ବିଜେପିରେ ବି ଷଡ଼୍‌ଯନ୍ତ୍ର : ପରାଜୟ ନେଇ ମାନସ ମନ୍ଥନ ବେଳେ ଗନ୍ଧ ବାରିଲେ

ଅନ୍ତର୍ଘାତୀ କାର୍ଯ୍ୟର ଅଭିଯୋଗ ଆଣିଲେ ରାଧାରାଣୀ, ବିଜେପୁର, ପାଟକୁରା ବିଜୟ ପାଇଁ ରଣନୀତି

ଭୁବନେଶ୍ବର : ବିଧାନସଭାରେ ଆଶାତୀତ ସଫଳତା ମିଳିଥିଲା ବେଳେ ବିଜେଡି ହାତରୁ ଲୋକସଭା ଆସନ କାହିଁକି ଖସିଗଲା? ଏହି ପ୍ରଶ୍ନ ଉପରେ ବିଜେଡି ତଦନ୍ତ ଜାରି ରଖିଛି ଓ ଷଡ଼ଯନ୍ତ୍ରର ଆଶଙ୍କା କରିଛି।

ଠିକ୍ ଓଲଟା ଦିଗରେ ବିଜେପି ମଧ୍ୟ ମାନସମନ୍ଥନ କଲାଣି। ଲୋକସଭାରେ ବିଜେପିକୁ ଅଧିକ ଭୋଟ୍‌ ମିଳିଥିଲା ବେ‌େଳ ବିଧାନସଭାରେ କାହିଁକି ତାହା ହେଲା ନାହିଁ? ଏଥିରେ ଦଳ ଭିତରୁ ଅନ୍ତର୍ଘାତୀ କାର୍ଯ୍ୟ ହୋଇ ନାହିଁ ତ? ଏ ପ୍ରଶ୍ନର ଉତ୍ତର ବିଜେପି ଖୋଜିବା ବେଳେ ଦଳୀୟ େନତା ଷଡ଼ଯନ୍ତ୍ରର ଗନ୍ଧ ବାରିଛନ୍ତି।

ସାଧାରଣ ନିର୍ବାଚନରେ ବିଜେପିର ପରାଜୟ ନେଇ ଦଳ ଆଜି କାରଣ େଖାଜା ଆରମ୍ଭ କରିଛି। ଦଳୀୟ କାର୍ଯ୍ୟାଳୟରେ ରାଜ୍ୟ ସଭାପତି ବସନ୍ତ ପଣ୍ଡା, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବରିଷ୍ଠ ନେତାମାନଙ୍କ ଉପସ୍ଥିତିରେ ଏ ନେଇ ସରଗରମ ଆଲୋଚନା ହୋଇଥିଲା। ପରାଜିତ ପ୍ରାର୍ଥୀମାନେ ପରାଜୟର କାରଣ ଦର୍ଶାଇଥିଲେ। ବ୍ରଜରାଜନଗରର ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା ଗଣମାଧ୍ୟମ ସାମ୍ନାରେ ପରାଜୟ ନେଇ ସାଂଘାତିକ ଅଭିଯୋଗ ଆଣିଥିଲେ। ଅନ୍ୟ କିଛି କାରଣ ସହ ସେ ଦଳର ଅନ୍ତର୍ଘାତୀ କାର୍ଯ୍ୟକୁ ଦାୟୀ କରିଥିଲେ। କିଛି ନେତାଙ୍କ ମଧ୍ୟରେ ଅଘୋଷିତ ମେଣ୍ଟ ହୋଇ ଲୋକସଭାରେ ପଦ୍ମ ଓ ବିଧାନସଭାରେ ଶଙ୍ଖକୁ ଭୋଟ୍‌ ଦେବାକୁ କୁହାଗଲା। ଉଦାହରଣ ‌େଦଇ ରାଧାରାଣୀ କହିଥିଲେ, ମୁଁ ମୋ ନିର୍ବାଚନମଣ୍ଡଳୀରେ ପ୍ରାୟ ୬୮ ହଜାର ଭୋଟ୍‌ ପାଇଥିଲା ବେଳେ ସେଠାରୁ ସାଂସଦ ପ୍ରାର୍ଥୀ ସୁରେଶ ପୂଜାରୀ ମୋ ଠାରୁ ୨୨ ହଜାର ଅଧିକ ଭୋଟ୍‌ ପାଇଛନ୍ତି। ଏହା କିପରି ହେଲା ବୋଲି ସେ ପ୍ରଶ୍ନ କରିଛନ୍ତି।

କେବଳ ବରଗଡ଼ ନୁହେଁ, ଆହୁରି କିଛି ‌ସଂସଦୀୟ କ୍ଷେତ୍ରରେ ବିଜେପିର ସାଂସଦ ପ୍ରାର୍ଥୀମାନେ ବିଧାୟକ ପ୍ରାର୍ଥୀଙ୍କ ଠାରୁ ଢେର୍ ଅଧିକ ଭୋଟ୍‌ ପାଇଛନ୍ତି। ଏସବୁର ପଛରେ ଅନ୍ତର୍ଘାତୀ କାର୍ଯ୍ୟ ହୋଇଥିବା ନେଇ ରାଧାରାଣୀଙ୍କ ପରି କିଛି ବିଧାୟକ ପ୍ରାର୍ଥୀ ଆଶଙ୍କା ପ୍ରକଟ କରିଛନ୍ତି। ଏହାକୁ ଗୁରୁତର ସହ ନେବାକୁ ସେମାନେ ଦଳୀୟ ନେତୃତ୍ବଙ୍କୁ ଅନୁରୋଧ କରିଥିଲେ।

ବିଜେଡି ଶାସନ ବିରୋଧରେ ଏକ ଜନମତ ‌ସୃଷ୍ଟି ହୋଇଥିଲା। କିନ୍ତୁ ତାହାକୁ ଭୋଟ୍‌ରେ ପରିଣତ କରିବାକୁ ଆମେ ସକ୍ଷମ ହେଲୁନି ବୋଲି ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ କହିଥିଲେ। କଂଗ୍ରେସ ଭୋଟ୍‌ ହାର କମିଥିଲା ବେଳେ ତାହା ବିଜେଡିକୁ ଯାଇଛି ବୋଲି ସେ କହିଥିଲେ। ଭୋଟ୍‌ ପାଇଁ ବିଜେଡିର ଟଙ୍କା ବଣ୍ଟା ଓ ପୁଲିସ୍‌ର ନିରବତାକୁ ବି କିଛି ନେତା ଦାୟୀ କରିଥିଲେ। ଦଳକୁ ଆହୁରି ସୁସଂଗଠିତ କରି ଆଗାମୀ ନିର୍ବାଚନ ପାଇଁ ପ୍ରସ୍ତୁତ ହେବାକୁ ମତପ୍ରକାଶ ପାଇଥିଲା। ୫ ହଜାରରୁ କମ୍ ଭୋଟ୍‌ରେ ହାରିଥିବା ୧୧ଟି ବିଧାନସଭା ଆସନ ଏବଂ ୫ ରୁ ୧୦ ହଜାର ଭୋଟ୍‌ ମଧ୍ୟରେ ହାରିଥିବା ୧୩ଟି ଆସନ ସମ୍ପର୍କରେ ସ୍ବତନ୍ତ୍ର ଭାବେ ତର୍ଜମା କରାଯାଇଥିଲା। ସେଠାରେ ସାଂଗଠନିକ ସ୍ଥିତି ଦୃଢ଼ କରିବା ପାଇଁ ସମସ୍ତ ପଦକ୍ଷେପ ନେବା ଉପରେ ଗୁରୁତ୍ବାରୋପ କରାଯାଇଥିଲା।

ବୈଠକରେ ବିଜେପୁର ଉପନିର୍ବାଚନ ଓ ପାଟକୁରା ନିର୍ବାଚନ ନେଇ ଆଲୋଚନା ହୋଇଥିଲା। ଏହି ଦୁଇଟି ଆସନକୁ ଦଖଲ କରିବା ପାଇଁ ଦଳ ରଣନୀତି ପ୍ରସ୍ତୁତ କରିବ ବୋଲି କୁହାଯାଇଥିଲା। ବରିଷ୍ଠ ନେତାମାନେ ଏହାର ଦାୟିତ୍ବ ନେଇଥିଲେ।

ବିଜେପିର ଭୋଟ୍‌ ସଂଖ୍ୟା ଗତ ନିର୍ବାଚନ ତୁଳନାରେ ବଢ଼ିଥିବାରୁ ଦଳ ପକ୍ଷରୁ ଓଡ଼ିଶାବାସୀଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା। ଲୋକସଭାରେ ବିଜେପି ୩୦୩ ଆସନ ପାଇ ବିଶାଳ ବିଜୟ ହାସଲ କରିଥିବାରୁ ନରେନ୍ଦ୍ର ମୋଦୀ ଓ ଅମିତ ଶାହଙ୍କୁ ଅଭିନନ୍ଦନ ଜଣାଯିବା ସହ ଓଡ଼ିଶାରୁ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ଦେଇଥିବାରୁ ଧନ୍ୟବାଦ ଅର୍ପଣ କରାଯାଇଥିଲା। ଆଗାମୀ ଦିନରେ ଓଡ଼ିଶାର ଜନଜୀବନ ସୁରକ୍ଷା ଓ ଓଡ଼ିଶାର ସ୍ବାର୍ଥର ସୁରକ୍ଷା ପାଇଁ ବିଜେପି ଚୌକିଦାର ପରି ଛିଡ଼ା ହୋଇ ଲଢ଼େଇ ଜାରି ରଖିବ ବୋଲି କୁହାଯାଇଛି।

ବୈଠକ ପରେ ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ଗଣମାଧ୍ୟମକୁ କହିଥିଲେ, ଫନି ପରବର୍ତ୍ତୀ ପୁନରୁଦ୍ଧାରରେ ରାଜ୍ୟ ସରକାରଙ୍କ ବିଫଳତା ନେଇ ଆଲୋଚନା ହୋଇଛି। ବାତ୍ୟାକୁ ଏକ ମାସରୁ ଅଧିକ ସମୟ ବିତିଥିଲେ ବି ଏ ପର୍ଯ୍ୟନ୍ତ ରାଜ୍ୟ ସରକାର କ୍ଷୟକ୍ଷତି ଆକଳନ କରିପାରି ନାହାନ୍ତି। ଏବେ ବି ପୁରୀ ଜିଲ୍ଲାର ଅଧିକାଂଶ ଗାଁରେ ବିଜୁଳି ପହଞ୍ଚିନି। ଅନ୍ୟ ପଟେ ଶାସକ ବିଜେଡି ବିଧାୟକମାନଙ୍କ ଅହଙ୍କାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଗତ ପାଞ୍ଚ ବର୍ଷରେ ବିଜେଡି ବିଧାୟକମାନେ ଅନେକ ସ୍ଥାନରେ ସରକାରୀ ଅଫିସର୍‌ଙ୍କୁ ମାଡ଼ ମାରିବା, ଧମକ ଦେବା ଓ ବିରୋଧୀ ଦଳର କାର୍ଯ୍ୟକର୍ତ୍ତାଙ୍କୁ ଆକ୍ରମଣ କରିଥିଲେ। ଏବେ ପାଟଣାଗଡ଼ର ବିଜେଡି ବିଧାୟକ ସରକାରୀ ଅଫିସର୍‌ଙ୍କୁ ରାସ୍ତାରେ ଉଠ୍‌ବସ୍ କରାଇ ପୁଣି ଥରେ ବିଜେଡି ଗୁଣ୍ଡାରାଜ ଆରମ୍ଭ କରିଛି।

ଆଜି ପ୍ରଥମେ ରାଜ୍ୟ ବିଜେପିର କୋର୍‌ କମିଟି ବୈଠକ ହୋଇଥିଲା। ଏହା ପ‌େର ରାଜ୍ୟ ପଦାଧିକାରୀ, ଜିଲ୍ଲା ସଭାପତିମାନଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା। ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ପ୍ରଭାରୀ ଅରୁଣ ସିଂହ, ବରିଷ୍ଠ ନେତା ବିଶ୍ବଭୂଷଣ ହରିଚନ୍ଦନ, ଗିରିଧର ଗମାଙ୍ଗ, କନକ ବର୍ଦ୍ଧନ ସିଂହଦେଓ ଓ ମନମୋହନ ସାମଲ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର