ବନ୍ଦ ଓ ହରତାଳ ଯୋଗୁୁଁ ରେଳ ସେବା ବ୍ୟାହତ

ଆଜି ୧୦ ଘଣ୍ଟା ବିଳମ୍ବରେ ଭୁବନେଶ୍ୱର ଛାଡ଼ିବ ରାଜଧାନୀ ଏକ୍ସପ୍ରେସ୍‌

ଭୁବନେଶ୍ୱର : ଆଜି କଂଗ୍ରେସର ୧୨ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଓ ବିଜେପିର ହରତାଳ କାରଣରୁ ଦଳୀୟ କର୍ମୀମାନେ ରାଜ୍ୟର ବିଭିନ୍ନ ସ୍ଥାନରେ ରେଳରୋକ କରିଥିଲେ। ଫଳରେ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ଷ୍ଟେସନରେ ଟ୍ରେନ୍‌ଗୁଡ଼ିକ ସାମୟିକ ଭାବେ ଅଟକି ରହିଥିଲା। ଭୁବନେଶ୍ୱର ଷ୍ଟେସନରେ ସକାଳ ୫.୩୦ରୁ ୭.୨୫ ପର୍ଯ୍ୟନ୍ତ ବନ୍ଦର ପ୍ରଭାବ ଅନୁଭୂତ ହୋଇଥିଲା। ସେହିପରି ସମ୍ବଲପୁର ଷ୍ଟେସନରେ ସକାଳ ୬ଟାରୁ ସକାଳ ୭.୫୦, ପାରାଦୀପରେ ସକାଳ ୬.୩୦ରୁ ସକାଳ ୯.୨୦, ତାଳଚେରରେ ସକାଳ ୬.୩୦ରୁ ସକାଳ ୯.୨୦, ମଞ୍ଜୁରୀ ରୋଡ଼୍‍ରେ ସକାଳ ୬.୪୫ରୁ ୮.୦୭ ଏବଂ ପୁରୀ ଷ୍ଟେସନରେ ସକାଳ ୭.୩୫ରୁ ୮.୪୫ ପର୍ଯ୍ୟନ୍ତ ଟ୍ରେନ୍‌ ଚଳାଚଳ ବ୍ୟାହତ ହୋଇଥିଲା ହୋଇଥିଲା ବୋଲି ପୂର୍ବତଟ ରେଳପଥ ସୂତ୍ରରୁ ଜଣାପଡ଼ିଛି।

ସେହିପରି ରାଉରକେଲା-ଗୁଣୁପୁର ରାଜ୍ୟରାଣୀ ଏକ୍ସପ୍ରେସ୍‌ ମଞ୍ଚେଶ୍ୱର ଷ୍ଟେସନରେ ସକାଳ ୬.୧୨ରୁ ୬.୫୪ ପର୍ଯ୍ୟନ୍ତ ଅଟକି ଥିବାବେଳେ ପଲାସାରେ ମଧ୍ୟ ପାଞ୍ଚ ମିନିଟ୍‌ ପାଇଁ ଅଟକିଥିଲା। ସାଲିମାର୍‌-ତ୍ରିଭେନ୍ଦମ୍‌ ଏକ୍ସପ୍ରେସ୍‌ ମଞ୍ଚେଶ୍ୱର, କାଇପଦର ରୋଡ଼୍‍ ଏବଂ ବ୍ରହ୍ମପୁର ଷ୍ଟେସନରେ କିଛି ସମୟ ପାଇଁ ଅଟକିଥିଲା। ନୂଆଦିଲ୍ଲୀ-ପୁରୀ ପୁରୁଷୋତ୍ତମ ଏକ୍ସପ୍ରେସ୍‌ ମଞ୍ଚେଶ୍ୱର ଷ୍ଟେସନରେ ଅଧଘଣ୍ଟା ପର୍ଯ୍ୟନ୍ତ ଅଟକିଥିଲା। ବାଙ୍ଗି୍ରପୋଷି-ଭୁବନେଶ୍ୱର ଏକ୍ସପ୍ରେସ୍‌ ଭଦ୍ରକ, ମଞ୍ଚେଶ୍ୱର, ଭୁବନେଶ୍ୱର ଆଦି ଷ୍ଟେସନରେ ବନ୍ଦ କାରଣରୁ ଅଟକି ରହିଥିଲା। ପୁରୀ-ହାଓ୍ଵଡ଼ା ଶତାବ୍ଦୀ ଏକ୍ସପ୍ରେସ୍‌ ରେତଙ୍ଗ ଓ ବାଉଦପୁରରେ, ଭୁବନେଶ୍ୱର-ହାଓ୍ଵଡ଼ା ଜନଶତାବ୍ଦୀ ଓ ବାଙ୍ଗାଲୋର-ନିୟୁ ତିନସୁକିଆ ଏକ୍ସପ୍ରେସ ଭଦ୍ରକ ଓ ଭୁବନେଶ୍ୱରରେ, ପୁରୀ-ପାରାଦୀପ ଓ ପୁରୀ-କେନ୍ଦୁଝରଗଡ଼ ଏକ୍ସପ୍ରେସ୍‌ ଖୋର୍ଧା ରୋଡ଼ରେ,ଇଷ୍ଟକୋଷ୍ଟ୍‍ ଏକ୍ସପ୍ରେସ୍‌ ଯାଜପୁର-କେନ୍ଦୁଝର ରୋଡ଼ରେ, ଏର୍ଣ୍ଣାକୁଲମ୍‌-ହାଓ୍ଵଡ଼ା ଇଷ୍ଟକୋଷ୍ଟ୍‍ ଏକ୍ସପ୍ରେସ୍‌ କେନ୍ଦ୍ରାପଡ଼ା ରୋଡ଼ରେ, ଯଶବନ୍ତପୁର-ହାଓ୍ଵଡ଼ା ଏକ୍ସପ୍ରେସ୍‌ ଜେନାପୁର, ବାରଙ୍ଗ, କଟକ, କପିଳାସ ରୋଡ଼, ଢେଙ୍କାନାଳ ଆଦି ଷ୍ଟେସନରେ ଅଟକି ଥିଲା।

ଭୁବନେଶ୍ୱରରୁ ବିଳମ୍ବରେ ଛାଡ଼ିଥିବା ରାଜଧାନୀ ଏକ୍ସପ୍ରେସ୍‌ ଯାଜପୁର-କେନ୍ଦୁଝର ଓ ବୈତରଣୀ ରୋଡ଼୍‍ ଷ୍ଟେସନରେ ମଧ୍ୟ କିଛି ସମୟ ପାଇଁ ଅଟକିଥିଲା। ଏହି କାରଣରୁ କିଛି ଟ୍ରେନ୍‌ର ଯାତ୍ରାପଥରେ ଆଂଶିକ ପରିବର୍ତ୍ତନ କରାଯାଇଥିଲା। ଭୁବନେଶ୍ୱର-ବଲାଙ୍ଗିର ଇଣ୍ଟରସିଟି ଏକ୍ସପ୍ରେସ୍‌ ସମ୍ବଲପୁର ପର୍ଯ୍ୟନ୍ତ ଚାଲିବାକୁ ନିଷ୍ପତ୍ତି ହୋଇଥିବାବେଳେ ସମ୍ବଲପୁର ଓ ବଲାଙ୍ଗିର ମଧ୍ୟରେ ଏହି ଟ୍ରେନ୍‌ ଚଳାଚଳ ବାତିଲ୍‌ ହେବା ନେଇ ସୂଚନା ପ୍ରଦାନ କରାଯାଇଛି। କଟକ-ଭଦ୍ରକ ପାସେଞ୍ଜର ଭଦ୍ରକ ପର୍ଯ୍ୟନ୍ତ ନଯାଇ ଯାଜପୁର-କେନ୍ଦୁଝର ରୋଡ଼ ପର୍ଯ୍ୟନ୍ତ ଚଳାଚଳ କରିବ ଓ ସେହି ଷ୍ଟେସରୁ କଟକ ପ୍ରତ୍ୟାବର୍ତ୍ତନ କରିବ। ସେହିପରି ଗୁରୁବାର ଦିନ ଭୁବନେଶ୍ୱରରୁ ଛାଡ଼ିବାକୁ ଥିବା ରାଜଧାନୀ ଏକ୍ସପ୍ରେସ୍‌ ସକାଳ ୯.୩୦ ପରିବର୍ତ୍ତେ ସନ୍ଧ୍ୟା ସାଢ଼େ ସାତଟାରେ ଛାଡ଼ିବ। ଉତ୍ତର ଭାରତରେ ଘନ କୁହୁଡ଼ି କାରଣରୁ ରାଜଧାନୀ ଏକ୍ସପ୍ରେସ୍‌ ପ୍ରାୟ ୧୦ଘଣ୍ଟା ବିଳମ୍ବରେ ଛାଡ଼ିବା ନେଇ ପୂର୍ବତଟ ରେଳ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର