ବିଧାୟକମାନେ ବାଛିପାରିଲେନି, ନେତା ବାଛିବେ ଅମିତ ଶାହ

ଭୁବନେଶ୍ବର : ବିରୋଧୀ ଦଳ ନେତା କିଏ ହେବ ? ତାହାକୁ ନେଇ କଳ୍ପନାଜଳ୍ପନା ପୁଣି ଲାଗି ରହିଲା। ନେତା ବାଛିବା ପାଇଁ ଦୁଇ କେନ୍ଦ୍ର ମନ୍ତ୍ରୀ, ପ୍ରଭାରୀ, ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ବିଜେପି ବିଧାୟକମାନେ ଆଜି ଏକାଠି ହୋଇଥିଲେ। କିନ୍ତୁ ନେତା ଚୟନ କରିପାରି ନ ଥିଲେ। ଶେଷରେ ନେତା ବାଛିବା ଦାୟିତ୍ବ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ଉପରେ ଛାଡ଼ି ଦିଆଗଲା। ଶ୍ରୀ ଶାହ ଯେଉଁ ନାମରେ ମୋହର ମାରିବେ, ତାହାକୁ ସମସ୍ତେ ମାନି ନେବେ ବୋଲି ନିଷ୍ପତ୍ତି ନେଇଛନ୍ତି। ୨୫ ତାରିଖରେ ବିଧାନସଭା ଅଧିବେଶନ ପୂର୍ବରୁ ନାମ ଘୋଷଣା ହେବ ବୋଲି ସୂଚନା ମିଳିଛି।

ଆଜି ଅପରାହ୍ନରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବିଧାୟକ ଦଳ ବୈଠକ ଡକାଯାଇଥିଲା। ସମସ୍ତ ବିଧାୟକ ଏଥିରେ ଯୋଗ ଦେଇଥିଲେ। ରାଜ୍ୟ ସଭାପତି ବସନ୍ତ ପଣ୍ଡା, ଦୁଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ, କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ତଥା ସାଂସଦ ସରୋଜ ପାଣ୍ଡେ, ପ୍ରଭାରୀ ଅରୁଣ ସିଂହ, ରାଷ୍ଟ୍ରୀୟ ସମ୍ପାଦକ ସୁରେଶ ପୂଜାରୀ, ସାଂସଦ ଜୁଏଲ ଓରାମ, ରାଜ୍ୟ ସାଧାରଣ ସମ୍ପାଦକ(ସଂଗଠନ) ମାନସ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

କିନ୍ତୁ ବୈଠକରେ କାହାରି ନାମ ବିରୋଧୀ ଦଳ ନେତା ପଦବି ପାଇଁ ଆଲୋଚନାକୁ ଆସି ନ ଥିଲା। କୌଣସି ବରିଷ୍ଠ ନେତା କିମ୍ବା ରାଜ୍ୟ ସଭାପତି କାହା ନାମକୁ ନିର୍ଦ୍ଦିଷ୍ଟ ଭାବେ ଉଠାଇ ନ ଥିଲେ। କୁହାଯାଇଥିଲା, ବିଜେପି ଏକ ରାଷ୍ଟ୍ରୀୟ ଦଳ।‌ ତେଣୁ ଦଳର ଶୃଙ୍ଖଳା ଦୃଷ୍ଟିରୁ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଉପରେ ନେତା ଚୟନ ଦାୟିତ୍ବ ଛାଡ଼ି ଦିଆଯାଉ। ସମସ୍ତେ ଏହାକୁ ସମର୍ଥନ କରିଥିଲେ। ଶେଷରେ ଏ ନେଇ ପ୍ରସ୍ତାବ ଗୃହୀତ ହୋଇଥିଲା।

ବୈଠକ ପରେ ବିଧାୟକ ବିଷ୍ଣୁ ସେଠୀ ଗଣମାଧ୍ୟମକୁ କହିଥିଲେ, ବିଜେପି ପକ୍ଷରୁ ଜଣେ ଚଳଚଞ୍ଚଳ, ଦକ୍ଷ ଓ ସକ୍ଷମ ନେତୃତ୍ବକୁ ବିଧାୟକ ଦଳ ନେତା ଭାବେ ଦାୟିତ୍ବ ଦିଆଯିବ। ବିଧାୟକ ଦଳ ନେତା ଆଗାମୀ ଦିନରେ ବିଧାନସଭାରେ ବିରୋଧୀ ଦଳର ନେତାଙ୍କ ଭୂମିକା ନେବେ। ମୁଖ୍ୟ ବିରୋଧୀ ଦଳ ଭାବେ ବିଜେପିକୁ ଓଡ଼ିଶାବାସୀ ଯେଉଁ ଦାୟିତ୍ବ ଦେଇଛନ୍ତି, ତାହାକୁ ଦଳ ସୁଚାରୁ ରୂପେ ତୁଲାଇବ। ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଦିନେ ଦୁଇ ଦିନ ଭିତରେ ବିଧାୟକ ‌ଦଳ ନେତାଙ୍କ ନାମ ଘୋଷଣା କରିବେ।

ରାଜ୍ୟରେ ପ୍ରଥମ ଥର ପାଇଁ ବିଜେପି ମୁଖ୍ୟ ବିରୋଧୀ ଦଳ ଆସନରେ ବସିବାକୁ ଯାଉଛି। ତେଣୁ ଦଳର ନେତାଙ୍କୁ ବିରୋଧୀ ଦଳ ନେତା ଭାବେ ମାନ୍ୟତା ମିଳିବ। ଏହି ପଦବି ପାଇଁ ଏବେ ତିନି ଜଣଙ୍କ ନାମ ଚର୍ଚ୍ଚାରେ ରହିଛି। ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର, ଭବାନୀପାଟଣା ବିଧାୟକ ପ୍ରଦୀପ୍ତ ନାୟକ ଓ କେନ୍ଦୁଝର ବିଧାୟକ ମୋହନ ମାଝୀ ଓ ବିଧାୟକ ବିଷ୍ଣୁ ସେଠୀ ଅଛନ୍ତି। ଏହି ଚାରି ଜଣଙ୍କ ସପକ୍ଷରେ ଭିନ୍ନ ଭିନ୍ନ ଗୋଷ୍ଠୀ ଲବି ଚଳାଇଛନ୍ତି। ଯଦିଓ ଶ୍ରୀ ମିଶ୍ରଙ୍କ ନାମ ଚର୍ଚ୍ଚାର ଆଗରେ ରହିଛି, ତେବେ କୌଣସି ନା କୌଣସି କାରଣରୁ ତାଙ୍କ ନାମରେ ସହମତି ‌େହାଇପାରିନି ବୋଲି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଦାୟିତ୍ବ ଛାଡ଼ି ଦିଆଯାଇଛି ବୋଲି ଦଳୀୟ ମହଲରେ ଆଲୋଚନା ହେଉଛି। ୨୫ ତାରିଖରେ ବି‌େଜପି ବିଧାୟକମାନେ ଗୃହକୁ ପ୍ରବେଶ କରିବା ପୂର୍ବରୁ ନେତାଙ୍କ ନାମ ଘୋଷଣା ହେବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର