ଉଠାଇ ବିଜେପି ବି ଏହାକୁ ମୁକାବିଲା କରିବା ଲାଗି ପ୍ରସ୍ତୁତି ଚଳାଇଛି। ସମ୍ଭବତଃ କଂଗ୍ରେସ ବି ଏହି ପ୍ରସଙ୍ଗରୁ ଦୂରେଇ ରହିବ ନାହିଁ।

ଏହାବ୍ୟତୀତ ରାଜ୍ୟର ଆଇନ୍‌ ଶୃଙ୍ଖଳା ପରିସ୍ଥିତି ଠାରୁ ଆରମ୍ଭ କରି କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ନିଯୁକ୍ତି, ନିଶା, ଭାଷା ପ୍ରସଙ୍ଗକୁ ନେଇ ବିଧାନସଭା ସରଗରମ ହେବା ସମ୍ଭାବନା ଅଧିକ। ବିଶେଷକରି ବିଜେପୁର ଉପନିର୍ବାଚନ ଫଳାଫଳ, ମନ୍ତ୍ରୀଙ୍କ ଭାଇ ଉପରେ ମରଣାନ୍ତକ ଆକ୍ରମଣ ଘଟଣା ଓ ବିଜେପି ନେତା ଜୟ ନାରାୟଣ ମିଶ୍ର ଗିରଫଦାରି ପ୍ରସଙ୍ଗ ବି ଉଠିପାରେ।

ଇତିମଧ୍ୟରେ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ନେତୃତ୍ୱରେ କଂଗ୍ରେସ ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆସନ୍ତାକାଲି ଅପରାହ୍ନରେ ବିଜେଡିି ତାର ରଣନୀତି ଚୂଡାନ୍ତ କରିବ। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୈଠକ ଡକାଯାଇଛି। ସେହିପରି ବିଧାୟକ ଦଳ ନେତା କନକ ବର୍ଧନ ସିଂହଦେଓଙ୍କ ନେତୃତ୍ୱରେ ବିଜେପି ମଧ୍ୟ ଆସନ୍ତାକାଲି ବୈଠକ ଡାକି ନିର୍ଦିଷ୍ଟ କି ପ୍ରସଙ୍ଗକୁ ନେଇ ଗୃହକୁ ଓହ୍ଲାଇବ ତାହା ସ୍ଥିର କରିବ।

ଉଲ୍ଲେଖଯୋଗ୍ୟ, ବିଭିନ୍ନ ଦୃଷ୍ଟିକୋଣରୁ ଏଥର ବିଧାନସଭାର ବଜେଟ୍‌ ଅଧିବେଶନର ଗୁରୁତ୍ୱ ଯଥେଷ୍ଟ ଅଧିକ ରହିଛି। ପ୍ରଥମତଃ ରାଜ୍ୟପାଳ ଡକ୍ଟର ଏସ୍‌.ସି.ଜମିର ଚଳିତମାସ ୨୦ ତାରିଖ ଦିନ ବିଧାନସଭାରେ ତାଙ୍କର ଶେଷ ଅଭିଭାଷଣ ରଖିବେ । ଯଦିଓ ନୂଆ ରାଜ୍ୟପାଳ ନିଯୁକ୍ତି ଯାଏ ସେ ଓଡ଼ିଶାର ରାଜ୍ୟପାଳ ଭାବେ ଦାୟିତ୍ୱ ତୁଲାଇବେ, କିନ୍ତୁ ଡକ୍ଟର ଜମିରଙ୍କର ଓଡିଶାର ରାଜ୍ୟପାଳ ହିସାବରେ ସେହିଦିନ ହିଁ କାର୍ଯ୍ୟକାଳ ଶେଷ ହେଉଛି ।

ଦ୍ୱିତୀୟତଃ, ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ଏହା ଶେଷ ପୂର୍ଣ୍ଣାଙ୍ଗ ବଜେଟ୍‌ ଅଧିବେଶନ। ଏଣୁ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବଜେଟ୍‌ରେ ଯୋଜନା ଓ ପ୍ରତିଶ୍ରୁତିର ପାହାଡ଼ ଗଦା କରି ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଉଦ୍ୟମ କରିବା ସ୍ୱାଭାବିକ।

ତୃତୀୟତଃ, ରାଜନୈତିକ ଦୃଷ୍ଟିକୋଣରୁ ଏହି ଅଧିବେଶନର ଯଥେଷ୍ଟ ଗୁରୁତ୍ୱ ରହିଛି। ପଞ୍ଚାୟତ ନିର୍ବାଚନରେ ଶୋଚନୀୟ ପ୍ରଦର୍ଶନ ପରେ ବିଜେଡିକୁ ବିଜେପି ଗୃହରେ ହଲାପଟା କରି ଆସୁଥିଲା। ତାକତ୍‌ ଦେଖାଉଥିଲା ଓ ସରକାର ଦଖଲ କରିବ ବୋଲି ବିଜେପି ନେତାମାନେ କଥା କଥାରେ ଦମ୍ଭ ଦେଖାଉଥିଲେ। ହେଲେ ବିଜେପୁର ଉପନିର୍ବାଚନ ବିଜୟ ଫଳାଫଳକୁ ସାମ୍ନାକୁ ଆଣି ଏବେ ଶାସକ ଦଳ ସେତିିକି ଉତ୍ସାହର ସହିତ ପ୍ରତିପକ୍ଷ ବିଜେପିକୁ ଗୃହରେ ଜବାବ ଦେବାକୁ ଉଦ୍ୟମ କରିବ।

ତଥାପି ବିଜେପି ପାଇଁ ଆଶ୍ୱସ୍ତର ବିଷୟ ହେଉଛି ଯେ ଗୃହରେ କଂଗ୍ରେସ ଠାରୁ ଅଧିକ ସଦସ୍ୟ ନଥିଲେ ବି ପଞ୍ଚାୟତ ଓ ବିଜେପୁର ଉପନିର୍ବାଚନରେ ଦଳ ହାତ ଚିହ୍ନକୁ ତୃତୀୟ ସ୍ଥାନକୁ ଠେଲିଦେବାରେ ସକ୍ଷମ ହୋଇଛି। ଆଗକୁ ମୁଖ୍ୟ ବିରୋଧୀ ଦଳ ଉଭା ହେବ ବୋଲି ଆଶା ଦେଖାଇ ବିଜେପି ବିଧାୟକମାନେ ସରକାରଙ୍କୁ ପ୍ରଚଣ୍ଡ ଆକ୍ରମଣ କରିପାରନ୍ତି। ସେହିପରି ବିଜେପୁର ଉପ ନିର୍ବାଚନରେ ଦଳୀୟ ପ୍ରାର୍ଥୀ ଅମାନତ ହରାଇବା କଂଗ୍ରେସକୁ ଯେତିକି ହତୋତ୍ସାହିତ କରିଛି, ସମ୍ପ୍ରତି ଦଳରେ ଗୋଷ୍ଠୀକନ୍ଦଳ, ପିସିସି ବିରୋଧରେ କିଛି ବିଧାୟକଙ୍କ ବିଦ୍ରୋହ ଘୋଷଣା, ଏଆଇସିସି ତାଲିକାରୁ ବାଦ୍‌ ଦେଇ ପିିସିସିର ପ୍ରତିଜବାବର ପ୍ରଭାବ ଗୃହରେ ପଡିବାରେ। ଦଳ ଗୃହରେ ପ୍ରଭାବୀ ପ୍ରଦର୍ଶନ କରିବ ନା ନାହିଁ ତାହା ଲକ୍ଷ୍ୟ କରିବା କଥା।

