ବିଜେଡିରେ ମିଶ୍ରଣ ପର୍ବ : ଶଙ୍ଖ ଧରିଲେ ବିଜେପି ସଭାପତିଙ୍କ ପୁତୁରା ହରିଶ୍ଚନ୍ଦ୍ର

ନର୍ଲା ନିର୍ବାଚନ ମଣ୍ଡଳୀର ବହୁ ସରପଞ୍ଚଙ୍କ ବିଜେଡିରେ ଯୋଗଦାନ

ଭୁବନେଶ୍ବର : ବିଜେଡିରେ ସାମିଲ ହୋଇଛନ୍ତି ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ପୁତୁରା ତଥା ଶିବସେନା ରାଜ୍ୟ ସଭାପତି ହରିଶ୍ଚନ୍ଦ୍ର ପଣ୍ଡା। ଶନିବାର ନବୀନ ନିବାସରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବେ ଦଳରେ ଶ୍ରୀ ପଣ୍ଡା ଯୋଗଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ନେତୃତ୍ବ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ସେ ବିଜେଡିରେ ମିଶିଛନ୍ତି ବୋଲି ଶ୍ରୀ ପଣ୍ଡା କହିଛନ୍ତି। ତାଙ୍କ ସହ ନୂଆପଡ଼ା ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ଉପ-ସଭାପତି ଟିକାରାମ ସାହୁ, ସାଧାରଣ ସମ୍ପାଦକ ନାରାୟଣ ସାହୁ, ନୂଆପଡ଼ା ବ୍ଲକ ବିଜେପି ଉପ-ସଭାପତି ଭକ୍ତ ବିଶି, ପୂର୍ବତନ କଂଗ୍ରେସ ଜିଲ୍ଲା ସଭାପତି ପ୍ରେମ୍ କୁମାର ଆଜାଦଙ୍କ ପତ୍ନୀ ବନଲତା ଆଜାଦ, ପୁଅ ସମୀର ଆଜାଦ, ନୂଆପଡ଼ା ଜିଲ୍ଲା ପାଣି ପଞ୍ଚାୟତ ସଭାପତି ତଥା ବିଜେପି ନେତା ମହେଶ ସାହୁ, ବରିଷ୍ଠ ବିଜେପି ନେତା ନରେନ୍ଦ୍ର ସାହୁ, ରୋହିତ ଠାକୁର, ସନ୍ତୋଷ ଗୁପ୍ତା, ଅଶୋକ ଠାକୁର, ଉମରଚାନ୍ଦ ସାହୁ, ମାୟାରାମ ସୁନାନୀ, ମୁକେଶ କୁମାର ସାହୁ, ଚରଣଲାଲ ନିର୍ମଲକର, ହରି ରାଉତଙ୍କ ସମେତ ୨୦୦ରୁ ଉର୍ଦ୍ଧ୍ବ କଂଗ୍ରେସ ଓ ବିଜେପି କର୍ମୀ ବିଜେଡିରେ ଯୋଗ ଦେଇଥିଲେ।

ସେହିପରି କଳାହାଣ୍ଡି ନର୍ଲା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସରପଞ୍ଚ ଚିରଞ୍ଜିବ ଗୌଡ଼ିଆ, ସରପଞ୍ଚ ଚନ୍ଦ୍ରମା ମାଝୀ, ଚିତ୍ତ ରଞ୍ଜନ ରଣା, ନରସିଂହ କୁମାର, ଲେମ୍ବୁବତୀ ମାଝୀ, ଟିକେଶ୍ବର ମାଝୀ, ପଦ୍ମା ହରିଜନ, ବଳଭଦ୍ର ପାତ୍ର, ଉଜ୍ଜ୍ବଳା ପ୍ରଧାନୀ, ପ୍ରେମ ସାଗର ନାଏକ, ରମେଶ ସାହୁ, ସାବିତ୍ରୀ ମାଝୀ, ରବି ପାତ୍ର ପ୍ରମୁଖ ଆଜି ବିଜେଡିରେ ସାମିଲ ହୋଇଛନ୍ତି। ଏହି କାର୍ଯ୍ୟକ୍ରମରେ ନୂଆପଡ଼ା ଜିଲ୍ଲା ବିଜେଡି ସଭାପତି ରାଜେନ୍ଦ୍ର ପ୍ରସାଦ ଢୋଲକିଆ, ବିଧାୟକ ପୁଷ୍ପେନ୍ଦ୍ର ସିଂହଦେଓ ପ୍ରମୁଖ ଉପସ୍ଥିତ ଥିଲେ।

ଅପର ପକ୍ଷେ ପୁତୁରାଙ୍କର ବିଜେଡିରେ ଯୋଗଦାନ ନେଇ ବସନ୍ତ ପଣ୍ଡା କହିଛନ୍ତି, ମୋ ପୁତୁରା ମୋର ଅଧିକାର ନୁହେଁ। ସେ କେଉଁ ଦଳକୁ ଯିବ, ତା’ର ନିଜସ୍ବ ନିଷ୍ପତ୍ତି। ମୁଁ ବି‌େଜପିର ନୀତି, ଆଦର୍ଶ ନେଇ ରାଜନୀତି କରୁଛି। ସେଥିରୁ ବିଚ୍ୟୁତ ହେବାର ନାହିଁ।

ସମ୍ବନ୍ଧିତ ଖବର