ବିଧାନସଭାର ବିଭିନ୍ନ କମିଟି ଅଧ୍ୟକ୍ଷଙ୍କ ସହ ବାଚସ୍ପତିଙ୍କ ଆଲୋଚନା

ଭୁବନେଶ୍ବର : ଏଣିକି ସଂସଦୀୟ ସ୍ଥାୟୀ କମିଟି ବୈଠକ ଅନୁସାରେ ବିଧାନସଭାର ବିଭିନ୍ନ କମିଟି ବୈଠକ ଡକାଯିବ। ରାଜ୍ୟ ସ୍ବାର୍ଥ ସମ୍ବଳିତ ପ୍ରସଙ୍ଗରେ ସରକାରଙ୍କୁ ସୁପାରିସ କରିବା ପୂର୍ବରୁ ପ୍ରତି କମିଟି ବିଶେଷଜ୍ଞଙ୍କ ପରାମର୍ଶ ଆଧାରରେ କରିବା ଉଚିତ୍। ଆଜି ବିଧାନସଭାର ବିଭିନ୍ନ କମିଟି ଅଧ୍ୟକ୍ଷଙ୍କୁ ଡାକି ଆଲୋଚନା କରିବା ପରେ ଏପରି ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। ଏହାସହିତ କମିଟି ଯାହା ସୁପାରିସ କରିବ ତାର ଅନୁପାଳନ ଯେପରି ସରକାର କରିବେ ତା ଉପରେ ଗୁରୁତ୍ବ ଦିଆଯାଇଛି।

ଏ ସମ୍ପର୍କରେ ସୂଚନା ଦେଇ ବାଚସ୍ପତି ଶ୍ରୀ ପାତ୍ର କହିଥିଲେ, ବିଧାନସଭାର ବିଭିନ୍ନ କମିଟି ବୈଠକ ନିୟମିତ ବ୍ୟବଧାନରେ ହେଉଛି। ରାଜ୍ୟର ବିକାଶ ପାଇଁ ବିଧାନସଭା ସ୍ଥାୟୀ କମିଟି ସରକାରଙ୍କୁ ସୁପାରିସ କରିଥାନ୍ତି। କମିଟିରେ ଆଲୋଚନା ଯେପରି ଗୁଣାତ୍ମକ ହେବ, ସେଥିପାଇଁ ପ୍ରତି କମିଟି ବୈଠକ ବେଳେ ସମ୍ପୃକ୍ତ ବିଷୟରେ ଅଭିଜ୍ଞତା ଥିବା ୨ ଜଣ ବିଶେଷଜ୍ଞଙ୍କୁ ଡାକି ସେମାନଙ୍କ ମତାମତ ନିଆଯିବ। ଏହାସହିତ ସଂସଦରେ ସ୍ଥାୟୀ କମିଟି ଯାହା ସୁପାରିସ କରେ ତାକୁ ଯେପରି କେନ୍ଦ୍ର ସରକାର ଅନୁପାଳନ କରିଥାନ୍ତି, ସେହିପରି ବିଧାନସଭା ସ୍ଥାୟୀ କମିଟିର କାର୍ଯ୍ୟଧାରା କରିବାକୁ ଆଜିର ବୈଠକରେ ଆଲୋଚନା କରାଯାଇଛି।

ବୈଠକରେ ଉପ ବାଚସ୍ପତି ରଜନୀକାନ୍ତ ସିଂହ, ସ୍ବାଧୀକାର କମିଟି ଅଧ୍ୟକ୍ଷ ପ୍ରତାପ ଜେନା, ଏଷ୍ଟିମେଟ୍ କମିଟି ଅଧ୍ୟକ୍ଷ ପ୍ରତାପ କେଶରୀ ଦେବ, ସରକାରୀ ଉଦ୍ୟୋଗ କମିଟି ଅଧ୍ୟକ୍ଷ ଅତନୁ ସବ୍ୟସାଚୀ ନାୟକ, ବିଭାଗୀୟ ସ୍ଥାୟୀ କମିଟି-୨ ଅଧ୍ୟକ୍ଷ ଡା. ନୃସିଂହ ଚରଣ ସାହୁ, ବିଭାଗୀୟ ସ୍ଥାୟୀ କମିଟି-୩ ଅଧ୍ୟକ୍ଷ ପ୍ରଫୁଲ୍ଲ ସାମଲ, ସ୍ଥାୟୀ କମିଟି-୪ ଅଧ୍ୟକ୍ଷ ଭୂପିନ୍ଦର ସିଂହ, ବିଭାଗୀୟ ସ୍ଥାୟୀ କମିଟି-୭ ଅଧ୍ୟକ୍ଷ ପ୍ରଦୀପ କୁମାର ଅମାତ୍, ସ୍ଥାୟୀ କମିଟି-୮ ଅଧ୍ୟକ୍ଷ ମୋହନ ଚରଣ ମାଝୀ, ସ୍ଥାୟୀ-କମିଟି ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର, ପିଟିସନ୍ କମିଟି ଅଧ୍ୟକ୍ଷ ବଦ୍ରି ନାରାୟଣ ପାତ୍ର, ପେପର୍ସ ଲେଡ୍ ଅନ୍ ଦି ଟେବୁଲ କମିଟି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ମୁଦୁଲି, ସରକାରୀ ପ୍ରତିଶ୍ରୁତି କମିଟି ଅଧ୍ୟକ୍ଷ ପ୍ରଦୀପ କୁମାର ପାଣିଗ୍ରାହୀ, ଗ୍ରନ୍ଥାଗାର କମିଟି ଅଧ୍ୟକ୍ଷ ପ୍ରଦୀପ ମହାରଥୀ ଓ ସଦାଚାର କମିଟି ଅଧ୍ୟକ୍ଷ ଅମର ପ୍ରସାଦ ଶତପଥୀ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର