ସ୍ମିତାରାଣୀ ବିଶ୍ବାଳଙ୍କ ରହସ୍ୟଜନକ ମୃତ୍ୟୁ ପ୍ରସଙ୍ଗରେ ବିଧାନସଭାରେ ଝଡ଼, କମ୍ପିଲେ ବିରୋଧୀ

ପ୍ରଶ୍ନକାଳ, ଶୂନ୍ୟକାଳ, ମୁଲତବୀ ଆଲୋଚନା ସବୁ ଉଡ଼ିଗଲା
ମଧ୍ୟ ଭାଗରେ କଂଗ୍ରେସ, ବିଜେପି ସଭ୍ୟଙ୍କ ହଟ୍ଟଗୋଳ
ପ୍ରଶ୍ନବାଣରେ କାଠଗଡ଼ାକୁ ଟାଣିଆଣିଲେ ସରକାରଙ୍କୁ

ଭୁବନେଶ୍ବର : ଯାହା ଆଶଙ୍କା କରାଯାଉଥିଲା, ତାହା ହିଁ ହେଲା। ଅଚଳାବସ୍ଥାରୁ ଆରମ୍ଭ ହେଲା ବିଧାନସଭାର ଶୀତ ଅଧିବେଶନ। ବହୁଚର୍ଚ୍ଚିତ ଯାଜପୁର ଜିଲ୍ଲା ପିଇଓ ସ୍ମିତାରାଣୀ ବିଶ୍ବାଳଙ୍କ ରହସ୍ୟଜନକ ମୃତ୍ୟୁ ପ୍ରସଙ୍ଗରେ ବିଧାନସଭା ଆରମ୍ଭରୁ ଝଡ଼ ସୃଷ୍ଟି ହୋଇଛି। ଏହା ଏତେ ପ୍ରଖର ଥିଲା ଯେ ଦିନତମାମ ଗୃହ ଉଠିଲା ପଡ଼ିଲା। ପ୍ରଶ୍ନକାଳ, ଶୂନ୍ୟକାଳ, ମୁଲତବୀ ଆଲୋଚନା ସବୁ ଉଡ଼ିଗଲା। ବାଚସ୍ପତିଙ୍କ ସର୍ବଦଳୀୟ ବୈଠକ ବି ଝଡ଼କୁ ରୋକିବାରେ ସମର୍ଥ ହେଲା ନାହିଁ। ଗୃହର ମଧ୍ୟ ଭାଗକୁ ଆସିବା ପାଇଁ ପୂର୍ବରୁ ବାଚସ୍ପତି କରିଥିବା ତାଗିଦ ଏହି ଝଡ଼ ଆଗରେ କିଛି କାମ ଦେଲାନାହିଁ। ପ୍ରଥମାର୍ଦ୍ଧରେ ମାତ୍ର ୧୮ ମିନିଟ୍‌ ପାଇଁ ଚାଲିପାରିଲା ଗୃହ। ଅପରାହ୍ନରେ କଥ‌ା କଟାକଟି, ସର୍ବଦଳୀୟ ବୈଠକ, ମୁଲତବୀ, ହଟ୍ଟଗୋଳ, ଗର୍ଜତର୍ଜନ, ଆକ୍ଷେପ ପ୍ରତିଆକ୍ଷେପ ଭିତରେ ଗୃହ ମାତ୍ର ଅପରାହ୍ନ ୫ଟା ୦୭ ପର୍ଯ୍ୟନ୍ତ ଚାଲିପାରିଥିଲା। ବିରୋଧୀ ବିଜେପି ଓ କଂଗ୍ରେସ ବିଧାୟକ ପ୍ରବଳ ହଟ୍ଟଗୋଳ ଜାରି ରଖିଥିବା ବେଳେ ହିଁ ଅର୍ଥମନ୍ତ୍ରୀ ୨୦୧୯-୨୦ ଆର୍ଥିକ ବର୍ଷ ଲାଗି ପ୍ରଥମ ଅତିରକ୍ତ ବଜେଟ୍‌ ଉପସ୍ଥାପନ କରିଥିଲେ।

ସ୍ମିତାରାଣୀ ପ୍ରସଙ୍ଗରେ ବିରୋଧୀ ଦଳ ବିଧାୟକମାନେ ସରକାରଙ୍କ ସାମ୍ନାରେ ସଙ୍ଗିନ୍ ପ୍ରଶ୍ନ ଛି଼ଡା କରିଛନ୍ତି। ବିଜେପି ମୁଲତବୀ ପ୍ରସ୍ତାବ ଦେବା ସତ୍ତ୍ବେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ମୋଡ଼ ବଦଳାଇ ପ୍ରଶ୍ନକାଳ ବାତିଲ୍ ସହ ସ୍ବତନ୍ତ୍ର ମୋସନ ଆଣିବା ପାଇଁ ବାଚସ୍ପତିଙ୍କ ନିକଟରେ ଦାବି ରଖିଥିଲେ। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ ଯେ ପ୍ରଶ୍ନକାଳ ବାତିଲ୍ କରି ତୁରନ୍ତ ଏହି ପ୍ରସଙ୍ଗ ଉପରେ ଆଲୋଚନା ହେଉ। ଭିନ୍ନ ଭିନ୍ନ ଧାରାରେ ହେଲେ ବି ଉଭୟ ସ୍ମିତାରାଣୀ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ କାଠଗଡାକୁ ଟାଣି ଆଣିଛନ୍ତି। ବିଜେପି ବିଧାୟକ ଦଳ ଉପନେତା ସିଧା ସିଧା ପଚାରିଛନ୍ତି ଯେ କେଉଁ ପରିସ୍ଥିତିରେ ଜଣେ ସରକାରୀ କର୍ମଚାରୀ ହରିଦାସପୁର ରଙ୍ଗଶାଳାକୁ ଗଲେ, ତାର ଜବାବ ଦିଅନ୍ତୁ ସରକାର। ସରକାରୀ କାଗଜପତ୍ରରେ ରଙ୍ଗଶାଳାକୁ ଭାଙ୍ଗି ଦିଆଯାଇଛି କେମିତି? ଜଣେ ଅଣ ଓଡ଼ିଆ ଏସପି ଜଣେ ଓଡ଼ିଆ ବୋହୂର ଇଜ୍ଜତ ହନନ କରିବେ? କିଏ ତାଙ୍କୁ ସେହି ଅଧିକାର ଦେଲା? ଲାଗିଥିବା ସିସିଟିଭି କୁଆଡେ ଗଲା? ଶବ ବ୍ୟବଚ୍ଛେଦ ଦିନ ଅଭିଯୁକ୍ତ ରୂପେଶ ଭଦ୍ର ୮ଟି ମଟର ସାଇକେଲରେ କିଛି ଯୁବକଙ୍କୁ ନେଇ ସେଠାକୁ କାହିଁକି ଯାଇଥିଲା? କଂଗ୍ରେସ ନେତା ଶ୍ରୀ ମିଶ୍ର ଗୃହ ବାହାରେ ଆଉ ଦି’ ପାଦ ଆଗକୁ ଯାଇ ସରକାରଙ୍କୁ ପଚାରିଛନ୍ତି ଯେ ଜଣେ ଚା’ ବାଲା

ଶହ ଶହ କୋଟିର ମାଲିକ ହେଲା କେମିତି?ସରକାରଙ୍କ ଜମିରେ ରଙ୍ଗଶାଳା ହେଲା, ଅଥଚ କେହି ଜାଣିପାରିଲେନି? ଶବ ବ୍ୟବଚ୍ଛେଦ ରିପୋର୍ଟର ଆଉ ଥରେ ବ୍ୟବଚ୍ଛେଦ କରାଯିବାର ଆବଶ୍ୟକତା ରହିଛି।

ସୂଚନାଯୋଗ୍ୟ ଯେ ପୂର୍ବାହ୍ନ ୧୧ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ବିଜେଡି ଓ ବିଜେପି ବିଧାୟକ ଦଳ ବୈଠକ ବସି ରଣନୀତି ପ୍ରସ୍ତୁତ ହୋଇଥିଲା। କଂଗ୍ରେସ ବିଧାୟକମା‌େନ ଗତକାଲି ରଣନୀତି ପ୍ରସ୍ତୁତ କରିଆସିଥିଲେ। ଅଧିବେଶନରେ ମହିଳା ନିର୍ଯାତନାକୁ ନେଇ ସରକାରଙ୍କୁ ଘେରିବେ ବୋଲି ଉଭୟ ବିଜେପି ଓ କଂଗ୍ରେସ ପୂର୍ବରୁ ଇଙ୍ଗିତ ଦେଇଥିଲେ। ସେହି ଅନୁଯାୟୀ ଆଜି ଗୃହରେ ଉଭୟ ଦଳ ଆକ୍ରମଣାତ୍ମକ ଭୂମିକା ନେଇଥିଲେ।

ଗୃହ କାର୍ଯ୍ୟ ଆରମ୍ଭରୁ ଦିବଂଗତ ସଦସ୍ୟଙ୍କ ପ୍ରତି ୧୫ ମିନିଟ୍‌ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ତାହା ପରେ ବାଚସ୍ପତି ପ୍ରଶ୍ନକାଳ ଆରମ୍ଭ କରି ବିଧାୟକ ମହୌଷଧି ବାଗଙ୍କ ଏକ ପ୍ରଶ୍ନର ଉତ୍ତର ଦେବାକୁ କୃଷି ମନ୍ତ୍ରୀ ଅରୁଣ ସାହୁଙ୍କୁ ଡାକିଲେ। ଏହି ସମୟରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଠିଆ ହୋଇ କହିଥିଲେ ଯେ ରାଜ୍ୟରେ ମହିଳାଙ୍କ ନିର୍ଯାତନା ବଢ଼ିଚାଲିଛି। ଯାଜପୁରରେ ପିଇଓ ସ୍ମିତାରାଣୀ ବିଶ୍ବାଳଙ୍କ ମୃତ୍ୟୁ ସମ୍ପର୍କିତ ପ୍ରସଙ୍ଗ ଉପରେ କଂଗ୍ରେସ ପକ୍ଷରୁ ଦିଆଯାଇଥିବା ମୁଲତବୀ ପ୍ରସ୍ତାବ ଆଲୋଚନାକୁ ବାଚସ୍ପତି ଗ୍ରହଣ କରି ନାହାନ୍ତି। କିନ୍ତୁ ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବାରୁ ପ୍ରଶ୍ନକାଳ ବାତିଲ କରି ଏ ସମ୍ପର୍କରେ ଆଲୋଚନା କରାଯାଉ। ପ୍ରଶ୍ନକାଳ ବାତିଲ୍‌ ନେଇ ଆଗୁଆ ଲିଖିତ ଭା‌ବେ ସେ ବାଚସ୍ପତିଙ୍କୁ ଜଣାଇଛନ୍ତି ବୋଲି ଶ୍ରୀ ମିଶ୍ର କହିଥିଲେ। ତେବେ ବାଚସ୍ପତି କହିଥିଲେ ଯେ ବିଧାନସଭାରେ ଏକ ବ୍ୟବସ୍ଥା ରହିଛି। ପ୍ରଶ୍ନକାଳ ଏମିତି ବାତିଲ୍‌ କରାଯାଏନି। ଆପଣ ଜଣେ ବରିଷ୍ଠ ସଭ୍ୟ ଭାବେ ଏ କଥା ଜାଣିଛନ୍ତି। ତେଣୁ ଆପଣ ଏହି ପ୍ରସଙ୍ଗ ଶୂନ୍ୟକାଳରେ ଉଠାଇବେ।

ବାଚସ୍ପତି ପ୍ରଶ୍ନକାଳ ଚାଲୁ ରଖିବାରୁ କଂଗ୍ରେସ ବିଧାୟକମାନେ ନିଜ ଆସନରେ ଛିଡା ହୋଇ ହୋହଲ୍ଲା ଆରମ୍ଭ କରିଦେଲେ। ଶ୍ରୀ ମିଶ୍ର ବଡ଼ ପାଟିରେ ପ୍ରଶ୍ନକାଳ ବାତିଲ୍‌ କରିବାକୁ ଯୁକ୍ତି କଲେ। ଏହି ସମୟରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିବା ପାଇଁ ଠିଆ ହୋଇଥିଲେ ବି ବାଚସ୍ପତି ତାଙ୍କୁ ସୁଯୋଗ ଦେଇ ନ ଥିଲେ। ଫଳରେ ବିଜେପି ସଭ୍ୟମାନେ ବି ନିଜ ନିଜ ଆସନରେ ଠିଆ ‌ହୋଇ ତାହାର ପ୍ରତିବାଦ କରିଥିଲେ। ପ୍ରଶ୍ନକାଳ ବାତିଲ୍‌ ଦାବିରେ କଂଗ୍ରେସ ସଭ୍ୟ ତାରା ପ୍ରସାଦ ବାହିନୀପତି ପ୍ରମୁଖ ଗୃହ ମଧ୍ୟକୁ ଆସି ନାରାବାଜି କରିଥିଲେ। ଏହି ହୋହଲ୍ଲା ଭିତରେ କୃଷି ମନ୍ତ୍ରୀଙ୍କ ଉତ୍ତର ଶୁଣାଯାଉ ନ ଥିଲା। ପରେ ପରେ ବିଜେପି ସଭ୍ୟମାନେ ବରିଷ୍ଠ ସଭ୍ୟ ଜୟ ନାରାୟଣ ମିଶ୍ର ଓ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ନେତୃତ୍ବରେ ଗୃହ ମଧ୍ୟ ଭାଗକୁ ମାଡ଼ି ଆସିଥିଲେ। ନାରୀ ନିର୍ଯାତନା ଚଳିବ ନାହିଁ ବୋଲି ସେମାନେ ସ୍ଲେଗାନ୍ ଦେଲେ। ପ୍ରଶ୍ନକାଳ ବାତିଲ୍‌ କରିବାକୁ ଉଭୟ ଦଳ ଦାବି କରିଥିଲେ। ଗୃହର ସ୍ଥିତି ଅସ୍ବାଭାବିକ ହୋଇପଡ଼ିବାରୁ ବାଚସ୍ପତି ଗୃହକୁ ଅପରାହ୍ନ ୩ଟା ଯାଏ ମୁଲତବୀ ରଖିଲେ। ‘ଓଡ଼ିଶାରେ ନାରୀ ନିର୍ଯାତନା ସୀମା ଲଂଘନ’ କରିଛି ଶୀର୍ଷକ ବିଜେପିର ମୁଲତବୀ ପ୍ରସ୍ତାବ ଆଲୋଚନା ପାଇଁ ବାଚସ୍ପତି ଗ୍ରହଣ କରିଥିଲେ ବି ଆଉ ଆଲୋଚନା ସମ୍ଭବ ହୋଇ ନ ଥିଲା।

ଅପରାହ୍ନ ୩ଟାରେ ଗୃହ ଆରମ୍ଭ ହେବା ମାତ୍ରେ ବିରୋଧୀ ଦଳ ନେତା ଶ୍ରୀ ନାୟକ ପୂର୍ବାହ୍ନରେ ଉଠାଉଥିବା ପ୍ରସଙ୍ଗକୁ ଗୃହ ସାମ୍ନାକୁ ଆଣିଥିଲେ। ସେ ଠିଆ ହେବା ସତ୍ତ୍ବେ ବାଚସ୍ପତି ତାଙ୍କୁ ସୁଯୋଗ ନ ଦେବାର ଅଭିଯୋଗ କରିଥିଲେ। ପଚାରିଥିଲେ ଯେ କାହା ଇଙ୍ଗିତରେ ବିଧାନସଭା ଚାଲିଛି? ବାଚସ୍ପତି ତତ୍କାଳ ଦୁଃଖ ପ୍ରକାଶ କରିଥିଲେ। କହିଥିଲେ ସେ ନଜର ରଖିପାରିନାହାନ୍ତି। ପରେ ଶ୍ରୀ ନାୟକ କହିଥିଲେ ଯେ ବିଧାନସଭାରେ ସମସ୍ତ କାର୍ଯ୍ୟକୁ ବନ୍ଦ କରି ନାରୀ ନିର୍ଯାତନା ପ୍ରସଙ୍ଗରେ ତୁରନ୍ତ ଆଲୋଚନା ଆରମ୍ଭ ହେବା ଦରକାର। କଂଗ୍ରେସ ନେତା ଶ୍ରୀ ମିଶ୍ର କହିଥିଲେ ଯେ ଲିଖିତ ଭାବେ ଦେବା ପରେ ବି ବାଚସ୍ପତି ଗ୍ରହଣ କଲେନି। ପ୍ରଶ୍ନ କାଳ ବାତିଲ୍ ପାଇଁ କୁହାଯାଇଥିଲା। ଥରେ ପ୍ରଶ୍ନ କାଳ ବାତିଲ୍ ହେବା ପରେ ଶୂନ୍ୟକାଳରେ ଆଉ କଣ ଉଠାଯିବ? ଓଡ଼ିଶାରେ ନାରୀ ନିର୍ଯାତନା ସୀମା ଲଂଘନ କରିଛି। କେନ୍ଦ୍ରାପଡା ଠାରୁ ବଲାଙ୍ଗୀର ପର୍ଯ୍ୟନ୍ତ ସବୁଠାରେ ସମାନ ସ୍ଥିତି। ବିଧାନସଭାରେ ଦେଖା ଦେଇଥିବା ଅଚଳାବସ୍ଥା ନେଇ ବିଧାୟକ ତାରା ପ୍ରସାଦ ବାହିନୀପତି, ସନ୍ତୋଷ କୁମାର ସାଲୁଜା, ଅମର ପ୍ରସାଦ ଶତପଥୀ, ସୁରେଶ ରାଉତରାୟ ପ୍ରମୁଖ ଭାଗ ନେଇଥିଲେ।

ପରେ ସ୍ବାଭାବିକ ସ୍ଥିତି ଫେରାଇବା ପାଇଁ ବାଚସ୍ପତି ୩ଟା ୪୨ରେ ଗୃହକୁ ମୁଲତବୀ କରି ସର୍ବଦଳୀୟ ବୈଠକ ଡାକିଥିଲେ। ପରେ ପୁଣି ୧୫ମିନିଟ୍ ପାଇଁ ଗୃହ ମୁଲତବୀ ହୋଇଥିଲା। ହେଲେ ସେଥିରେ କିଛି ବି ସମାଧାନର ରାସ୍ତା ବାହାରି ପାରିନଥିଲା। ବାଚସ୍ପତି ଗୃହକୁ ୪ଟା ୪୭ ଫେରିବା ପରେ ସଭ୍ୟମାନେ ନିଷ୍ପତ୍ତି ସଂପର୍କରେ ପଚାରିଥିଲେ। ହେଲେ କୌଣସି ଠୋସ୍ ଉତ୍ତର ନ ପାଇ ଉଭୟ କଂଗ୍ରେସ ଓ ବିଜେପି ସଭ୍ୟ ପୁଣି ଗୃହ ମଧ୍ୟକୁ ଆସି ହଟ୍ଟଗୋଳ ଓ ସ୍ଲୋଗାନ ବାଜି କରିଥିଲେ। ଏହା ଭିତରେ ଅର୍ଥମନ୍ତ୍ରୀ ପ୍ରଥମ ଅତିରିକ୍ତ ବଜେଟ୍ ଉପସ୍ଥାପନ କରିଥିଲେ।

ସମ୍ବନ୍ଧିତ ଖବର