ଉନ୍ନତ ସ୍ବାସ୍ଥ୍ୟସେବା ପାଇଁ ଓଡ଼ିଶା ପୁରସ୍କୃତ

ଭୁବନେଶ୍ବର: ଉନ୍ନତମାନର ସ୍ବାସ୍ଥ୍ୟସେବା ପାଇଁ ଓଡ଼ିଶାକୁ ସମ୍ମାନଜନକ ଜେ.ଆର.ଡି ଟାଟା ମେମୋରିଆଲ ପୁରସ୍କାର ମିଳିଛି। ପପୁଲେସନ୍ ଫାଉଣ୍ଡେସନ୍ ଅଫ ଇଣ୍ଡିଆ ପକ୍ଷରୁ ଜଗତସିଂହପୁର ଜିଲ୍ଲା ସ୍ବାସ୍ଥ୍ୟ ପ୍ରଶାସନକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ନୂଆଦିଲ୍ଲୀର ଇଣ୍ଡିଆ ହାବିଟାଟ୍ ସେଣ୍ଟରରେ ଅନୁଷ୍ଠିତ ସ୍ବତନ୍ତ୍ର ଉତ୍ସବରେ ନିତି ଆୟୋଗର ଉପାଧ୍ୟକ୍ଷ ରାଜୀବ କୁମାର ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା.ଅଶୋକ କୁମାର ପଟ୍ଟନାୟକଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ପରିବାର ନିୟୋଜନ ସହ ସ୍ବାସ୍ଥ୍ୟସେବାରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଜଗତସିଂହପୁର ଜିଲ୍ଲାକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ପପୁଲେସନ୍ ଫାଉଣ୍ଡେସନ୍ ଅଫ ଇଣ୍ଡିଆ ପକ୍ଷରୁ ଦେଶବ୍ୟାପୀ ସର୍ବେକ୍ଷଣ କରାଯାଇଥିଲା। ସ୍ବାସ୍ଥ୍ୟସେବା ସଂକ୍ରାନ୍ତରେ ଅନୁଧ୍ୟାନ କରାଯାଇଥିଲା। ଏଥିରେ ଜଗତସିଂହପୁର ଜିଲ୍ଲା ପ୍ରଥମ ସ୍ଥାନ ହାସଲ କରିବାରେ ସକ୍ଷମ ହୋଇଥିଲା।  ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେ ରିପୋର୍ଟ ଅନୁଯାୟୀ, ରାଜ୍ୟରେ ୫୭.୩ ପ୍ରତିଶତ ମହିଳା ପରିବାର କଲ୍ୟାଣ ଯୋଜନାରେ ସାମିଲ ହୋଇଥିବା ବେଳେ ଜଗତସିଂହପୁର ଜିଲ୍ଲାରେ ଏହାର ୬୩.୮ ପ୍ରତିଶତ। ଏହି ଜିଲ୍ଲାରେ ୪୫.୨ ପ୍ରତିଶତ ମହିଳା ଅତ୍ୟାଧୁନିକ ପରିବାର କଲ୍ୟାଣ ବ୍ୟବସ୍ଥାକୁ ଗ୍ରହଣ କରିଥିବା ଜଣାପଡ଼ିଛି। ସେହିପରି ଡାକ୍ତରଖାନାରେ ପ୍ରସବ ହାର ରାଜ୍ୟରେ ୮୫.୩ ପ୍ରତିଶତ ରହିଥିବା ବେଳେ ଜଗତସିଂହପୁର ଜିଲ୍ଲାରେ ଏହା ୯୭ ପ୍ରତିଶତରୁ ଅଧିକ ରହିଛି। ୫ ବର୍ଷ ବୟସରୁ କମ୍ ଶିଶୁଙ୍କ ଜନ୍ମ ପଞ୍ଜୀକରଣ ହାର ଜଗତସିଂହପୁର ଜିଲ୍ଲାରେ ୮୭ ପ୍ରତିଶତ ବୋଲି ରିପୋର୍ଟରେ ଦର୍ଶାଯାଇଛି।

ସମ୍ବନ୍ଧିତ ଖବର