ମହାନଦୀ ବିତର୍କ ଆଜି

ଅଚଳ ହୋଇଗଲା ଦ୍ୱିତୀୟ ଦିନର ପ୍ରଥମାର୍ଧ
ସର୍ବଦଳୀୟ ବୈଠକରେ ବାଟ ବାହାରିଲା
ପ୍ରଶ୍ନକାଳ ହେବନି, ଆରମ୍ଭରୁ ଆଲୋଚନା
ଧାନ ଦୁର୍ନୀତି ପ୍ରସଙ୍ଗରେ ବି ତର୍କ ହେବ

ଭୁବନେଶ୍ୱର : ମହାନଦୀ ପ୍ରସଙ୍ଗରେ ଲଗାତର ଦ୍ୱିତୀୟ ଦିନରେ ପାଇଁ ବିଧାନସଭାରେ ଝ଼ଡ଼ ସୃଷ୍ଟି ହୋଇଥିଲା। ଗତକାଲି ଶାସକ ଦଳର ପାଳି ଥିଲା, ଆଉ ଆଜି ବିରୋଧୀ ଦଳର ହଟ୍ଟଗୋଳ କରିବା କାରଣରୁ ପ୍ରଥମାର୍ଧ ଅଚଳ ହୋଇଯାଇଥିଲା। ସ୍ଥିତି ଏମିତି ହୋଇଥିଲା ଯେ ପ୍ରଶ୍ନକାଳ, ଶୂନ୍ୟକାଳ ଓ ମୁଲତବୀ ଆଲୋଚନା ସମ୍ଭବ ହୋଇ ନ ଥିଲା। ଶେଷରେ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ ଓ ସହମତି ହୋଇଛି ଆସନ୍ତାକାଲି ଅର୍ଥାତ୍‌ ଶୁକ୍ରବାର ମହାନଦୀ ପ୍ରସଙ୍ଗରେ ଗୃହରେ ଆରମ୍ଭରୁ ଆଲୋଚନା ହେବ। ପ୍ରଶ୍ନକାଳ ହେବନାହିଁ।

ଆଜି ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ବିରୋଧୀ କଂଗ୍ରେସ ଓ ବିଜେପି ସଭ୍ୟମାନେ ଠିଆ ହୋଇପଡ଼ିଥିଲେ। ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଥିଲେ, ପ୍ରଶ୍ନକାଳ ବାତିଲ୍‌ କରାଯାଇ ମହାନଦୀ ପ୍ରସଙ୍ଗରେ ଆଲୋଚନା କରାଯାଉ। କିନ୍ତୁ ବାଚସ୍ପତି ପ୍ରଶ୍ନକାଳ ଆରମ୍ଭ କରି ଏକ ପ୍ରଶ୍ନର ଉତ୍ତର ଦେବାକୁ ଗଣଶିକ୍ଷା ମନ୍ତ୍ରୀଙ୍କୁ କହିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ କଂଗ୍ରେସ ଓ ବିଜେପି ସଭ୍ୟମାନେ ଗୃହ ମଧ୍ୟ ଭାଗକୁ ଚାଲି ଆସିଥିଲେ। ମହାନଦୀ ଆଲୋଚନା ଆମର ଦାବି ନାରାରେ ଗୃହ କମ୍ପିଥିଲା। ଗୋଟିଏ ମିନିଟ୍‌ ଭିତରେ ବାଚସ୍ପତି ଗୃହକୁ ପୂର୍ବାହ୍ନ ୧୧ଟା ୩୦ ଯାଏଁ ମୁଲତବୀ ଘୋଷଣା କରିଥିଲେ।

ଗୃହ ବାହାରେ ବିରୋଧୀ ଦଳ ନେତା ଶ୍ରୀ ମିଶ୍ର ଗଣମାଧ୍ୟମକୁ କହିଥିଲେ, ଗତକାଲି ଶାସକ ଦଳ ଗୃହ କାର୍ଯ୍ୟ ବାତିଲ୍‌ କରିବାକୁ ଉଦ୍ୟମ କରି ସଫଳ ହେଲେ। ମହାନଦୀ ପ୍ରସଙ୍ଗକୁ ପ୍ରାଥମିକତା ଦିଆଯାଇ ଆଲୋଚନା କରାଯାଉ ବୋଲି ସେମାନେ ଚାହୁଁଥିଲେ। ଆଜି କଂଗ୍ରେସ ସମାନ କଥା ଉଠାଇଲା। ଆମର ଦାବି ଥିଲା, ପ୍ରଶ୍ନକାଳ ବାତିଲ୍‌ କରାଯାଇ ମହାନଦୀ ଜଳବିବାଦ ଆଲୋଚନା କରାଯାଉ। କିନ୍ତୁ ବାଚସ୍ପତି ଅନୁମତି ଦେଲେନି। ଶାସକ ଦଳ ରାଜି ହେଲେନି। ଜଣାପଡ଼ୁଛି, ସରକାର ମହାନଦୀ ଜଳବିବାଦକୁ ଗୁରୁତର ସହ ନେଇ ନାହାନ୍ତି। କେବଳ ଲୋକଦେଖାଣିଆ ଭାବେ ରାଜନୈତିକ ସ୍ୱାର୍ଥକୁ ଆଖି ଆଗରେ ବିରୋଧ କରୁଛନ୍ତି।

୧୧ଟା ୩୦ରେ ଗୃହ କାର୍ଯ୍ୟ ଆରମ୍ଭ ହେଲା ମାତ୍ରେ ବାଚସ୍ପତି କହିଥିଲେ, ସରକାରୀ ଦଳ ମୁଖ୍ୟ ସଚେତକ ମହାନଦୀ ପ୍ରସଙ୍ଗରେ ଆଲୋଚନା ପାଇଁ ମୋସନ ଦେଇଛନ୍ତି। ବିରୋଧୀ ଦଳ ଗୃହରେ ମଧ୍ୟ ଏହା ଉପରେ ଆଲୋଚନା ଚାହୁଁଛନ୍ତି। ହେଲେ ବଜେଟ୍‌ ଆଲୋଚନା ସମୟରେ ମୋସନକୁ ନେବା ଆମ ବ୍ୟବସ୍ଥା ଭିତରେ ନାହିଁ।

ବିରୋଧୀ ଦଳ ନେତା କିନ୍ତୁ ନିଜ ମନର ଅସନ୍ତୋଷକୁ ଗୃହରେ ଝାଡ଼ିଥିଲେ। କହିଥିଲେ, ଗୃହ ନେତା କିମ୍ବା ବିରୋଧୀ ଦଳ ନେତା ଯେଉଁ ସମୟରେ କିଛି କହିବାକୁ ଚାହାନ୍ତି, ତାଙ୍କୁ ଶୁଣାଯାଏ। ଏ ବ୍ୟବସ୍ଥା ସଂସଦରେ ଅଛି, ଏଠି ବି। ତେଣିକି ବାଚସ୍ପତି ସେମାନଙ୍କ କଥା ରଖିବେ ବା ନ ରଖିବେ ତାଙ୍କ ଉପରେ ନିର୍ଭର କରେ। ହେଲେ ପ୍ରଶ୍ନକାଳରେ ଯେଭଳି ଅବଜ୍ଞା କରାଗଲା, ଏହା ହେବା କଥା ନୁହେଁ ବୋଲି ବିରୋଧୀ ଦଳ ନେତା କ୍ଷୋଭ ପ୍ରକଟ କରିଥିଲେ।

ମହାନଦୀ ପ୍ରସଙ୍ଗ ଉଠାଇ ଶ୍ରୀ ମିଶ୍ର କହିଥିଲେ, ସରକାରୀ ଦଳ ଗୃହକୁ ଅଚଳ କରିଦେବା କ୍ୱଚିତ୍‌ ଦେଖାଯାଏ ବା ଶୁଣାଯାଏ। ଯଦି ସେମାନେ ପ୍ରକୃତରେ ଗୁରୁତ୍ୱର ସହିତ ଏହାକୁ ଗ୍ରହଣ କରୁଛନ୍ତି, ତେବେ ଏହାଉପରେ ବିତର୍କକୁ କାହିଁକି ଆସୁନାହାନ୍ତି? ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କମିଟି ହେଲା, ଥରେ କାହିଁକି ଡାକିନାହାନ୍ତି? କିଏ ତାଙ୍କୁ ବାଧା ଦେଉଥିଲା? ରାଜନୈତିକ ନାଟକବାଜି ନ ହେଉ।
ବିରୋଧୀ ଦଳ ନେତା ଆହୁରି କହିଥିଲେ, ଯେହେତୁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିଷୟ, ବାଚସ୍ପତି ଚାହିଁଲେ ନିୟମକୁ ନିଲମ୍ବିତ କରି ଗୃହରେ ଆଲୋଚନା କରିପାରିବେ। ତୁରନ୍ତ ସର୍ବଦଳୀୟ ବୈଠକ ଡାକି ବାଚସ୍ପତି ଏ ସଂପର୍କରେ ତାଙ୍କର ରାୟ ଶୁଣାନ୍ତୁ।

ବାଚସ୍ପତି ଏହା ପରେ ବିଜେପି ବିଧାୟକ ରବି ନାୟକଙ୍କୁ ଶୁଣିଥିଲେ। ସେ କହିଥିଲେ, ମହାନଦୀ ପ୍ରସଙ୍ଗକୁ ନେଇ ବିଜେଡି ରାଜନୀତି କରୁଛି। ସରକାରଙ୍କର ଯଦି ପ୍ରକୃତରେ ଆନ୍ତରିକତା ଅଛି, ତେବେ ମହାନଦୀର ଗତ ୧୦ ବର୍ଷର ବିସ୍ତତ ହିସାବକୁ ଶ୍ୱେତପତ୍ର ଆକାରରେ ପ୍ରକାଶ କରାଯାଉ। ଏହା ଉପରେ ଆଲୋଚନା ହେଉ। ପରେ ବାଚସ୍ପତି ବିଜେଡି ବିଧାୟକ ସଂଜୟ ଦାସବର୍ମାଙ୍କୁ ଡାକିବାରୁ କଂଗ୍ରେସ ଓ ବିଜେପି ସଭ୍ୟମାନେ ଗୃହର ମଧ୍ୟଭାଗକୁ ଯାଇ ସର୍ବଦଳୀୟ ବୈଠକ ଦାବିରେ ହଟ୍ଟଗୋଳ କରିଥିଲେ।

ଏହା ସତ୍ତ୍ୱେ ଶ୍ରୀ ଦାସବର୍ମା କହିଥିଲେ, ମହାନଦୀ ପ୍ରସଙ୍ଗରେ ଆଲୋଚନା ପାଇଁ ବିରୋଧୀ ଦଳର ଆଗ୍ରହ ନାହିଁ। ସରକାରୀ ଦଳର ମୁଖ୍ୟ ସଚେତକ ଆଲୋଚନା ପାଇଁ ପ୍ରସ୍ତାବ ଦେଇଛନ୍ତି। କେନ୍ଦ୍ର ସରକାର ଟ୍ରିବ୍ୟୁନାଲ ଗଠନ ପ୍ରକ୍ରିୟା ଆରମ୍ଭ କରିଥିଲେ ହେଁ ଟର୍ମସ ଅଫ୍‌ ରେଫରେନ୍‌ସ ବିଜ୍ଞପ୍ତି କରୁନାହାନ୍ତି। ଛତିଶଗଡକୁ ସୁହାଇବା ଭଳି ନିଷ୍ପତ୍ତି ନେଉଛନ୍ତି। ୬୬ଟି ଯାକ ଗେଟ୍‌କୁ ବନ୍ଦ କରିଦିଆଯାଇଛି।

ବାଚସ୍ପତି ସର୍ବଦଳୀୟ ବୈଠକ ଡକାଯିବା ସଂପର୍କରେ ଘୋଷଣା କରି ୧୧ଟା ୪୬ରେ ଗୃହକୁ ୩ଟା ଯାଏ ମୁଲତବୀ କରିଥିଲେ। ଫଳରେ କେନ୍ଦ୍ରାପଡ଼ାରେ ଧାନ କିଣା ଦୁର୍ନୀତି ଉପରେ କଂଗ୍ରେସ ପକ୍ଷରୁ ଆସିଥିବା ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ହୋଇପାରି ନ ଥିଲା।

ଏହା ପରେ ସର୍ବଦଳୀୟ ବୈଠକ ହୋଇଥିଲା। ଅପରାହ୍ନ ୩ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେଲା ପରେ ବାଚସ୍ପତି ସର୍ବଦଳୀୟ ବୈଠକର ନିଷ୍ପତ୍ତି ଶୁଣାଇଥିଲେ। ସେ କହିଥିଲେ, ଆସନ୍ତାକାଲି ପ୍ରଶ୍ନକାଳ ନିଲମ୍ବନ କରାଯାଇ ମହାନଦୀ ପ୍ରସଙ୍ଗରେ ଆଲୋଚନା କରାଯିବ। ତାହା ପରେ କେନ୍ଦ୍ରାପଡ଼ାର ଧାନ ଦୁର୍ନୀତି ଉପରେ ଧ୍ୟାନ ଆକର୍ଷଣକାରୀ ପ୍ରସ୍ତାବ ଉପରେ ଆଲୋଚନା ହେବ।

ସମ୍ବନ୍ଧିତ ଖବର