ଭାବଗମ୍ଭୀର ପରିସ୍ଥିତିରେ ଗୃହ ଛାଡ଼ିଲେ

ଭୁବନେଶ୍ବର : ଆଜି ସନ୍ଧ୍ୟାରେ ବିଧାନସଭାର ଉଦ୍‌ଯାପନୀ ଅବସର ଅନେକ ବିଧାୟକଙ୍କ ପାଇଁ ଐତିହାସିକ ଥିଲା। ଏହି ଅବସର ସେମାନଙ୍କ ପାଇଁ ଆବେଗଭରା ମୁହୂର୍ତ ଆଣି ଦେଇଥିଲା। କେହି କେହି ବିଧାୟକ ନିଜ ଆବେଗ, କୋହ ସମ୍ଭାଳି ପାରିନଥିଲେ। ଅନ୍ୟ କେତେଜଣ ଖୋଲାଖୋଲି ସେମାନଙ୍କର ଦୁଃଖ ଜଣାଇଥିଲେ। ଲୋଇସିଂହା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଯୋଗେନ୍ଦ୍ର କୁମାର ବେହେରା କହି ପକାଇଥିଲେ, ‘ହେ ବନ୍ଧୁ(ବିଧାନସଭା) ବିଦାୟ’!

ବ୍ୟୟମଞ୍ଜୁରି ବିଲ୍‌ ଉପରେ ଆଲୋଚନାରେ ଭାଗନେବା ବେଳେ ବର୍ଷିୟାନ ବିଧାୟକ ଶ୍ରୀ ବେହେରା କହିଲେ, ମୁଁ ୫ ଥର ନିର୍ବାଚିତ ହୋଇ ବିଧାନସଭା ଆସିଛି। ମନ୍ତ୍ରୀ ବି ହୋଇଛି। ଆଜି ମୋର ଶେଷ ଦିନ। ଆଉ ମୁଁ ଆସିବି କି ନା ଜାଣେନା। ଏଣୁ, ମନରେ ଦୁଃଖ ହେଉଛି। କୋହ ବି ଉଠୁଛି ଜଣାଇ ‘ହେ ବନ୍ଧୁ ବିଦାୟ’ ବୋଲି କହିଥିଲେ। କେବଳ ସେତିକି ନୁହେଁ, ଏକ କବିତା ବି ଗାଇ ଶୁଣାଇଥିଲେ। ମଝିରେ ମଝିରେ ବାଚସ୍ପତି ତାଙ୍କୁ ଶୀଘ୍ର ଶେଷ କରିବାକୁ କହିଥିଲେ ବି ତାଙ୍କର ଏହା ଶେଷ ବକ୍ତବ୍ୟ କହି ତାଙ୍କୁ ଟିକେ ସମୟ ଦେବାକୁ ଅନୁରୋଧ କରିଥିଲେ।

ଗୃହ ଭିତରେ ଉତ୍କଳ ଜନନୀ ଗାନ ପରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର, ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି, ବିଜେପି ବିଧାୟକ ପ୍ରଦୀପ ପୁରୋହିତଙ୍କ ସମେତ ଆହୁରି କିଛି ସଦସ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ଆସି କରମର୍ଦନ କରିଥିଲେ। ସତେ ଯେପରି ଅନେକଙ୍କ ପାଇଁ ଏହା ବିଦାୟବେଳା ସଂପର୍କରେ ସୂଚାଇ ଦେଉଥିଲା।

ଅପରାହ୍ଣରୁ ହିଁ ବିଧାୟକମାନଙ୍କ ମଧ୍ୟରେ ଆବେଗପୂର୍ଣ୍ଣ ସମୟ ଆସିଥିବା ଭଳି ମନେ ହେଉଥିଲା। ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଡ. ଅରୁଣ ସାହୁ ତାଙ୍କ ବକ୍ତବ୍ୟରେ ବାରମ୍ବାର ଅନ୍ତିମ ଦିବସ ଜଣାଇଥିଲେ। ଶେଷରେ ସେ କବିତା ଗାଇଥିଲେ। ଡ. ସାହୁ ତାଙ୍କ ୫ ବର୍ଷର କାର୍ଯ୍ୟକୁ ତାଙ୍କ ନିର୍ବାଚନ ମଣ୍ଡଳୀ ଲୋକେ ବିଚାର କରି ଉପଯୁକ୍ତ ନିଷ୍ପତ୍ତି ନେବେ ବୋଲି ଗଣମାଧ୍ୟମକୁ କହିଥିଲେ। ତାଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ବୋଲି କହିଥିଲେ ପଦ୍ମପୁର ବିଧାୟକ ପ୍ରଦୀପ ପୁରୋହିତ। କଂଗ୍ରେସ ବିଧାୟକ ପ୍ରକାଶ ବେହେରା କହିଛନ୍ତିି ଯେ ସେ ତାଙ୍କ ନିର୍ବାଚନ ମଣ୍ଡଳୀ ପାଇଁ ଅନେକ କାମ କରିଛନ୍ତିି। ତେବେ ଆହୁରି କାମ କରିବାକୁ ବାକି ରହିଛି। ବିଧାନସଭାରେ ଅତ୍ୟନ୍ତ ସୌଜନ୍ୟମୂଳକ ବାତାବରଣ ରହିଛି ବୋଲି ଭୋଗରାଇ ବିଧାୟକ ତଥା ଉଚ୍ଚଶିକ୍ଷା ଓ ଶିଳ୍ପ ମନ୍ତ୍ରୀ ଅନନ୍ତ ଦାସ କହିଛନ୍ତିି।

ତଲସରାର ବିଧାୟକ ଡା. ପ୍ରଫୁଲ୍ଲ ମାଝୀ କହିଛନ୍ତି ଯେ ସେ ଲୋକଙ୍କ ପାଇଁ ଅନେକ କାମ କରିଛନ୍ତିି। ଏଣୁ, ଲୋକେ ତାଙ୍କୁ ପୁନର୍ବାର ବିଜୟୀ କରାଇବେ ବୋଲି ସେ ଆଶାପ୍ରକାଶ କରିଛନ୍ତିି।

ସମ୍ବନ୍ଧିତ ଖବର