ସବୁ ସ୍ଥାୟୀ କମିଟି ବୈଠକ ବାତିଲ କଲେ ବାଚସ୍ପତି
ଅସନ୍ତୋଷ ପ୍ରକାଶ କଲେ ବିରୋଧୀ
ନିଷ୍ପତ୍ତିର ପୁନର୍ବିଚାର ପାଇଁ ଦାବି

Advertisment

ଭୁବନେଶ୍ବର : ବିଧାନସଭାର ଜଣେ ବିଧାୟକ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସମସ୍ତ କର୍ମଚାରୀଙ୍କର ସ୍ବାବ୍‌ ପରୀକ୍ଷା କରିବାକୁ ବିଏମ୍‌ସି ନିଷ୍ପତ୍ତି ନେଇଛି। ଏ ନେଇ ବିଧାନସଭା ପକ୍ଷରୁ ବିଏମ୍‌ସିକୁ ମଧ୍ୟ ଚିଠି କରାଯାଇଛି। ଖୁବଶୀଘ୍ର କର୍ମଚାରୀମାନଙ୍କର ନମୁନା ପରୀକ୍ଷା କରାଯିବ ବୋଲି ନିଷ୍ପତ୍ତି ହୋଇଛି। ସେପଟେ ବିଧାୟକ କରୋନା ଆକ୍ରାନ୍ତ ବୋଲି ଜଣାପଡ଼ିବା ପରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଜୁଲାଇ ଶେଷ ପର୍ଯ୍ୟନ୍ତ ସମସ୍ତ ଷ୍ଟାଣ୍ଡିଂ କମିଟି ବୈଠକକୁ ବାତିଲ କରିବା ନେଇ ଘୋଷଣା କରିଛନ୍ତି। ଯାହାକୁ ନେଇ ବିରୋଧୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ବିଧାନସୌଧ ବିଶୋଧନ ପରେ କିମ୍ବା ଭିଡିଓ କନଫରେନ୍‌ସିଂ ଜରିଆରେ ବୈଠକ କରିବାକୁ ସେମାନେ ଦାବି କରିଛନ୍ତି।

ବାଚସ୍ପତି ଶ୍ରୀ ପାତ୍ର କହିଥିଲେ, କରୋନା ମହାମାରୀକୁ ଦେଖି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଜୁନ୍‌ ଓ ଜୁଲାଇ ମାସରେ ସଂକ୍ରମଣ ଶୀର୍ଷରେ ପହଞ୍ଚିବ ବୋଲି କହିଛନ୍ତି। ଗତମାସରେ ଷ୍ଟାଣ୍ଡିଂ କମିଟିର ବୈଠକଗୁଡ଼ିକ ଅନୁଷ୍ଠିତ ହୋଇଥିଲା ସମସ୍ତ କମିଟି ବୈଠକ ଚଳିତମାସରେ ହୋଇପାରିବନି ବୋଲି ମଧ୍ୟ ଆଗରୁ କୁହାଯାଇଥିଲା। ଏବେ ଯେଉଁ କମିଟି ବୈଠକ ନେଇ ପୂର୍ବରୁ ତାରିଖ ଧାର୍ଯ୍ୟ କରାଯାଇଥିଲା ସେସବୁ ବୈଠକକୁ ବାତିଲ କରାଯାଇଛି। ମାର୍ଚ୍ଚ ମାସରେ ବିଧାନସଭା ବସିଥିଲା। ନିୟମ ଅନୁଯାୟୀ ୬ ମାସ ମଧ୍ୟରେ ପରବର୍ତ୍ତୀ ଅଧିବେଶନ ହେବା କଥା। ସପ୍ଟେମ୍ବର ପର୍ଯ୍ୟନ୍ତ ସମୟ ରହିଛି। ଆଗକୁ କରୋନା ସ୍ଥିତିକୁ ଦେଖି ଅଧିବେଶନ ବୈଠକ ସମ୍ପର୍କରେ ନିଷ୍ପତ୍ତି ନିଆଯିବ।

ବାଚସ୍ପତିଙ୍କ ନିଷ୍ପତ୍ତି ଉପରେ ଅସନ୍ତୋଷ ବ୍ୟକ୍ତ କରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଅଭିଯୋଗ କରି କହିଥିଲେ, ଏପରି କରି ବାଚସ୍ପତି ସଦସ୍ୟମାନଙ୍କ ସାମ୍ବିଧାନିକ ଅଧିକାରକୁ କ୍ଷୁର୍ଣ୍ଣ କରୁଛନ୍ତି। ଜଣେ ବିଧାୟକ ଯଦି କରୋନା ଆକ୍ରାନ୍ତ ହେଲେ ତାହେଲେ ସେଥିପାଇଁ ସମ୍ପୂର୍ଣ୍ଣ ଷ୍ଟାଣ୍ଡିଂ କମିଟି ବୈଠକ ବାତିଲ କରିବା ଯଥାର୍ଥ ନୁହେଁ। ରାଜ୍ୟ ପ୍ରଶାସନ କୋମାରେ ଅଛି। ପ୍ରଶାସକମାନେ ଇଚ୍ଛା ମୁତାବକ କାମ କରୁଛନ୍ତି। ସେମାନଙ୍କୁ ଉତ୍ତରଦାୟୀ କରିବା ପାଇଁ ଷ୍ଟାଣ୍ଡିଂ କମିଟି ହେଉଛି ଉପଯୁକ୍ତ ଫୋରମ୍‌। ଦୁଇ ଦିନ ତଳେ ଅନୁଷ୍ଠିତ ହୋଇଥିବା ଷ୍ଟାଣ୍ଡି କମିଟିର ଜଣେ ସଦସ୍ୟ ଯଦି କରୋନା ସଂକ୍ରମିତ ହେଲେ ତାହେଲେ ବିଧାନସଭା ଓ ଷ୍ଟାଣ୍ଡିଂ କମିଟି ବୈଠକ ଅନୁଷ୍ଠିତ ହେଉଥିବା ହଲ୍‌ଗୁଡ଼ିକୁ ବିଶୋଧନ କରାଯାଇ ପୁଣି ଥିରେ ବୈଠକ କରାଯାଇପାରିବ। ଏଥିପାଇଁ କିଛି ଦିନ ସମୟ ନିଆଯାଇପାରେ। ନଚେତ୍‌ ଭିଡିଓ କନଫରେନ୍‌ସିଂ ଜରିଆରେ ବି ବୈଠକ କରାଯାଇପାରିବ। ଗୋଟିଏ ପଟେ ଷ୍ଟାଣ୍ଡିଂ କମିଟି ବୈଠକକୁ ବାତିଲ କରାଯାଇଥିବାବେଳେ ଆସନ୍ତା ୧୦ ତାରିଖରେ କର୍ମଚାରୀଙ୍କ ପଦୋନ୍ନତି ପାଇଁ ବାଚସ୍ପତି ଉପଦେଷ୍ଟା କମିଟି ବୈଠକ ଡାକିଥିବା ଶୁଣିବାକୁ ମିଳୁଛି। ଯଦି ଏପରି ହୋଇଥାଏ ତାହେଲେ ସରକାରଙ୍କୁ ଜବାବ ରଖିବାକୁ ଥିବା କମିଟି ବୈଠକ ଡାକିବାକୁ ବାଚସ୍ପତି ପଛଘୁଞ୍ଚା ଦେଉଛନ୍ତି ବୋଲି ବୁଝିବାକୁ ହେବ। ତୁରନ୍ତ ବାଚସ୍ପତି ତାଙ୍କ ନିଷ୍ପତ୍ତିର ପୁନର୍ବିଚାର କରିବାକୁ ଶ୍ରୀ ମିଶ୍ର ଦାବି କରିଛନ୍ତି।

ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଥିଲେ, ଷ୍ଟାଣ୍ଡିଂ କମିଟି ବୈଠକ ବାତିଲ କରିବାର ଆବଶ୍ୟକତା ନଥିଲା। କୋଭିଡ-୧୯ ଗାଇଡଲାଇନ୍‌ ଅନୁପାଳନ ପୂର୍ବକ ବୈଠକ କରିବାରେ କିଛି ବି ଅସୁବିଧା ନାହିଁ। ବିଧାନସଭାର ସବୁ ଷ୍ଟାଣ୍ଡିଂ କମିଟିରେ ୧୨ ଜଣ ବିଧାୟକ ଅଛନ୍ତି। ସେମାନଙ୍କ ଭିତରେ ବୈଠକ ଦିନ ପ୍ରାୟ ୬ରୁ ୭ ଜଣ ଆସିଥାନ୍ତି। ଅଫିସରମାନଙ୍କୁ ମିଶାଇଲେ ସମସ୍ତଙ୍କ ସଂଖ୍ୟା ଅତିବେଶୀରେ ୧୫ ହେବ। ସାମାଜିକ ଦୂରତା ରକ୍ଷା କରି ୧୫ ଜଣ ବସିବା ପାଇଁ ଓଡ଼ିଶା ବିଧାନସଭା ପରିସରରେ ଯଥେଷ୍ଟ ହଲ୍‌ ରହିଛି। ତେଣୁ ବାଚସ୍ପତି ତାଙ୍କ ନିଷ୍ପତ୍ତିରେ ପରିବର୍ତ୍ତନ କରି ଷ୍ଟାଣ୍ଡିଂ କମିଟି ବୈଠକ ଡାକିବାକୁ ସେ ଅନୁରୋଧ କରିଛନ୍ତି।