ଏହା ସତ୍ତ୍ୱେ ଆଲୋଚନା ପାଇଁ ଗୃହରେ ଯଥେଷ୍ଟ ପ୍ରସଙ୍ଗ ରହିଛି। ମହାନଦୀ ଟ୍ରିବ୍ୟୁନାଲ ମାମଲାରେ ରାଜ୍ୟ ସରକାରଙ୍କ ନୈତିକ ବିଜୟ ଘଟିଥିଲେ ହେଁ, ପୋଲାଭରମ୍‌ ବିବାଦ, ଚାଷୀ ପ୍ରସଙ୍ଗ ବିଧାନସଭାରେ ବିଶଦ ଆଲୋଚନାର ଅପେକ୍ଷା ରଖୁଛି। କାରଣ, ଚାଷୀ ଉତ୍ପାଦନ ମୂଲ୍ୟର ଦେଢଗୁଣା ଦେବେ ବୋଲି କେନ୍ଦ୍ର ସରକାର ବଜେଟ୍‌ରେ ପ୍ରତିଶ୍ରୁତି ହୋଇଥିଲେ ହେଁ, ଏହାର କାର୍ଯ୍ୟାନ୍ଵୟନ ନେଇ ଏବେ ବି ଦ୍ୱନ୍ଦ୍ୱ ରହିଛି। ଏହି ପ୍ରସଙ୍ଗରେ କେନ୍ଦ୍ର ସରକାର ନୀତି ଆୟୋଗକୁ ସଂପୃକ୍ତ କରିବା, ସର୍ବୋପରି ଚାଷୀର ଉତ୍ପାଦନ ଖର୍ଚ୍ଚକୁ ନେଇ କେନ୍ଦ୍ର-ରାଜ୍ୟ ଭିତରେ ମତପାର୍ଥକ୍ୟ କାରଣରୁ ଓଡ଼ିଶାରେ ଚାଷୀ ଯେ ଏଥିରେ ଲାଭବାନ ହେବେ ଏ ସମ୍ଭାବନା କମ୍‌। ଯେହେତୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କା ହେଉ ବୋଲି ବିଧାନସଭାରେ ସର୍ବସମ୍ମତ ପ୍ରସ୍ତାବ ପାରିତ ହୋଇଛି,ଏଣୁ ଏ ପ୍ରସଙ୍ଗକୁ ସବୁ ଦଳ ଗୃହରେ ଉଠାଇବାକୁ ଚାହିଁବେ।

ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି, ବିଶେଷକରି ସାଇବର ଅପରାଧ ସଂଖ୍ୟା ବୃଦ୍ଧି, ମାଓବାଦୀଙ୍କ ଦବ୍‌ଦବା ବଢିବା ସବୁ ମହଲରେ ଉଦ୍‌ବେଗର ବିଷୟ ହୋଇଛି। ଏ ପ୍ରସଙ୍ଗରେ ସରକାରଙ୍କ ଠାରୁ ବିରୋଧୀ ଉତ୍ତର ମାଗିପାରନ୍ତି। ଖଣି ଜରିମାନା ପ୍ରସଙ୍ଗ, ନିଯୁକ୍ତି, ପାନୀୟ ଜଳାଭାବ, ଚାଷୀଙ୍କୁ ଫସଲ ବୀମା ପ୍ରଦାନ, ଜଳସେଚନ, ଲଘୁ ଖଣିଜ ସଂପଦ ଲୁଟ୍‌ ଆଦି ପ୍ରସଙ୍ଗ ମଧ୍ୟ ବିଧାନସଭାରେ ଉଠିପାରେ।

ସୂଚନାଯୋଗ୍ୟ, ଓଡିଶା ବିଧାନସଭାର ବଜେଟ୍‌ ଅଧିବେଶନ ଆସନ୍ତା ୨୦ ତାରିଖରୁ ଆରମ୍ଭ ହୋଇ ମଇ ୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଅଧିବେଶନ କାଳରେ ଦୁଇ ପର୍ଯ୍ୟାୟରେ ମୋଟ ୩୧ଟି କାର୍ଯ୍ୟ ଦିବସ ରହିବ।

ସମ୍ବନ୍ଧିତ ଖବର