ବିଧାନସଭା ମୌସୁମୀ ଅଧିବେଶନ ୪ରୁ

ପ୍ରଥମ ଅତିରିକ୍ତ ବଜେଟ୍‌ ଆଗତ ହେବ

ଭୁବନେଶ୍ୱର : ସେପ୍ଟେମ୍ବର ୪ ତାରିଖରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବ। ସେପ୍ଟେମ୍ବର ୨୦ ତାରିଖ ଯାଏଁ ଚାଲିବାକୁ ଥିବା ଏହି ଅଧିବେଶନରେ ମୋଟ୍‌ ୧୧ଟି କାର୍ଯ୍ୟଦିବସ ରହିଛି। ଆଜି ରାଜ୍ୟପାଳ ସମନ ଜାରି କରିବା ପରେ ବିଧାନସଭା ସଚିବାଳୟ ପକ୍ଷରୁ ଏ ସଂକ୍ରାନ୍ତରେ ବିଧିବଦ୍ଧ ବିଜ୍ଞପ୍ତି ଜାରି କରାଯାଇଛି। ଜଣେ ସରକାରୀ ଅଧିକାରୀ କହିଛନ୍ତି, ଗତ ଚାରି ଦଶନ୍ଧି ମଧ୍ୟରେ ପ୍ରଥମ ଥର ପାଇଁ ମୌସୁମୀ ଅଧିବେଶନରେ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ୍‌ ଆଗତ ହେଉଛି। ଅଧିବେଶନର ପ୍ରଥମ ଦିନ ଅର୍ଥାତ୍‌ ୪ ତାରିଖରେ ହିଁ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ଗୃହରେ ଅତିରିକ୍ତ ବଜେଟ୍‌ ଆଗତ କରିବେ। ୧୭ ତାରିଖ ଦିନ ପ୍ରଥମ ଅତରିକ୍ତ ବ୍ୟୟମଞ୍ଜୁରି ବିଲ୍‌ ପାରିତ କରାଯିବାର କାର୍ଯ୍ୟକ୍ରମ ରହିଛି। ସାଧାରଣତଃ, ଶୀତ ଅଧିବେଶନରେ ହିଁ ଅତିରିକ୍ତ ବଜେଟ୍‌ ଆଗତ ହୋଇଥାଏ।

ବିଜ୍ଞପ୍ତି ଅନୁଯାୟୀ, ସେପ୍ଟେମ୍ବର ୧୦, ୧୧ ଓ ୧୨ ତାରିଖ ତିନି ଦିନ ଧରି ଅତିରିକ୍ତ ଖର୍ଚ୍ଚ ଦାବି ଉପରେ ଆଲୋଚନା ହେବ। ସେହିପରି ସେପ୍ଟେମ୍ବର ୮, ୯, ୧୩, ୧୪, ୧୫ ଓ ୧୬ ତାରିଖରେ ଛୁଟି ରହିଛି। ଏହି ଅଧିବେଶନରେ ମୋଟ ଦୁଇଟି (ସେପ୍ଟେମ୍ବର ୭ ଓ ୨୦) ବେସରକାରୀ କାର୍ଯ୍ୟ ଦିବସ ରହିଛି।

ଉଲ୍ଲେଖଥାଉକି, ଏହି ଅଧିବେଶନରେ ଗୁରୁତ୍ୱପୂର୍ଣ୍ଣ ବିଧାନ ପରିଷଦ ବିଲ୍‌ ଆଗତ ହୋଇପାରେ। ଏ ନେଇ ସରକାରୀ ପ୍ରସ୍ତୁତି ଚାଲିଛି।

ସମ୍ବନ୍ଧିତ ଖବର