ବେଆଇନ ଭାବେ ବିଜୁ ଯୁବ ବାହିନୀଙ୍କୁ ମୋବାଇଲ ବାଣ୍ଟିବା ପ୍ରସଙ୍ଗରେ ଭିଜିଲାନ୍ସ ନିର୍ଦ୍ଦେଶକଙ୍କୁ ଭେଟି କାର୍ଯ୍ୟାନୁଷ୍ଠାନ ଦାବି କଲା ରାଜ୍ୟ ବିଜେପି

କଟକ/ଭୁବନେଶ୍ୱର : ରାଜ୍ୟ ସରକାରଙ୍କର ବାହୁଛାୟା ତଳେ ରହିବା ସହ ପ୍ରତ୍ୟକ୍ଷ ପ୍ରୋତ୍ସାହନ ପାଇ ଦୁର୍ନୀତିଗ୍ରସ୍ତ ଖଣି କମ୍ପାନୀ, ଚିଠଫଣ୍ଡ କମ୍ପାନି ଏବଂ ଧାନ କିଣାରେ ଚାଷୀମାନଙ୍କୁ କଳାକନା ବୁଲାଇଥିବା ମିଲର ଗୁଡିକ ବିଜୁ ଯୁବ ବାହିନୀ ମାଧ୍ୟମରେ ରାଜ୍ୟର ସମସ୍ତ ୩୧୪ଟି ବ୍ଲକରେ ପ୍ରତି ବ୍ଲକରେ ୫ ହଜାର ଲେଖାଏଁ ମୋବାଇଲ୍ ବାଂଟିବା ପାଇଁ ଯାଉଛନ୍ତି । ଜିଲ୍ଲା ଏବଂ ବ୍ଲକର ପ୍ରଶାସନିକ ଅଧିକାରୀମାନେ ଏହି ମୋବାଇଲ ବଂଟାକୁ ଏକ ସରକାରୀ ଯୋଜନା ଭଳି ମନିଟର କରୁଛନ୍ତି । ହେଲେ ଆଶ୍ଚର୍ଯ୍ୟର କଥା ସେହି ମୋବାଇଲ ବଂଟା ନେଇ କୌଣସି ଟେଣ୍ଡର ହୋଇନାହିଁ କି ସରକାରୀ ସ୍ତରରେ କୌଣସି ବଜେଟ ବ୍ୟବସ୍ଥା ନାହିଁ । ପ୍ରାୟ ୭୫୦ କୋଟି ଟଙ୍କା ବ୍ୟୟରେ ପ୍ରାୟ ୨୦ ଲକ୍ଷ ମୋବାଇଲ୍ ହ୍ୟାଣ୍ଡସେଟ ବାଂଟିବା ପାଇଁ ମସୁଧା ଚାଲିଛି । ବିନା ସରକାର ନିଷ୍ପତିରେ କାହିଁକି ଏତେ ମୋବାଇଲ ବଂଟାଯାଉଛି ଓ ସମ୍ପୃକ୍ତ ଘରୋଇ କମ୍ପାନୀମାନେ କାହିଁକି ମୋବାଇଲ ବାଂଟିବା ପାଇଁ ଅର୍ଥ ଖର୍ଚ୍ଚ କରୁଛନ୍ତି । ଏଥିରୁ ଏକ ବୃହତ ଆର୍ଥୀକ ଅନିୟମିତତାର ଗନ୍ଧ ବାହାରୁଛି ।

ଖଣି କଂପାନୀ ଦ୍ୱାରା ବଂଟାଯାଉଥିବା ମୋବାଇଲର ପ୍ରକୃତ ହିତାଧିକାରୀ କିଏ ରାଜ୍ୟସରକାର ସ୍ପଷ୍ଟ କରନ୍ତୁ

ବିନା ସରକାରୀ ନିଷ୍ପତିରେ କାହିଁକି ଏତେ ମୋବାଇଲ ବଂଟାଯାଉଛି ଓ ସମ୍ପୃକ୍ତ ଘରୋଇ କମ୍ପାନୀମାନେ କାହିଁକି ମୋବାଇଲ ବାଂଟିବା ପାଇଁ ଅର୍ଥ ଖର୍ଚ୍ଚ କରୁଛନ୍ତି ?

ପୂର୍ବରୁ ମାନ୍ୟବର ରାଜ୍ୟପାଳ, ପ୍ରବର୍ତନ ନିର୍ଦ୍ଦେଶକ ଏବଂ ଆୟକର କମିଶନରଙ୍କୁ ଅଭିଯୋଗ କରିସାରିଛି ବିଜେପି

ଏ ପ୍ରସଙ୍ଗରେ ଗତ ମଙ୍ଗଳବାର ଦିନ ଭାରତୀୟ ଜନତା ପାର୍ଟି ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ପ୍ରବର୍ତନ ନିର୍ଦ୍ଦେଶକ ଏବଂ ଆୟକର ବିଭାଗ କମିଶନରଙ୍କୁ ଭେଟି ଅଭିଯୋଗ କରିଥିଲେ । ଗତକାଲି ଏହି ପ୍ରତିନିଧି ଦଳ ମହାମହିମ ରାଜ୍ୟପାଳଙ୍କୁ ଭେଟି ଏହି ଦୁର୍ନିତୀ ପ୍ରସଙ୍ଗରେ ମୋବାଇଲ କଂପାନୀର ଇ-ୱେ ବିଲ୍, ଗାଡି ନମ୍ବର ଆଦି ଭଳି ତଥ୍ୟ ଓ ପ୍ରମାଣ ସହ ଅଭିଯୋଗ କରି ଘଟଣାରେ ହସ୍ତକ୍ଷେପ କରିବା ପାଇଁ ଅନୁରୋଧ କରିଥିଲେ । ଏହି ପ୍ରସଙ୍ଗରେ ଆଜି ବିଜେପି ପ୍ରତିନିଧି ଦଳ ରାଜ୍ୟ ଭିଜିଲାନ୍ସ ନିର୍ଦ୍ଦେଶକଙ୍କୁ ଭେଟି ଅଭିଯୋଗ କରିବା ସହ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅନୁରୋଧ କରିଛନ୍ତି ।

ତାମିଲ ଖଣି ବେପାରୀ ତ୍ରିବେଣୀ ଆର୍ଥମୁଭରସ, ବ୍ୟାପକ ଖଣି ଦୁର୍ନିତିରେ ସମ୍ପୃକ୍ତ ଥିବା ସିରାଜ୍ଉଦ୍ଧିନ୍ ଆଣ୍ଡ କୋ, ଧାନ କିଣା ଘୋଟାଲାରେ ସମ୍ପୃକ୍ତ ଥିବା ମା’ ଉତରାଣୀ ରୋଲର ଆଣ୍ଡ ଫ୍ଲୋର ମିଲ୍, ଆରିୟା ମାଇନିଂ ଆଣ୍ଡ ଟ୍ରେଡିଙ୍ଗ କର୍ପୋରେଶନ, କଲ୍ୟାଣି ଏଂଟରପ୍ରାଇଜେସ୍ ସହ ଅନେକ କମ୍ପାନୀ ଏହି ବେନିୟମ ମୋବାଇଲ୍ ଯୋଗାଣରେ ସଂପୃକ୍ତ ଅଛନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

ସମ୍ବନ୍ଧିତ ଖବର