ଯକ୍ଷ୍ମା ନିୟନ୍ତ୍ରଣରେ ଓଡିଶାର ସଫଳତା : ୧୩ତମ ସ୍ଥାନକୁ ଉନ୍ନୀତ ହେଲା

ଭୁବନେଶ୍ୱର : ଯକ୍ଷ୍ମା ନିୟନ୍ତ୍ରଣ କ୍ଷେତ୍ରରେ ରାଜ୍ୟ ସରକାର ପରିବର୍ତ୍ତିତ ଜାତୀୟ ଯକ୍ଷ୍ମା ନିୟନ୍ତ୍ରଣ କାର୍ଯ୍ୟକ୍ରମ (ଆରଏନ୍‍ଟିସିପି)କୁ ସଫଳତାର ସହ କାର୍ଯ୍ୟକାରୀ କରୁଥିବାବେଳେ ସଫଳତାର ଗୋଟିଏ ପରେ ଗୋଟିଏ ପାହାଚ ଚଢିବାରେ ଲାଗିଛି। ଏକଦା ଯକ୍ଷ୍ମା ନିୟନ୍ତ୍ରଣ କ୍ଷେତ୍ରରେ ୨୪ତମ ସ୍ଥାନରେ ଥିବା ଓଡିଶା ଏବେ ୧୩ତମ ସ୍ଥାନକୁ ଉନ୍ନୀତ ହୋଇଛି। ମାଲକାନଗିରି ଭଳି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ବି ଯକ୍ଷ୍ମା ନିୟନ୍ତ୍ରଣ ଯୋଜନା ବେଶ୍‍ ସଫଳ ହୋଇପାରିଛି।

ରାଜ୍ୟରେ ଯକ୍ଷ୍ମା ନିୟନ୍ତ୍ରଣ କାର୍ଯ୍ୟକ୍ରମ ସମ୍ପର୍କରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ନି‌ର୍ଦ୍ଦେଶିକା ଶାଳିନୀ ପଣ୍ଡିତ କରିଥିବା ରାଜ୍ୟ ସ୍ତରୀୟ ସମୀକ୍ଷାରୁ ଏହି ସୂଚନା ମିଳିଛି। ଯକ୍ଷ୍ମାରୋଗୀମାନଙ୍କୁ ଚିହ୍ନଟ କରିବା ସହିତ ସେମାନଙ୍କୁ ଗୁଣାତ୍ମକ ଔଷଧ ଯୋଗାଯାଉଛି। ସେବା ମନୋଭାବ ନେଇ ସ୍ୱାସ୍ଥ୍ୟକର୍ମୀମାନେ ପ୍ରତ୍ୟେକ ରୋଗୀଙ୍କ ନିକଟରେ ପହଞ୍ଚିବା ସହିତ ସେମାନଙ୍କ ଚିକିତ୍ସା କରିବା ଫଳରେ ରାଜ୍ୟରେ ଆରଏନ୍‍ଟିସିପିରୁ ସଫଳତା ମିଳିପାରିଛି। ରାଜ୍ୟର ଏଭଳି ସଫଳତା ପଛରେ ମିଶନ ନିର୍ଦ୍ଦେଶିକା ଶ୍ରୀମତୀ ପଣ୍ଡିତ ଓ ତାଙ୍କ ଟିମ୍‍ର ବେଶ୍‍ ସହଯୋଗ ରହିଛି। ମାଲକାନଗିରି ସମେତ ରାୟଗଡା ଓ କଟକ ଜିଲ୍ଲାରେ ଯକ୍ଷ୍ମା ନିୟନ୍ତ୍ରଣ କାର୍ଯ୍ୟକ୍ରମ ବେଶ୍‍ ସଫଳ ହୋଇଥିବାବେଳେ ସେହିସବୁ ଜିଲ୍ଲାରେ ଥିବା ସଂଯୋଜକମାନେ ସ୍ୱତବ ଭାବେ ପଦକ୍ଷେପ ଗ୍ରହଣ କରୁଛନ୍ତି। ରାଜ୍ୟକୁ ମିଳୁଥିବା ଏହି ସଫଳତା ବଜାୟ ରହିବା ସହିତ ଆଗାମୀ ଦିନରେ ରାଜ୍ୟ କିଭଳି ଏକ ନମ୍ବର ସ୍ଥାନରେ ପହଞ୍ଚିବ ସେଥିପାଇଁ ଶ୍ରୀମତୀ ପଣ୍ଡିତ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି।

ରାଜ୍ୟରେ ଯକ୍ଷ୍ମା ଚିକିତ୍ସା ସଫଳତାର ହାର, ରୋଗ ଚିହ୍ନଟ ଲକ୍ଷ୍ୟ ପୂରଣ, ନିଶ୍ଚୟ ପୋଷଣ ଯୋଜନାରେ ଯକ୍ଷ୍ମାରୋଗୀଙ୍କୁ ପୁଷ୍ଟିକର ଖାଦ୍ୟ ଲାଗି ଡାଇରେକ୍ଟ ବେନିଫିଟ୍‍ ଟ୍ରାନ୍ସଫର (ଡିବିଟି)ମାଧ୍ୟମରେ ଅର୍ଥ ପ୍ରଦାନ ଆଦି ସଂକ୍ରାନ୍ତରେ ସମୀକ୍ଷା କରାଯାଇଥିଲା। ଅତି କମ୍‌ରେ ୮୦ ପ୍ରତିଶତ ରୋଗୀଙ୍କୁ ପୁଷ୍ଟିକର ଖାଦ୍ୟ ପାଇଁ ସିଧାସଳଖ ଅର୍ଥ ମିଳିବା ଆବଶ୍ୟକ ବୋଲି କୁହାଯାଇଛି। ଅନୁରୂପ ଭାବେ ଜିଲ୍ଲା ସ୍ତରରେ ଚିହ୍ନଟ ହେଉଥିବା ଯକ୍ଷ୍ମାରୋଗୀଙ୍କ ମଧ୍ୟରୁ ୭୫ ପ୍ରତିଶତଙ୍କୁ ସମ୍ପୂର୍ଣ୍ଣ ଚିକିତ୍ସା ପ୍ରଦାନ ଲାଗି ନିର୍ଦ୍ଦେଶ ଦିଆଯାଇଛି।ଏଚ୍‍ଆଇଭି ଆକ୍ରାନ୍ତମାନେ ସହଜରେ ଯକ୍ଷ୍ମାର ଶିକାର ହେଉଥିବାବେଳେ ରାଜ୍ୟ ଏଡ୍‍ସ ନିୟନ୍ତ୍ରଣ ସମିତି ଓ ଆଇଏନ୍‍ଟିସିପିର ପଦାଧିକାରୀମାନେ ନିଜ ଭିତରେ ସମନ୍ୱୟ ରକ୍ଷାକରି ଟିବି-ଏଚ୍‍ଆଇଭିଙ୍କ ମୃତ୍ୟୁହାର ହ୍ରାସ ଲାଗି ସବୁ ପ୍ରକାର ଉଦ୍ୟମ କରିବାକୁ କୁହାଯାଇଛି। ଯକ୍ଷ୍ମା ନମୂନା ସଂଗ୍ରହ ବ୍ୟବସ୍ଥାକୁ ଅଧିକ ବ୍ୟାପକ ଓ ସୁବ୍ୟବସ୍ଥିତ କରାଯିବା, ଜିଲ୍ଲା ସ୍ତରରେ ଖାଲିଥିବା ଯକ୍ଷ୍ମା ନିୟନ୍ତ୍ରଣ କର୍ମଚାରୀ ପଦବୀ ପୂରଣ ଉପରେ ମଧ୍ୟ ଆଲୋଚନା ହୋଇଛି।

ସମ୍ବନ୍ଧିତ ଖବର