ଫେବ୍ରୁଆରି ୧୫ ତାରିଖରେ କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା: ସକାଳ ୭ଟାରୁ ଦିନ ୧ଟା ଯାଏଁ ଓଡ଼ିଶା ବନ୍ଦ

ଭୁବନେଶ୍ବର: ଆସନ୍ତା ଫେବ୍ରୁଆରି ୧୫ ତାରିଖରେ କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ପେଟ୍ରୋଲ ଓ ଡିଜେଲ ଦରରେ ଅହେତୁକ ବୃଦ୍ଧି ପ୍ରତିବାଦରେ କଂଗ୍ରେସ ୧୫ ତାରିଖ ଦିନ ସକାଳ ୭ଟାରୁ ଦିନ ୧ଟା ଯାଏଁ ଓଡ଼ିଶା ବନ୍ଦ ଡାକରା ଦେଇଛି। ଏନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଓଡ଼ିଶାର ସ୍ୱାର୍ଥ ପାଇଁ ରାଜ୍ୟବାସୀ ଏହି ବନ୍ଦକୁ ସହଯୋଗ କରନ୍ତୁ ବୋଲି ପିସିସି ସଭାପତି କହିଛନ୍ତି।
କରୋନା ପରଠାରୁ ଲଗାତାର ଭାବେ ପେଟ୍ରୋଲ ଓ ଡିଜେଲ ଦର ବଢ଼ିଚାଲିଛି। ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଦର ୮୭ ଟଙ୍କା ଟପିଥିବା ବେଳେ ମାଲକାନଗିରିରେ ଏହା ୯୦ ଟପିଲାଣି। ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧିର ପ୍ରଭାବ ସିଧାସଳଖ ସାଧାରଣ ଲୋକଙ୍କ ପକେଟ ଉପରେ ପଡୁଛି। ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଫଳରେ ବିଭିନ୍ନ ସାମଗ୍ରୀର ଦର ମଧ୍ୟ ବୃଦ୍ଧି ପାଉଛି। ଯାହା ଉଭୟ ମଧ୍ୟବିତ୍ତ ଓ ଗରିବ ଲୋକଙ୍କ ପାଇଁ ଅସହ୍ୟ ହୋଇ ପଡ଼ିଛି। ଏଭଳି ସ୍ଥଳେ କଂଗ୍ରେସ ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧିକୁ ନେଇ ରାଜରାସ୍ତାକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛି। ଏପରିକି ରାଜ୍ୟର ସ୍ୱାର୍ଥ ଓ ଜନସଚେତନତା ଦୃଷ୍ଟିରୁ ଏହି ବନ୍ଦରେ ସାମିଲ ହେବାକୁ ଓଡ଼ିଶାବାସୀଙ୍କୁ ଆହ୍ୱାନ ଦେଇଛନ୍ତି ନିରଞ୍ଜନ ପଟ୍ଟନାୟକ।

ସମ୍ବନ୍ଧିତ ଖବର