ଭୁବନେଶ୍ବର: ତୃତୀୟ ଦିନରେ ମଧ୍ୟ ଗୃହ ଅଧିକ ସମୟ ପର୍ଯ୍ୟନ୍ତ ଚାଲିପାରିଲା ନାହିଁ। ରାଜ୍ୟରେ ଦେଖାଯାଇଥିବା ସାର ସମସ୍ୟାକୁ କେନ୍ଦ୍ର କରି ବିଜୁ ଜନତା ଦଳ (ବିଜେଡି)ର ବିଧାୟକମାନେ ଗୃହରେ ନାରାବାଜି କରିଛନ୍ତି। ଆଲୋଚନା ସୁରୁଖୁରୁରେ ଆଲୋଚନା ପାଇଁ ଉଦ୍ୟମ କରାଯାଇଥିଲେ ମଧ୍ୟ ଏହା ହୋଇପାରି ନାହିଁ।

Advertisment

ଗୃହ କାର୍ଯ୍ୟର ଦ୍ଵିତୀୟାର୍ଦ୍ଧରେ ଆରମ୍ଭରୁ ବିଜେଡିର ବିଧାୟକମାନେ ନାରାବାଜି କରିଛନ୍ତି। ସାର୍ ପ୍ରସଙ୍ଗ ଉଠାଇ ଗୃହ ମଧ୍ୟଭାଗରେ ପୋଷ୍ଟର ଦେଖାଇ ନାରାବାଜି କରିଛନ୍ତି। ବାଚସ୍ପତି ସୁରମା ପାଢ଼ୀ ହାଉସ ଅର୍ଡର ରଖିବାକୁ ବିଜେଡି ବିଧାୟକଙ୍କୁ ନିବେଦନ କରିଥିଲେ। ଗୃହରେ ଶୃଙ୍ଖଳା ରକ୍ଷା କରିବାକୁ ନିବେଦନ କରିଥିଲେ। କିନ୍ତୁ ବିଜେଡିର ବିଧାୟକମାନେ ମାନିବାକୁ ନାରାଜ ଥିଲେ। ଶେଷରେ ବାଚସ୍ପତି ଗୃହକୁ ଆସନ୍ତା ସୋମବାର (ସେପ୍ଟେମ୍ବର ୨୨ ସକାଳ ୧୦ଟା) ଯାଏଁ ଗୃହ ମୁଲତବି ରଖିଛନ୍ତି। 

ସେପ୍ଟେମ୍ବର ୨୫ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନରେ ସାତଟି କାର୍ଯ୍ୟଦିବସ ରହିଛି। ସେପ୍ଟେମ୍ବର ୧୯ ତାରିଖରେ କେବଳ ବେସରକାରୀ ସଭ୍ୟଙ୍କ କାର୍ଯ୍ୟ ପାଇଁ ଧାର୍ଯ୍ୟ ହୋଇଥିଲା ବେଳେ ବାକି ୬ ଦିନ ସରକାରୀ କାର୍ଯ୍ୟଦିବସ ରହିଛି।

ସୂଚନାଯୋଗ୍ୟ, ସପ୍ତଦଶ ବିଧାନସଭାର ଚତୁର୍ଥ ଅଧିବେଶନ ୨୦୨୫ ସେପ୍ଟେମ୍ବର ୧୮ ତାରିଖ ଠାରୁ ଆରମ୍ଭ ହୋଇଛି। ଗତକାଲି ପୂର୍ବାହ୍‌ଣରେ ମାତ୍ର ୪ ମିନିଟ ପର୍ଯ୍ୟନ୍ତ ଗୃହ କାର୍ଯ୍ୟ ଚାଲିଥିଲା। ସାର ପ୍ରସଙ୍ଗରେ ବିଜେଡି ନେତାମାନେ ହୋହାଲ୍ଲା କରିବାରୁ ବାଚସ୍ପତି ଶ୍ରୀମତୀ ପାଢ଼ୀ ଅପରାହ୍‌ଣ ୪ଟା ଯାଏଁ ଗୃହକୁ ମୁଲତବି ରଖିଥିଲେ। ଅପରାହ୍‌ଣ ୪ଟାରେ ଗୃହ ଯେତେବେଳେ ଆରମ୍ଭ ହେଲା ମାତ୍ର ୪ମିନିଟ ପରେ ପୁଣି ବିରୋଧୀ ଦଳର ବିଧାୟକମାନେ ହଙ୍ଗାମା କରିଥିଲେ। ଫଳରେ ଗୃହକୁ ବାଚସ୍ପତି ଆଜି ସକାଳ ୧୦ଟା ପର୍ଯ୍ୟନ୍ତ ମୁଲତବି ରଖିଥିଲେ। ଆଜି ବିଧାନସଭାର ଗୃହ କାର୍ଯ୍ୟ ମାତ୍ର କେଇଁ ମିନିଟ ପାଇଁ ଚାଲିଥିଲା। ବିରୋଧୀଙ୍କ ହଙ୍ଗାମା କାରଣରରୁ ଗୃହକାର୍ଯ୍ୟ ସୂଚାରୁ ରୂପେ ଚାଲି ପାରି ନଥିଲା। ଗତକାଲି ୮ମିନିଟ ଗୃହ କାର୍ଯ୍ୟ ଚାଲିଥିଲା ବେଳେ ଏହା ଆଜି ୧୫ମିନିଟ ଧରି ଚାଲିଛି।  

Assembly