ରତ୍ନଭଣ୍ଡାର ଚାବି ହଜିବା ଘଟଣା : ବିକ୍ଷୋଭ ପ୍ରଦର୍ଶନ କଲା ବିଜେପି

ଭୁବନେଶ୍ୱର : ରତ୍ନଭଣ୍ଡାର ଚାବି ହଜିବା ଘଟଣାରେ ଆଜି ବିଜେପି ରାଜ୍ୟର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିଛି। ଏଥିସହିତ ଦଳୀୟ ନେତାମାନେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ଏବଂ ଉପ-ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଥିଲେ। ଚାବି ହଜିବା ଘଟଣାରେ ବିଚାର ବିଭାଗୀୟ ତଦନ୍ତ ଘୋଷଣା କରି ସରକାର ଦୃଷ୍ଟି ହଟାଇବା ପାଇଁ ହୀନ ପ୍ରୟାସ କରୁଛନ୍ତି ବୋଲି ବିଜେପି ନେତାମାନେ ଅଭିଯୋଗ କରିଥିଲେ।

ବିଜେପି ନେତାମାନେ କହିଥିଲେ, ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଏବଂ ଶ୍ରୀ ଜଗନ୍ନାଥଙ୍କ ସଂପତ୍ତି ଅସୁରକ୍ଷିତ ରହିବାକୁ ନେଇ କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି । ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନିରବ ରହିଛନ୍ତି। ଦୁଇମାସ ବିତିଯାଇଥିଲେ ମଧ୍ୟ ଚାବି ହଜିଯିବା ନେଇ ପ୍ରଶାସନ କିମ୍ବା ସରକାର କୈାଣସି ସୂଚନା ନଦେବା, ଅଯଥାରେ ଗଜପତିଙ୍କୁ ଅଙ୍ଗୁଳି ଦେଖାଇବା ଆଦି ବହୁ ପ୍ରଶ୍ନର ଉତ୍ତର ରାଜ୍ୟବାସୀ ଖୋଜୁଛନ୍ତି ।

ବିଜେପି କହିଛି, ଶ୍ରୀମନ୍ଦିର ଆଇନକୁ ଅମାନ୍ୟ କରି ପ୍ରଶାସନ କାର୍ଯ୍ୟ କରୁଛନ୍ତି। ଅତୀତର ବ୍ରହ୍ମ ବିଭ୍ରାଟ ଠାରୁ ବର୍ତମାନ ରତ୍ନଭଣ୍ଡାର ଚାବି ହଜିଯିବା ଆଦି ଘଟଣା ରାଜ୍ୟ ସରକାରଙ୍କ ଅପାରଗତାକୁ ସ୍ପଷ୍ଟ ଭାବେ ପ୍ରମାଣିତ କରିଛି । ମହାପ୍ରଭୁଙ୍କୁ ଓଡିଶା ସରକାରଙ୍କ ଅବହେଳା ନେଇ ଜଗତଗୁରୁ ଶଙ୍କରାଚାର୍ଯ୍ୟ ଓ ଗଜପତି ମହାରାଜ ଦିବ୍ୟ ସିଂହ ଦେବ ପୂର୍ବରୁ ବାରମ୍ବାର ମତ ଦେଇ ଆସିଛନ୍ତି। ମହାପ୍ରଭୁଙ୍କର ଏହି ଦୁଇ ପରମଭକ୍ତ ଓ ଅନୁଷ୍ଠାନକୁ ମଧ୍ୟ ରାଜ୍ୟ ସରକାର ଅଣଦେଖା କରି ଚାଲିଛନ୍ତି ବୋଲି ବିଜେପି ଅଭିଯୋଗ କରିଛି। ।

ଆଜି ବ୍ରହ୍ମପୁର, ଢେଙ୍କାନାଳ, କୋରାପୁଟ, ଦେବଗଡ, ବାଲେଶ୍ୱର, କେନ୍ଦ୍ରାପଡା, ଭଦ୍ରକ, କେନ୍ଦୁଝର, ବୌଦ୍ଧ ସୋନପୁର, ବଲାଙ୍ଗୀର, ନୂଆପଡା ଜିଲ୍ଲା ସଦର ମହକୁମାଠାରେ ଥିବା ଜଗନ୍ନାଥ ମନ୍ଦିରରେ ଦୀପ ପ୍ରଜ୍ୱଳନ କରାଯାଇଥିଲା। ଆସନ୍ତା କାଲି ମଧ୍ୟ ରାଜ୍ୟର ଅନ୍ୟ ସ୍ଥାନମାନଙ୍କରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରାଯିବ ।

ସମ୍ବନ୍ଧିତ ଖବର