ଓଡ଼ିଶାରେ ବ୍ୟବସାୟ କରିବା ସହଜ ନୁହେଁ କି ?  ଇଜ୍ ଅଫ ଡୁଇଙ୍ଗ୍ ବିଜନେସ୍ ତାଲିକାରେ ୨୯ ତମ ସ୍ଥାନକୁ ଖସିଲା ରାଜ୍ୟ

ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶିତ ‘ଇଜ୍ ଅଫ ଡୁଇଙ୍ଗ ବିଜନେସ’ ବା ବ୍ୟବସାୟ କରିବାର ସୁଗମତା ର‍୍ୟାଙ୍କିଙ୍ଗରେ ଓଡ଼ିଶା ୨୯ତମ ସ୍ଥାନରେ ରହିଛି। ପୂର୍ବବର୍ଷ ତୁଳନାରେ ଓଡ଼ିଶା ସୂଚୀରେ ତଳକୁ ଖସିଯାଇଛି ।  ୨୦୧୮ ‘ଇଜ୍ ଅଫ ଡୁଇଙ୍ଗ ବିଜନେସ’  ରିପୋର୍ଟରେ ସମଗ୍ର ଦେଶରେ ୧୪ ତମ ସ୍ଥାନରେ ଓଡ଼ିଶା ରହିଥିଲା ।

କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରାଳୟ ପକ୍ଷରୁ ଆଜି ପ୍ରକାଶିତ ବ୍ୟବସାୟିକ ସଂସ୍କାର କାର୍ଯ୍ୟକାରୀ କରିଥିବା ରାଜ୍ୟମାନଙ୍କର ‘ଇଜ୍ ଅଫ ଡୁଇଙ୍ଗ ବିଜନେସ’ ର‍୍ୟାଙ୍କ ତାଲିକାରେ ଆନ୍ଧ୍ରପ୍ରଦେଶ ପ୍ରଥମ ସ୍ଥାନରେ ଥିବା ବେଳେ ୨ୟ ସ୍ଥାନରେ ରହିଛି ଉତ୍ତରପ୍ରଦେଶ । ସେହିପରି ୩ୟ ସ୍ଥାନରେ ତେଲେଙ୍ଗାନା ଓ ମଧ୍ୟପ୍ରଦେଶ ୪ର୍ଥ ସ୍ଥାନରେ ରହିଛି । ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ମଧ୍ୟରେ ଓଡ଼ିଶା ୨୯ ତମ ସ୍ଥାନରେ ରହିଛି । ଓଡ଼ିଶା ତଳକୁ କେବଳ ସିକ୍କିମ ଓ ତ୍ରିପୁରା ଅଛନ୍ତି । ପୂର୍ବ ଭାରତର ରାଜ୍ୟଗୁଡ଼ିକ ମଧ୍ୟରେ ଝାଡ଼ଖଣ୍ଡ ସବୁଠାରୁ ଭଲ ପ୍ରଦର୍ଶନ କରିବା ସହ ସର୍ବଭାରତୀୟ ତାଲିକାର ୫ମ ସ୍ଥାନରେ ରହିଛି।

୨୦୧୯ର ଏହି ରାଜ୍ୟ ର‍୍ୟାଙ୍କ ତାଲିକା ୧୨ଟି ବିଜନେସ ରେଗୁଲେଟରୀ (ବ୍ୟବସାୟିକ ନିୟମନ) କ୍ଷେତ୍ରକୁ ବିଚାରକୁ ନେଇ ପ୍ରସ୍ତୁତ କରାଯାଇଛି । ପୂର୍ବରୁ ୨୦୧୫, ୨୦୧୬ ଓ ୨୦୧୭-୧୮ ପାଇଁ ଏହି ତାଲିକା ପ୍ରକାଶ ପାଇଥିଲା ।

ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ତାଲିକାର ଉନ୍ମୋଚନ କରିଥିଲେ । ଏହି ଅବସରରେ କେନ୍ଦ୍ର ରେଳ ଓ ବାଣିଜ୍ୟ ମନ୍ତ୍ରୀ ପିୟୁଷ ଗୋଏଲ, କେନ୍ଦ୍ର ବାଣିଜ୍ୟ ରାଷ୍ଟ୍ରମନ୍ତ୍ରୀ ହରଦୀପ ସିଂ ପୁରୀ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର