ଭୁବନେଶ୍ବର : ବିଜେବି କଲେଜ୍ ଛାତ୍ରୀ ରୁଚିକା ମହାନ୍ତି ମୃତ୍ୟୁ ମାମଲାରେ ନବନିର୍ମାଣ ଯୁବଛାତ୍ର ସଂଗଠନ ପକ୍ଷରୁ ଆଜି ୧୯ ତାରିଖରେ ଓଡ଼ିଶା ବନ୍ଦ ଡାକରାକୁ ବିଭିନ୍ନ ସଂଗଠନ ପକ୍ଷରୁ ସମର୍ଥନ ଦିଆଯାଇଛି। ରବିବାର ଦିନ କଂଗ୍ରେସ ସମର୍ଥନ ଦେଇଥିବା ବେଳେ ସୋମବାର ଦିନ ସମୃଦ୍ଧ ଓଡ଼ିଶା ଯୁବ ବାହିନୀ ଭଳି ଅନେକ ସଂଗନ ସମର୍ଥନ ଜଣାଇଛନ୍ତି। ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ଘଣ୍ଟା ଧରି ହେବାକୁ ଥିବା ଏହି ବନ୍ଦକୁ ଜୋରଦାର କରାଯିବ ବୋଲି ନବନିର୍ମାଣ ଯୁବଛାତ୍ର ସଂଗଠନର ରାଜ୍ୟ ସଂଯୋଜକ ମହମ୍ମଦ ମନୱର ଅଲ୍ଲୀ କହିଛନ୍ତି। ରୁଚିକା ଓ ତାଙ୍କ ପରିବାରକୁ ନ୍ୟାୟ ପାଇଁ ରାଜଧାନୀ ସମେତ ସାରା ରାଜ୍ୟରେ ରାଜରାସ୍ତା ଠାରୁ ଆରମ୍ଭ କରି ପ୍ରତି କଲେଜ୍ ସମ୍ମୁଖରେ ଦୃଢ଼ ପ୍ରତିବାଦ କରାଯିବ। ବନ୍ଦକୁ ସଫଳ କରିବା ପାଇଁ ସମସ୍ତେ ସହଯୋଗ କରିବାକୁ ସେ ନିବେଦନ କରିଛନ୍ତି।
ଓଡ଼ିଶା ବନ୍ଦ ପରିପ୍ରେକ୍ଷୀରେ ପୁଲିସ ପକ୍ଷରୁ ଆବଶ୍ୟକ ପ୍ରସ୍ତୁତ କରାଯାଇଛି। କୌଣସି ସ୍ଥାନରେ ଯେପରି ଅଘଟଣ ନ ଘଟେ, ସେଥି ପାଇଁ ସତର୍କ ରହିବାକୁ ସବୁ ଏସ୍ପିଙ୍କୁ କୁହାଯାଇଛି। ଭୁବନେଶ୍ବରରେ ଲୋକସେବା ଭବନ ଓ ଖାରବେଳ ଭବନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ସବୁ କର୍ମଚାରୀ ୯ଟା ୩୦ ସୁଦ୍ଧା ଅଫିସ୍ରେ ପହଞ୍ଚିବାକୁ କୁହାଯାଇଛି। ଆଜି କୌଣସି ବାହାରର ଲୋକଙ୍କୁ ଲୋକସେବା ଭବନକୁ ଯିବା ପାଇଁ ଅନୁମତି ମିଳିବ ନାହିଁ। ସେହିପରି ବିଧାନସଭା ଅଧିବେଶନ ଚାଲିଥିବାରୁ ଆଖପାଖ ଅଞ୍ଚଳରେ ସୋମବାର ରାତିରୁ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/bandh.jpg)