ପୁରୀ: ଭକ୍ତଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବାକୁ ବିଭିନ୍ନ ସଂଗଠନ ଦାବି କରି ଆସୁଥିବାବେଳେ ଚାରିଦ୍ବାର ଖୋଲିବା ଦାବିରେ ଶ୍ରୀଜଗନ୍ନାଥ ସେନା ଆସନ୍ତା ଅକ୍ଟୋବର ୩ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଇଛି। ପୁରୀ ସହ ସାରା ଓଡ଼ିଶାରେ ଏହିଦିନ ଆନ୍ଦୋଳନ ହେବ। ଏହି ଆନ୍ଦୋଳନ ଶାନ୍ତିପୂର୍ଣ୍ଣ ହେବ ବୋଲି ଶ୍ରୀଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି। ଏ ନେଇ ସଂଗଠନ ପକ୍ଷରୁ ଲିଫ୍‌ଲେଟ୍‌ ବଣ୍ଟାଯିବା ଆରମ୍ଭ ହୋଇଛି। ଶ୍ରୀଜଗନ୍ନାଥ ସେନା ଅଭିଯୋଗ କରିଛି, ଶ୍ରୀମନ୍ଦିରର ଚାରିଦ୍ବାର ଧର୍ମ, ଅର୍ଥ, କାମ ଓ ମୋକ୍ଷର ପ୍ରତୀକ। ଏହା ତୁରନ୍ତ ଖୋଲାଯିବା ଦରକାର। ଚାରିଦ୍ବାର ନ ଖୋଲିବା ଦ୍ବାରା ଭକ୍ତମାନେ ଅସହ୍ୟ ଯନ୍ତ୍ରଣା ଭୋଗୁଛନ୍ତି। କେବଳ ସିଂହଦ୍ବାର ଦେଇ ଭକ୍ତଙ୍କୁ ଛଡ଼ାଯାଉଥିବାରୁ ୪ ଘଣ୍ଟାରୁ ଅଧିକ ସମୟ ଭକ୍ତଙ୍କୁ ଲମ୍ବାଧାଡ଼ିରେ ଛିଡ଼ା ହେବାକୁ ପଡ଼ୁଛି। ଅନେକ ଭକ୍ତ ଦର୍ଶନ ନ ପାଇ ନିରାଶ ହୋଇ ଫେରୁଛନ୍ତି।

Advertisment

ଭକ୍ତଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଚାରିଦ୍ବାର ଦେଇ ଭକ୍ତଙ୍କୁ ପ୍ରବେଶ ଓ ପ୍ରସ୍ଥାନ ଅନୁମତି ଦେବାକୁ ଶ୍ରୀଜଗନ୍ନାଥ ସେନା ଦାବି କରିଛି। ଶ୍ରୀଜଗନ୍ନାଥ ସେନା ଆବାହକ ଶ୍ରୀ ପଟ୍ଟନାୟକ କହିଛନ୍ତି, ଚାରିଦ୍ବାର ଖୋଲିବା ଦାବି ସହ ଶ୍ରୀମନ୍ଦିର ରତ୍ନଭଣ୍ଡାରର ସୁରକ୍ଷା, ରତ୍ନଭଣ୍ଡାର ଆସନ୍ତା ରଥଯାତ୍ରାରେ ଖୋଲାଯିବା ଦାବିରେ ଏହି ଆନ୍ଦୋଳନ ହେବ। ଏହି ଆନ୍ଦୋଳନ ଶାନ୍ତିପୂର୍ଣ୍ଣ ଉପାୟରେ ହେବ। ସାରା ରାଜ୍ୟରେ ଶ୍ରୀଜଗନ୍ନାଥ ସେନା ବୁଲି ଶ୍ରୀଜଗନ୍ନାଥ ପ୍ରେମୀ, ଭକ୍ତବୃନ୍ଦ ଏଥିରେ ସାମିଲ୍‌ ହେବାକୁ ନିବେଦନ କରିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।