ଏ ବର୍ଷ ଓଡ଼ିଶାକୁ ୩ କାୟାକଳ୍ପ ପୁରସ୍କାର : ରାୟଗଡ଼ା ପ୍ରଥମ, କ୍ୟାପିଟାଲ ହସ୍ପିଟାଲ ଦ୍ବିତୀୟ, ଏମ୍‌ସକୁ ପୁଣି କାୟାକଳ୍ପ ପୁରସ୍କାର ମିଳିଲା

ଭୁବନେଶ୍ବର : ୨୦୧୮-୧୯ବର୍ଷ ଲାଗି ସର୍ବଭାରତୀୟ କାୟାକଳ୍ପ ପୁରସ୍କାର ପ୍ରଦାନ କରାଯାଇଛି। ଏଥିରେ ଓଡ଼ିଶାକୁ ୩ଟି ପୁରସ୍କାର ମିଳିଛି। ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପ୍ରଥମ ସ୍ଥାନରେ ରହିଥିବା ବେଳେ କ୍ୟାପିଟାଲ ହସ୍ପିଟାଲ ଦ୍ବିତୀୟ ସ୍ଥାନରେ ରହିଛି। ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ବର୍ଗରେ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପ୍ରଥମ ପୁରସ୍କାର ହାସଲ କରିଛି। ନୂଆଦିଲ୍ଲୀର ଇଣ୍ଡିଆ ହାବିଟାଟ୍‌ କନଭେନସନ ହଲରେ ଅନୁଷ୍ଠିତ ଏହି ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ଯୋଗଦେଇ ସ୍ବାସ୍ଥ୍ୟ ଅନୁଷ୍ଠାନମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ସେହିପରି ଲଗାତାର ଦ୍ବିତୀୟଥର ଭୁବନେଶ୍ବର ଏମ୍‌ସକୁ ମିଳିଛି କାୟାକଳ୍ପ ପୁରସ୍କାର। ସାମଗ୍ରିକ ସ୍ବଚ୍ଛତା ରକ୍ଷା ପାଇଁ ଉଦ୍ଦିଷ୍ଟ ଏହି ପୁରସ୍କାର ବାବଦରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଭୁବନେଶ୍ବର ଏମ୍‌ସକୁ ଏକ କୋଟି ଟଙ୍କା ପ୍ରଦାନ କରିଥିଲେ। ଦାଦ୍ରା ନଗର ହାବେଳି ଶ୍ରୀ ବିନୋବା ଭାବେ ସିଭିଲ ହସ୍ପିଟାଲକୁ ପ୍ରଥମ ପୁରସ୍କାର ମିଳିଥିବା ବେଳେ ଭୁବନେଶ୍ବର ଏମ୍‌ସ ଦ୍ବିତୀୟ ସ୍ଥାନ ଅଧିକାର କରିଛି।

ଏକ ହଜାରରୁ କମ୍ ଶଯ୍ୟା ବିଶିଷ୍ଟ ହସ୍ପିଟାଲମାନଙ୍କୁ ଗ୍ରୁପ୍ ‘ବି’ ଶ୍ରେଣୀଭୁକ୍ତ କରାଯାଇଥାଏ। ସମଗ୍ର ଦେଶରେ ଏହି ଗ୍ରୁପ୍‌ରେ ଭୁବନେଶ୍ବର ଏମ୍‌ସ ପରିଚ୍ଛନ୍ନତା ଦୃଷ୍ଟିରୁ ଦ୍ବିତୀୟ ସ୍ଥାନ ଅଧିକାର କରିବାର ଗୌରବ ଲାଭ କରିଛି। ୨୦୧୭-୧୮ ଆର୍ଥିକ ବର୍ଷରେ ଭୁବନେଶ୍ବର ଏମ୍‌ସ ଏହି ପୁରସ୍କାର ଲାଭ କରିଥିଲା। ଚଳିତ ବର୍ଷ ଅର୍ଥାତ୍ ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ମଧ୍ୟ ପୁଣିଥରେ ଏହି ପୁରସ୍କାର ପାଇଁ ମନୋନୀତ ହୋଇଛି। ଭୁବନେଶ୍ବର ଏମ୍‌ସ ନିର୍ଦେଶିକା ପ୍ରଫେସର ଗୀତାଞ୍ଜଳି ବାତ୍ମନ୍‌ବାନେ ଓ ହସ୍ପିଟାଲ ଅଧୀକ୍ଷକ ପ୍ରଫେସର ସଚ୍ଚିଦାନନ୍ଦ ମହାନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଧନଙ୍କ ନିକଟରୁ ଏହି ପୁରସ୍କାର ଗ୍ରହଣ କରିଥିଲେ। ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ ଅଶ୍ବିନୀ କୁମାର ଚୌବେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ଉଲ୍ଲେଖଯୋଗ୍ୟ, ୨୦୧୪ ମସିହାରୁ ‘କାୟାକଳ୍ପ’ ପୁରସ୍କାର ଆରମ୍ଭ ହୋଇଛି। ଡାକ୍ତରଖାନା ପରିଚାଳନା, ପରିସ୍କାର ପରିଚ୍ଛନ୍ନତା, ସଂକ୍ରମଣ ପ୍ରତିରୋଧକ, ବର୍ଜ୍ୟବସ୍ତୁ ପରିଚାଳନା, ସହାୟକ ସେବା ଓ ହାଇଜେନିକ୍ ପ୍ରମୋସନ ଆଦି ବର୍ଗରେ ପୁରସ୍କାର ପ୍ରଦାନ କରାଯାଉଛି। ଗତବର୍ଷ ଠାରୁ ଡାକ୍ତରଖାନା ପରିସର ବାହାରେ ବିଭିନ୍ନ ବର୍ଗକୁ ସାମିଲ କରାଯାଇଛି। ଡାକ୍ତରଖାନାରେ ସ୍ବଚ୍ଛତା ପାଇଁ ପ୍ରତିବର୍ଷ ଜିଲ୍ଳା, ଉପଖଣ୍ଡ, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ପୁରସ୍କୃତ କରାଯାଉଛି। ଗତବର୍ଷ ରାଜ୍ୟର ୬ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ୫ଟି ଉପଖଣ୍ଡ ଚିକିତ୍ସାଳୟ, ୪୩ଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ୮୬ଟି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ୪୨ଟି ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଏହି ପୁରସ୍କାର ପାଇଁ ମନୋନୀତ ହୋଇଥିଲେ।

ଏହି ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମରେ ଜାତୀୟ ସ୍ବାସ୍ଥ୍ୟ ମିସନ ନି‌ର୍ଦେଶକ ମନୋଜ ଜିଲାନୀ ଓ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ପ୍ରୀତି ସୁଦାନ ଉପସ୍ଥିତ ଥିଲେ। ଓଡ଼ିଶା ପକ୍ଷରୁ ଡା.ଶକ୍ତିବ୍ରତ ମହାନ୍ତି ରାୟଗଡ଼ା ପାଇଁ ପୁରସ୍କାର ଗ୍ରହଣ କରିଥିବା ବେଳେ କ୍ୟାପିଟାଲ ହସ୍ପିଟାଲ ପାଇଁ ନିର୍ଦେଶକ ଡା. ଅଶୋକ ପଟ୍ଟନାୟକ ଓ ଡୁଙ୍ଗୁରୁପାଲି ସ୍ବାସ୍ଥ୍ୟକେନ୍ଦ୍ର ପାଇଁ ଡା. ପାର୍ଥପ୍ରତିମ ପଣ୍ଡା ଏହି ପୁରସ୍କାର ଗ୍ରହଣ କରିଛନ୍ତି। ଓଡ଼ିଶାର ଜାତୀୟ ସ୍ବାସ୍ଥ୍ୟ ମିସନ୍ ତରଫରୁ ଡା. ବିଜୟ କୁମାର ସ୍ବାଇଁ ଓ ଡା. ମନୋରଂଜନ ମହାପାତ୍ର ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର