ଓଡ଼ିଶା ବନ୍ଦ ଆଂଶିକ

ଜାତୀୟ ରାଜପଥରେ ପିକେଟିଂ କଲେ ଆନ୍ଦୋଳନକାରୀ, ବନ୍ଦ ସଫଳ ଦାବି କଲା ନବନିର୍ମାଣ କୃଷକ ସଂଗଠନ

ଭୁବନେଶ୍ବର : ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନ୍‌ସନ୍ ଦାବିରେ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଆହୂତ ‘ଓଡ଼ିଶା ବନ୍ଦ’ର ଆଂଶିକ ପ୍ରଭାବ ଦେଖିବାକୁ ମିଳିଛି। ବିଭିନ୍ନ ସ୍ଥାନରେ ଆନ୍ଦୋଳନକାରୀମାନେ ରାସ୍ତାରୋକ କରିଥିବାରୁ ଗାଡ଼ିମୋଟର ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। କିଛି ସ୍ଥାନରେ ମଧ୍ୟାହ୍ନ ପର୍ଯ୍ୟନ୍ତ ଦୋକାନ ବଜାର ମଧ୍ୟ ବନ୍ଦ ରହିଥିଲା।

ରାଜ୍ୟ ସରକାରଙ୍କ ଅନୁରୋଧ ଓ ଚେତାବନୀ ସତ୍ତ୍ବେ ନବନିର୍ମାଣ କୃଷକ ସଂଗଠନ ନିଜ ଜିଦିରେ ଅଟଳ ରହି ଆଜି ‘ଓଡ଼ିଶା ବନ୍ଦ’ ଡାକରା ଦେଇଥିଲା ଓ ଉଭୟ ବିଜେପି ଓ କଂଗ୍ରେସ ଏହାକୁ ନୈତିକ ସମର୍ଥନ େଦଇଥିଲେ। ମୁକାବିଲା ପାଇଁ ପୁଲିସ୍‌ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା। ବିଶେଷ କରି ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ସଂଗଠନ ସକ୍ରିୟ ଥିବାରୁ ସେଠାରେ ପୁଲିସ୍ ଅଧିକ ସତର୍କ ରହିଥିଲା। ସକାଳ ୬ଟା ପରେ ଆନ୍ଦୋଳନକାରୀମାନେ ବିଭିନ୍ନ ସ୍ଥାନରେ ପିକେଟିଂ କରିଥିଲେ। ଜାତୀୟ ରାଜପଥର ବହୁ ସ୍ଥାନରେ ସେମାନେ ରାସ୍ତାରୋକ କରି ନାରାବାଜି କରିଥିଲେ। କିଛି ଜାଗାରେ ଟାୟାର ଜାଳିଥିଲେ। ସକାଳ ୯ଟା ସୁଦ୍ଧା ବହୁ ସ୍ଥାନରେ ପୁଲିସ୍ ଆନ୍ଦୋଳନକାରୀଙ୍କୁ ଉଠାଇ ନେଇଥିଲା। ତେବେ ପ୍ରମୁଖ ରାସ୍ତାଗୁଡ଼ିକରେ ଥିବା ଦୋକାନବଜାର ଆଜି ବନ୍ଦ ରହିଥିଲା। ବସ୍, ଅଟୋ ଚାଲୁ ନ ଥିବାରୁ କିଛି ସ୍ଥାନରେ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଥିଲା। ତେବେ ଅପରାହ୍ନ ୩ଟା ସୁଦ୍ଧା ସବୁଆଡ଼େ ସ୍ଥିତି ସ୍ବାଭାବିକ ଥିବା ଦେଖିବାକୁ ମିଳିଥିଲା। ବିଜେପି ଓ କଂଗ୍ରେସ ‘ଓଡ଼ିଶା ବନ୍ଦ’କୁ ନୈତିକ ସମର୍ଥନ ଦେଇଥିଲେ ବି ରାସ୍ତାକୁ ଓହ୍ଲାଇ ନ ଥିଲେ।

ରାଜଧାନୀରେ ସକାଳୁ ସକାଳୁ କିଛି ବନ୍ଦ ପାଳନକାରୀ ବିଭିନ୍ନ ଛକରେ ପିକେଟିଂ କରିବା ସହ ରାସ୍ତାରୋକ କରିଥିଲେ। ଫଳରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। କିନ୍ତୁ ୧୦ଟା ବେଳେ କୌଣସି ସ୍ଥାନରେ ଆନ୍ଦୋଳନ ଦେଖିବାକୁ ମିଳି ନ ଥିଲା। ବଡ଼ ବଡ଼ ସୋରୁମ୍, ମୁଖ୍ୟ ବଜାର ଅପରାହ୍ନ ପର୍ଯ୍ୟନ୍ତ ବନ୍ଦ ରହିଥିଲା। ଗାଡ଼ିମୋଟର ଅଧିକ ଚଳାଚଳ କରୁ ନ ଥିବାରୁ ରାସ୍ତାଘାଟ ଖାଁ ଖାଁ ଥିଲା।

ଘରୋଇ ବସ୍ ମାଲିକ ବନ୍ଦ ପାଳନରେ ସାମିଲ୍ ହେବାକୁ ମନା କରିଥିଲେ ବି ବହୁ ସ୍ଥାନରେ ବସ୍ ଚଳାଚଳ ସ୍ବାଭାବିକ ନ ଥିଲା। କିଛି ଅଘଟଣ ଆଶଙ୍କାରେ ବିଭିନ୍ନ ରୁଟ୍‌କୁ ବସ୍ ଚାଲି ନ ଥିଲା। ଫଳରେ ଯାତ୍ରୀମାନେ ବହୁ ଅସୁବିଧାର ସାମ୍ନା କରିଥିଲେ। କିଛି ସ୍ଥାନରେ ବନ୍ଦ ପାଳନକାରୀମାନେ ଟ୍ରେନ୍ ମଧ୍ୟ ଅଟକାଇଥିଲେ।

ବନ୍ଦ ସଫଳ ହୋଇଛି ଓ ନୈତିକତାର ବିଜୟ ହୋଇଛି ବୋଲି ସଂଗଠନର ରାଷ୍ଟ୍ରୀୟ ଆବାହକ ଅକ୍ଷୟ କୁମାର ଦାବି କରିଛନ୍ତି। ଅପରାହ୍ନରେ ଭୁବନେଶ୍ବରରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଲେ, ଆଜି ବନ୍ଦ ଯେପରି ସଫଳ ହୋଇଛି ତାହା ଆମର ବିଜୟ ନୁହେଁ, ପଶୁବଳ ଉପରେ ଆତ୍ମବଳର ବିଜୟ ହୋଇଛି। ମାଟ୍ରିକ ପରୀକ୍ଷାର୍ଥୀ ହଇରାଣ ହେବେ କହି ସରକାର ଏହାକୁ ଭଣ୍ଡୁର କରିବାକୁ ଯୋଜନା କରିଥିଲେ। କିନ୍ତୁ ବରଯାତ୍ରୀ ଗାଡ଼ି ସହ ମାଟ୍ରିକ ପରୀକ୍ଷା ସମ୍ପର୍କିତ ଗାଡ଼ି ଛାଡ଼ି ଦିଆଯାଇଛି। ସଂଗଠନର କର୍ମକର୍ତ୍ତା କୌଣସି ଜାଗାରେ ହିଂସାକାଣ୍ଡ ଘଟାଇ ନାହାନ୍ତି। ସ୍ବତଃସ୍ପୂର୍ତ୍ତ ଭାବେ ସାଧାରଣ ଲୋକ ଏଥିରେ ସାମିଲ ହୋଇଛନ୍ତି। ପୂର୍ବରୁ ଚାଷୀ ଯେତେବେଳେ ଦାବି ଉପସ୍ଥାପନ କରିବାକୁ ଭୁବନେଶ୍ବର ଆସିଛନ୍ତି, ସବୁବେଳେ ସରକାର ଭଣ୍ଡୁର କରିବାକୁ ଉଦ୍ୟମ କରିଛନ୍ତି। ଧାରା ୧୯ ବଳରେ ଥିବା ଅଧିକାର ସରକାର ଛଡ଼ାଇ ନେବାକୁ ଉଦ୍ୟମ କରିଛନ୍ତି। କିନ୍ତୁ ସରକାର ସଫଳ ହୋଇ ନାହାନ୍ତି, ବରଂ ସରକାରଙ୍କର କ୍ଷତି ହୋଇଛି। ଆଗକୁ ମଧ୍ୟ ଏହି ପ୍ରକ୍ରିୟା ଜାରି ରହିବ। ଚାଷୀ ଦାବି ପୂରଣ ପାଇଁ ଗାଁ ଗାଁରେ ସଂଗ୍ରାମ ଚଳାଇବ ବୋଲି ସେ କହିଛନ୍ତି।

ତେବେ ବିଜେଡି ପକ୍ଷରୁ ବନ୍ଦକୁ ବିଫଳ ବୋଲି ଦର୍ଶାଯାଇଛି। ଦଳର ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, ନବ ନିର୍ମାଣ କୃଷକ ସଂଗଠନକୁ ଅସ୍ତ୍ର କରି ବିଜେପି ଯେଉଁ ଷଡ଼ଯନ୍ତ୍ର କରିଥିଲା, ତାହାକୁ ଚାଷୀ ସମାଜ ସଫଳ କରିବାକୁ ଦେଇନାହାନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ରାଜ୍ୟର ଚାଷୀ ସମାଜ ସେମାନଙ୍କ ଅଭୂତପୂର୍ବ ବିଶ୍ବାସ ଓ ଆସ୍ଥା ଅତୁଟ ରଖିଛନ୍ତି। ବନ୍ଦ ପାଳନକୁ ନେଇ ସରକାରଙ୍କ ପକ୍ଷରୁ କୌଣସି ବାଧକ ନଥିଲେ ମଧ୍ୟ ସାରା ରାଜ୍ୟରେ ଆନ୍ଦୋଳନକାରୀଙ୍କ ସଂଖ୍ୟା ୪୦୦ ଟପି ନାହିଁ। ପୁଣି ସେମାନଙ୍କ ଭିତରୁ ଅର୍ଦ୍ଧାଧିକ ଲୋକ ସମ୍ଭବତଃ ଚାଷୀ ନୁହନ୍ତି। କେନ୍ଦ୍ର ସରକାର ଚାଷୀଙ୍କୁ କରୁଥିବା ପ୍ରତାରଣା ପ୍ରସଙ୍ଗ ଆଜିର ବନ୍ଦ ପାଳନ ବେଳେ ଆନ୍ଦୋଳନକାରୀମାନେ ଉଠାଇଲେ ନାହିଁ। ଏଥିରୁ ସ୍ପଷ୍ଟ ହେଉଛି, ଆନ୍ଦୋଳନ ବିଜେପି ଦ୍ବାରା ପ୍ରସ୍ତୁତ ହୋଇଥିଲା।

ବନ୍ଦ ପାଳନ କରୁଥିବା ଚାଷୀଙ୍କ ସମର୍ଥନରେ ଓ ଚାଷୀମାନଙ୍କୁ ଗିରଫ ପ୍ରତିବାଦରେ ବିଜେପି ପକ୍ଷରୁ ମାଷ୍ଟର୍ କ୍ୟାଣ୍ଟିନ୍‌ରେ ଏକ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା। ବିଜେପି ଉପସଭାପତି ସମୀର ମହାନ୍ତି କହିଛନ୍ତି, ସଂଗଠନର ବନ୍ଦ ପାଳନକୁ ଓ ଚାଷୀଙ୍କ ଦାବିକୁ ବିଜେପି ନୈତିକ ସମର୍ଥନ ଦେଇଛି। ଆଜି ଚାଷୀଙ୍କ ବନ୍ଦ ପାଳନ ଶାନ୍ତିପୂର୍ଣ୍ଣ ଥିଲା ବେଳେ ପୁଲିସ୍ ସେମାନଙ୍କୁ ଗିରଫ କରିବା ଗଣତନ୍ତ୍ରର ହତ୍ୟା ସଦୃଶ। ଆଗାମୀ ଦିନରେ ଓଡ଼ିଶାର ଚାଷୀମା‌େନ ସରକାରଙ୍କୁ ଉଚିତ ଶିକ୍ଷା ଦେବେ।

ସେହିପରି ପିସିସି ମୁଖପାତ୍ର ସତ୍ୟ ପ୍ରକାଶ ନାୟକ କହିଛନ୍ତି, ବନ୍ଦ ସ୍ବତଃସ୍ଫୂର୍ତ୍ତ ଥିଲା। କେଉଁଠି ଜୋର୍‌ଜବରଦସ୍ତ ବନ୍ଦ କରାଯାଇ ନାହିଁ। ଚାଷୀଙ୍କ ନୈତିକ ବିଜୟ ହୋଇଛି। ଏହା ଦ୍ବାରା ରାଜ୍ୟବାସୀ ଚାଷୀଙ୍କ ସମସ୍ୟା ସମ୍ପର୍କରେ ଅବଗତ ହୋଇଛନ୍ତି।

ସମ୍ବନ୍ଧିତ ଖବର